ଦାଦନ
ଦାଦନ
କେଉଁ ଅସହଣୀ ଘୁମନ୍ତ ଲଗନେ
ଭିଜାଇବାର ସ୍ୱପ୍ନ ବୁଣି
ଭସାବାଦଲ ଖଣ୍ଡେ ଚକ୍କର ଦେଲା
ଶାଗୁଣାର ପକ୍ଷ ମେଲି
ମୁଣ୍ଡ ନଥିବା ମୁଣ୍ଡିଆ ପାହାଡ
ଉହୁଙ୍କି ଚାହିଁଲା ... ।
ଚାତକର ତୃଷ୍ଣାକୁ ନିରେଖି
ଖସି ପଡିଲା କେତେ ବିନ୍ଦୁ ଜଳ ।
ସନ୍ତପ୍ତି ଗଲା ମା ମାଟି ବକ୍ଷ
ମୋହାଛନ ଏବେ ବେକୁବ୍ ପରାଣ
ଶାଗ ପେଜ ଖିଆ ସ୍ୱାଭିମାନୀ ଆତ୍ମା
ନିଜ ସାଥେ ନିଜେ ଦେଲା ଧକ୍କା
ଗଦାଏ ଆଶାର ନିଆଁ ଜାଳିଦେଲା
ସଗା ଭଗା ମା ମାଟି ମାୟା ।
ବିଶ୍ୱାସର ସଂଜବତୀ ପରକଲା
ଦେଇପିଣ୍ଡି ଘର ଅଗଣାକୁ ।
ମା ମାଟି ସିଙ୍ଘାଣିନାକିଟେ ଏବେ
ମୁହଁ ବୁଲେଇ ମୋହିଗଲା ପରର ଛାଇକୁ
ଦଲାଲ୍ ର କୁହୁକ ମାୟାରେ ।
ବର୍ଷିଗଲା ପାଣି ବହଳ ପଣରେ
ଭିଜିଲା ତୁଷାର୍ତ୍ତ ତୃଷ୍ଣାର କାତରେ ।
ଦୁଇମୁଠା ଭାତ ଖୁଦଯାଉ ଉଣ୍ଡି
ପେଟଠାରୁ ହାଣ୍ଡିଶାଳ ଅଣ୍ଡାଳି ହେଉ ଥିବା
ଆଖିରେ ନୂଆ ସ୍ୱପ୍ନ ଦାନାବାନ୍ଧୁ ଥିଲା
ଆଗୁଆ ପାଉଣା ସାଥେ
ଦୁର୍ବୋଧ ପଣରେ ।
କାହିଁକି ଦଲାଲ୍ ବେଇମାନୀ କର
ମାଟିର ମଣିଷ ସାଥେ ?
ଦାଦନ ମୋହର ମାରି ଶୋଷି ନିଅ
ହାଡ ମାଂସ ଲହୁ ଲୁହ ରକ୍ତ ।
ଆଶା ବୈତରଣୀ ତୀରେ
ଦୁକୁ ଦୁକୁ ଜଳୁଥାନ୍ତି ଶ୍ରମଜୀବୀ
ଜଳକା ଅନ୍ଧାରେ ଆଲୋକ ଆଶାରେ
ସ୍ୱାର୍ଥ ସୂତ୍ର ସୁଅ ମୁହାଣୀରେ
ବହିଯାଏ ତନ ମନ ପ୍ରାଣ
ଲହୁଲୁହ ବେଦନା ସୁଅରେ ।
ଘର ବାହୁଡା ସୂର୍ଯ୍ୟ ଲୁଚକାଳି ଖେଳେ
ବନ୍ଧାଦିଆ ଭାଗ୍ଯର ଉହାଡେ
ନିତି ମରି ଜିଇଁବାର ଇଛା ତାଜା ହୁଏ
ନିଶାସକ୍ତ ବେଦମ୍ ପଣରେ ।
ହେ ଈଶ୍ବର ଶୋସକ ଗର୍ଜୁଛି
ହୁତାସନେ ଜଳିଯାଏ ନିରୀହ ପରାଣ।
ଅଦିନିଆ ଝଡର ବାଦଲ ଧ୍ୱଂସ
କରେ ମାତୃପ୍ରୀତି ଆତ୍ମ୍ ଅଭିମାନ ।
ସବୁଠି'ତ ଚଞ୍ଚକ ପଣିଆ -
ଛକାପଞ୍ଝା ସ୍ୱାର୍ଥାଭିଷ୍ଟ ଜଜ୍ଞ ।
ସମସ୍ତେ ବଦାନ୍ଯ ଶବ୍ଦରେ ଶବ୍ଦରେ
ବିଜ୍ଞପିତ ଛଳ ଓ ଛନ୍ଦରେ
ହେ ଈଶ୍ବର ଜ୍ଞାନ ରବି ଉଦୟରେ
ଅପସରି ଯାଉ ଅଦିନିଆ ବାଦଲର
ଅଦହୁତି ପଣ
ଖର କ୍ଷୀପ୍ର ତେଜନେଇ ପୋଡିଯାଉ
ଜୀବନରୁ ଏ ଅନ୍ଯାୟ ମୂଲଚାଲ ।
କର୍ମ ସଂସ୍ଥାନ ସଦ୍ଭାବେ
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ
ଦୂର ହେଉ ସମୟର ଦାଦନ ସଙ୍କଟ ।।