ଗ୍ରୀଷ୍ମର ତାତି ରେ ଛାତିଥରା ଗୀତି ଟିଏ
ଗ୍ରୀଷ୍ମର ତାତି ରେ ଛାତିଥରା ଗୀତି ଟିଏ
ଗ୍ରୀଷମ ହୋଇବ ଏତେ ଯେ ବିଷମ
କିଏ ଅବା ଜାଣି ଥିଲା
ପାଞ୍ଚ ବରଷର ବୁଦ୍ଧିଆ ବିଚ଼ରା
ମାଆ ସଙ୍ଗେ ଯାଇ ଥିଲା ।
ମାଆ ମଜଦୁରୀ କରି ଚଳୁ ଥିଲା
ବାପା ତାର ଆର ପୁରେ
ଦଶ ବରଷର ବଡ଼ ଭାଇ ତାର
ରହିଥିଲା ବସ୍ତି ଘରେ ।
ଅମାନିଆ ଖରା ନିଆଁ ବରଷିଲା
କି କରିବ ତାର ମାଆ
କାମ ନ କରିଲେ ପେଟ ଯେ ଅପୋଷା
କି କରିବେ ଦୁଇ ଛୁଆ ।
ପିଞ୍ଜରା ତ ତାର ଗଣି ହେଉ ଥିଲା
ଆଖି ପଶିଛି କୋରଡ଼େ
ଭାଗ୍ୟକୁ ଆଦରି ଦୁଃଖ ମନେ ମାରି
କାମ ପାଇଁ ଗୋଡ଼ କାଢ଼େ ।
ସେ ଦିନ ଖରାରେ ଆଖି ସାମନାରେ
ମାଆ ପଡ଼େ ଭୂମି ପରେ
ବିକଳ ହୋଇ ଯେ ମାଆକୁ ଟାଣଇ
ବୁଦ୍ଧିଆ କାନ୍ଦେ ଆତୁରେ ।
କାନି ଧରି ଟିକେ ଭିଡ଼ଇ ବିକଳେ
ଯାଇ ହଲାଇ ଡାକଇ
ଲୋକଙ୍କ ଭିଡରେ ଚକିତ ହୋଇ ସେ
ସଭିଙ୍କୁ ଯେ ଚାହୁଁଥାଇ।
ଅସରା ଲୁହରେ ଭୂମି ଭିଜୁ ଅଛି
ବିକଳ କାନ୍ଦଣା ଶୁଭେ
ଧରଣୀ ସତେ କି ଅସହାୟ ହୋଇ
ନିଃଶଦ୍ଦରେ ଚାହିଁ ଭାବେ ।
ଦଶ ବରଷର ବଡ଼ ଭାଇ କାନ୍ଧେ
ଦୁଇ ଜୀବନର ଭାର
କେତେ ତାର ବୁଦ୍ଧି ଡହଳ ବିକଳ
ନେତ୍ରୁ ଝରେ ଅଶ୍ରୁ ଧାର ।
ଗ୍ରୀଷମ ତାତି ଯେ ଛଡାଇ ନେଇଛି
ତାଙ୍କ ଠାରୁ ତାଙ୍କ ମାଆ
କିଏ ସାହା ହେବ କେମିତି ବଞ୍ଚିବ
ଜାଣନ୍ତି ସେ ଚଉବାହା ।
ମାଆ ଜଳୁଅଛି ଜୁଇ ର ନିଆଁରେ
ପୁଅଙ୍କ ଛାତି ରେ ତାତି
ମଶାଣି ନିଆଁକୁ ଚାହିଁ ବସିଛନ୍ତି
ମନରେ ଅନେକ ଭୀତି ।
ବୁଦ୍ଧିଆ ମାଆର ଲୁଗା କୁ ଜଡେଇ
ନିସ୍ତବ୍ଧେ ଚାହିଁଛି ଜୁଇ
ଅକୁହା ପ୍ରଶ୍ନରେ ଛନ୍ଦି ହୋଇ ସିଏ
ସତେ ଉତ୍ତର ଖୋଜଇ ।
ଗ୍ରୀଷ୍ମର ତାତିଟା କେତେ ନିଦାରୁଣ
ଅନାଥ ହେଲେ ସନ୍ତାନ
ତାଙ୍କ ପିଲାଦିନ ଶୂନ୍ୟ ହୋଇ ଗଲା
ତାତି ଦେଲା ଯେ ଦହନ ।
ଗ୍ରୀଷ୍ମର ତାତିରେ ମାଆ ତା ଜଳିଲା
ଜଳି ଗଲା ସବୁ ସ୍ବପ୍ନ
ବଡ଼ ଭାଇ ନିଜେ ଦୁନିଆ ବୁଝିନି
ଭାଇ ପାଇଁ ଆନମନ |
ଏମିତି କଷଣ କେମିତି ସହିବ
ନାହିଁ କାହିଁ ସାହା ରାହା
ତାତି ଭରିଦେଲା ଛାତିରେ ଯେ କୋହ
ଏକା ଚକାଡ଼ୋଳା ସାହା ।