ହେ ମୋ ବାଜି ରାଉତ
ହେ ମୋ ବାଜି ରାଉତ
ହେ ମୋ ବାଜି ରାଉତ, ତୁମରି ଆଖ୍ୟାନ
ଭୁଲିବା ସହଜ ନୁହଁ,
ଭୁବନ ଅଞ୍ଚଳେ ବ୍ରାହ୍ମଣୀ କୂଳରେ
ନୀଳକଣ୍ଠପୁର ଗ୍ରାମେ ଜନମ ହୁଅ ।
ପିତା ହରି ମାତା ରାଣିଆ ପିଲାଟି ଦିନରୁ ତ
ବାପାଙ୍କୁ ଥିଲ ହରାଇ
ମାଆ କୋଳେ ବଢ଼ିଥିଲ, ଇଂରେଜ ମାନଙ୍କ
ଅତ୍ଯାଚାର କଥା ଥିଲା ଶୁଣାଇ ।
ଥିଲ ଗୋଟିଏ ଫୁଲ କଢ଼ି, ମହକିଲ ଭାରି
ଚମକାଇ ଦେଲ ବାସକୁ
ଆଜିର ଏହି ଦିନରେ ହେ ବାର ବର୍ଷ ବାଳକ
ଉତ୍ସର୍ଗ କଲ ନିଜ ପ୍ରାଣକୁ ।
ଲୋଟିଗଲ ପଛେ ହଟିଲ ନାହିଁ ମୋ ଦେଶ
ମାଟିର ସମ୍ମାନ ପାଇଁ
ଇଂରେଜ ସୈନିକଙ୍କୁ ବୀରଦର୍ପେ କହିଲ,
ନୌକାକୁ ଘାଟିରେ ଲଗାଇବ ନାହିଁ ।
ଛୁଆଟି ଦିନରୁ ଆଙ୍କିଛି ମୋ ମନରେ
ତୁମର ସେହି ବୀରତ୍ୱର ପ୍ରତିଛବି,
ହେ ବାଳୁତ ବାଜିଆ ପ୍ରାଣ ଦେଲ ସିନା,
ଧନ୍ୟ ସାହସ, ଗଲନି ତ ଦବି ।
ହେ ମୋ ଜିଲ୍ଲା ଢ଼େଙ୍କାନାଳର ବୀର,
ଦେଇଗଲ ତୁମେ ମହା ଶିକ୍ଷା
ଭାରତ ଦେଶ ମାଟି ମାଆ ପାଇଁ
ଜୀବନକୁ ଦେଇ ଜଳାଇଲ ଅଗ୍ନିଶିଖା ।
ସେଇ ନିଜ ବୀରତ୍ୱରେ ମୋ ମନେ ରେଖା
ଟାଣି ଦେଲ ଗହନ ସ୍ୱପ୍ନର ଭଣ୍ଡାର
ଛୁଆଟି ଦିନରୁ ବିପ୍ଳବୀ ସାଜିଲି,
ମୋ ମନେ ବୋଳିଦେଇଗଲ ଆଶା, ମୁକତିର ।
ଢେଙ୍କାନାଳ ରାଜା ଥିଲା ଅତ୍ଯାଚାରୀ
ବଳୀୟାନ ଇଂରେଜ ସମର୍ଥନରେ ,
ସେଥିପାଇଁ ପ୍ରଜାମେଳି ହୋଇଥିଲା ମୁକତି ସପନେ
ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ ।
ପ୍ରଜାମଣ୍ଡଳର ନିଷ୍ପତ୍ତି ହୋଇଲା
ସରବେ କରିବେ ଅମାନ୍ଯ ରାଜାଙ୍କ ଶାସନକୁ ,
ବାନର ସେନାରେ ବାଜିଆ ଥିଲା,
ଶପଥ କରିଲା ମାନିବ ପ୍ରଜାମେଳି ନିଷ୍ପତ୍ତିକୁ ।
ଅଳପ ବୟସେ ଅଦମ୍ୟ ସାହସ ଦେଖାଇଲୁ
ମନ ମଧ୍ୟେ ହେ ତୁ ବୀର ବାଜି
କ୍ଷଣସ୍ଥାୟୀ ଜୀବନକୁ ଦେଇ ହୋଇଲୁ ମହାନ
ମୁଁ ଓ ମୋ ଦେଶ ଝୁରୁଛି ଆଜି ।
ଧରି ସୁଗୁଣ ଭାରତୀୟ ସନ୍ତାନ ଜନ୍ମ ନେଇଥିଲ
ନାମ ରଖିଲ ଦେଶ ଓ ବିଶ୍ୱରେ
ସମ୍ମାନ ପାଇବ, ସବୁଦିନ ଝଟକୁଥିବ, ଥିଲ ବୀର,
ଶହୀଦ ସମତୁଲ ହେଲ ଏ ମହୀରେ ।
ହେ ବାଜି ରାଉତ, ମୋ ଚେତନାର ଚୌହଦୀରେ
ସଦା ମୁଁ ତୁମକୁ ପାଇଛି,
ତୁମ ପ୍ରୀତିିରେ ନିଜକୁ ମଜ୍ଜାଇଛି,
ତୁମ ଜନ୍ମ ଜୟନ୍ତୀରେ, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଶହୀଦ ହୋଇ ସିନା, ଗୋଟିଏ ଚାରା ଲଗାଇଥିଲ
ସେଦିନ ଏଇ ଧରାରେ
ହଜାର ହଜାର ବୀର ବାହାରିଲେ,
ଦେଶ ହୋଇଲା ସ୍ୱାଧୀନ,
ଦେଖୁଛ ରହି ତାରା ମେଳରେ ।