କୃଷକ
କୃଷକ
କାକ ରାବ ଭୂ-ବନେ ଗୁଞ୍ଜରିତ ହେବା ଆଗରୁ ଅଳସ ଭାଙ୍ଗେ,
ସମୟର ସମ୍ମାନ କରେ ସେ ଚାଲେ ଜହ୍ନ ତାରାର ଗତି ସଙ୍ଗେ।
ଛାଇ ଆଲୁଅର ଖେଳ ନ ସରୁଣୁ ବିଲକୁ ଧାଇଁ ଯାଏ,
ସୂରୁଜ ଉଇଁ ମଥାନ ଛୁଇଁବା ପୂର୍ବରୁ କାମ ତା'ର ସାରି ଥାଏ।
ମଞ୍ଜି ପକାଏ ,ଚାରା ଲଗାଏ , ଛୁଆ ଠୁ ବଳି ଯତ୍ନ କରେ,
ମାଟି କାଦୁଅକୁ ଆଞ୍ଜୁଳାରେ ତୋଳି ସରାଗେ ଗେଲ କରେ ।
ତା ବଦନ ରସ ପିଇ ମଟାଳ ମାଟି ସବୁଜ ସତେଜ ହୁଏ,
ସ୍ବେଦର ସ୍ୱାଦରେ ନିତ୍କୃଷ୍ଟ ଭୂମି ଉତ୍କୃଷ୍ଟ ଫସଲ ଦିଏ।
ଅପଚୟ ଯାଏ ନାହିଁ ପରିଶ୍ରମ କେବେ , ତା ହାଡ଼ ମାଂସର,
ଶାଗ ପଖାଳରେ ସନ୍ତୁଷ୍ଟ ରହି ଯୋଗାଏ ଅନ୍ନର ଭଣ୍ଡାର।
ଖରା, ବରଷା , ଶୀତ ପାରି ନାହିଁ ସାଜି ପଥେ ତା'ର ବାଧକ,
ଖୋଲା ଆକାଶ ତଳେ ସାରିଦିଏ ଜୀବନର ଅର୍ଦ୍ଧାଧିକ।
ଉତଫୁଲ୍ଲିତ ତଥାପି କେବଳ କୃଷକ ଭାଇର ଆଖ୍ୟା ପାଇ,
ମାଟି ମା'ର ଶ୍ରେଷ୍ଠ ପୁତ୍ର ସିଏ ଅଣ୍ଟିରେ କିଛି ନ ଥାଇ ।