ମାଆ
ମାଆ
ସଭିଏଁ ଯେବେ କୁହନ୍ତି ଯା'
ଜଣେ ତ ଡାକେ ଆ',
ତା'ସମ କେହି ସଂସାରେ ନାହିଁ
ସେଇ ଆମରି ମାଆ।
ବିଶ୍ଵାସ ବୋଲି ଶବ୍ଦଟି ଯଦି
ସବୁଠିଁ ଯାଏ ତୁଟି,
ସେହି ବିଶ୍ଵାସ ମାଆ ପାଖରେ
ମାତ୍ର ଅତୁଟ ଅଛି।
ନଦେଲେ କିଛି ନ ନେଲେ କିଛି
କିଏ କାହାର ଏଠି,
ସେ ଏକା ମାଆ କିଛି ନ ନେଇ
ଶରଧା ଦିଏ ବାଣ୍ଟି।
ବିନା ସ୍ଵାର୍ଥରେ ଦୁନିଆଁ ଯଦି
ଛାଡି ଦିଏ ତ ହାତ,
ମାଆ ପଣତ ରଖେ ବାନ୍ଧିତ
ବଡ଼ ଦେଉଳ ନେତ।
ଯାହା ଓଠରୁ ଝରେ ଅମୃତ
କଥାରୁ ଝରେ ମହୁ,
ଯା'କୋଳରେ ମମତା ଠୁଳ
ସେ ପୁଣି ଆମ ବୋଉ।
ସ୍ଵାର୍ଥ ମିଶିଛି କା' ହସେ ସିନା
ମାଆର ହସ ମିଠା,
ମାଆ ନାଆଁଟି ସ୍ଵର୍ଗଠୁଁ ବଡ଼
ସବୁ ତା' ପାଖେ ଶସ୍ତା।
ମାଆ ମୋ ପୁଣ୍ୟ ପବିତ୍ର ଗଙ୍ଗା
ମାଆ ମୋ ଆଶୀର୍ବାଦ,
ମାଆ ସକଳ ପୂଜା ଅର୍ଚ୍ଚନା
ମାଆ ସର୍ବଦା ଶୁଭ।
ଯେତେକ ସ୍ଥାନ ଅଛି ଜଗତେ
ସବୁ ବିପଦ ସ୍ଥଳ,
ସବୁଠୁଁ ନିରାପଦ ସ୍ଥାନଟି
ମାଆ ନରମ କୋଳ।
ମାଆ କୋଳରୁ ଜହ୍ନମାମୁଁଟି
ଅତି ପାଖରେ ଲାଗେ,
ଦୁନିଆଁ ଡରେ ନାହିଁ ତ ପୁଅ
ମାଆ ଥିଲେ ତା' ସଙ୍ଗେ।
ମାଆ ଅଟଇ ପୁଅ ମଥାର
କଜ୍ଜଳ ଟୋପାଟିଏ,
ଯେଉଁ ଟୋପାରେ ଯେତେ ନଜର
ଦୂରକୁ ହଟିଯାଏ।
ମାଆ ଆଶିଷ ହୋଇ ରକତ
ମୋ ଦେହେ ବହୁଅଛି,
ସେ ମାଆ ପଦେ ମଥା ଲଗାଇ
ପ୍ରଣାମ କରୁଅଛି।
ପଇସା ଦେଲେ ସବୁ ମିଳିବ
ମାଆ ମିଳିବ ନାହିଁ ,
ମା'ବିନା ଆହା ଭଲ ମନ୍ଦରେ
କହିବେ ନାହିଁ କେହି।
ମାଆ ଛାତିର ଅମୃତ ଶୋଷି
ସନ୍ତାନ ବଡ଼ ହୁଏ,
ସେହି ମାଆର ଋଣ ଜଗତେ
ଶୁଝି ପାରିବ କିଏ?
ଗର୍ଭସ୍ଥ ଶିଶୁ ଗୋଇଠା ମାଡ଼
କେତେ ସହିଛି ଯିଏ,
ଧିକ ସେ ପୁଅ ଜରା ଆଶ୍ରମେ
ଯେ ତାକୁ ଛାଡିଥାଏ।
ମନ୍ଦିର ଯାଆ ଯେତେ ପୂଜୁଥା
ପଥର ଠାକୁରାଣୀ,
ସବୁ ବେକାର ଥରୁଟେ ଯଦି
ମାଆକୁ ପୂଜିଲୁନି।