ମହାମାରୀ
ମହାମାରୀ
ପବନ ବି ଆଜି ଭବନେ ପଶିଲେ
ମନରେ ଉପୁଜେ ଭୟ
ଅଦୃଶ୍ୟ ଆତଙ୍କେ ଗୃହବନ୍ଦୀ ହୋଇ
ରହିବାକୁ ହେବ ଥୟ ।
ନିଜର ବୋଲି ମୁଁ ଭାବିଛି ଯାହାଙ୍କୁ
ଛୁଇଁବାକୁ ଏବେ ଡର
ବିଷମ ସ୍ଥିତି ଏ' ନିଜ ପରିବାରେ
ନିଜକୁ ମଣଇ ପର ।
ନିର୍ଜୀବ ପଦାର୍ଥେ ଭୂତାଣୁ ସଂସ୍ପର୍ଶେ
ଜୀବନ ଯାଉଛି ହାରି
କଳ୍ପନା ବାହାରେ ଆତଙ୍କ ଖେଳାଇ
ବ୍ୟାପୁଛି ଏ' ମହାମାରୀ ।
ପରମପିତାଙ୍କ ଅମୃତସନ୍ତାନ
ବୋଲାଏ ମଣିଷ ସିନା
ଦୁଷ୍କୃତି ବଳରେ ଅଳ୍ପାୟୁଷ ହୁଏ
ଅମୃତ ଭାବନା ବିନା ।
ଅପଭୋଗ ବରି କଦର୍ଯ୍ୟ କରଇ
ଦିନୁଦିନ ନିଜ ଗାତ୍ରେ
ଅମୃତ ସମାନ ଈଶ୍ୱର କି କେବେ
ରହିବେ ଅଶୁଦ୍ଧ ପାତ୍ରେ ?
ଶ୍ରେଷ୍ଠ କୃତି ଏହି ମଣିଷ ହିଁ ପରା
ଈଶ୍ବରଙ୍କ ପ୍ରିୟ ଅତି
ଉପେକ୍ଷା ନକରି ନିଜର ଯତନେ
କିଏ ବା ବଳାଏ ମତି ?
ଈଶ୍ବରଙ୍କୁ ଯିଏ ଜାଣେ ସେ ବିପଦେ
ଅନ୍ବେଷି ଜୀବନୀଶକ୍ତି
ସଚରାଚର ଏ ସୃଷ୍ଟିର ରକ୍ଷଣେ
ରଖିଥାଏ ଅନୁରକ୍ତି ।
ସଭିଏଁ ଜାଣନ୍ତି ଉଚିତ ଅଥବା
ଅନୁଚିତ ଆଚରଣ
ତଥାପି ଅଳୀକ ସୁଖର ମାୟାରେ
ହରାନ୍ତି ମଣିଷପଣ ।
ସାତ୍ତ୍ଵିକ ଗୁଣରେ ପରିପୂର୍ଣ୍ଣ ରହି
ମଣିଲେ ଦାସାନୁଦାସ
ଜଗତ ନିୟନ୍ତା ଅନାଦି ପୁରୁଷ
ତା' ହୃଦେ କରନ୍ତି ବାସ ।
ଦେହମନ ସାଥେ ଅନ୍ତଃକରଣକୁ
ରଖିଥିଲେ ଘଷିମାଜି
କଦବା କେଉଁଠି ମଣିଷ ଅନ୍ତରେ
ଈଶ୍ୱର ଦିଶନ୍ତେ ଆଜି ।