ନିଆଁ
ନିଆଁ
ଲଙ୍ଗଳା ଦେହର ଭୋକ
ଶାଶ୍ୱତ ପ୍ରଜ୍ଵଳିତ ଅଗ୍ନିଶିଖା,
ନିର୍ବାପିତ ହୋଇ ଯିବାର ଦହନ।
ଅବଦମିତ ପ୍ରଚଣ୍ଡ ମହାଜାଗତିକ ଶକ୍ତି ସହ;
ଶରୀରରେ ନୃତ୍ୟ କରେ,
ଉଦଣ୍ଡ ବେଗରେ, ତାଣ୍ଡବ ରଚିବାକୁ।
ବିଧ୍ୱଂସ ରଚିବାକୁ ସାମ୍ନାର ଆଉ ଏକ ଲଙ୍ଗଳା ଭୋକକୁ !
ଶିତ୍କାରର ଶବ୍ଦରେ କୁହୁଳି ଉଠେ ଅନ୍ତରର ଦହନ;
ରହସ୍ୟମୟ ଯୌନତାକୁ ଚଉଭାଙ୍ଗ କରିବାକୁ।
ମାଂସାଳ ଚୁଲୀର ରଡ଼ ଅଙ୍ଗାରରେ,
ଆତ୍ମାକୁ ସେକେ, ଉଷୁମ ତାପରେ;
ଏକ ଅନ୍ଧକାର ଶୀତୁଆ ରାତିରେ,
ଲଙ୍ଗଳା ଦେହର ଭୋକର ନିଆଁ ।
ନିଆଁ -
ଜୀବନର ଷଠୀ ଘରେ ଏନ୍ତୁଡ଼ିର ମଶାଲ।
ମୃତ୍ୟୁର କୋକେଇ ପାଇଁ ହିନ୍ଦୁର ମୁଖାଗ୍ନି।
ଏକ ପଟେ ସୃଷ୍ଟି ପାଇଁ ବ୍ରହ୍ମାଙ୍କ ବଦାନ୍ୟତା,
ଅନ୍ୟ ପଟେ ବିଲୟ ପାଇଁ ଯମଙ୍କ ବ୍ୟଗ୍ରତା।
ମହାଜାଗତିକ ଏହି ନୃତ୍ୟର ସମ୍ମିଶ୍ରଣରେ ,
ଆଶା ଏବଂ ଭୟ ସବୁବେଳେ ଯାଆଁଳା।
ପବିତ୍ର ଲଙ୍ଗଳା ଦେହର ଭୋକର ଅଗ୍ନି,
ଭୟର ଅବଶେଷକୁ ଆଡେଇ ଦିଏ ;
ଯାହା ମୁଁ ତିଆରି କରି ପାରେନା,
ମୋ ଆତ୍ମା ତିଆରି କରେ।
ଯେତେବେଳେ ସେ ମୋ ଅସ୍ତିତ୍ଵକୁ ଘେରି ଯାଏ,
ମୋ’ ଭୋକ ମାନେ ଜଳନ୍ତି ମୋ ଜୁଇ ର ଚନ୍ଦନ କାଠରେ !