ନୀଳାଦ୍ରି ମହୋଦୟ ଯାତ୍ରା
ନୀଳାଦ୍ରି ମହୋଦୟ ଯାତ୍ରା
ଶ୍ରୀକ୍ଷେତ୍ରରେ ବାରମାସେ ତେର ଯାତରା
ନୀଳାଦ୍ରି ମହୋଦୟ ଭାବର ପସରା।
କେତେ କିମ୍ବଦନ୍ତୀ ଲୋକ କଥା କାହାଣୀ
ସେ ପବିତ୍ର ଦିନ ପରା ଯାଏ ବଖାଣୀ।
ନୀଳାଚଳେ ଲାଗେ ଲିଳା ସାରା ଦିନଟି
ଦେଖିବାକୁ ଲିଳା ଭକ୍ତ ଛୁଟି ଆସନ୍ତି।
ବୈଶାଖ ଶୁକ୍ଳ ଅଷ୍ଟମୀ ଦିନ ଏ ଯାତ୍ରା
ପ୍ରଚଣ୍ଡ ନିଦାଘ ତାପ ପ୍ରବଳ ଖରା।
ଭକ୍ତଜନଙ୍କ ତହିଁ ନଥାଏ ଖାତର
ଲିଳା ଦେଖିବାକୁ ସବୁ ମନ ଆତୁର।
ପୁଣି ସେତେବେଳେ ଚନ୍ଦନ ହେଉଥାଏ
ଶ୍ରୀମନ୍ଦିରୁ ନରେନ୍ଦ୍ର କୁ ଲିଳା ଲାଗିଥାଏ।
ଭକ୍ତଙ୍କ ମନରେ ଭରା ମହା ଆନନ୍ଦ
ଅପୂର୍ବ ବେଶରେ ଉଭା ପରମାନନ୍ଦ।
ଶ୍ରୀମନ୍ଦିରେ ପୂଜା ପୁଣି ନରେନ୍ଦ୍ରେ ଚାପ
ଦରଶନେ ଉଣା ହୁଅଇ ପାପ ତାପ ।
ଶ୍ରୀମନ୍ଦିର ଇତିହାସ ଐତିହ୍ୟ ଗାଥା
ସ୍ମୃତି ରୁ ସାଉଁଟି ଥାଏ ଅତୀତ କଥା।
ପୁରାଣ ମାନଙ୍କ ରେ ଅଛି ବର୍ଣ୍ଣନ
ନୀଳାଦ୍ରି ମହୋଦୟ ଯାତ୍ରା ମହାନ ।
ପୁରାଣ ଯୁଗର ପୂଣ୍ୟ ପୁରାଣ କଥା
ଶଂଖ କ୍ଷେତ୍ର ଶ୍ରୀକ୍ଷେତ୍ର ର ଐତିହ୍ୟ ଗାଥା ।
ସୃଷ୍ଟି ଆରମ୍ଭ ରୁ ସୃଷ୍ଟି କରତା ଯହିଁ
ଶୂନ୍ୟ ସ୍ବରୂପରେ ଲିଳା କରନ୍ତି ରହି ।
ପୁତ ପବିତ୍ର କ୍ଷେତ୍ର ସେହି ପୂଣ୍ୟ ଭୂଇଁ
ମନୋରମ ଶୋଭା ସକଳ ସୁଖଦାୟୀ ।
ସ୍କନ୍ଦ ପୁରାଣ ରୁ ବାମଦେବ ସଂହିତା
ବର୍ଣ୍ଣନା କରନ୍ତି ନୀଳ କନ୍ଦର ଗାଥା।
ନୀଳାଦ୍ରି ମହୋଦୟ ଶାସ୍ତ୍ର ରେ ବର୍ଣ୍ଣନ
ନୀଳାଚଳ ଧାମ ସେତ ଧାମ ଅନନ୍ୟ।
ମର୍ତ୍ତ୍ଯ ମଣ୍ଡଳ ରେ ନାହିଁ ଏମିତି ସ୍ଥାନ
ଲିଳା କରନ୍ତି ଯହିଁ ସ୍ବୟଂ ନାରାୟଣ।
ଦାରୁବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ପରମବ୍ରହ୍ମ
ବ୍ରହ୍ମରାଶି ବ୍ରହ୍ମମୟ ଶ୍ରୀକ୍ଷେତ୍ର ଧାମ ।
କଳ୍ଫାନ୍ତରେ ମହାପ୍ରଭୁ ନିଜକୁ ନିଜେ
ଦାରୁ ଭୂତ ରୂପ ନେଇ ହୋଇଲେ ବିଜେ ।
ଅଧାଗଢ଼ା ରୂପ ହୋଇ ଚତୁର୍ଦ୍ଧା ମୂର୍ତ୍ତି
ପତିତ ଉଦ୍ଧାର ପାଇଁ ଲିଳା କରନ୍ତି।
ଇନ୍ଦ୍ରଦ୍ୟୁମ୍ନ ଙ୍କର ସେହି ଅପୂର୍ବ କିର୍ତ୍ତି
ଦରଶନ କରି ଭକ୍ତ ଧନ୍ୟ ହୁଅନ୍ତି।
ବଇଶାଖ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି
ରତ୍ନ ସିଂହାସନ ପରେ ଚତୁର୍ଦ୍ଧା ମୂର୍ତ୍ତି,
ବ୍ରହ୍ମାଙ୍କ ହସ୍ତରେ ହୋଇଥିଲେ ସ୍ଥାପନ
ଦୀନବନ୍ଧୁ ଦୁଃଖୀ ବନ୍ଧୁ ଚକାନୟନ।
ପୁଣି ଏକ କିମ୍ବଦନ୍ତୀ ଲୋକ କାହାଣୀ
ଦିବ୍ୟ ଦାରୁଙ୍କର କଥା ଯାଏ ବଖାଣି ।
ସେହି ବଇଶାଖ ଶୁକ୍ଳ ଅଷ୍ଟମୀ ଦିନ
ସିନ୍ଧୁ ଜଳେ ଦିବ୍ୟ ଦାରୁ ଦେଲେ ଦର୍ଶନ।
ନିଳାଦ୍ରି ମହାଯଜ୍ଞର ପୂର୍ଣ୍ଣ ଆହୂତି
ପୂର୍ବୁ ରାଜା ଇନ୍ଦ୍ରଦ୍ୟୁମ୍ନ ଅବନ୍ତି ପତି,
ମହୋଦଧି ରେ ସ୍ନାହାନ କରିବାବେଳେ
ଦେଖିଲେ ଅଦ୍ଭୁତ ଦାରୁ ସାଗର ଜଳେ।
ଲହଡିର ବିପରିତ ଦିଗରୁ ସେହି
ପୂଣ୍ୟ ଜଳଧି ଜଳରେ ଭାସି ଆସଇ ।
ସେହି ଦିବ୍ୟ ଦାରୁ ହେଲେ ଦାରୁ ବ୍ରହ୍ମ ଯେ
ନିଜକୁ ନିଜେ ଗଢିଲେ ପରମବ୍ରହ୍ମ ଯେ।
ପୁଣି ଏକ କିମ୍ବଦନ୍ତୀ ଯାଏ ବଖାଣି
ବୈଶାଖ ମାସ ଶୁକ୍ଳ ଅଷ୍ଟମୀ ରେ ପୁଣି,
ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ସରଗୁ ପାଛୋଟି
ଶ୍ରୀକ୍ଷେତ୍ର କୁ ଆଣିଥିଲେ ସେହି ଦିନଟି ।
ପିତାମହ ଙ୍କ କର କମଳେ ଶ୍ରୀମନ୍ଦିର
ପ୍ରତିଷ୍ଠା ହୋଇ ଥିଲା ସେହି ପୂଣ୍ୟ କ୍ଷେତ୍ର।
ଏମିତି କେତେ ଘଟଣା ସେ ଶୁଭ ଦିନେ
ଘଟିଥିଲା ନୀଳାଚଳ ପବିତ୍ର ଧାମେ ।
ସେଲାଗି ବୈଶାଖ ଶୁକ୍ଳ ଅଷ୍ଟମୀ ଜାଣ
ଶ୍ରୀକ୍ଷେତ୍ର ପାଇଁ ସେତ ଦିନ ମହାନ।
ନୀଳାଦ୍ରି ମହୋଦୟ ଭାବେ ସେ କ୍ଷାତ
ତ୍ରୟୋଦଶ ଯାତ୍ରା ମଧ୍ୟେ ସେତ ସ୍ଥାନିତ ।
ନୀଳାଦ୍ରି ମହୋଦୟ ଯାତରା ଅନନ୍ୟ
ଦରଶନ କରି ଭକ୍ତେ ହୁଅନ୍ତି ଧନ୍ୟ।
ବଇଶାଖ ଶୁକ୍ଳ ପକ୍ଷ ସପ୍ତମୀ ଦିନ
ଯାତ୍ରା ପାଇଁ ହୁଅଇ ଶୁଭ ଆୟୋଜନ।
ସନ୍ଧ୍ୟାଧୂପ ପରେ ଗରାବଡୁ ସେବକ
ଶହେଆଠ ଗଡ଼ୁ ଜଳ ଆଣନ୍ତି ସେତ।
ଭୋଗ ମଣ୍ଡପ ଘରେ ସେ ଜଳ ରୁହନ୍ତି
ବୈଦିକ ମନ୍ତ୍ର ରେ ଅଧିବାସ ହୁଅନ୍ତି।
ବୈଶାଖ ଶୁକ୍ଳ ଅଷ୍ଟମୀ ଶୁଭ ପ୍ରଭାତ
ଫିଟଇ ସିଂହ ଦୁଆର କଂସା କବାଟ।
ସବୁଦିନ ପରି ହୁଏ ମଙ୍ଗଳ ଆଳତି
ହୁଅଇ ମଇଲମ ଅବକାଶ ନୀତି।
ବାରଲାଗି ପାଟେ ପ୍ରଭୁ ବେଶ ହୁଅନ୍ତି
ଦୟଣା ତୁଳସୀ ମାଳ ଗଳେ ଝୁଲନ୍ତି ।
ବହ୍ଲଭ ଭୋଗ , ସକାଳ ଧୂପ ହୁଅଇ
ତହୁଁ ଭୋଗମଣ୍ଡପେ ନୀତି ଆରମ୍ଭଇ ।
ବାଜଇ ଘଣ୍ଟ ଘଣ୍ଟା ବାଜଇ କାହାଳୀ
ଜୟଜୟ ଜଗନ୍ନାଥ ପଡ଼େ ଉଛୁଳି।
ଗରାବଡୁମାନେ ବାଘ ମୁହାଁ ବାନ୍ଧନ୍ତି
ଅଧିବାସ ଜଳ ଚାରି ଛେକେ ଆଣନ୍ତି।
ପୂଜାପଣ୍ଡା ଜଳକୁ ସଂସ୍କାର କରନ୍ତି
ସେ ଜଳ ମହାପ୍ରଭୁଙ୍କୁ ଲାଗି ହୁଅନ୍ତି ।
ପଣ୍ଡା ପତିମହାପାତ୍ର ମୁଦିରସ୍ତ ଯେ
ଘଟୁଆରୀ ଘରୁ କରି ଚନ୍ଦନ ବିଜେ,
ତିନିଗୋଟି ରୁପା ପିଙ୍ଗଣରେ ଆଣନ୍ତି
ରତ୍ନ ସିଂହାସନପରେ ସଂସ୍କାର କରନ୍ତି।
ପାଳିଆ ପୁଷ୍ପାଳକ ସେ ଘୋରା ଚନ୍ଦନ
ଚତୁର୍ଦ୍ଧା ମୂରତିଙ୍କୁ କରନ୍ତି ଲେପନ ।
ଚନ୍ଦନ ଲେପନ ପରେ ନବ ବସନ
ଚତୁର୍ଦ୍ଧା ମୂରତି କରନ୍ତି ପରିଧାନ ।
ତୁଳସୀ ଦୟଣା ଆଉ ଫୁଲ ମାଳରେ
ବେଶ ହୋଇତ ଝଟକୁଥାନ୍ତି ଠାକୁରେ।
ତାପରେ ରାମକୃଷ୍ଣ ମଦନ ମୋହନ
ଦକ୍ଷିଣ ଘରୁ ଆସିଥାନ୍ତି ଦିଅଁ ମାନ ।
ଶ୍ରୀଦେବୀ ଭୂଦେବୀ ତାଙ୍କ ସାଥେ ମିଶନ୍ତି
ପାଇ ଆଜ୍ଞାମାଳ ଚାପ ଖେଳି ଯାଆନ୍ତି।
ସାହାଣ ମେଲା ହୁଏ ଭକତ ଙ୍କ ପାଇଁ
ଦିଅଁ ଙ୍କୁ ଦେଖନ୍ତି ଭକ୍ତେ ଆଖି ପୁରେଇ ।
ଅଧରାତି ଯାଏ ରହେ ଦେଉଳ ଖୋଲା
ଭକତେ ଦେଖିଥାନ୍ତି ପ୍ରଭୁଙ୍କର ଲିଳା ।
ଅପୂର୍ବ ଏ ନୀଳାଦ୍ରି ମହୋଦୟ ଲିଳା
ଦର୍ଶନେ ହୁଅଇ ଉଣା ଜୀବନର ଜ୍ବଳା।
ନୀଳ ସାଗର ରୁ ନୀଳ ଶଇଳଯାଏ
ବ୍ରହ୍ମଦାରୁ ଦାରୁ ବ୍ରହ୍ମ ବ୍ରହ୍ମମୟ ଯେ ।
ଶୂନ୍ୟ ତୁମେ ମହାଶୂନ୍ଯ ଶୂନ୍ୟ ସ୍ବରୂପ
ଅଧାଗଢ଼ା ଦିଅଁ ପ୍ରଭୁ ଅଦ୍ଭୁତ ରୂପ।
ସବୁରି ମୂଳରେ ତୁମେ ତୁମେ ଆଦିମୂଳ
ଅଗ୍ନି ତୁମେ ବାୟୁ ତୁମେ ଆକାଶ ଜଳ ।
ସମୟ ଚାଲିଛି ମାନି ତୁମ ଆଦେଶ
ତୁମ ଆଶିଷ ଭରିଦିଅଇ ସାହାସ ।
ଦୟାମୟ ଏ ଅଧମେ କରିବ ଦୟା
ବେଳ ଅବେଳରେ ପ୍ରଭୁ ହୋଇବ ସାହା ।