ପ୍ରିୟାର ଓଢ଼ଣୀ
ପ୍ରିୟାର ଓଢ଼ଣୀ
ଉତ୍ସୁକତା, ହାସଲର ଚରମ ଅଭୀପ୍ସାକୁ.. ଯେ ତୁମେ !
ଅନାୟତ୍ତ ମନର କ୍ଷଣିକ ମୁହୂର୍ତ୍ତ ଓ ଉନ୍ମାଦ ଶିହରଣ...
ସେ ଦିନ ଝଲକୁ ଥିଲା, ଘାରୁଥିଲା ହୃଦୟ ମନ୍ଦିରେ,
ସତେ କଣ ପାସୋରି ହେବ ଅନବରତ ତୁମର ସ୍ପନ୍ଦନ...
ଏଇ ଶୂନଶାନ କୋଠରୀରେ କେବଳ, ତୁମେ ଓ ମୁଁ,
ଏକ କୋଣରେ,ଏକ ଲୟରେ ନିଶ୍ଚଳ ଦୀପଶିଖା ସାକ୍ଷୀ !
ବାହାରି ଆଲୁଅର କଣ ଆବଶ୍ୟକତା ଚନ୍ଦ୍ର ବଦନ ପାଇଁ,
ସ୍ଥିରୀକୃତ ବିସ୍ମୟକର ଘଟଣାର ଉନ୍ମୋଚନ ଅନ୍ଧାରରେ !
ଆଉ କାହା ପାଇଁ, ଡେରି କାହିଁକି, ଆସ ପ୍ରିୟତମା....
ଏ ଓଢ଼ଣୀ ଉଠିବ ? ଆତ୍ମହରା ବୁକୁକୁ ଠାବ କରିବ ?
ତୁମର ସତ୍ତା ଯେ ପଞ୍ଚକୋଷାତୀତ, ତ୍ରିଗୁଣ ରହିତ,
ଅନାଦି,ଅସୀମ,ଅସ୍ପୃଶ୍ୟ,ଅରୂପ,ଅବୟବ,ଭାବାତୀତ....
ତାର ପୁଣି ଓଢ଼ଣୀ ଉଠାଇବାର ସତ୍ ସାହସ ମୋର !
ମୋର ପ୍ରିୟାର ଅଧିଷ୍ଠାନ,ଅତି ଯେ ସୂକ୍ଷ୍ମରୁ ସୂକ୍ଷ୍ମାତିସୂକ୍ଷ୍ମ....
ତମେ କେତେ ଯେ ସରଳ, ନିର୍ମଳ, କୋମଳ, ବିମଳ,
ଆଉ ମୁଁ ? ହୋଇ ପାରିବ ସମ୍ଭବ ? ଭେଦି ପାରିବି ତୁମକୁ ?
ଉଠିବ ଓଢ଼ଣୀ ? ସୌନ୍ଦର୍ଯ୍ୟ ଝଲସିବ ? ଆନନ୍ଦ ଲହରୀବ ?
ନିସ୍ତବ୍ଧ, ଶୂନ୍ୟରେ ବିଲୀନ ହେବାର ଆକାଂକ୍ଷାର ଆକାଶ ....
ହଜି ପାରିବି ମୁଁ ତମ ସାଥିରେ? ହରାଇପାରିବି ମୋତେ ?
ଭିକ୍ଷା ଏତିକି... ଦିଅ ସାହସ ପ୍ରଭୁ, ସମର୍ପଣର କୌଶଳ....