ସାୟର
ସାୟର
ମୁଁ କବିତାରେ
ମୋ ନିଶ୍ୱାସର କିଛି ଶବ୍ଦକୁ ଲେଖିଚାଲେ,
ମୋ ସୁନ୍ଦର ଅନୁଭବର କିଛି ବାସ୍ନାକୁ ଲେଖିଚାଲେ,
ଖୁସି ମୁହୂର୍ତ୍ତର ଦ୍ୱାହିଦେଇ
ନିଜ ଭିତରେ ସୃଷ୍ଟି ହେଉଥିବା
କିଛି ତରଙ୍ଗକୁ ଲେଖିଚାଲେ
ହଁ ମୁଁ ତୁମକୁ ଲେଖିଚାଲେ ।
ମୁଁ କବିତାରେ
ମୋ ଆତ୍ମାକୁ ଛୁଇଁ ଚାଲିଯାଇଥିବା,
ଅନ୍ତରୀକ୍ଷରେ ବୁଲୁଥିବା,
କିଛି ଆଶାକୁ ଲେଖିଚାଲେ,
ତୁମସହ ହୋଇଥିବା
ପ୍ରଥମ ଦେଖାକୁ ଲେଖିଚାଲେ
ତୁମେ ମୋତେ କହିଥିବା,
ପ୍ରଥମ ଶବ୍ଦ କୁ ଲେଖିଚାଲେ,
ତୁମେ ମୋ ହାତଧରି
ନିଜ ଆଡ଼େ ଟାଣିନେଇଥିବା
ପ୍ରଥମ ସ୍ପର୍ଶକୁ ଲେଖିଚାଲେ
ହଁ ମୁଁ ତୁମକୁ ଲେଖିଚାଲେ ।
ମୁଁ କବିତାରେ
ତୁମ ଅବ୍ୟକ୍ତ ଠିକଣାକୁ ଖୋଜିଚାଲେ
ଭିନ୍ନ ପୃଥିବୀର ମୋହକୁ ଭାବିଚାଲେ
ତୁମ ପାଦ ଚଲା ରାସ୍ତାର
ମାର୍ଜିତ ଧୂଳିକୁ ଲେଖିଚାଲେ
ତୁମ ପାଦରେ ଆସି ଯିଏ
ମୋ ସଫା ଚଟାଣରେ ଖସିପଡ଼ନ୍ତି,
ମୁଁ ସେ ଧୂଳିକୁ ଆପଣାର ଭାବି ଚାଲେ
ହଁ ମୁଁ ତୁମକୁ ଲେଖିଚାଲେ ।
ତୁମେ ଦିନେ କହିଥିଲ ମୋତେ
ମୋ ଆଖି କଥାକୁହେ
ସେଦିନ ତୁଛାଟାରେ
ତୁମ ଉପରେ ହସିଦେଇଥିଲି
ଆଂଶିକ ରାଗଟେ ରଖି
ସରାଗରେ ବୁଡ଼ାଇଦେଲ ମୋତେ
ନିରବ ଭାବୁକଟେ ହୋଇ
ତୁନି ହୋଇଗଲି
ସତ କହିବି,
ତୁମ ଅନୁପସ୍ଥିତିରେ
ଆଇନା ଆଗରେ ନିଜକୁ ଦେଖି
ମୁଁ ତୁମକଥା ହିଁ ଭାବିଚାଲେ
ହଁ ମୁଁ ତୁମକୁ ହିଁ ଲେଖିଚାଲେ।
କିଛି ଅନ୍ତ ହୀନ ସ୍ବପ୍ନ
ଗ୍ରୀଷ୍ମର ତାତିରେ ବସି
ଶ୍ରାବଣରେ ଭିଜିବାର ମୋହ
ଅନେକ ରାତ୍ରିର ଉନିଦ୍ରାପଣ
ସିକ୍ତ ହୋଇ ଉଠୁଥିବା ତକିଆ
ଯନ୍ତ୍ରଣାର ଅବଶେଷ ପରେ
ଧାଡି଼ଏ ପଂକ୍ତିକୁ ନୀଳ କାଳୀ ରେ ଭରିଦିଏ
ହଁ ମୁଁ ତୁମକୁ ହିଁ ଲେଖିଚାଲେ।
ଲୁନାର ଦାସ।