ସବୁ ତ ତୁମରି ଦାନ
ସବୁ ତ ତୁମରି ଦାନ
ହେ ଚକାନୟନ
ଡାକି ଡ଼ାକି ଦିନ ଗଲା
କାହିଁ ନ ଶୁଣ !
ନାମ ବହିଅଛ ପରା
ଜଗତ ନାଥ ,
ତୁମେ ଥାଉ ଥାଉ ପ୍ରଭୁ
କି ହେବି ଅନାଥ !
ଜଗତ କରତା ତୁମେ
ତୁମ ଆଜ୍ଞା ଘେନି ସର୍ବେ
କରନ୍ତି କରମ ଯେତେ
ନିଜ ଜୀବନେ,
ହେଉ ପାପ ହେଉ ପୁଣ୍ୟ
ହସ-ଲୁହ ପ୍ରକରଣ
ସବୁ ତ ତୁମରି ଦାନ
ମର୍ତ୍ତ୍ୟ ଭୁବନେ ।
ଜୀବନର ରଙ୍ଗମଞ୍ଚେ
ଡ଼ୋର ସବୁ
ତୁମ ହାତେ ,
ତୁମେ ହିଁ ଭିଆଅ ସବୁ
ନାଟ୍ୟ-ନାଟକ ।
ଦିନ ସହ ରାତି ପରି
ଅମା ଆଲୋକକୁ ଯୋଡ଼ି
ରଚାଅ ମାୟା ,
ତୁମେ ନ ହୋଇଲେ ସାହା
ବିପଦେ ଆପଦେ ଆହା
କେ ହେବ ଠିଆ ।
ମୋର ଯେତେ କୃତ କର୍ମ
ହେଉ ପାପ ହେଉ ପୁଣ୍ୟ
ସବୁ ତ ଅଟଇ ଦାନ
ପ୍ରଭୁ ତୁମର ।
କୁହ ତୁମ ! ଆଜ୍ଞା ବିନା
ଡ଼ାଳରୁ ପତର କିବା
ହୋଇପାରେ ବିଚ୍ୟୁତ !
ତୁମେ ସବୁର କାରଣ
ସୁଖ-ଦୁଃଖ ଧର୍ମ-କର୍ମ
ଯାହା ମୁଁ କରଇ କିମ୍ବା
ଚିନ୍ତଇ ମନେ ।
ସବୁ ଜାଣି ଭାବଗ୍ରାହୀ
କିଛି ନ ଜାଣିବା ପରି
ଦିଅ କଷଣ ,
ଦୁଃଖ ଦେଖି ମୋ ଅନ୍ତରେ
କେଉଁ ସୁଖ ପାଅ ତୁମେ !
କୁହ ମୋହନ !
କରେ ଏତିକି ଜଣାଣ
ଫେଡ଼ ମୋହରି କଷଣ ,
ଶ୍ରୀପୟରେ ରହୁ ଧ୍ୟାନ
କମଳା-କାନ୍ତ,
ରଖ ବା ନ ରଖ ମୋତେ
ଶରଣ ତୋ' ପଦ୍ମପାଦେ
ଜଗତ ନାଥ ।