ସ୍ମୃତି
ସ୍ମୃତି
ସ୍ମୃତି ତୁମେ ଛୁଇଁଯାଅ ଯେବେ
ଟୋପେ ଲୁହ ହୋଇ ଟିକେ କୋହ ହୋଇ
ତୁନି ଅଗଣାର କୁନି ଆକାଶରେ
ଦିଶିଯାଏ ଅମାଁସିଆ ଜହ୍ନ ଛାଇ।।
ସଞ୍ଜ ସଳିତାରୁ ଉଠା ଧୂଆଁ ପରି
ତୁମ ବାସ୍ନାର ଜଳାପୋଡ଼ା ଗନ୍ଧ
ଅବସାଦ ଆସ୍ଵାଦନ ଅନୁଭବ
ଅତି ଅନୁପମ ଅନୁଭୂତି ହୋଇ।।
ବକଳା ତଳର ଘାଆ ତାଜା ବୋଲି
ଯେତେ ହେତୁ ଥିଲେ ଭୁଲ ହୋଇଯାଏ
ଲେଖିଯାଏ ରକତର ହସ୍ତାକ୍ଷର
ନିଜ ଆଙ୍ଗୁଳିର ନଖ କ୍ଷୁର ହୋଇ।।
ପବନ ଉହାଡ଼େ ନିଆଁ ଜଳାଉଛି
ଲିଭିଯିବ କି ଜଳିବ ଜଣା ନାହିଁ
ହାତ ପାପୁଲି ଆଡ଼େଇ ରଖିଛି ମୁଁ
ଦୃଢ଼ ବିଶ୍ୱାସର ଘୋଡଣି ଘୋଡେ଼ଇ।।
ତୁମ ଫେରିଯିବା ଫେରି ନ'ଫେରିବା
ଫି ଫେରାର ଫରକ ବୁଝୁ ବୁଝୁ
ଫେରି ପାରିନି ଘୁରୁଛି ଆଜି ଯାଏ
ପୂର୍ଣ୍ଣ ପରିଧି ଘୁର୍ଣ୍ଣ ବ୍ୟସାର୍ଦ୍ଧ ହୋଇ।।
ଜୀବନ ଜ୍ୟାମିତି ଏକ ବକ୍ର ରେଖା
ଅଦୃଶ୍ୟ ପ୍ରତୀତ ହୁଏ ଯେବେ କେବେ
ତୁମେ ଲେଉଟାଇ ଯାଅ ଅସ୍ତିତ୍ୱ ମୋ
ରହିଥାଅ ଏହିପରି ସ୍ମୃତି ହୋଇ।।