ସମୟ ନହେଉ ବ୍ୟର୍ଥ
ସମୟ ନହେଉ ବ୍ୟର୍ଥ
ଥିଲା ଜଣେ ପିଲା
ମାଛ ଧରୁଥିଲା
ଭଲ ପଢ଼ୁଥିଲା ବୋଲି,
ବାପା ତାର ଥିଲେ
ଡଙ୍ଗା ବାହୁଥିଲେ
ଅଭାବକୁ ଅଙ୍ଗେ ବୋଳି।
ପଢ଼ୁଥିଲା ଧନ
ପାଇଲଟ ମନ
ଜାହାଜ ଚାଳକ ପାଇଁ ,
ହାରିଗଲା ବୋଲି
ହିମାଳୟ ବୁଲି
ରାଗି ଗଲା ପତ୍ତା ନାହିଁ।
ପଥର ଉପରେ
ଅଥୟ ମନରେ
କାନ୍ଦୁଥିଲା ବେଳେ ବସି,
ସନ୍ଥ ଜଣେ ଦେଖି
ପଚାରିଲେ ସେକି
ଖେଦ କିସ ପାଇଁ ହସି।
ମୋର ଇଚ୍ଛା ଥିଲା
ଚାଳକ ନୋହିଲା
ପରୀକ୍ଷାରେ ଗଲି ହାରି,
ଦୁଃଖ ରାଶି ରାଶି
ହିମାଳୟ ଆସି
ରାଗିକରି ଘରୁ ଭାରି।
ଚାଲୁଛେ ବାଟରେ
ରୋକିଲେ ହାତରେ
ଅଛି ଆନ ପଥେ ଯିବ,
ଯାଆ ଫେରି ଘର
ପିତା ମାତାଙ୍କର
ଆଦର ସେନେହ ନେବ।
କଥାଟି ସତରେ
ଝୁଣ୍ଟିଲେ ପଥରେ
ଆଗକୁ ଯିବାର ବାଟ,
ବହୁତ ପଡ଼ିଛି
ଆଗେଇ ଯାଉଛି
କରିବିନି ଆଉ ମଠ।
ନିଜକୁ ପ୍ରସ୍ତୁତ
ହେଲା ପ୍ରସ୍ଫୁଟିତ
ଜୀବନେ ପ୍ରଶସ୍ତ ହାତ,
ଆଣବିକ ଜ୍ଞାନ
କୌଶଳ ଅଭିଜ୍ଞ
ରାଷ୍ଟ୍ରପତି ଆମ ଜ୍ଞାତ।
ପଥର ତାଡ଼ିବା
ଆଗକୁ ମାଡ଼ିବା
ସମୟ ନକରି ବ୍ୟର୍ଥ,
ତରଳ ସରଳ
ସଭିଙ୍କ ମଙ୍ଗଳ
ଜୀବନର ଅନ୍ୟ ଅର୍ଥ।