Sachidananda Kar

Tragedy

4  

Sachidananda Kar

Tragedy

ଅଳିକ ସୁଖର ମୁହଁ

ଅଳିକ ସୁଖର ମୁହଁ

3 mins
369


    ନିସ୍ତବ୍ଧ ନୀରବତା । ଗାଢ଼ ଅନ୍ଧକାର ।  


    ନିରୁପମା କ'ଣ ଗୋଟିଏ ମିଠା ମିଠା ସୁଖର ସ୍ୱପ୍ନ ଦେଖୁଥିଲା ଯେ ହଠାତ୍ ତୁଟିଗଲା ।  


    ସ୍ୱପ୍ନ ତୁଟିଗଲେ ନିଦ ଭାଙ୍ଗିଯାଏ । ତା'ର ନିଦ ଭାଙ୍ଗିଗଲା ।  


    ରାତି ଆଉ କେତେ ଅଛି କେଜାଣି!ସେ ଉଠି ଶେଯରେ ବସିଲା । ସେବେ ସେବେ ଦେଖିଥିବା ସ୍ଵପ୍ନକୁ ମନେପକାଇଲା ।  


    ନିଦ, ନିଦରେ ମିଠା ମିଠା ସୁଖର ସ୍ୱପ୍ନ, ସ୍ୱପ୍ନରେ ଗୋଟେ ସୁନ୍ଦର, ସୁଖପୂର୍ଣ୍ଣ ଜୀବନ - କେତେ ଭଲ ସତେ!ହେଲେ ରାତି ପାହିଲାବେଳକୁ କାହିଁକି ସେସବୁ ନ ଥାଏ?କୁଆଡ଼େ ଚାଲିଯାନ୍ତି ସେମାନେ?ନିଜକୁ ପ୍ରଶ୍ନ କଲା ସେ ।  


    ତା'ର ଆଖିରେ ଆଉ ନିଦ ଆସୁନଥିଲା । ମିଠା ମିଠା ସୁଖର ସ୍ୱପ୍ନ ତୁଟିଗଲେ ଆଖିରୁ ନିଦ ହଜିଯାଏ ନା କ'ଣ! 


    ଜୀବନର ଅନେକ ପଥ ଅତିକ୍ରମ କରି ଆସିଥିଲା ସେ । ବହୁ ଘଟଣା ଦୁର୍ଘଟଣା ଅଙ୍ଗେ ନିଭାଇ ସାରିଥିଲା । କେବେ ଦିନେ ସୁଖର ମିଠା ସ୍ବାଦ ଚାଖି ନ ଥିଲା । ଏବେ ଏବେ ରାତିର ସ୍ୱପ୍ନ ତା' ମନରେ କିଛି ମିଠା ସୁଖ ଆଣି ଦେଇଥିବାରୁ ସେ ଖୁସି ହେଲା । ସେମିତି ସୁଖର ଜୀବନ ତାକୁ ଗୋଟେ ମିଳିଯାଆନ୍ତା କି ଭାବିଲା ।  


    ସ୍ୱପ୍ନର ଆୟୁଷ ବା କେତେ!ହାଟୁଆ ହାଟରୁ ଫେରିବା ପରି ସ୍ୱପ୍ନ ଦେଖୁଥିବା ମଣିଷ ସ୍ୱପ୍ନ ଶେଷରେ ପୁଣି ତା'ର ଗତାନୁଗତିକ ଜୀବନକୁ ଫେରେ । ଆପଣା ଭାଗ୍ୟକୁ ଆଦରି ନିଏ । ହେଲେ ଏବେ ସେପରି ଇଚ୍ଛା ତା' ମନରେ ନ ଥିଲା । ସେ ପୁଣି ତା'ର ସ୍ୱପ୍ନ ପାଖକୁ ଫେରିଲା । ସୁଖଦ ଅନୁଭବରେ ହଜିଲା ।  


    ରାତି ପାହି ନଥିଲା । ଦ୍ଵିତୀୟା ଜହ୍ନ କେବେ ଠାରୁ ଡୁବି ଯାଇଥିଲା । ଚାରିଆଡ଼େ କେବଳ ଅନ୍ଧକାର ଆଉ ଅନ୍ଧକାର । ସେ ଟିକେ ଫିକ୍ ଫିକ୍ ହସିଲା । ରାତି ସହ ଆଳାପରେ ହଜିବ ଭାବିଲା । ଭାବିଲା ରାତି ଠାରୁ ସମୟ ସହ ତାଳଦେଇ ଚାଲିବା ଶିଖିବ । ଶିଖିବ ସୁଖରେ ଜୀଇଁବାର କଳାକୌଶଳ । ଦୁଃଖ ସବୁକୁ କେମିତି ଏକା ନିଃଶ୍ୱାସରେ ଢକ୍ ଢକ୍ କରି ପିଇହୁଏ ତାହା ବି ଶିଖିବ ।  


    ହେଲେ ଏମିତି କେତେ ସମୟ ବା କରିପାରିବ ସିଏ!ଭୋର୍ ହେବ । ରାତି ପାହିବ । ପୁଣି ତା'ର ଦୁଃଖ, ଯନ୍ତ୍ରଣା ଆରମ୍ଭ ହୋଇଯିବ । କୋହକୁ ନିବିଡ଼ କରିବ ସିଏ । ଲୁହକୁ ମୁକ୍ତା ଭାବି ସାଇତିବ ।  


    ନା, ଯାଉଛି ସୂର୍ଯ୍ୟଙ୍କୁ ଡାକିବି । ପୃଥିବୀକୁ ଉଠିବାକୁ କହିବି । କହିବି - ଆସ ସୂର୍ଯ୍ୟ । ଆଲୋକ ବୁଣ । ହେ ପୃଥିବୀ!ତୁମେ ଉଠ । ତୁମେ ଉଠିଲେ ମୋତେ ସାହସ ମିଳିବ । ମୋର ମନବଳ ବଢ଼ିବ ।  


    ମନେମନେ ଏମିତି କିଛି କହିଲା ସେ । ହେଲେ ସୂର୍ଯ୍ୟଙ୍କୁ ଡାକି ପାରିଲାନି କି ପୃଥିବୀକୁ ନିଦରୁ ଉଠାଇ ପାରିଲାନି । ଭାବିଲା - ଡାକିଲେ ଆସିଯିବେନି ସୂର୍ଯ୍ୟ । ଶାନ୍ତିରେ, ନିଶ୍ଚିନ୍ତରେ, ଗଭୀର ନିଦରେ ଶୋଇଥିବା ପୃଥିବୀ ମଧ୍ୟ ଉଠିଯିବନି । କାହିଁକି ସେ ଡାକିବ ସୂର୍ଯ୍ୟଙ୍କୁ!ବେଳ ନ ହେଲେ ସେ କ'ଣ ଆସିବେ!କାହିଁକି ଉଠାଇବ ସେ ପୃଥିବୀକୁ!ସାରାଦିନ ଲୋକଗୁଡ଼ା ତାକୁ କ'ଣ କମ୍ ଯନ୍ତ୍ରଣା ଦେଉଛନ୍ତି କି!ସେ ବିଚାରୀ କେତେ ଦହଗଞ୍ଜ ନ ହେଉଛି!ତେଣୁ ଶାନ୍ତିରେ, ନିଶ୍ଚିନ୍ତରେ, ଗଭୀର ନିଦରେ ସେ ଶୋଇଛି ଯଦି ଶୋଇଥାଉ ।  


    ଦୁଃଖୀ ମଣିଷର କଥା ଦୁଃଖୀ ମଣିଷ ହିଁ ବୁଝିପାରେ । ସେ ତା'ର ମନ ପରିବର୍ତ୍ତନ କରିଦେଲା । ଏବେ ନିଜକୁ ଓ ନିଜର ଜୀବନକୁ ବୁଝିବାକୁ ଚେଷ୍ଟା କଲା ।  


    ଏଠି ରାତି ରହେ ନା ଦିନ ରହେ ! ସମସ୍ତେ ଆସନ୍ତି ପୁଣି ଚାଲିଯାନ୍ତି । ଯିବାଆସିବା ଲାଗି ରହିଥାଏ । ଏହା ତ ସୃଷ୍ଟିର ନିୟମ । ତେଣୁ ଭୋର୍ ହେବ ନିଶ୍ଚୟ । ସୂର୍ଯ୍ୟ ଆସିବେ ନିଶ୍ଚୟ । ଦିନ ବି ଆସିବ ନିଶ୍ଚୟ । ହେଲେ ତା' ଆଗରୁ ରାତିର ସ୍ଵପ୍ନର ସୁଖରେ ଆଉ ଟିକେ ହଜିଯିବା ବୋଧହୁଏ ଭଲ ହେବ ।  


    ଆଖିକୁ ନିଦ ଆସୁ ନ ଥିଲା । ଶେଷରେ ସେ ଏମିତି ଏକ ନିଷ୍ପତ୍ତିରେ ପହଞ୍ଚିଲା । ରାତି ସହ ଆଳାପ ଆରମ୍ଭ କରିଦେଲା । ଅନ୍ଧକାର ଭିତରେ ଗୋଟେ ସୁଖର ସମୟ ବିତେଇଲା ।  


    ସୁଖ ଏଠି ରହେ ବା କେତେ ସମୟ!ଏଇନା ଅଛି ତ ଏଇନା ନାହିଁ । ଦିନ ସୁଖ ଦେଇପାରେ ନା ରାତି ଦୁଃଖ ନେଇପାରେ!ଭୋର୍ ହୋଇଆସିଲା । ରାତି ପାହିଗଲା । ଉଠି ନିଜର ଦୁଃଖପୂର୍ଣ୍ଣ ଦୁନିଆର ମୁହଁ ଦେଖିଲା ସେ ।  


    ନିମିଷକରେ ତା'ର ମନ ପୂରିଉଠିଲା ଦୁଃଖରେ, ଅଭାବବୋଧରେ, ଯନ୍ତ୍ରଣାରେ, ଅସହ୍ୟ ଏକଲାପଣରେ । ତା' ପାଇଁ ମିଠା ମିଠା ସୁଖର ସ୍ୱପ୍ନ ନେଇ ଆସିଥିବା ରାତିର ମୁହଁଟି ତାକୁ ଗୋଟେ ଅଳିକ ସୁଖର ମୁହଁ ପରି ଦିଶୁଥିଲା ।  


    ଅଳିକ ସୁଖର ମୁହଁ!!! 



Rate this content
Log in

Similar oriya story from Tragedy