Sachidananda Kar

Others

4  

Sachidananda Kar

Others

ନୂଆ ବର୍ଷ : ନୂଆ ଥିମ୍

ନୂଆ ବର୍ଷ : ନୂଆ ଥିମ୍

3 mins
294


    ଗୋଟେ ନୂଆ ଥିମ୍ ଖୋଜୁଥିଲି ।  


    ନୂଆବର୍ଷରେ ପୁରୁଣା ଥିମ୍ ନେଇ ଗପ ଲେଖିବାକୁ ଆଦୌ ଇଚ୍ଛା ନ ଥିଲା ତ, ସେଥିପାଇଁ ।  


    ଗପ ମାନେ ଥିମ୍ ନିଶ୍ଚୟ ଥିବ । ନ ହେଲେ ଗପ ଲେଖିହେବ କେମିତି ! ଥିମ୍ ନ ଥିଲେ ତାକୁ ବା ପଢ଼ିବ କିଏ !  


    କାଲି ଢେର୍ ରାତିଯାଏ ବସି ଗୋଟେ ନୂଆ ଥିମ୍ ଖୋଜିଲି । ଅନେକ ଥିମ୍ ଆସିଲା, ହେଲେ ସେସବୁ ଆଦୌ ନୂଆ ପରି ଲାଗିଲା ନାହିଁ ।  


    ନୂଆ ବର୍ଷ : ନୂଆ ଥିମ୍ । ନ ହେଲେ କାହିଁକି ଗପ ଲେଖିବି ! ପୁରୁଣା ଥିମ୍ ନେଇ ଗପ ଲେଖି ସମୟ ବରବାଦ କରିବାକୁ ଚାହୁଁ ନ ଥିଲି । ତେଣୁ ସେପରି କରିବି ନାହିଁ ଭାବିଲି ।  


    ପ୍ରେମକୁ ନେଇ ଗୋଟେ ନୂଆ ଥିମ୍ କରିବି କି ! ପ୍ରେମ ତ ସବୁବେଳେ ନୂଆ । ଅନେକ ଚମତ୍କାରୀତା ଥାଏ ସେଥିରେ । ହେଲେ ଆଜିକାଲି ପ୍ରେମ ଏତେ କଳୁଷିତ ଓ ସ୍ଵାର୍ଥସର୍ବସ୍ୱ ହୋଇଗଲାଣି ଯେ ତାହାକୁ ଲେଖିଲେ କିଏ ପଢ଼ିବ ଭାବିଲି । ତାହା ଗପ ନ ହୋଇ ବିବରଣୀ ହୋଇଯାଇପାରେ । ତେଣୁ ମୋ ସେମିତି ଭାବନାରୁ ମୁଁ ଓହରି ଆସିଲି ।  


    ଦରକାର ଥିଲା ଗୋଟେ ନୂଆ ଥିମ୍ । ଖୁବ୍ ଛଟପଟ ହେଉଥିଲି ସେଥିପାଇଁ । ଇପ୍ସିତ ଥିମ୍ ପାଇଁ ଆଖିର, ମନର ଝରକା ଖୋଲି ରହିଥିଲି । ମୋତେ ଲାଗୁଥିଲା କେତେବେଳେ ନା କେତେବେଳେ ମୋତେ ସେ ନିଶ୍ଚୟ ଧରାଦେବ ।  


    ସେଦିନ ସକାଳେ 'ସମାଜ' ପଢ଼ୁଥିଲି । 'ସଟର୍ ତାଡ଼ି ଲୁଟିନେଲେ ଟଙ୍କା ଓ ସୁନାଗହଣା' - ଖବର ଉପରେ ନଜର ପଡ଼ିଲା । ଏମାନେ ସବୁ ପେଶାଦାର ଲୁଟେରା । ଇଏ ଗୋଟେ ସେମାନଙ୍କର ଖୁସି । ଦେଶକୁ ପ୍ରତି ମୁହୂର୍ତ୍ତରେ ଏମାନେ ଲୁଟିବାରେ ଲାଗିଛନ୍ତି । କାହିଁକି ହେବ ଇଏ ନୂଆ ଥିମ୍ !  


    ଏମିତି ଭାବି ମୁଁ ପୃଷ୍ଠା ଓଲଟାଇ ଆଉ ଟିକେ ଆଗକୁ ଗଲି । ନଜର ପଡ଼ିଲା ଆଉ ଏକ ଖବର ଉପରେ - 'ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ' । ପରୀକ୍ଷା କେବେଠୁ ପ୍ରହସନରେ ପରିଣତ ହେଲାଣି । ପାଠ ନ ପଢ଼ି ସାର୍ଟିଫିକେଟ, ସାଧନା ନ କରି ସିଦ୍ଧି ପାଇଁ ଏବେ ଅନେକ ତତ୍ପର । ଇଏ ଗୋଟେ ନୂଆ କଥା କ'ଣ ! କାହିଁକି ହେବ ଇଏ ନୂଆ ଥିମ୍ ! ମୁଁ ଭାବିଲି ଓ ଧୀରେ ସେଇ ପ୍ରସଙ୍ଗରୁ ଓହରିଗଲି ।  


    ଗୋଟିଏ କବିତା ଉପରେ ନଜର ପଡ଼ିଲା । କବିତାର ଥିମ୍ ଥିଲା ଏହିପରି । - 'ଝିଅଟି ସୁଇଟର୍ ବୁଣିଦେଇଛି । ତା' ବଦଳରେ ସେ ମାଗୁଛି ପ୍ରେମ ।' ଗୋଟେ ନୂଆ ଥିମ୍ ହେବ କି 'ସୁଇଟର୍' ! ହେଲେ ଆଜିକାଲି କେଉଁ ଝିଅ ସୁଇଟର୍ ବୁଣୁଛି ନା ବୁଣା ସୁଇଟର୍ କିଏ ପିନ୍ଧୁଛି ! ଥିମ୍ ଖୁବ୍ ପୁରୁଣା ଲାଗିପାରେ । ତା' ଛଡ଼ା ରୁମାଲ୍, ସୁଇଟର୍ ବୁଣା ଯୁଗର ପ୍ରେମ ବି ଆଉ ନାହିଁ । ତେଣୁ ମୋର ସେମିତି ଭାବନାରୁ ମୁଁ ପୁଣି ଓହରିଗଲି ।  


    ବାହାରେ ଖୁବ୍ ଶୀତ ପଡ଼ିଥିଲା । ମୁଁ ଚାଲି ଚାଲି ଛକ ଆଡ଼କୁ ଆସିଲି । ମନେମନେ ନୂଆ ଥିମ୍ ଖୋଜୁଥିଲି । ଦେଖିଲି ଗୋଟେ ବଡ଼ ଘର ଫାଟକ ଆଗରେ ବୁଢ଼ା ସିକ୍ୟୁରିଟି ଗାର୍ଡ଼ଟା ବସି ବିଡ଼ି ଟାଣୁଛି । ସମ୍ଭବତଃ ଟିକେ ଉଷୁମ ପାଇବାକୁ ଉଦ୍ୟମ କରୁଛି ସେ । ମୋର ଦୃଷ୍ଟି ଆକର୍ଷଣ କଲା ତା'ର ଚେହେରା । ବୁଢ଼ା ସିକ୍ୟୁରିଟି ଗାର୍ଡ଼ ଗୋଟେ ଥିମ୍ ହେବ କି ! ଅନ୍ୟମନସ୍କ ହୋଇ ମୁଁ ଭାବିଲି ।  


    କିଛି ଲୋକଙ୍କର ଧନସମ୍ପତ୍ତିକୁ ଜଗିବା ପାଇଁ ମଧ୍ୟ ଏ ଦେଶରେ ଆଉ କିଛି ଲୋକ ଅଛନ୍ତି । ନିଜେ ଉପାସରେ ରହିବେ,ଅଥଚ ଅନ୍ୟର ଧନସଂପତ୍ତିକୁ ସୁରକ୍ଷା ଦେବେ । ସଲାମ୍ ମାରି ମାରି ଜୀବନ ବଞ୍ଚିବେ । ନୂଆ କଥା କ'ଣ ଅଛି ଏଥିରେ ! ତେଣୁ ଏହାକୁ ଥିମ୍ କରିହେବ ନାହିଁ ଭାବିଲି । ପ୍ରକୃତିସ୍ଥ ହୋଇ ଆଗକୁ ଚାଲିଗଲି ।  


    ପିଲାଟିଏ ସ୍କୁଲ୍ ଯିବାପାଇଁ କାନ୍ଦୁଛି, ଅଥଚ ତା' ବାପା ତାକୁ ବାରଣ କରୁଥିବା ଦେଖିଲି । ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି - 'ହୋ ବାବୁ ! ପିଲାଟା ସ୍କୁଲ୍ ଯିବାପାଇଁ ଚାହୁଁଛି, ଅଥଚ ତୁମେ ତାକୁ ମନା କରୁଛ କାହିଁକି ? ' ସେ କହିଲା - 'ସିଏ କହୁଛି ସରକାର ତାକୁ କୁଆଡ଼େ ଖାଇବାକୁ ପିନ୍ଧିବାକୁ ଦେଇ ପାଠ ପଢ଼ାଉଛନ୍ତି । ତା' ହେଲେ ମୁଁ କିଏ ? କାଲି ବଡ଼ ହେଲେ ଇଏ ମୋତେ ପୋଷିବଟି ? ' 


    ଏଇଟି ଗୋଟେ ନୂଆ ଥିମ୍ ପରି ମନେହେଲା । ଏଇ ଥିମ୍ ଉପରେ ମୁଁ ଟିକେ ଅନ୍ୟମନସ୍କ ହେଲି । ହେଲେ ଧୀରେ ଧୀରେ ମୋତେ ତାହା ଆଉ ନୂଆ ପରି ଲାଗିଲା ନାହିଁ । ଆମେ ତ କେବେଠୁ ସରକାରଙ୍କ ଉପରେ ନିର୍ଭର ହୋଇ ସାରିଲୁଣି । ତାଙ୍କ ହାତ ନ ବାଜିଲେ ଏଠି ପିଲା ଜନ୍ମ ହେଉଛି ନା ମୃତ୍ୟୁ ପରେ ମଣିଷର ଶବଦାହ ହେଉଛି ! ନା, ଏପରି ଥିମ୍ ଉପରେ ନୂଆ ବର୍ଷରେ ଗପ ଲେଖିବା ଠିକ୍ ହେବନାହିଁ । ଲୋକଟିର ପ୍ରଶ୍ନର ଯଥାର୍ଥ ଉତ୍ତର ମୋ ପାଖରେ ନ ଥିଲା । ମୁଁ ତା' ଠାରୁ ମୁହଁ ଫେରାଇ ଆଗକୁ ଚାଲିଗଲି ।  


    ନୂଆ ବର୍ଷ : ନୂଆ ଥିମ୍ । ସତରେ କୋଉଠୁ ଆସିବ ଗୋଟେ ନୂଆ ଥିମ୍ ! କେମିତି ଲେଖାହେବ ଗପ ! ସବୁ ତ ଏଠି ପୁରୁଣା । କ'ଣ ନୂଆ ଯେ ! ତେବେ ସେଇ ପୁରୁଣା ଥିମ୍ ଉପରେ ଲେଖାଯାଉ ନୂଆବର୍ଷରେ ଗୋଟେ ନୂଆ ଗପ । ନୂଆ ବର୍ଷ : ନୂଆ ଥିମ୍ । ହୁଏ ତ କାହାକୁ ତାହା ଭଲ ଲାଗିପାରେ !  



Rate this content
Log in