Arati Sahoo

Inspirational

3  

Arati Sahoo

Inspirational

ଅଫଳନ୍ତି ଆମ୍ବଗଛ

ଅଫଳନ୍ତି ଆମ୍ବଗଛ

4 mins
140


 ସରଦେଇ ଫୁଲି ଫୁଲି କାନ୍ଦୁଥିଲା। ସେ କଣ୍ଢେଇ ଖେଳ ଛାଡ଼ିଥିଲା ନା ଧୂଳିଖେଳ ଛାଡ଼ିଥିଲା ? ଏଇଟା ସିନା ବୋହୁବୋହୁକା ଖେଳିବାର ବୟସ, ତା ବୋଲି କ'ଣ ବୋହୂ ସାଜିବାର ବୟସ ? ଚଉଦ ପୂରିନି ତାକୁ। ବାପା କେମିତି ନିଜ ଛାତିକୁ ପଥର କରି ତାକୁ ପରଘରକୁ ବିଦା କରିପାରିଲେ ? ବୋଉ କେମିତି ନିଜ କୋଳକୁ ଶୂନ୍ୟ କରିଦେଇ ବସେଇଦେଲା ସବାରୀରେ? ସରଦେଇର ଭାବନା ସେତିକିବେଳେ ଥମିଗଲା ହଠାତ୍ ମଝିବାହାରୁ କିଛି କଥାଭାଷା ଶୁଣି। 


 - ଆଲୋ, କେଡ଼େ ଚନ୍ଦ୍ରଉଦିଆ ମୁହଁ ବା ତୋ ବୋହୂର ? ଖୋଜି ଖୋଜି ଆଣିଚୁ ଏକା ମୁକ୍ତାଟିଏ ?


- ପାଚିଲା ଆମ୍ବ ପରି ରଙ୍ଗ। ବଉଦ ପରି ଚୁଟି । ତୋ ଶ୍ରୀମନ୍ତକୁ ମାନୁଛି ଏକା ।


- ଖଣ୍ଡାଧାର ପରି ନାକ । ହରିଣୀ ପରି ଆଖି । ଚମ୍ପାକଢ଼ି ପରି ଆଙ୍ଗୁଳି।


- ହେଇଥାଉ ଲୋ ଗରବଖାଇମାନେ, ଯାଅ ଯାଅ । ମୋ ବୋହୂକୁ ଦୃଷ୍ଟିଆ କରିବ ନା କଣ ?


ସରଦେଇର ଲୁହ ଶୁଖିଯାଉଥିଲା । ସେ ନିଜ ଦେହକୁ ଅନେଇଲା । ସତରେ ସେ କଣ ଏତେ ସୁନ୍ଦର ? ଶାଶୁଘରଟା ଆପଣାର ଲାଗୁଥିଲା ତାକୁ । ତା ବର ଶ୍ରୀମନ୍ତକୁ ଦେଖି ସେ ଭୁଲି ଯାଉଥିଲା ଚଉଦ ବର୍ଷର ପୁରୁଣା ସମ୍ପର୍କ, ସେହି ଗାଁ ଦାଣ୍ଡ, ସେହି ନଈପଠା, ସେଇ ଆମ୍ବତୋଟା, ସେଇ ଏରୁଣ୍ଡିବନ୍ଧ ଆଉ ସେଇ ଉଷୁମକୋଳ ବୋଉର। ଅବଶିଷ୍ଟ ଜୀବନତକ ଏଇଠି ତାର ଲୀଳାଖେଳା। 


 ଏତେବଡ଼ ଖଞ୍ଜା, ଏକଚାଟିଆ ଅଧିକାର, ବାପା ପରି ଶ୍ଵଶୁର, ମାଆ ପରି ଶାଶୁ ଆଉ ମନର ମଣିଷ ଶ୍ରୀମନ୍ତ .... ଧେତ୍, ନିଜକୁ ନିଜେ ଲାଜ କରୁଥିଲା ସରଦେଇ । ସମୟ ଉଡ଼ି ଯାଉଥିଲା ଡେଣା ଲଗେଇ । ଚଉଦ ବର୍ଷୀୟା ସରଦେଇ ଆଉ ସତର ବର୍ଷୀୟ ଶ୍ରୀମନ୍ତର ଖେଳ କଉତୁକରେ ଆହ୍ଲାଦିତ ହେଉଥିଲେ ଘରର ମୁରବୀମାନେ । ଚାହୁଁ ଚାହୁଁ ବେଳ ଆସିଗଲା ଶ୍ରୀମନ୍ତର ପାଠପଢ଼ା ଯାଗାକୁ ଯିବାର । ଛୁଟି ସରି ଯାଇଥିଲା । 


ବିତିଲା ତ ଯାମିନୀ

ମଉଳିଲା କାମିନୀ ....


ସରଦେଇର ଫୁଟନ୍ତା ରୂପ ମୁରୁଝେଇ ଯାଉଥିଲା। ଶ୍ରୀମନ୍ତର ଯିବାବାଟକୁ ଚାହିଁ ଚାହିଁ ସରଦେଇ ଘଣ୍ଟା ଘଣ୍ଟା ବସି ରହୁଥିଲା ତାଙ୍କ ବଗିଚାର ଗୋଟାଏ ଉପେକ୍ଷିତ ଅରମା ବଣରେ । ସେଠାରେ ଗୋଟେ ଛୋଟ ଅବହେଳିତ କୋଠରୀଟିଏ ମଧ୍ୟ ଥିଲା । ସେଇ କୋଠରୀଟା କଣ ପାଇଁ ବୋଲି ବୁଝି ପାରୁ ନଥିଲା ସେ । କୋଠରୀକୁ ଲାଗି ଏକ ଘଞ୍ଚ ଅଫଳନ୍ତି ଆମ୍ବଗଛ । ବଡ଼ ମନଲୋଭା ତାର ରୂପ, ତାର ଶାଗୁଆ ଡାଳପତ୍ର। ସେ ଭଲ ପାଇବାକୁ ଲାଗିଥିଲା ସେଇ ଆମ୍ବଗଛକୁ । ଘରେ ପୋଇଲୀ ପରିବାରୀଙ୍କ ହାଉଜାଉରେ ତା ପାଇଁ କିଛି କାମ ନଥିଲା । ଶାଶୁଙ୍କୁ ଠାକୁରଘରୁ ଫୁରସତ୍ ନଥିଲା କି ଶ୍ଵଶୁରଙ୍କୁ କୋର୍ଟ କଚେରୀରୁ ଅବକାଶ ନଥିଲା। ସରଦେଇ ଏକ ନିଃସଙ୍ଗ କପୋତୀ ପରି ଘୁରି ବୁଲୁଥିଲା ସେଇ ଅରମା ଭିତରେ। ଗପ କରୁଥିଲା ଆମ୍ବଗଛ ସହିତ। ଗୀତ ଗାଉଥିଲା ତା ଡାଳରେ ବସିଥିବା ହଳଦୀବସନ୍ତ ସହିତ। ସମୟ ଯାଉଥିଲା .....


  ଶ୍ରୀମନ୍ତର ପାଠ ସରିଗଲା। ସେ ଫେରି ଆସିଲା ତାର ସରଦେଇ ପାଖକୁ । ପୂର୍ଣ୍ଣ ଯୌବନା ସରଦେଇ ଲାଜକୁଳୀ ଲତା ପରି ସାଉଁଟି ହେଇ ଯାଉଥିଲା ତା ନିଜ ଭିତରେ। ଲାଜ ଜଡ଼ସଡ଼ ମୁହଁ ଉଠେଇ ପାରୁ ନଥିଲା। 


 ଯୁଗଟାଏ ପରେ ଅବା ମିଶୁଛନ୍ତି ଚକୁଆ ଚକୋଇ, ମେଘ ଅବା ଉଇଁ ଆସିଛି ସରିତା ଉପରକୁ, ଚାନ୍ଦ ଅବା ଝୁଙ୍କି ଆସୁଛି ନୀଳକଇଁ ପାଖକୁ । ପୁଣିଥରେ ହସ, ଖେଳ କଉତୁକରେ ଖଞ୍ଜା ଉଠିଲା ପଡ଼ିଲା । ସମୟ ସ୍ରୋତ ଗଡ଼ି ଚାଲିଲା। ଶାଶୁଶଶୁର ଖୋଜିଲେ ଟିକି ଖେଳନା । ପ୍ରଥମେ ଟୁପ୍ ଟାପ୍ ତାପରେ ଖୋଲା ଉଲୁଗୁଣା । 


 ସରଦେଇ ନିର୍ବାକ୍। ସେ କଣ ବାଞ୍ଝ? ତାର ଜଠର କଣ ଏକ ଶୁଖିଲା ନଈ ? ସେ କଣ ସେହି ଅଫଳନ୍ତି ଆମ୍ବଗଛ ? ଶ୍ରୀମନ୍ତ ବି ବିମୁଖ ତା ପ୍ରତି । ତାର ଆଖିରୁ ଲିଭିଗଲା ଖୁସି । ମୁହଁ ହେଇଗଲା ଶ୍ରୀହୀନ ।


- ଆଲୋ ଏଇଟା ମହାକାଳ ଫଳ । ଉପର ସୁନ୍ଦର, ଭିତରେ କିଛି ନାହିଁ। 


- ରୂପ ଥିଲେ କଣ ହେବ ? ବାଞ୍ଝଟାଏ ତ।


- ଆହା, ମହାଜନଙ୍କ କୁଳ ବୁଡ଼ିଲା ଜାଣ ଏଥର । 


- ଶ୍ରୀମନ୍ତକୁ ଦୁତୀୟ କର ଗୋ ମାଆ ସାଆନ୍ତାଣୀ। ନହେଲେ ସବୁ ସମ୍ପତ୍ତି ଭୂତ ଖାଇବେ । ଏଇ ଏତେ ବଡ଼ ଉଆସରେ ଡାହାଣୀ ଚିରୁଗୁଣୀ ନାଚିବେ। 


 ସବୁ ଶୁଣି କାଲୁଣୀ ସରଦେଇ । ସବୁ ଦେଖି ଅନ୍ଧୁଣୀ । ଶ୍ରୀମନ୍ତର ନୂଆ ଭାରିଜା ଚନ୍ଦ୍ରାବତୀ ଆସିଲା ପାହୁଡ଼, ଅଳକା ରୁଣୁଝୁଣୁ କରି ବାଣ ରୋଷଣୀ ସହିତ । ଏଥର ବୁଝିଲା ସରଦେଇ ସେଇ ପରିତ୍ୟକ୍ତ କୋଠରୀର ଆବଶ୍ୟକତା। ସେ ଘୋଡ଼ାଶାଳର ଲାଣ୍ଡି ପରି ଯାଇ ରହିଲା ସେଇ କୋଠରୀରେ। ଶ୍ରୀମନ୍ତ ଯଦିଓ କେବେ କେମିତି ବାଆଁରେଇ ହେଇ ଚାଲିଆସେ କିନ୍ତୁ ମାଆକୁ ଡରି ଫେରିଯାଏ। 


 ସରଦେଇ କର୍ମ ଆଦରି ପଡ଼ିରହିଲା ସେଇ କୋଠରୀରେ। ନିଜକୁ ସାନ୍ତ୍ଵନା ଦେଲା । ମଜଭୁତ କଲା । ଅରମାକୁ ସଫାକଲା। ଫୁଲଗଛ ଲଗାଇଲା । ଆମ୍ବଗଛର ବିଶେଷ ଯତ୍ନ ନେଲା। ତାର ଦୁଃଖସୁଖର ସାଥି ବର୍ତ୍ତମାନ ସେଇ ଆମ୍ବଗଛ । ସମଦୁଃଖି ସେ । ଦୁହେଁ ଯାକ ବିଧାତାଠାରୁ ଅଭିଶାପ ପାଇ ଆସିଛନ୍ତି। ଦୁହେଁ ଯାକ ବାଞ୍ଝ। 


 ସେଇ ଆମ୍ବଗଛ ସହିତ ଗୁପଚୁପ କଥାବାର୍ତ୍ତା ହେଇ ସମୟ କାଟେ ସରଦେଇ । ଅରମା ଏବେ ସେହି ଅବସ୍ଥାରେ ନଥିଲା। ଖୁବ୍ ସୁନ୍ଦର ଏକ ଫୁଲଫଳରେ ଭରା ବଗିଚାରେ ପରିଣତ ହେଇସାରିଥିଲା । ଦାସୀ ପରିବାରୀ ଯିଏ ସେ ବାଟରେ ଯାଉଥିଲେ ଘଡ଼ିଏ ଅନେଇ ରହୁଥିଲେ । ସରଦେଇ ସହିତ କଥାଭାଷା ହେଉଥିଲେ। ଚନ୍ଦ୍ରାବତୀ ମଧ୍ୟ ଆସୁଥିଲା ସମୟେ ସମୟେ ଶାଶୁକୁ ଲୁଚିଛପି। ଦୁହିଁଙ୍କ ଭିତରେ ଭଲ ବୁଝାମଣାଟିଏ ସ୍ଥାନ ପାଇଥିଲା। ଚନ୍ଦ୍ରା ଡାକୁଥିଲା ସରନାନୀ । 


 ଖଞ୍ଜାରେ ସେଦିନ ବଡ଼ ଗହଳି ଚହଳି। ନୂଆ ଅତିଥି ଆସିବାର ଶୁଭ ସଙ୍କେତ ଦେଇଛି ଚନ୍ଦ୍ରାବତୀ । ଶାଶୁଶଶୁର ଶ୍ରୀମନ୍ତ ଖୁବ୍ ଖୁସି। ଆଉ ସରଦେଇ ମଧ୍ୟ ଖୁବ୍ ଆନନ୍ଦିତା । କାଳେବେଳେ ସରଦେଇ ଲୁଚି ଲୁଚି ଚନ୍ଦ୍ରାର ଯତ୍ନ ନେଉଥିଲା। ତା ରୁଚି ଅରୁଚିକୁ ଜଗି ପୋଇଲୀ ହାତରେ ପିଠାପଣା କରି ପଠାଉଥିଲା ଗୁପ୍ତରେ । ଚନ୍ଦ୍ରା କିନ୍ତୁ ଦିନକୁ ଦିନ ଶୁଖି ଯାଉଥିଲା । ତା ଦେହ ଭଲ ରହୁ ନଥିଲା । ସରଦେଇ ଶ୍ରୀମନ୍ତକୁ ନେହୁରା ହେଇଥିଲା ଚନ୍ଦ୍ରାକୁ ସହରକୁ ନେଇ ଡାକ୍ତର ଦେଖାଇବାକୁ । କିନ୍ତୁ ସେକାଳରେ କିଏ ଧାଈ ନକରି ଡାକ୍ତର ଦେଖାଉଥିଲା? ତା ପରେ ମାଆର ଭୟ । ଶ୍ରୀମନ୍ତ କିଛି କରି ପାରୁ ନଥିଲା । କିନ୍ତୁ ଦିନେ କେହି ନଥିଲା ବେଳେ ଚନ୍ଦ୍ରାବତୀ ଦେହ ବହୁତ ଖରାପ ହେଇଗଲା । ପୋଇଲୀମାନେ ଆସି ସରଦେଇକୁ ଡାକିଲେ । ସରଦେଇ ଆଗପଛ ନ ବିଚାରି ତାକୁ ଘୋଡାଗାଡିରେ ଶୁଆଇ ନେଇଗଲା ପାଖ ସହରର ଡାକ୍ତରଖାନାକୁ । ପରେ ପରେ ଶ୍ରୀମନ୍ତ ଓ ଶାଶୁଶଶୁର ଆସି ପହଞ୍ଚିଲେ। ଡାକ୍ତର କହିଲା ଡେରି ହେଇ ଯିବାରୁ ଚନ୍ଦ୍ରାକୁ ବଞ୍ଚେଇ ହେଲାନାହିଁ। ପୁଅଟି ମଧ୍ୟ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଅଭାବରୁ ବହୁତ ରୋଗିଣା ହେଇଛି । ଘରେ ଖୁସି ବଦଳରେ କାନ୍ଦବୋବାଳି ପଡ଼ିଗଲା । ସରଦେଇ କିନ୍ତୁ ମାତୃହୀନ ପିଲାଟିର ଖୁବ୍ ଯତ୍ନ ନେଲା । କିଛିଦିନ ପରେ ତାର ଆଦରଯତ୍ନ ପାଇ ପୁଅଟିର ହସ କୁହାଟ ଖଞ୍ଜାସାରା ଖେଳିଗଲା । ଶ୍ରୀମନ୍ତ ଓ ଶାଶୁଶଶୁର ସରଦେଇକୁ ଘରକୁ ପାଛୋଟି ନେଲେ। ହେଲେ ଆମ୍ବଗଛ ଆଉ ଅଲୋଡ଼ା ଅଖୋଜା ଉପେକ୍ଷିତ ହେଇ ରହିଲା ନାହିଁ। ସରଦେଇ ତାର ଯତ୍ନରେ ଅବହେଳା କଲାନାହିଁ। 


 କିନ୍ତୁ ଦିନେ ହଠାତ୍ କିଛି ଲୋକ ଆସିଥାନ୍ତି ଶ୍ଵଶୁରଙ୍କ ଡାକରାରେ, ଅଫଳନ୍ତି ଆମ୍ବଗଛକୁ କାଟିବା ପାଇଁ । ସରଦେଇ ଯେମିତି ଏକଥା ଶୁଣେ ଧାଇଁଯାଏ କେଶବାସ ପ୍ରତି ଧ୍ୟାନ ନଦେଇ । ଯାଇ କୁଣ୍ଢେଇ ଧରେ ତାକୁ। ସେଇ ଅବସ୍ଥାରେ ସେ ଚେତା ହରାଇ ପଡ଼ିଯାଏ । ଶ୍ରୀମନ୍ତ ଓ ଶାଶୁ ଯାଇ ତାକୁ ସାଷ୍ଟମ କରାନ୍ତି । ପାଖରେ ଗାଁର ଧାଈମା ଠିଆହେଇ ମୁରୁକି ହସା ଦେଉଥାଏ। ଶାଶୁ ତାକୁ କୋଳରେ ପୂରେଇ ଗେହ୍ଲା କରୁଥାନ୍ତି ଆଉ ଠିକ୍ ସରଦେଇ ମୁଣ୍ଡ ଉପର ଡାଳରେ ବଉଳ ଡାହିଟାଏ ଖିଲ୍ ଖିଲ୍ ହସୁଥାଏ ସୂର୍ଯ୍ୟ ଆଲୋକ ପଡ଼ି । ଶ୍ରୀମନ୍ତ କୋଳରେ ପୁଅକୁ ଧରି ତାକୁ ଏକଲୟରେ ଅନେଇ ରହିଥାନ୍ତି। ସରଦେଇ ଲାଜରେ ନିଜ କାନି ଦ୍ଵାରା ଘୋଡ଼େଇ ପକାଏ ନିଜ ମୁହଁକୁ ।



Rate this content
Log in

Similar oriya story from Inspirational