Arati Sahoo

Inspirational

3  

Arati Sahoo

Inspirational

ଫଳାର

ଫଳାର

2 mins
578


ଉପାସ ଆଜି ମାଆର। ରବି ନାରାୟଣ ବ୍ରତ। ଛୁଆ ମାନଙ୍କର ମଙ୍ଗଳ ମନାସି ଏହି ବ୍ରତ କରେ ମାଆ ସୂର୍ଯ୍ୟ ମାହାପୁରୁଙ୍କର। ଏମିତି ତ ମାଆ ତା ନାକପୁଡ଼ାରେ ଆସୁଥିବା ଯାଉଥିବା ସବୁ ପବନ ଧାରରେ ଛୁଆଙ୍କର ମଙ୍ଗଳ ନିଶ୍ଵାସୁ ଥାଏ। ସବୁ ମାଆ ବୋଧେ ନିଶ୍ଵାସନ୍ତି। ତା ଉପରେ ମାସକୁ ( ଯଦି ସମ୍ଭବ ହୁଅନ୍ତା ) ଏକତିରିଶଟା ବ୍ରତ ବି କରନ୍ତି। ମାଆ ଖାଇବ ଆଜି ଫଳାର। ଫଳ + ଆହାର। ଯାହାକି ବହୁତ ପରେ ମୁଁ ଜାଣିଲି। ଫଳ ଖାଇବା ଟାକୁ ଫଳାର କହୁଥିଲେ ସେବେକାର ମାଆ ମାନେ , ଅଥଚ ଫଳ ଖାଉ ନଥିଲେ।

 ବ୍ୟାକରଣର ଧାର୍ ଧାରୁ ନଥିବା ମାଆ ମାନେ କୋଉ ସନ୍ଧି ବିଚ୍ଛେଦ ଜାଣିଥିଲେ ଯେ? କୋଉ ଅନ୍ଧି ସନ୍ଧିରେ ଅଳନ୍ଧୁ ସଫା ହେବ , କୋଉ ଅନ୍ଧି ସନ୍ଧିରେ ସମ୍ପର୍କ ଢିଲେଇଲାଣି , କୋଉ ଗଳି କନ୍ଦିରେ ପିଲେ ଯାଇ ପଶିଲେଣି ତାକୁ ଦେଖୁ ଦେଖୁ ଶିଖୁ ଶିଖୁ ତ ବୟସ ନିଅଣ୍ଟ । ସମୟ ଯାକ ତରଳି ଯାଇ କେତେବେଳେ ମୃତ୍ୟୁର ଦୁଆରକୁ ବହି ଯାଆନ୍ତି ଜାଣି ପାରନ୍ତି ନାହିଁ ସେମାନେ। ଆଉ ଏ ସନ୍ଧି ବ୍ୟାକରଣ ଶିଖିବାକୁ ସମୟ ବଳୁଥିଲା କୋଉଠୁ?

  ତେବେ ମାଆର ଥିଲା ରବିନାରାଣ ବ୍ରତ , ସେ ଖାଇବ ଫଳାର। ଘରର ସମସ୍ତେ ଭାତ ଡାଲି ଆଳୁ ପୋସ୍ତ ଖାଇ ସାରିଲା ପରେ ସେ ରାନ୍ଧିବ ତାର ଫଳାର। ହଁ ପା ରାନ୍ଧିବ, ଫଳାର ।

ପଡ଼ିଶାଘର ଖୁଡ଼ୀ ପଚାରିବେ ,

- ହେଁ ଗୋ ନାନୀ , ଫଳାର କରଲ ନି ।

ନାଇଁ ଗୋ ବିନର୍ ମାଆ । ଆମର୍ ବାବୁର୍ ବାପା ବିଲ୍ ରୁ ଆସଲେ ନା ଖିଆପିଆ , ମାଜାଧୁଆ କରବି , ତାରପରେ ଯାଇଁ ଯାହା ହେବ ।

  ମାଆ ଶୀତଳି ନଥିବା କାଠ ଚୁଲିରୁ ନାଲିଆ ଜଳନ୍ତା ଅଙ୍ଗାର , ତତଲା ପାଉଁଶ କାଢ଼ି ତାକୁ ଗୋବର ନୁଣ୍ଡା ଦେଇ ପବିତ୍ର କରିବ। ସେଥିରେ ତିଆରି ହେବ ନୁଖୁରା ଘିଅନଗା ପରଟା ଆଉ ସୁଜି ହାଲୁଆ। ସୁଜି ହାଲୁଆଟା ହାଲୁଆ ନା କ୍ଷୀରି ବୁଝି ହେଉ ନଥିବ। ଏକକୁ ଦୁଇ ହିସାବରେ ତିଆରି ହେବ। ଟୋପେ ଘିଅ ବି ପଡ଼ି ଥିବା ଯେ ତାକୁ ହାଲୁଆ ନାଁ ଦିଆ ଯାଇ ପାରିବ। ଡଙ୍କେ କ୍ଷୀର ଆଉ ଘଟିଏ ନୋଟାଏ ପାଣି ପଡ଼ି ଥିବ ଯେ କ୍ଷୀରିର ମିଠା ଲୁଣିଆ ଭ୍ରମ ସୃଷ୍ଟି କରିବ। 

  ଆମେ ସବୁ ଚୁଲି ପାଖରେ ଘେରି ବସିଥିବୁ। ଡାଆଣିଆଁ ଆଖି ସବୁ ଖୁବି ପଶି ଯାଉଥିବ ପରଟା ଭିତରେ। କେବେ ପୁରୁ ନଥିବା ନାଭି ଗୟା ପେଟରେ ଆହୁରି ଖାଲି ଜାଗା ବଳକା ପଡ଼ି ଯାଉଥିବ ସୁଜି ହାଲୁଆ ପାଇଁ। ମାଆ ଗୋଟାଏ ଅଟା ଗୁଲିକୁ ଭାଙ୍ଗି ଦିଟା କରୁଥିବ ତଥାପି ବାରମ୍ବାର ମୁଣ୍ଡ ଗଣତିକୁ ପରଟା ଗଣତି ଭୁଲ୍ ହେଉଥିବ। 

  ଗରମ୍ ଗରମ୍ ପରଟା ହେଇ ସାରିଲା ପରେ ଆମେ ମହା ଆନନ୍ଦରେ ଖାଉଥିବୁ ପରଟା । ଅମୃତଲଗା ହାତ ତିଆରି ପାଣିଆ ହାଲୁଆ କ୍ଷୀରି ହାମ୍ପୁରୁ ଥିବୁ। ଆମେ ଭାବୁ ନଥିବୁ ଯେ ମାଆ ସକାଳୁ ତୁଳସୀ ବେଲପତ୍ର ଆଉ ଗିଲାସେ ନାଲି ଚାହା ପିଇ ନିଜପାଇଁ ରାନ୍ଧୁଥିଲା ଫଳାର। ମାଆ ତା ଥାଳିରେ ଥିବା ପରଟାକୁ ଟିକିଏ ଟିକିଏ କୁଟୁରି ଖାଉଥିବ ଆମର ତୃପ୍ତ ଅଥଚ ଲୋଭୀ ଆଖିକୁ ଚାହିଁ ଚାହିଁ। ଆମର ଦୁଇଟା ପରଟା ସରିଲା ବେଳକୁ ତାର ଗୋଟେ ସରୁ ନଥିବ , ଅଥଚ ତାର ପେଟ ଭରି ଯାଉଥିବ। ସବୁଠାରୁ ରଙ୍କ ଛୁଆଟାକୁ ତାର ଥାଳିର ଆର ପଟକ ପରଟା ଦେଇ ଦେଉଥିବ। ନିଜେ ଢକ ଢକ କରି ଘଟିଏ ପାଣି ଟେକି ଦେଉଥିବ।

 ପଛରେ ମୁଁ ଦେଖେ , ମାଆ ଆମ ବାଡ଼ିର ଅଡକରା ଦରପାଚିଲା ପିଜୁଳି ଗୋଟେ ଦୁଇଟା ଚୋବଉଥିବ। ହେଇ ଯାଉଥିବ ତାର ଫଳାର।

ହେଲେ , ଆମେ ସିନା ଜାଣୁ ନଥିଲୁ ଫଳାର ଅର୍ଥ , କିନ୍ତୁ ବାପା ତ ଜାଣୁଥିଲେ ନା।


Rate this content
Log in

Similar oriya story from Inspirational