ଅସମ୍ପୂର୍ଣ କାହାଣୀ
ଅସମ୍ପୂର୍ଣ କାହାଣୀ
ଆଜି ମୀରାର ଜନ୍ମଦିନ l ନୂଆ ଶାଢ଼ୀ,ସିନ୍ଦୁର, ଅଳତା, ଅଳଙ୍କାରରେ ଅଭୁଷିତା । ଯେ କୌଣସି ଭାରତୀୟ ନାରୀ ଦେବୀତୁଲ୍ୟ ଦିଶେ l ମୀରା ବି ଅସୁନ୍ଦର ଦିଶୁନଥିଲା l ହେଲେ ଆର୍ୟବୀର ତାକୁ ଥରେ ହେଲେ ଦେଖି ନଥିଲେ କି ଶୁଭେଚ୍ଛା ଜଣାଇ ନଥିଲେ l ପ୍ରତିଦିନ ସକାଳୁ ପେପର ପଢ଼ି କିଛି ନାକରେ କାନରେ ପୁରେଇ ଅଫିସ ପଳାନ୍ତି l
ସନ୍ଧ୍ୟାରେ ଆସିଲେ ସବୁବେଳେ ବିରକ୍ତି l କିଛି ଅଫିସ ଟେନସନ ଆଉ କିଛି ଭିତର ଅଶାନ୍ତି l ଆଜିବି କିଛି ଅଲଗା ନୁହେଁ ତା ପାଇଁ l
ନୂଆ ନୂଆ ବାହାଘରର କୌଣସି ଉନ୍ମାଦନା କି ଆନନ୍ଦ ନଥିଲା ଜୀବନରେ l ଚା' ବନାଉ ବନାଉ ଦି ଟୋପା ଲୁହ ପଡ଼ିଯାଏ କପରେ l ମେରୀରୁ ଜାତି ବଦଳେଇ ମୀରା ହେବା ଦିନରୁ ବାପଘର ବହିଷ୍କାର କରି ଦେଇଛନ୍ତି ଯେତେବେଳେ ନା ଆଗକୁ ଯିବାକୁ କାହା ସାହାରା ନା ପଛକୁ ଫେରିଆସିବା ପାଇଁ ରାସ୍ତା l
କେସ କରି ଜିତିଛି ସେ ଆର୍ୟବୀରଙ୍କୁ l ଅତୀତକୁ ସେ କହେ ଗଡ଼ସ ଉଇଲ ଆଉ ଆର୍ୟବୀରଙ୍କ ହିସାବରେ ଏହା ସଂଶୋଧନ କରି ନହେଲା ପରି ଭୂଲ l ଆର୍ୟବୀର ତାକୁ ଭଲପାଇଥିଲେ କି ଏକ ଦୁର୍ବଳ ମୁହୁର୍ତ୍ତର ବଶବର୍ତ୍ତୀ ହୋଇ ଯାଇଥିଲେ କେଜାଣି ହେଲେ ମୀରା ଭଲପାଇଛି ହୃଦୟରୁ ତାଙ୍କୁ l ବିବାହ କରିଛି ସମୟ, ପରିସ୍ଥିତି ଆଉ ସମାଜ ଠୁଁ ଛଡାଇ l ସେ ତାଙ୍କ ପୂର୍ବ ସ୍ତ୍ରୀ କୁ ଛାଡ଼ପତ୍ର ଦେଇ ନଥାନ୍ତେ ଯଦି ବିବାହ କେମିତି କରିଥାନ୍ତେ ତାକୁ?
ଆର୍ୟବୀର ଏଇ କାରଣକୁ ଜୀବନ ସାରା ଧରି ରଖି ଅସନ୍ତୁଷ୍ଟ l ତାକୁ ପ୍ରତି ମୁହୂର୍ତରେ ଅପରାଧୀ ଅପରାଧୀ ପରି ଲାଗୁଥାଏ l ହେଲେ ପ୍ରେମ ଯଦି ଭୂଲ ତେବେ ସେ ଭୂଲ ଏକା ତ କରିନି!! ହଁ କାହା ଘର ଉଜାଡ଼ିବା ଠିକ ନୁହେଁ l ହେଲେ ଅନ୍ୟକିଛି ଚାରାବି ତ ନଥିଲା l
ଆର୍ୟବୀର ଆଜିବି ନିଶାରେ ଧୂତ ହୋଇ ଆସିଛନ୍ତି l ତାଙ୍କୁ କାନ୍ଧରେ ସାହାରା ଦେଇ ବେଡ଼ରେ ଶୁଆଇଲା l ଆଇନାରେ ଆଖି ପଡିଗଲା l ମୀରା ନିଜକୁ ଦେଖି ଡରିଗଲା ... କେଜାଣି କାହିଁ କଦର୍ଯ୍ୟ ଦିଶୁଥିଲା ତାକୁ ସେ ନିଜେ l ମେରୀରୁ ମୀରା ହୋଇ ସେ ଠିକ କଲା ନା ଭୂଲ?
ଏପରି ଏକ ଦୁଃସ୍ବପ୍ନ ଦେଖି ଚମକି ଉଠି ଘଣ୍ଟା ଦେଖିଲା ମେରୀ l ଘଣ୍ଟାରେ ପାଞ୍ଚଟା ପନ୍ଦର l ମୁଣ୍ଡରୁ ଝାଳ ପୋଛିଲା l ପାଣି ପିଇ ସାଷ୍ଟାଙ୍ଗ ହେଲା l ଦେଖିଲା ଝରକା ସେପଟେ ସିନ୍ଦୁରିତ ଦିଗବଳୟ l
ବଗିଚାରେ ସୁନ୍ଦର ସୁନ୍ଦର ପାଖୁଡା ମେଲି ସୂର୍ଯ୍ୟଙ୍କୁ ସ୍ୱାଗତ କରୁଥାନ୍ତି ଫୁଲଗଛ ମାନେ l କିଛି ଫୁଲରେ କଣ୍ଟାଥାଏ ... କିଛି ଫୁଲ ଚାରିପଟେ କଣ୍ଟା ବେଢାଇ ଦିଆଯାଏ l ଆଉ କିଛି ଫୁଲ ନିଜେ କଣ୍ଟା ହେଇଯାଆନ୍ତି କାହାପାଇଁ l
ମେରୀ ଭାବିଲା ସେ କେଉଁ ଫୁଲ.... ଗୋଲାପ? ପଳାଶ ନା ହେନା? ନା ନା...ଫୁଲ ନହେଲେ ନାହିଁ କାହାପାଇଁ ସେ କଣ୍ଟା ହେଇପାରିବ ନାହିଁ l ମା ବାପା କେକ୍ ଧରି ତାଙ୍କ ଗେହ୍ଲା ଝିଅକୁ ହାପି ବାର୍ଥ ଡେ ଉଇଶ କରୁଥିଲେ l
ତାର ଫାଦର ମୋଜେସଙ୍କ କଥା ମନେ ପଡିଲା l ବାର୍ଥ, ମ୍ୟାରେଜ ଆଉ ଡେଥ ଏ ତିନୋଟି ଲାଇଫର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା l ବାର୍ଥ ଆଉ ଡେଥ ଭିତରେ ଆମେ ଯାହା କରୁ ତାହାହିଁ ପାପ ପୂଣ୍ୟର ତରାଜୁରେ ଓଜନ ହୁଏ l ସେସବୁର ଫଳାଫଳ ଆମେ ପରଜନ୍ମକୁ ନେଇ ଯାଉ l
ବାର୍ଥ ଆଉ ଡେଥକୁ ବଦଳାଇ ଦେଇ ହେବନି ସିନା ମ୍ୟାରେଜ ପାଇଁ ବାଧ୍ୟ ବାଧକତା ନାହିଁ l ଏ ଜୀବନ ଏକ ରହସ୍ୟମୟ ଗୋଲକ ଧନ୍ଦା l ବୁଲି ବୁଲି ଯେଉଁଠୁ ଆରମ୍ଭ ସେଇଠି ଶେଷ ହୋଇଯାଏ ସେ ବି କ୍ଷଣିକଭିତରେ l ପାଇବା ପାଇଁ ବଞ୍ଚିବା ଅଭିଳାଶାରେ ଆମେ ବଞ୍ଚିବା କୁ ଭୁଲିଯାଉ l କେବଳ ପାଇବା ପଛରେ ହିଁ ଧାଇଁ ଲାଗୁ l
ଅଫିସରୁ ରିଜାଇନ ଦେଇ ସବୁଦିନ ପାଇଁ ଏକ ଜଟିଳ ହେବାକୁ ଯାଉଥିବା କାହାଣୀରେ ପୂର୍ଣ୍ଣଛେଦ ଟାଣିଲା ମେରୀ l ଏକାଠି କାମ କରୁଥିଲେ ଯେତେବେଳେ କିଛିଦିନ ଲାଗିବ ତାଙ୍କୁ ପ୍ରକୃତରେ ସହଜ ହେବାପାଇଁ l କିନ୍ତୁ କିଛି କାହାଣୀ ଖଣ୍ଡିଆ ରହିଲେ ହିଁ ସମ୍ପୂର୍ଣ ହୋଇପାରେ l
ହୁଏତ ଜୀବନ ବ୍ୟାକରଣ ବହିରେ ସେଥିପାଇଁ ପୂର୍ଣ୍ଣଛେଦ ଚିହ୍ନ ତ ଅଛି ହେଲେ ପ୍ରାପ୍ତିସୂଚକ କୌଣସି ଚିହ୍ନ ମିଳେନି l ହୃଦୟରୁ ଯଦି ଜଣେ ଅନ୍ୟପାଇଁ ସମର୍ପଣ ଭାବରଖେ ତେବେ ଅପ୍ରାପ୍ତି ବି ପୂର୍ଣ୍ଣତା ଆଣେ l