Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ଝାଳ

ଝାଳ

4 mins
8



ବୈଶାଖ ମାସ, ନିର୍ଧୁମ ଖରା l ଜଳୁଛି ଆକାଶ , ଜଳୁଛି ପବନ, ଜଳୁଛି ଧରା l ଝାଞ୍ଜି ପିଟୁଥାଏ ମୁହଁକୁ ହେୟାର ଡ୍ରାୟରର ତାତିଲା ପବନ ପରି l ଶୁଷ୍କ କରି ଚାଲିଛି ଆଖି ଆଗରେ ପଡୁଥିବା ସବୁକିଛି l

ମାଷ୍ଟର କ୍ୟାଣ୍ଟିନରେ ଟ୍ରେନ ଲାଗିଲା l ଓଲ୍ହାଇ ପଡି ଏଣେ ତେଣେ ଚାହିଁଲେ ରଞ୍ଜନ ବାବୁ l କଉଠି ଅଟୋ କି ରିକ୍ସାଟେ ନାହିଁ l ସାଙ୍ଗରେ ବଡ଼ଭଉଣୀ ରଞ୍ଜିତା ଏବଂ ଭାଣିଜୀ ରିୟା l ଦୁହିଁଙ୍କୁ ନେଇ ଭୁବନେଶ୍ୱରରେ ଘରେ ପହଞ୍ଚେଇବା ଦାୟିତ୍ୱ l

ଖରାଛୁଟିରେ ପରିବାରସଦସ୍ୟ ଏକାଠି ହୁଅନ୍ତି ପ୍ରତିବର୍ଷ l ଭିଣୋଇ ଚାକିରୀ କରିଛନ୍ତି ଇନକମ ଟ୍ୟାକ୍ସ ଅଫିସରେ l ତେଣୁ ପ୍ରଥମେ ବାଣୀବିହାର ଯିବାକୁ ହେବ l ସେଠୁ ଭିଣୋଇଙ୍କ ଠାରୁ ଘରଚାବି ଆଣି ଭି. ଏସ. ଏସ. ନଗର l ଏତିକି ବେଳେ ଅଦୂରରେ ରିକ୍ସାବାଲା ଟିଏ ଦେଖାଗଲା l

- ରିକ୍ସା, ଯିବୁ କିରେ?

ବଡ଼ ପାଟିରେ ଡାକିଲେ ରଞ୍ଜନ ବାବୁ l ଅଜ୍ଞାଧୀନ ଛାତ୍ରଟିଏ ସତେ ଯେମିତି ରିକ୍ସାଵାଲା ଆସି ପହଁଚିଲା ତତକ୍ଷଣାତ l ମଇଳା ଗଞ୍ଜି ସହ କଳା ଟ୍ରାଉଜର, ବେକରେ ଖୋର୍ଦ୍ଧା ଗାମୁଛା l ପାଞ୍ଚ ଫୁଟ ଛ' ଇଞ୍ଚର କଳା ମଚ ମଚ ବଳିଷ୍ଠ ଶରୀର l ହସଖୁସିଆ ମୁହଁ l

ରିୟା ଦେଖୁ ଦେଖୁ ଚିହ୍ନି ପାରିଲା l ତା' ୟୁ. ପି. ଏସ. ସି. କୋଚିଂ କ୍ଳାସର ପିଲାଟି l ନାଁ କ୍ଷିତୀଶ ସାହୁ l ଶ୍ରେଣୀରେ ବିଶେଷ କିଛି ସକ୍ରିୟତା ଦେଖାଏନି ବୋଲି ସେତ୍ତେବି ଚିନ୍ହାନୁହେଁ l ଚୁପଚାପ ମୁହଁ ତଳକୁ ପୋତି ପଢେ, ତାର ତା'ବାଟେ ଯାଏ l ରିୟା ଦେଖି ନ ଦେଖିଲା ପରି ମୋବାଇଲରେ ବିଜି ରହିଲା l କାଳେ ରିକ୍ସା ଟାଣୁଛି ବୋଲି ଖରାପ ଲାଗିବ!

କାନ୍ଧର ଗାମୁଛାକୁ ଦି ହାତରେ ଭିଡି ପିଲାଟି ପଚାରିଲା

-କୁଆଡେ ଯିବେ ଆଜ୍ଞା?

- ଭି.ଏସ. ଏସ. ନଗର... ଯିବୁ?

- ହଁ ବସନ୍ତୁ l

ବାଟରେ ଇନକମ ଟ୍ୟାକ୍ସ ଅଫିସ ପାଖରେ ଅଟକେଇବୁ l କିଛି କାମ ଅଛି l ଦି'ମିନିଟରେ ଆସିବି l ଚଳିବ?

- ଆଜ୍ଞା ବସନ୍ତୁ l ମୁହାଁ ମୁହିଁ ହୋଇ ବସିଗଲେ ତିନିଜଣ l ଓଜନିଆ ହୋଇ ଚକା ଦବିଗଲାପରି ମନେ ହେଲା l

ପ୍ରଥମ କିଛିବାଟ ରିକ୍ସାକୁ ହାତରେ ଟାଣି ଟାଣି ସ୍ପିଡ଼ ଟିକେ ଧରିଲା ବେଳକୁ ସିଟରେ ବସିଲା l ପେଡାଲ ମାରି ଚାଲିଥାଏ ଟାଣି ଟୁଣି ହୋଇ l ରଞ୍ଜନ ବାବୁ ଯାହା ପଚାରୁ ଥାନ୍ତି ସଂକ୍ଷେପରେ ଉତ୍ତର ଦେଉଥାଏ l ତାର ମାଂସପେଶୀ ଗୁଡିକ ପିଷ୍ଟନ ପରି ଚାଳିତ ହେଉଥାନ୍ତି l ଉଠାଣି ପଡିଲା ବେଳକୁ ଶିରା ଦୁହିଁ ହେଇ ଯାଉଥାଏ l ଭୃଲତାରୁ ଠପ ଠପ ହୋଇ ଝାଳ ବୋହି ଆଖିରେ ପଶୁଥାଏ l ହ୍ୟାଣ୍ଡେଲରୁ ହାତ ନ କାଢି ଆଖି ମିଟ ମିଟ କଲା l

ରାମ ମନ୍ଦିର, ସତ୍ୟନଗର, ରମାଦେବୀ ଛକ....ତିନିଟା ସିଗ୍ନାଲ ଅତିକ୍ରମ କରି ବାଣୀବିହାର ଛକରେ ପହଞ୍ଚିଲା ବେଳକୁ ତାର ହାଲତ ନାକେଦମ l ଝାଳନାଳ ଏକାଠି ହୋଇ ଗାଧୋଇ ପଡିଥାଏ ବିଚରା l ଇନକମ ଟ୍ୟାକ୍ସ ଅଫିସରେ ବ୍ରେକ ମାରି ରଖିଲା l ରଞ୍ଜନ ବାବୁ "ଆସୁଛି" କହି ଭିଣୋଇଙ୍କ ସହ ଫୋନରେ କଥା ହୋଇ ଚାବି ଆଣିବାକୁ ଗେଟ ଭିତରକୁ ଚାଲିଗଲେ l

ରିକ୍ସାଵାଲା ରିକ୍ସା ଟାଣି ଟିକେ ଆଗରେ ଏକ ଗଛ ମୂଳେ ରଖିଲା l ଲେଡ଼ିଜ ଲୋକଙ୍କୁ ଖରା ବାଧିବନି ବୋଲି l ମୁରୁକି ହସିଦେଲା ରିୟା l ହଳଦିଆ ହଳଦିଆ ଗୋଡ଼ିବାଣ, ଗୋଲାପୀ ଗୋଲାପୀ କାଗଜ ଫୁଲ, ନାଲି ନାଲି ପଳାସ ଫୁଲରେ ରଙ୍ଗୀନ ରାଜଧାନୀ ରୋମାଞ୍ଚ ଭରି ଦେଉଥାଏ l ସୁଲସୁଲିଆ ପବନ ଦେହରେ ବାଜି ଲୋମକୂପ ମାନଙ୍କୁ ସତେଜ କରି ଦେଉଥାଏ l ରିକ୍ସାଵାଲା ର ଦେହରେ ପବନ ବାଜି ଝାଳତକ ଲୁଣରେ ପରିବର୍ତ୍ତନ ହୋଇଗଲା l

ଏତିକି ବେଳେ ରଞ୍ଜନବାବୁ ଭିଣୋଇ ଦେବେନ୍ଦ୍ରବାବୁଙ୍କ ସହ ଆସି ପହଞ୍ଚିଲେ l ପରିବାରସହ କଥା ହେଇ ନିକଟଦୋକାନରୁ ଥଣ୍ଡା ପାନୀୟ ଆଣି ଦେଲେ l ମାନବିକତା ଦୃଷ୍ଟିରୁ ରିକ୍ସାଵାଲାକୁ ଥଣ୍ଡା ପିଇବା ପାଇଁ ଯେତେ ଡାକିଲେ ଶୁଣିଲା ନାହିଁ l

ସ୍ୱାଭିମାନ ବେଳେ ବେଳେ ମଣିଷକୁ ବଧିର କରିଦିଏ l 

ତା ପରେ ଭି. ଏସ. ଏସ. ନଗର ଅଭିମୁଖେ ବାହାରି ପଡିଲା ରିକ୍ସା l ଟିକିଏ ବିରାମ ପରେ ଦେହରେ ଏଥର ତେଜ l ପ୍ୟାଡଲ ବୁଲୁଥାଏ, ଗୋଟେ ପରେ ଗୋଟେ ଉଠା ଦୋକାନ, ବିଜୁଳି ଖମ୍ବ ଆଉ କାଁ ଭାଁ ସାଇକେଲଙ୍କୁ ପଛରେ ଛାଡି ଉଡି ଚାଲିଲା ଏଥର ରିକ୍ସା l ଓଠ, ପିଠିରୁ ଲୁଣି ବାନ୍ଧି ଯାଇଥିବା ଝାଳ ପୁଣି ଧୂ ଧୂ ଖରା ବାଜି ତରଳିବାରେ ଲାଗିଲା l

ରଞ୍ଜନବାବୁ ପଚାରିଲେ,

-କଉଠି ଗାଁ ତୁମର, ଭୁବନେଶ୍ୱରରେ କେବେଠୁ ରହିଲଣି?

- ମାଳତି ପୁର, କେନ୍ଦ୍ରାପଡ଼ା l ଭୁବନେଶ୍ୱରରେ ତିନି ବର୍ଷ ହେଇଗଲା ଆଜ୍ଞା l ବାପା ଭାଗଚାଷୀ l ବୋଉ ବାଡ଼ି ପାରିବା, ଶାଗ ନେଇ ଗାଁ ଗାଁ ବିକେ l ଆମେ ତିନି ଭାଇ ଭଉଣୀ ଆଉ ବୁଢ଼ୀ ମା' l ଆଗକୁ ପଢିବାକୁ କିଛି ସାହାଯ୍ୟ ମିଳିଲାନି ବୋଲି ରିକ୍ସା ଟାଣୁଛି l ପେଟ ପାଟଣା ସହ ପଢା ଖର୍ଚ୍ଚ ତୁଲାଉଛି l

ଏତେ କଷ୍ଟ ପରେ ତାର ହସ ହସ ମୁହଁ ଭାଗ୍ୟକୁ ତାତ୍ସଲ୍ୟ କଲାପରି ମନେ ହେଉଥିଲା l କୁହୁଡି, ଖରା, ମାଙ୍କଡ଼ ଉପଦ୍ରଵ ସବୁ ସହି ସହି ଶେଷରେ ପରିପକ୍ୱତାରେ ଦୋଳୟମାନ ଆମ୍ବମାନଙ୍କୁ ଦେଖି ଗଛଟି ମାତୃତ୍ୱର ଗରିମାରେ ଉଲ୍ଲସିତ ହେଉଥିଲା l

ଘରହୋଇ ଯାଇଥିଲା ତା ଭିତରେ l ପିଲାଟି ପାଉଣା ନେଇ ଚାଲି ଗଲା ବେଳେ ରିୟା ଡାକିଲା,

-କ୍ଷିତୀଶ...

ପଛକୁ ବୁଲି ଚାହିଁଲା ରିକ୍ସାଵାଲା l ଫ୍ରିଜ ପାଣି ବୋତଲଟିଏ ବଢ଼େଇ ଦେଲା l କିଛି ପାଣି ପି' କିଛି ବେକ ମୁଣ୍ଡ ରେ ଢାଳି ହେଇପଡିଲା l ପୁଣି ଭୁବନ ମୋହନ ହସ ହସି ରିକ୍ସା ଦୌଡ଼ାଇଲା ଭୁବନେଶ୍ୱର ଗଳି କନ୍ଦି l

କିଛି ମାସ ପରେ ୟୁ. ପି. ଏସ. ସି. ର ଟପ ରାଙ୍କ ହୋଲଡର ମାନଙ୍କ ଭିତରୁ ନୂଜ ପେପରରେ କ୍ଷିତିଶର ଫୋଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଘରଲୋକେ l ପରିବାରଟି ତାର ମୂଲ୍ୟବାନ ଅତୀତର ସାକ୍ଷୀ ହୋଇଥିବାରୁ ଖୁବ ଖୁସି ହେଉଥିଲେ ତା ସଫଳତା ପାଇଁ l କିଛି ଲୋକ ନିଜ ଅସଫଳତା ପାଇଁ ନିନ୍ଦା କରନ୍ତି ନିଜ ଭାଗ୍ୟକୁ, ଆଉ କିଛି ଲୋକ ଝାଳ ବୁହାଇ କିନ୍ତୁ ନିଜ ଭାଗ୍ୟ ପରିବର୍ତନ କରିଦିଅନ୍ତି l






Rate this content
Log in

Similar oriya story from Abstract