ବିନୟ ମହାପାତ୍ର

Abstract Classics Fantasy

4  

ବିନୟ ମହାପାତ୍ର

Abstract Classics Fantasy

ବାଘ ଓ କୋଳି

ବାଘ ଓ କୋଳି

6 mins
4


ମନ ପଚାରିଲା : କୋଳି ଖାଇବାକୁ ଯିବୁ?

ମୁଁ ଟିକିଏ ଆଗ୍ରହ ଦେଖାଇ ପଚାରିଲି, କୋଳି ? କି କୋଳି ? କେଉଁଠି ଅଛି ?

ମନ କହେ, ଛାଡ୍ ସେ କଥା, ଆଗ କହ, କୋଳି ଖାଇବାକୁ ଯିବୁ, କି ନାହିଁ ?

ମୁଁ ଟିକେ ଭାବେ, ଓଠ ଉପରେ ଟିପ ଠକ୍ ଠକ୍ କରେ, ଆଖି ଡୋଳାକୁ ଉପର ତଳ, ବାଆଁ ଡାହାଣ ଘୁମାଏ, ପୁଣି ଭାବେ । ବହୁତ ଗହନ ଚିନ୍ତନ ପରେ ଜବାବ ଦିଏ, ହଁ ଯିବି ! ହେଲେ ପଚାରି ପାରେନି କୋଳି ଖାଇବା ପରି ଏକ ମାମୁଲି କଥାକୁ ମନ ଏତେ ସିରିୟସ ହୋଇ କାହିଁକି ପଚାରୁଛି ! ମନେ ମନେ ଭାବେ ସାରୁ ଭିତରେ ମାରୁ ନାହିଁ ତ ? ସେଇଥି ପାଇଁ ଅନେକ କିଛି ଭାବେ, ହଁ ନାହିଁର ଡଙ୍ଗାରେ ବସି ଏ କୁଳ ସେ କୁଳ ହୁଏ । ଲାଭ କ୍ଷତିର ଅଙ୍କ କସେ ପୁଣି ବହୁତ କିଛି ଭାବିଲା ପରେ ହଁ କହେ ।

ମନ ପୁଣି ପଚାରେ : କୋଳି ଖାଇବାପାଇଁ ତ ଯିବୁ, ହେଲେ ଜଙ୍ଗଲରେ ବାଘ ଦେଖିଲେ ଡରିବୁନି ତ ?

ମନର ଏଇ ପ୍ରଶ୍ନଟି ମୋତେ ପୁଣି ସତେ ଯେପରି ଭାବନାର ଗଭୀର ଜଳକୁ ଟାଣିନିଏ । ମୁଁ ଟିକିଏ ଘାବରେଇ ଯାଏ । କୋଳି ଖାଇବା ପରି ଏକ ସାମାନ୍ୟ ପ୍ରସଙ୍ଗ ଭିତରକୁ ହଠାତ୍ ଏ ବାଘ କେଉଁଠୁ ଡିଆଁ ମାରିଲା । କାହିଁ ଆଗରୁ ତ କେହି କହି ନଥିଲା ଏ କଥା, ବାଘ ଜଙ୍ଗଲକୁ କୋଳି ଖାଇଯିବା କଥା । ଜଙ୍ଗଳରେ ବାଘ ଥାଏ ଆଜି ଏ କଥା କିଛି ନୁଆକଥା ନୁହେଁ, ଯେବେଠୁ ଜଙ୍ଗଲ ଅଛି, ସେବେଠୁ ଜଙ୍ଗଲରେ ବାଘ ଅଛନ୍ତି । ବାଘ ବଳୁଆ ନା ମଣିଷ ବଳୁଆ? ହଁ ବାଘର ବଳ ବେଶି ହୋଇପାରେ, କିନ୍ତୁ ମଣିଷ ଏତିକି ବୁଦ୍ଧି ତ ବାଘର ନାହିଁ, ବାଘର ଖାଲି ବଳୁଆ ଦେହ, ସେ ଜଙ୍ଗଲର ରାଜା, କିନ୍ତୁ ମଣିଷର ବନ୍ଦୁକ ସାମ୍ନାରେ ବାଘ ବା କଣ? ଜଙ୍ଗଲରେ କେତେଟା ବାଘ ଥିବେ, ଆଉ ଆମେ ମଣିଷ କେତେ ଅଧିକ? ତଥାପି ମନ ମୋତେ ବାଘ ବାଘ କହି ଡରଉଛି କାହିଁକି? ଜଙ୍ଗଲକୁ ମୁଁ ଆଗରୁ ବି ଅନେକ ଥର ଯାଇଛି, କାହିଁ କେବେ ତ ବାଘ ମୋ ସାମ୍ନାକୁ ଆସିନି । ମୋତେ ଡରେଇବା ପାଇଁ ମନର ଏଇଟା ଗୋଟେ ଚାଲ ନୁହେଁତ ।

ବାଘ କଣ କୋଳି ଖାଏ ? ନା କୋଳି ଜଙ୍ଗଲ ବାଘର ରହିବା ଜାଗା ?? ମୁଁ ସାମାନ୍ୟ ଆଶ୍ଵସ୍ତ ହୁଏ । ଶେଷରେ ଏଇ ନିସ୍କର୍ଷରେ ପହୁଞ୍ଚେ ଯେ, ବାଘ ରହୁଥିବା ଅଗନା ଅଗନି ବନସ୍ତ ଭିତରେ କୋଳିଗଛ ନଥାଏ, କିମ୍ବା କୋଳିଗଛ ଥିବା ଜଙ୍ଗଲରେ ବାଘ ରହେନା । ଯେଉଁଠି ବାଘ ନ ଥିବାର ସମ୍ଭାବନା ଏତେ ଅଧିକ, ସେଇଠି ପୁଣି ବାଘର ଭୟ କାହିଁକି ? ମୁଁ ହଠାତ୍ ନିର୍ଭୀକ ହୋଇଯାଏ, ଛାତିଫୁଲାଇ ବାହାଦୁରୀ ଦେଖାଇ କହେ, ମୁଁ ବାଘକୁ ଡରେନା । ଚାଲ କୋଳି ଖାଇବାକୁ ଯିବା ।

× × × × × ×

ମୋ ମନ ଆଉ ମୁଁ, ଆମେ ଦିଜଣ କୋଳି ଖାଇବାକୁ ଗଲୁ । ଅଗନା ଅଗନି ବନସ୍ତ, କେତେ ବଡ ବଡ ଗଛ, ଦିନରେ ସୂର୍ଯ୍ୟକିରଣ ବି ତଳେ ପଡେନା । ତାଆରି ମଝାମଝି ଛୋଟିଆ ଜାଗାଟିଏ ସେଇଠି ଥାଏ କୋଳିଗଛର ବଣଟି । ଏତେ ଦାମିକା ଦାମିକା ଶାଳ ପିଆଶାଳ ଜଙ୍ଗଲର ଗଛମାନଙ୍କ ଭିତରେ ଏଇ ମାମୁଲି କୋଳିବଣଟିକୁ କେହି ପଚାରନ୍ତି ନାହିଁ । ବାକି ବଡଗଛ ମାନଙ୍କ ପରି ଗୋଟିଏ ବି କୋଳି ଗଛରେ ଜଙ୍ଗଲ ବିଭାଗର ଷ୍ଟାମ୍ପ ବାଜିନି କିମ୍ବା ରଙ୍ଗ ଟୋପେ ବି ଲାଗିନି । ବଡ ମୂଲ୍ୟହୀନ ଅନାଥଙ୍କ ପରି ଦିଶୁଥାଆନ୍ତି କୋଳିଗଛ ଗୁଡିକ, ହେଲେ କେତେ ଜାତିର ନାଲି ଟହ ଟହ ପାଚିଲା କୋଳି । ଗଛସବୁ ନାଲି ଟହ ଟକ କୋଳିରେ ନେନ୍ଥି ହୋଇ ରହିଥାଆନ୍ତି । ଚାରି ଦିଗରେ ବାସ ମହକି ଯାଉଥାଏ । ପାଟିରୁ ଆମର ଲାଳ ଗଡି ଆସିଲା । ଆମେ ଆଉ ଅପେକ୍ଷା କରି ପାରୁନଥିଲୁ । ଆମେ ପୁରାପୁରି ଆସ୍ୱସ୍ଥ ହୋଇଗଲୁ, ଜଙ୍ଗଳବିଭାଗ ଗଛଗୁଡିକର ମାଲିକ ନୁହେଁ, କିମ୍ବା ବାଘ କୋଳିଗଛ ବିଷୟରେ ଏତେ ସିରିୟସ ନୁହେଁ । ତେଣୁ ଆମେ କୋଳିଗଛରେ ଚଢିଲୁ, କୋଳି ତୋଳିଲୁ । କଣ୍ଟା ବାଜି ଦେହରୁ ରକ୍ତ ଝରିବାକୁ ଲାଗିଲା, ଲୁଗା ଚିରିଲା, ତଥାପି ଆମେ ଭୟ ନକରି ଗଛରେ ଚଢିଲୁ, କୋଳି ତୋଳିଲୁ ।

ଏତେ ସୁନ୍ଦର କୋଳିଦେଖି ଲୋଭ ସମ୍ଭାଳି ହେଉନଥାଏ । ଶେଷରେ କୋଳି ଗୋଟିଏ ପାଟିରେ ଦେବା ବେଳକୁ କେଉଁଠି ଥିଲା କେଜାଣି, ଗର୍ଜନ କରି ମାଡି ଆସିଲା ବାଘମାମୁଁ । ନିଶକୁ ଫୁଲାଇ ଭୁଇଁରେ ତାର ଲାଂଜ ପିଟିଲା । ରାଗରେ ଗର୍ଜନକରି କହିଲା, କିଏରେ ରାଜାଙ୍କ ଜଙ୍ଗଲରୁ କୋଳି ତୋଳୁଛି ?

ଆମେ କହିଲୁ : ବାଘ ମାମୁଁ ଆମେ !

ଆମେ ? ଆମେ ଅର୍ଥ ? କିଏ ତୁମେ ?? ତମେ କଣ ମନ୍ତ୍ରୀ, ଅଫିସର, ନା କଟୁଆଳ ନା ଜଗୁଆଳୀ ଯେ ଜଙ୍ଗଲରେ ପଶି ମନ ଇଚ୍ଛା କୋଳି ତୋଳିନେବ, କୋଳି ଖାଇବ ? ତୁମେ କଣ ଜାଣିନ, ଜଙ୍ଗଲରେ ଯାହାବି ଅଛି ସେସବୁ ରାଜାଙ୍କର । କେବଳ ରାଜାଙ୍କ ପାଖଲୋକ, ତାଙ୍କର ଚେଲା ଚାମଣ୍ଡା ଭୋଗ କରିବେ । ତୁମେ ଏଇଠି କୋଳି ଖାଉଛ, ଏ କଥା ରାଜାଙ୍କ କାନକୁ ଗଲେ ତୁମକୁ ଶୁଳି ହୋଇଯିବ, ଜେଲ ହୋଇଯିବ ।

ମନ ଟିକିଏ ଭାବେ, ପୁଣି କହେ : ଏ ଜଙ୍ଗଲ କଣ ରାଜାଙ୍କର ? ଏ ଜଙ୍ଗଲ ତ ଏ ଦେଶର ଜନ ସାଧାରଣଙ୍କର । ରାଜା ତ ଖାଲି ଜଗୁଆଳୀ । ଏଇ କୋଳି ସମସ୍ତଙ୍କ ପାଖରେ ଠିକ୍ ସମୟରେ ଠିକ୍ ଭାବରେ ପହୁଞ୍ଚାଇବା ରାଜାର ଦାୟିତ୍ଵ । ମନ୍ତ୍ରୀ ଅଫିସରଙ୍କ ଦାୟିତ୍ଵ । ଗଣତନ୍ତ୍ର ଦେଶରେ ଜନତା ହାତରେ ସବୁକିଛି । ଜନତା ଚାହିଁଲେ ରାଜାଙ୍କୁ ବଦଳେଇ ଦେବେ । ରାଜା ଲୋକଙ୍କର, ରାଜା ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ । ରାଜା ବଡ ନା ଜନତା ବଡ ??

ମନର ଉତ୍ତର ଶୁଣି ବାଘର କ୍ରୋଦ୍ଧ ଚରମ ସୀମାରେ ପହଞ୍ଚିଗଲା । ରାଗରେ ବାଘ ଆଖିରେ ସତେ ନିଆଁ ଜଳି ଉଠିଲା । ବାଘ ଗର୍ଜନ କଲା । ଭୁଇଁରେ ଲାଂଜ ପିଟିଲା । ପୁଣି କହିଲା ଆମକୁ ନିୟମ କାନୁନ ଶିଖାଅନା । ତୁମେ ସବୁ ଜନତା ରାଜାଙ୍କୁ ଗଦିରେ ବସେଇଛ ବୋଲି ରାଜାଙ୍କ ଉପରେ ରାଜା ହେବାକୁ ଚେଷ୍ଟା କରନା । ଭୂଲି ଯାଅନା, ତୁମେ ସବୁ ଜନତା ରାଜାଙ୍କୁ ଯୋଗ୍ୟବୋଲି କିମ୍ବା ଦୟାଦେଖାଇ ସିଂହାସନରେ ବସାଇନ । ତୁମର ବୋତଲେ ମଦ କି ମାଉଁସ ଭୋଜିପାଇଁ, ଗାଆଁ କ୍ଲବ ପାଇଁ ପଇସା ଲୋଡା, ଟଙ୍କାନେଇ, ବୋତଲେ ମଦ ବଦଳରେ ଭୋଟବିକିବା କଥା ଭୂଲିଗଲ ? ରାଜା ଭୋଟକିଣି ରାଜାହେଲେ, କିଣାବିକାର କାରବାରରେ ପୁଣି ଅଧିକାର କଥା କାହିଁକି କହୁଛ ? ତୁମେ ତ ଜାତି, ଧର୍ମ, ମନ୍ଦିର ମସଜିଦ୍ ନାଆଁରେ ଭୋଟ ଦେଇ ପ୍ରତିନିଧି ନୁହେଁ ରାଜା ଭାବରୃ ନେତାଙ୍କୁ ଗଦିରେ ବସେଇଛ ଏବେ ଏ ସ୍ୱାଧିନତା, ନାଗରିକ ଅଧିକାର କଥା କାହିଁକି ଭାବୁଛ? ନେତାଙ୍କୁ କେବେ ପଚାରିଛ, ଗତ ପାଞ୍ଚ ବର୍ଷରେ ସେମାନେ ତୁମ ପାଇଁ କଣ କରିଛନ୍ତି?

ମନ ଜବାବ ଦେଲା ହଁ, କେତେଥର ପଚାରିଛୁ, ଯେତେ ବେଳେ ପ୍ରତିଶୃତି କଥା ପଚାରିଛୁ ରାଜା କଥା ବଦଳେଇ ଦିଅନ୍ତି, ମୋ ଧର୍ମ ବିପଦରେ ପଡିଛି, ସେମାନେ ମୋ ଧର୍ମର ରକ୍ଷକ, ତାଙ୍କୁ ବାଛିବାକୁ କୁହନ୍ତି, ଆଉ ପୁଳାଏ ଆସି ମୋ ସମ୍ବିଧାନ ବିପଦରେ ପଡିଛି ସମ୍ବିଧାନ ର ରକ୍ଷକ ସେମାନେ, ତ୍ଙ୍କୁ ଭୋଟ ଦେବାକୁ କହୁଛନ୍ତି, ରାଜା ହେବା ପାଇଁ ସେମାନଙ୍କ ଭିତରେ ପ୍ତିଯୋଗିତା ଚାଲିଛି, ସତ ମିଛ କହି ସେମାନେ ନିଇତି ଆମକୁ ଡରାଉଛନ୍ତି । ବାଘମାମୁଁ ସତକୁହ, ଜଣେ ଭୟାତୁର ମଣିଷ କଣ ଏକ ସଠିକ୍ ନିର୍ଣ୍ଣୟ ନେଇ ପାରିବ? ଭୟାତୁର ମଣିଷର ନିଷ୍ପତ୍ତିରେ ଭୂଲ ବି ହୋଇ ପାରେ ଏବଂ ଅଯୋଗ୍ୟ ବ୍ୟକ୍ତି ରାଜଆସନରେ ବିରାଜମାନ ହୋଇ ଯାଉଛି । ଆଜି ସେବା ପାଇଁ କେହି ଜନପ୍ରତିନିଧି ହେବାକୁ ଚାହୁଁନି, ସମସ୍ତେ ନିଜ ସ୍ୱାର୍ଥ, ନିଜ ଅହଂକାର ତୁଷ୍ଟି ପାଇଁ ରାଜନୀତିକୁ ନିଜର ପେଶା କରିନେଇଛନ୍ତି । ଦେଶ ସ୍ୱାଧୀନତା ପାଇଁ ସବୁ ଉଚ୍ଚଶିକ୍ଷିତ, ନିଜର ଅର୍ଥକାରୀ ଲୋଭନୀୟ ଆୟର ପନ୍ଥାକୁ ଛାଡି ସଂଗ୍ରମରେ ଯୋଗ ଦେଇଥୀଲେ, ସେ ନେତାମାନଙ୍କ ଭିତରେ ଗୋଟି ନେତାର ନାଁ କୁହ ଯିଏ ଅଶିକ୍ଷିତ ଥିଲା ! କିନ୍ତୁ ଆଜି, ଯିଏ କୌଣସି କାମ ପାଇଁ ଯୋଗ୍ୟ ନୁହେଁ ସେଇମାନେହି ରାଜନୀତିରେ ଧଳା ପୋଷାକ ପାନ୍ଧି ନେତା ଶାଜିଛନ୍ତି । ବିଚରା ସବୁ ଚୋରଙ୍କ ଭିତରୁ କାହାକୋ ବାଛିବ? କୁ ମାନଙ୍କ ଭିତରୁ ଯାହାକୁ ବାଛିଲେ ବି ସେ କଳା ଥିବ? କାଉ ଭିତରେ ବଗ ଖୋଜିଲେ କାହୁଁ ମିଳିବ !

ବାଘ କହିଲା, ତୁମେ କିହା ଭିତରୁ କାହାକୁ ବାଛିବ ସେ କଥା ମୁଁ ଜାଣେନା, ତମେ କଣ ନିଷ୍ପତ୍ତି ନେବ ବା ନେଉଛ ସେଥିରେ ମୋର କିଛି ଯାଏ ଆସେନା । ସିଂହାସନରେ ଯିଏ ବସିଲା ସେ ମୋ ରାଜା, କେବଳ ତାର ହୁକୁମ ମୁଁ ମାନିବାକୁ ବଚନବଦ୍ଧ । ମୋତେ ଯାହା ଆଦେଶ ଅଛି, ତାହା ହେଉଛି, ଏ ସବୁ କୋଳି କେବଳ ଜନତାଙ୍କୁ ଦେଖାଇବା ପାଇଁ । ଏ କୋଳି କେବଳ ରାଜା, ତାଙ୍କର ଅମାତ୍ୟମାନେ ହିଁ ତୋଳି ପାରିବେ, ଖାଇ ପାରିବେ ଏବଂ ସେମାନଙ୍କ ପ୍ରିୟ ପାତ୍ର ମାନଙ୍କ ମଧ୍ୟରେ ବାଣ୍ଟି ପାରିବେ । ତୁମମାନଙ୍କ ପାଖରେ ପହଞ୍ଚିବା ଆଗରୁ ସେସବୁ ଆମ ହାତକୁ ଆସିବ । ଆମଠୁ ବଳିଲେ, ଚେଲା ଚାମଣ୍ଡାଙ୍କ ପେଟକୁ ଯିବ, ସେଇଠୁ ବଳିଲେ ଯାଇ ତୁମ ପାଖରେ ପହଞ୍ଚିବ । ଘରକୁ ଯାଅ, ଘରେ କୋଳିର ଅପେକ୍ଷା କରି । ତେଣିକି ତୁମର ଭାଗ୍ୟ । ଯଦି ତୁମକୁ ମିଳିଗଲା, ତେବେ ଭଗବାନଙ୍କୁ ଧନ୍ୟବାଦ କହିବ, ଯଦି ନ ମିଳିଲା ତେବେ ଆର ବର୍ଷ ପାଇଁ ଅପେକ୍ଷା କରିବ । ହଁ ଯିବା ଆଗରୁ ଯେତେକ କୋଳି ତୋଳିଛ ସେସବୁ ମୋ ସାମ୍ନାରେ ରଖିଦେଇ ଯାଅ।

ବାଘର ରାଗ ଦେଖି ଆମେ ବହୁତ ଡରିଗଲୁ । ଗଛରୁ ଓହ୍ଲେଇଲୁ । ଯେତେ କୋଳି ତୋଳିଥିଲୁ ସବୁ ନେଇ ବାଘମାମୁଁ ସାମ୍ନାରେ ଚୁପଚାପ୍ ରଖିଦେଲୁ । ବାଘ ମାମୁଁ ଥରେ ଆମକୁ, ପୁଣି ଥରେ ଭୋକିଲା ଆଖିରେ କୋଳି ଆଡକୁ ଚାହିଁଲା ଏବଂ ଚିତ୍କାର କରି କହିଲା, ଆଉ ଚାହିଁ ରହିଛ କଣ ? ଯାଅ, ପଳାଅ ଏଇଠୁ, ଜଲଦି ପଳାଅ । ନହେଲେ ଜେଲ ହୋଇଯିବ, ଜୋରିମାନା ହୋଇଯିବ ।

ଆମେ ଏକା ମୁଁହା ହୋଇ ଧାଇଁଲୁ ଘର ଆଡକୁ । ହେଲେ ମୁଁ ଯେତେବେଳେ ଥରେ ପଛକୁ ଫେରି ଚାହିଁଲି, ଯାହା ଦେଖିଲି, ମୁଁ ମୋ ଆଖିକୁ ବିଶ୍ଵାସ କରି ପାରୁ ନଥିଲି । ବାଘ ମାମୁଁ ଗୋଟିକ ପରେ ଗୋଟିଏ କୋଳି, ଟପ୍ ଟାପ୍ ତା ପାଟିରେ ପକାଇ ଚାଲିଛି । ତାର ମିଠା ମିଠା ସ୍ୱାଦର ଆନନ୍ଦ ନେଉଛି । ମନକୁ ପଚାରିଲି, କିରେ ବାଘ କଣ ସତରେ କୋଳି ଖାଏ?

******


Rate this content
Log in

Similar oriya story from Abstract