ଭୁତ ଦର୍ଶନ
ଭୁତ ଦର୍ଶନ
1977ମସିହା କଥା ।ନୂଆ ନୂଆ ଚାକିରୀ ଜୀବନ ।ଆଠଗଡ଼ ଗୁରୁଡ଼ିଝାଟିଆରେ ଶିକ୍ଷକତା ।ଡିସେମ୍ବର ମାସ । ଧାନ କଟା ଛୁଟି ଘୋଷିତ ।ଘରକୁ ଯିବା ପାଇଁ ମନ ଉଛନ୍ନ ।ରାତି 9ଟାରେ ଲୋକାଲ ବସରେ ଓରନ୍ଦା ଷ୍ଟାଣ୍ଡରୁ ଚଢ଼ିଲି ।ରାତି 11ଟାରେ ସାନ ବାରସିଂହ ବସ ଷ୍ଟାଣ୍ଡରେ ଓହ୍ଲାଇଲି ।ଶୀତ ଦିନ ଅର୍ଦ୍ଧ ରାତ୍ର ।କୃଷ୍ଣ ପକ୍ଷର ଘନ ଅନ୍ଧକାର ।ଚାରିଆଡେ ଶୂନଶାନ ।ଗାଆଁ ନିଶବ୍ଦ, ଗଭୀର ନିଦ୍ରାରେ କନ୍ଥା କମ୍ବଳ ଘୋଡ଼ି ହୋଇ ଲୋକେ ଶୟନ ରତ ।ବ୍ୟାଗରୁ ଟର୍ଚ୍ଚ ବାହାର କରି ରଗଡିପଡ଼ା ଦେଇ ସିଧା ଗହୀର ରାସ୍ତା ଧରିଲି ।ବାଟରେ ଘଞ୍ଚ ପଳାସ ବଣ।ଅତ୍ୟନ୍ତ ଭୟଙ୍କର ସ୍ଥାନ ।
ଠିକ ଏତିକି ବେଳକୁ ଟର୍ଚ୍ଚ ଲାଇଟ ଫିଉଜ । କିଟି କିଟି ଅନ୍ଧାର ।ଏହି ବଣିରେ ଭୁତ ଭୟ ବେଶୀ । ହଠାତ ପେଚକ ଓ ମଞ୍ଜାରୀଙ୍କ ଉତ୍କଟ ରାବ ।ମୋ ମୁଣ୍ଡ ଉପରେ ପେଚାମାନେ ଚକ୍କର କାଟି ଉଡ଼ୁଥାନ୍ତି ।ଭୟରେ ସିହରି ଉଠିଲି, ମହାମନ୍ତ୍ର ହରେ କୃଷ୍ଣ.. ହରେ ରାମ ଜପିବାକୁ ଲାଗିଲି ।
ଓଠ ଗଳା, ହସ୍ତପାଦ ସର୍ବାଙ୍ଗ ଥରୁଥାଏ ।ସତେ ଯେମିତି ମୁଁ ଜାଣି ଜାଣି ଏକ ଭୟଙ୍କର ଭୁତ ସମ୍ରାଜ୍ୟରେ ପ୍ରବେଶ କରିଛି ।ଯନ୍ତ୍ରବତ ଆଗକୁ ଆଗକୁ ଯାଇ ବଣ ପାରି ହୋଇଗଲି ।ପଡ଼ିଲା ସିଆରିଆ ନାଳ ।ରାତିରେ ଭୟଙ୍କରଦିଶୁଥାଏ । ସୁଅ ବି ପ୍ରବଳ ।ଗାମୁଛା ବଦଳି ବ୍ୟାଗ ଟେକିଧରି ପାଣିରେ ପଶିଲି ।ଅନ୍ଧାରେ ତଳକୁ ଖସି ଗଲି ।ପାଟିଏ ପାଣି, ପ୍ରଖର ସ୍ରୋତରେ ଟିପ ରହୁନି ।ନାଳ କୁଳରେ ମା ବୁଢୀଦେଇଙ୍କ ଆସ୍ଥାନ ।ମାଙ୍କୁ ସ୍ମରଣ କରି ନାଳ ଅତିକ୍ରମ କଲି ।
ଏବେ ଆମଗ୍ରାମ ଚଣ୍ଡୀମଙ୍ଗଳ ସରହଦକୁ ଛୁଇଁଲି ।ମା'ଙ୍କୁ ଆଣ୍ଠୁପାତି ମୁଣ୍ଡିଆଟିଏ ମାରି ସେହି ଓଦା ଗାମୁଛାରେ ହିଡ଼ ରାସ୍ତା ଧରିଲି ।ଏହା ମୋର ନିତିଦିନିଆ ପରିଚିତ ରାସ୍ତା ।ପକ୍ବ ଧାନ କ୍ଷେତ, ଘାସ ଉପରେ କାକର ବିନ୍ଦୁ ।ପୂର୍ବ ଆକାଶରେ କୃଷ୍ଣ ଅଷ୍ଟମୀର ଅଧା ଜହ୍ନ ଚକ୍ରବାଳରେ
ଦୃଶ୍ୟମାନ ।କ୍ରମଶଃ ରୂପେଲି କିରଣରେ ଚତୁର୍ଦ୍ଦିଗ ସଫା ଦେଖାଗଲା ।ମା ବୁଢୀ ଦେଈଙ୍କୁ ଧ୍ୟାନ କରି ଚାଲିଲି ।
ଏତିକି ବେଳେ ଏକ ଅଦ୍ଭୁତ ଦୃଶ୍ୟ ମୋ ବାମ ପାର୍ଶ୍ଵରେ ଦୃଶ୍ୟମାନ ହେଲା ।ମୋଠାରୁ ପ୍ରାୟ ପଚାଶ ମିଟର ବ୍ୟବଧାନରେ ଏକ ବିଶାଳକାୟ
ମଣିଷ, ଆନୁମାନିକ କୋଡିଏ ଫୁଟ ଉଚ୍ଚ ଧଳା ବସ୍ତ୍ର ଘୋଡ଼ି ହୋଇ ଆମ ଗାଁ ଦିଗରେ ମୋ ସହିତ ସମାନ୍ତରାଳରେ ଚାଲିବାକୁ ଲାଗିଲା ।ଏ ନିଶ୍ଚୟ ଭୁତ, ଅନିଷ୍ଟ କରିବ -ଆଜି କି ବେଳାରେ ଆସିଲି,ମଲି ।ଭୟରେ ପାଦ ତଳୁ ମାଟି ଖସି ଯାଉଥାଏ ।ରାମନାମ ପଦ ବିସ୍ମରଣ ହୋଇଗଲା ।କେବଳ ମା ବୁଢୀଦେଇ ଏ ବିପଦରେ ତୁ ହିଁ ଭରସା, ରକ୍ଷାକର ମା -କହି ଚାଲୁଥାଏ ।ମୁଁ ଅନୁଭବ କଲି କେହି ଜଣେ ମୋ ପଛରେ ଆସୁଛି । ଝୁଣୁ ଝୁଣୁ ଶବ୍ଦ ଶୁଭୁଛି ।ନିଶ୍ଚିତ କରିନେଲି ଯେ, ମା ମୋ ପଛରେ ଆସୁଛନ୍ତି ।ଦମ୍ଭ ଆସିଗଲା, ଭୟ କମିଗଲା, ଆଗେଇଲି ।ଭୁତ ମଧ୍ୟ ସମାନ ଗତିରେ ସମାନ ବ୍ୟବଧାନରେ ଚାଲିଥାଏ ।
ମୁଁ ମା ଙ୍କ ନୂପୁର ଶବ୍ଦକୁ ଧ୍ୟାନ ରଖି ଶୁଣୁଥାଏ ।ଅଧା ଗହୀର ପାରିହେଲି ।ଚନ୍ଦ୍ର ଜ୍ୟୋତ୍ସା ଉଜ୍ଜଳତର ପରିସ୍ଫୁଟ ।ଚୌଧୁରୀ ତୋଟା ସୀମା ।ମୋତେ ଆଉ ଝଣ ଝଣ ଶବ୍ଦ ଶୁଭିଲାନି ।ଏଣେ ଭୁତ ଆହୁରି ଉଚ୍ଚତର ଦିଶୁଥାଏ ।ଅଦୂରରେ ଆମ ଗ୍ରାମଦେବତୀ ବ୍ରାହ୍ମଣୀଦେଈ ଓ ମା ଚଣ୍ଡୀଙ୍କ ଆସ୍ଥାନ ।ମୁଣ୍ଡିଆ ମାରି ଚାଲିଲି ।ହଠାତ ସୁ ସୁ ଶବ୍ଦ ଶୁଭିଲା ।ଭୁତ ଅଦୃଶ୍ୟ ହୋଇଗଲା ।କେବଳ ଯା' ଯା' ପ୍ରତିଧ୍ଵନି ଚାରି ପାଞ୍ଚ ଥର ଗୁଞ୍ଜରିତ ହେଲା ।ମୋର ଗାଁ ନିକଟ ।ସାହସ ଆସିଗଲା ।ପୀଠରେ ପହଞ୍ଚି ମା ଙ୍କୁ ପ୍ରଣତି ଜଣାଇ ଘରେ ପହଞ୍ଚିଲି ।ସେ ଦିନର ଲୋମ ଟାଙ୍କୁରା ଅନୁଭୂତି ଏବେ ବି ମନରେ ଜୀବନ୍ତ ହୋଇ ରହିଛି ।ମା ଯଦି ଭରସା ଅଶରୀରୀ ବା କଣ କରିବ??
ଏହି ଦିବ୍ୟ ଅଭିଜ୍ଞତା ମୋତେ ଐଶୀ ଶକ୍ତିସତ୍ତା ଉପରେ ବିଶ୍ୱାସ ଭରି ଦେଇଛି ।