Jagannath Barik

Horror

3.6  

Jagannath Barik

Horror

ଭୂତ ଦର୍ଶନ

ଭୂତ ଦର୍ଶନ

3 mins
139


ନୂଆ ନୂଆ ଚାକିରୀ ଜୀବନ |ଆଠଗଡ଼ ଗୁରୁଡ଼ିଝାଟିଆରେ ଶିକ୍ଷକତା |1978ମସିହା ଡିସେମ୍ବର ମାସ | ଧାନକଟା ଛୁଟି ଘୋଷିତ |ଘରକୁ ଯିବା ପାଇଁ ମନ ଉଛନ୍ନ |ରାତି 9ଟାରେ ଲୋକାଲ ବସରେ ଓରନ୍ଦା ବସଷ୍ଟାଣ୍ଡରୁ ଚଢ଼ିଲି |ରାତି 11ଟାରେ ସାନ ବାରସିଂହ ବସଷ୍ଟାଣ୍ଡରେ ଓହ୍ଲାଇଲି |ଶୀତ ଦିନ ଅର୍ଦ୍ଧ ରାତ୍ର |କୃଷ୍ଣ ପକ୍ଷର ଘନ ଅନ୍ଧକାର |ଚାରିଆଡେ ଶୂନଶାନ |ଗାଆଁଗଣ୍ଡା ନିଶବ୍ଦ |ଗଭୀର ନିଦ୍ରାରେ କନ୍ଥା କମ୍ବଳ ଘୋଡ଼ି ହୋଇ ଲୋକେ ଶୟନ ରତ |ବ୍ୟାଗରୁ ଟର୍ଚ୍ଚ ବାହାର କରି ରଗଡିପଡ଼ା ଦେଇ ସିଧା ଗହୀର ରାସ୍ତା ଧରିଲି |ବାଟରେ ଘଞ୍ଚ ପଳାସ ବଣ|ଅତ୍ୟନ୍ତ ଭୟଙ୍କର ସ୍ଥାନ |

ଠିକ ଏତିକି ବେଳକୁ ଟର୍ଚ୍ଚ ଲାଇଟ ଫିଉଜ | କିଟି କିଟି ଅନ୍ଧାର |ଏହି ବଣିରେ ଭୂତ ଭୟ ବେଶୀ | ହଠାତ ପେଚକ ଓ ମଞ୍ଜାରୀଙ୍କ ଉତ୍କଟ ରବ ମୋ କଲିଜାକୁ ଥରାଇଦେଲା |ମୋ ମୁଣ୍ଡ ଉପରେ ପେଚାମାନେ ଚକ୍କର କାଟି ଉଡ଼ୁଥାନ୍ତି |ଭୟରେ ଶୀହରି ଉଠିଲି | ମହାମନ୍ତ୍ର ହରେ କୃଷ୍ଣ.. ହରେ ରାମ ଜପିବାକୁ ଲାଗିଲି | ନିଜର ଅସ୍ମିତା ଭୁଲିଗଲି |

ଓଠ ଗଳା, ହସ୍ତପାଦ ସର୍ବାଙ୍ଗ ଥରୁଥାଏ |ସତେ ଯେମିତି ମୁଁ ଜାଣି ଜାଣି ଏକ ଭୟଙ୍କର ଭୂତ ସମ୍ରାଜ୍ୟରେ ପ୍ରବେଶ କରିଛି |ଏତିକି ବେଳେ ଯଦି କିଏ ହାଁ କରି ଦେଇଥାନ୍ତା, ମୋର ହୃଦକ୍ରିୟା ବନ୍ଦ ହୋଇ ଯାଇଥାନ୍ତା |ଶ୍ୱାସର ବେଗ ବଢ଼ି ଚାଲିଥିଲା |ଯନ୍ତ୍ରବତ ଆଗକୁ ଆଗକୁ ଯାଇ ବଣ ପାରି ହୋଇଗଲି |ପଡ଼ିଲା ସିଆରିଆ ନାଳ |ରାତିରେ ଭୟଙ୍କରଦିଶୁଥାଏ | ସୁଅ ବି ପ୍ରବଳ |ଲହଲହ ସର୍ପିଣୀ ତୁଲ୍ୟ ଧାବମାନ |ଗାମୁଛା ବଦଳି ବ୍ୟାଗ ଟେକି ଧରି ପାଣିରେ ପଶିଲି |ଅନ୍ଧାରେ ତଳକୁ ତଳକୁ ଖସି ଗଲି |ପାଟିଏ ପାଣି, ପ୍ରଖର ସ୍ରୋତରେ ଟିପ ରହୁନି |ନାଳ କୁଳରେ ମା ବୁଢୀଦେଇଙ୍କ ଆସ୍ଥାନ |ମାଙ୍କୁ ସ୍ମରଣ କରି ନାଳ ଅତିକ୍ରମ କଲି |ଏହି ନାଳକୂଳ ବିଷଧର ତମ୍ପମାନଙ୍କର ଆସ୍ଥାନ ଓ ମୋର ସବୁଠାରୁ ଡର ସାପଙ୍କୁ |ଦ୍ରୁତ ପଦକ୍ଷେପରେ ଘାସବଣ ପାରହୋଇ ନାଳ ହୁଡ଼ାକୁ ଉଠିଲି |

ଏବେ ଆମଗ୍ରାମ ଚଣ୍ଡୀମଙ୍ଗଳ ସରହଦକୁ ଛୁଇଁଲି |ମା'ଙ୍କୁ ଆଣ୍ଠୁପାତି ମୁଣ୍ଡିଆଟିଏ ମାରି ସେହି ଓଦା ଗାମୁଛାରେ ହିଡ଼ ରାସ୍ତା ଧରିଲି |ଏହା ମୋର ନିତିଦିନିଆ ପରିଚିତ ରାସ୍ତା |ପକ୍ବ ଧାନ କ୍ଷେତ, ଘାସ ଉପରେ କାକର ବିନ୍ଦୁ |ପୂର୍ବ ଆକାଶରେ କୃଷ୍ଣ ଅଷ୍ଟମୀର ଅଧା ଜହ୍ନ ଚକ୍ରବାଳରେ ଦୃଶ୍ୟମାନ |କ୍ରମଶଃ ରୂପେଲି କିରଣରେ ଚତୁର୍ଦ୍ଦିଗ ସଫା ଦେଖାଗଲା | ମା ବୁଢୀ ଦେଈଙ୍କୁ ଧ୍ୟାନ କରି ଚାଲିଲି |

  ଏତିକି ବେଳେ ଏକ ଅଦ୍ଭୁତ ଦୃଶ୍ୟ ମୋ ବାମ ପାର୍ଶ୍ଵରେ ଦୃଶ୍ୟମାନ ହେଲା |ମୋଠାରୁ ପ୍ରାୟ ପଚାଶ ମିଟର ବ୍ୟବଧାନରେ ଏକ ବିଶାଳକାୟ ମଣିଷ, ଆନୁମାନିକ କୋଡିଏ ଫୁଟ ଉଚ୍ଚ ଧଳା ବସ୍ତ୍ର ଘୋଡ଼ି ହୋଇ ଆମ ଗାଁ ଦିଗରେ ମୋ ସହିତ ସମାନ୍ତରାଳରେ ଚାଲିବାକୁ ଲାଗିଲା |ଏ ନିଶ୍ଚୟ ଭୂତ, ଅନିଷ୍ଟ କରିବ -ଆଜି କି ବେଳାରେ ଆସିଲି,ମଲି |ଭୟରେ ପାଦ ତଳୁ ମାଟି ଖସି ଯାଉଥାଏ |ରାମନାମ ପଦ ବିସ୍ମରଣ ହୋଇଗଲା |କେବଳ ମା ବୁଢୀଦେଇ ଏ ବିପଦରେ ତୁ ହିଁ ଭରସା, ରକ୍ଷାକର ମା -କହି ଚାଲୁଥାଏ |ମୁଁ ଅନୁଭବ କଲି କେହି ଜଣେ ମୋ ପଛରେ ଆସୁଛି | ଝୁଣୁ ଝୁଣୁ ଶବ୍ଦ ଶୁଭୁଛି |ନିଶ୍ଚିତ କରିନେଲି ଯେ, ମା ମୋ ପଛରେ ଆସୁଛନ୍ତି |ଦମ୍ଭ ଆସିଗଲା, ଭୟ କମିଗଲା, ଆଗେଇଲି |ଭୂତ ମଧ୍ୟ ସମାନ ଗତିରେ ସମାନ ବ୍ୟବଧାନରେ ଚାଲିଥାଏ |ମୁଁ ମାଆଙ୍କ ନୂପୁର ଶବ୍ଦକୁ ଧ୍ୟାନ ରଖି ଶୁଣୁଥାଏ |ଅଧା ଗହୀର ପାରିହେଲି |ଚନ୍ଦ୍ର ଜ୍ୟୋତ୍ସା ଉଜ୍ଜଳତର ପରିସ୍ଫୁଟ |ଚୌଧୁରୀ ତୋଟା ସୀମା |ମୋତେ ଆଉ ଝଣ ଝଣ ଶବ୍ଦ ଶୁଭିଲାନି |ଏଣେ ଭୂତ ଆହୁରି ଉଚ୍ଚତର ଦିଶୁଥାଏ |ଅଦୂରରେ ଆମ ଗ୍ରାମଦେବତୀ ବ୍ରାହ୍ମଣୀଦେଈ ଓ ମା ଚଣ୍ଡୀଙ୍କ ଆସ୍ଥାନ |ମୁଣ୍ଡିଆ ମାରି ଚାଲିଲି |ହଠାତ ସୁ ସୁ ଶବ୍ଦ ଶୁଭିଲା |ଭୂତ ଅଦୃଶ୍ୟ ହୋଇଗଲା |କେବଳ ଯା' ଯା' ପ୍ରତିଧ୍ଵନି ଚାରି ପାଞ୍ଚ ଥର ଗୁଞ୍ଜରିତ ହେଲା |ମୋର ଗାଁ ନିକଟ |ସାହସ ଆସିଗଲା |ପୀଠରେ ପହଞ୍ଚି ମା ଙ୍କୁ ପ୍ରଣତି ଜଣାଇ ଘରେ ପହଞ୍ଚିଲି |ସେ ଦିନର ଲୋମ ଟାଙ୍କୁରା ଅନୁଭୂତି ଏବେ ବି ମନରେ ଜୀବନ୍ତ ହୋଇ ରହିଛି |ମା ଯଦି ଭରସା ଅଶରୀରୀ ବା କଣ କରିବ??

ଏହି ଦିବ୍ୟ ଅଭିଜ୍ଞତା ମୋତେ ଐଶୀ ଶକ୍ତିସତ୍ତା ଉପରେ ବିଶ୍ୱାସ ଭରି ଦେଇଛି |ଜୟ ମା 'ଚଣ୍ଡୀକେ !ମହାଶକ୍ତି ସ୍ୱରୂପିଣୀ ତ୍ରୟମ୍ବିକେ !|



Rate this content
Log in

Similar oriya story from Horror