Gargi Mishra

Comedy Drama Romance

4  

Gargi Mishra

Comedy Drama Romance

ବିବାହ ବର୍ଷପୂରଣ

ବିବାହ ବର୍ଷପୂରଣ

5 mins
365




       



ଏ ଗୁରୁବାର ଛାଡି ତା'ଆର ଗୁରୁବାର ମୋର ବିବାହ ବାର୍ଷିକି l କେବେବି କିଛି ମାଗିନାହିଁ l ଏଥର ସତସାହସ ଜୁଟାଇଲି...  କହିବି ସୁକୁଟା ବାପାକୁ ମୋ ପାଇଁ ସୁନା କାନଫୁଲ ଘିନିଆସିବ l ବର୍ଷ ବର୍ଷ ହେଲା ଟାଳି ଆସୁଛି l 



ମନେପଡେ, ଆମ ବା'ଘର ଵରଷ ଅକାଳ ମରୁଡି ପଡିଥାଏ l ବାପଘର ଯାହା ସୁନା ଗହଣା ଦେଇଥିଲେ ସବୁ ବିକିଭାଙ୍ଗି କୌଣସିମତେ ତେଲ ଲୁଣ ସଂସାର ଚଳେଇ ନେଲୁ l ଶାଶୁ ଯାହା ଉଲୁଗୁଣା ଦେଲେ କହିଲେ ନସରେ l ମୁଁ କାଳେ ଅଲକ୍ଷଣୀ l ପାଦ ଦଉ ଦଉ ଘରୁ ଲକ୍ଷ୍ମୀ ଛାଡ଼ିଗଲେ l


ଵରଷ କେଇଟା ଯାଇନି l ଜମିଦାର ଯମୁନା ଦାସ ଘର ଦି' ଏକର ଜମି ଭାଗଚାଷ ସହ ମାଛ ବେପାର ଧନ୍ଦା ହାତକୁ ଆସିଲା ହେରି l ମହାଦେବଙ୍କ କୃପାରୁ ଦୁଇଟା ବର୍ଷରେ ଦୁଇ ପିଲା l କାଖରେ  ସୁକୁଟାକୁ କୋଳରେ ମାଳ l


ଶାଶୁମୋର କରୁଣା ସମୟରେ ଶ୍ୱାସରୋଗରେ ପଡିଲାକୁ ନଥିପତର କଲୁ l କିଛି କାମ ଦେଲାନି l ଶେଷରେ ସୁକୁଟାବାପ ଡାକ୍ତର କତିକି ନେଲାବେଳକୁ ରାସ୍ତାରେ ବୁଢ଼ୀ ଚାଲିଗଲା l ସଂସାରଟା ତାକୁ ଖାଲି ଅନ୍ଧାର ଦିଶିଲା l  ମା'ଛେଉଣ୍ଡ ଲୋକଟାକୁ ସମ୍ଭlଳିବା କଣ କମ କଷ୍ଟ ? ସଂସାର ଟାଣିବାକୁ ମାଇପକୁ ହିଁ ମା' ହେବାକୁ ପଡେ, ମାଇପକୁ ହିଁ ବାପ l ଶିଶୁପରି ଗେଲ ତେଲ କରିବାକୁ ପଡେ l ନିଜ ଆଖିଲୁହ ଆଖିରେ ମାରି ଗେରସ୍ତ ଆଖିରୁ ଲୁହ ପୋଛିବାକୁ ହୁଏ l ମା' ନାଲିଆଖି ଦେଖେଇଲେ ଖାତିର ନଥାଏ ମରଦ ପୁଅଙ୍କୁ l ହେଲେ ସ୍ତ୍ରୀ କଟକଣା କାଳେ ବିଷ ହେଇଯାଏ l ଏ ମରଦ ଜାତିକୁ ଆକଟ କଲେ ହୁଏନି l ଭଲରେ କହିଲେ ଆଜ୍ଞାଧୀନ ଛାତ୍ର ପରି ସୁନା ମୁଣ୍ଡା ହେଇ କଥା ଶୁଣନ୍ତି l ମା' ଛେଉଣ୍ଡ ଚଡେଇଟିଏ ଦିଗହରା ହେବାର ସମ୍ଭାବନାକୁ ଏଡିବାପାଇଁହେଲେ  ମମତାର କୁଟା ଆଉ ସ୍ନେହରକାଠିକୁ ଯୋଡିଜାଡି ଫେରେ ବସାବାନ୍ଧିବାକୁ ପଡେ l ସୁକ୍ଷ୍ମରୁ ସୁକ୍ଷ୍ମତର ମାନବୀୟ ଆବେଗକୁ ପଢିନେବାକୁ ହୁଏ l ମାଟି ସନ୍ଧିରୁ ଦଳ ଦଳ ଝରି ପୋକ ଉଠି ଆସିଲେ ବୁଝିନେବାକୁ ହୁଏ ଆଗକୁ ଅସରାଏ ବର୍ଷା କାଚିବ ନିଶ୍ଚିତ l ଏଇ କିଛି ମାନବୀୟ ସମ୍ବେଦନାକୁ ପାଥେୟ କରି ଆମ ସମ୍ପର୍କ ଆଗକୁ ବଢ଼ି ଚାଲିଥିଲା l 


ସମସ୍ତେ କହନ୍ତି, ସୁକୁଟା ବାପର ବୁଦ୍ଧିଟିକେ କମ l ଏକଦମ ବୋକା l ସଂସାର କଥା କଣ ବୁଝିବ? ବୁଦ୍ଧିର ଖେଳ ଖେଳି ଆସେନା ତାକୁ l  ଝାଳଗୁଡ଼େ ବୁହାଇ ଶ୍ରମଦେଇ ଆସେ ଯାହା l ସେଥିରେ ଚାରୋଟି ପାଟିଙ୍କୁ ଖାଇବାକୁ ଯୋଗାଇବାର ଗୁରୁ ଦାୟିତ୍ୱ l


ମୁରୁଖ ଲୋକ, ମୋ ହାତ ପାନ୍ତାରେ ଯେତିକି ପାରେ କରେ l ବାଡ଼ି ବଗିଚା, ଘର କାମ, ସିଲେଇ ସାଲେଇ l ତା ବାଦେ ଫି' ବର୍ଷ ଆମ ଗାଁକୁ ଲଟେରୀ ବିକି ଆସନ୍ତି ଗୋପଲକ୍ଷ୍ମୀ ଲଟେରୀ ଦଳ l ଟିକେଟ କିଣି ରଖେ l କେବେ ଲାଗେନି, ବାରି ଆଡେ ଟୁକୁରା ଟୁକୁରା କରି ଚିରି ଫୋପାଡ଼ି ଦିଏ ପଛେ ସୁକୁଟା ବାପକୁ ଦେଖାଏନି l


 ମାଳ ସେବେ ହେଇ ନଥାଏ l ମୁଁ କାନିରେ ମୋ ଜାନିଯାତ୍ରାଖର୍ଚ୍ଚରୁ ବଞ୍ଚେଇ କିଛି ଲଟେରୀ ନିମନ୍ତେ ଗଣ୍ଠିକରି ରଖିଥାଏ l ସେବର୍ଷ ତୃତୀୟ ପୁରସ୍କାର ବାବାଦକୁ ପନ୍ଦର ହଜାର ଟଙ୍କା ମୋ ଭାଗ୍ୟରେ ଉଠିଲା l ଖବରପାଇ ଧାଇଁଲି  ଜମିଆଡ଼େ l ଯମୁନା ଦାସ ଅନେଇଲା l ମୁଁ ଓଳିକି ହେଇ ସୁକୁଟା ବା' କତିକି ଯାଇ ଚୁପ ଚୁପକି ଘଟଣାସବୁ କହିଲି l କୋଡ଼ି କୋଦାଳ ଥୋଇ ମୋତେ ଘଡିଏ  ବୋକାଙ୍କ ପରି ଚାହିଁଲା, କଣ ବୁଝିଲା, ସବୁତକ ପଇସା ନେଇ ଲଟେରୀ ଅଫିସିରେ ଦେଇଆସିଲା.... ବାବୁ ହସିଲେ l କହିଲେ,


ଏସବୁ ତୋର ଯା, ଖର୍ଚ୍ଚକରେ l କରିପାରିଥାନ୍ତା l ହେଲେ କଲାନି l

କହିଲା, ଏକା ମୋ ପରିଶ୍ରମର ମୂଲ୍ୟ ନୁହେଁ, ସମସ୍ତଙ୍କ ଜମା ପୁଞ୍ଜି ଲାଗିଛି l ଖୋଦ ରୋଜଗାର କରିବି ଯାଇ ଖାଇବି, ନହିଲେ ନାଇଁ l 

ମୋତେ ଡରେଇ ଡରେଇ ଖୁବ ଜୋର ଜୋରରେ ମାଟି ତାଡିଲା l ରାତିରାତି କଥା ହେଲାନି l ମୁଁ ଆଉ ସେଦିନୁ କେବେବି ଲଟେରୀ ଟିକେଟ କିଣିନି l ଦିନେ ଲଟେରୀ ପଇସାତକ ସରପଞ୍ଚ ଅଫିସରେ ଜମା କରିଦେଇ ଆସିଲି l ଠାକୁରାଣୀ ମାଳ ଆଗରେ କୂଅଟିଏ ଖୋଳାହେଲା l ସମସ୍ତେ ଉପକୃତ ହେଲେ l ଖୁବ ପ୍ରଶଂସା କଲେ l ସେଦିନ ପାଗଳା ମୋତେ ଧରି ଘଡିଏ ନାଚିଗଲା l ତା ହାତ ବିଣ୍ଡି ପଡି ଯାଇଥାଏ l ରାତିରେ ଚୁଲିରୁ ଗାଳୁ ଗାଳୁ ବିନା ତୁଣ ବାମ୍ପଉଠା ଉଷୁନା ଭାତ ତା ହାତରୁ ମୁଁ ଖାଲି ସେମିତି ଖାଇଗଲି l ମାଟିର ନିର୍ଭେଜାଲ ବାସ୍ନା  ଆଉ ସରଳ ସଚ୍ଚୋଟ ପଣିଆର ନିଶାରେ ଦୁହେଁ ମାତାଲ ହେଲୁ l


ଶରତ ଋତୁର ଶେଷଭାଗ l ଶାଗ ଖରଡୁ ଖରଡୁ ମୁଣ୍ଡ ବୁଲେଇବା ଦେଖି ସୁକୁଟା ମୋତେ ତୋଳି ଧରିଲା l ମୋର ହୋସ ଆସିଲା ବେଳକୁ  ସୁକୁଟା ମୋ କାନିଟାଣି ପଚାରିଲା -" ଏଥର ଝିଅଟିଏ ଦବୁନା?" ମୁଁ ଲାଜରେ ଲତ ପତ ହୋଇ ଝାଉଁଳି ପଡିଲି l ସୁକୁଟା ତା ବୋଉକୁ ଝୁରିଝୁରି ଝିଅଟିଏ ପାଇଁ ପାଗଳ ହେଇ ଯାଇଥାଏ l ମୁଁ ମହାଦେବଙ୍କୁ ଗୁହାରି କଲି l ମୋ ଅଗଣାରେ ମାଳ ଖେଳିଲା l ମୁଁ ଭାବିଲି ଏଥର ମୋ କାନ ଆଉ ଖାଲି ରଖିବିନି l ହଳେ କାନଫୁଲ ପିନ୍ଧିବି l ହେଲେ ସେ କଉ ଶୁଣିବ?


ପଡିଶା ଘର ସନିଆ ଭାଇର ମନ୍ଦିର ପାଖକୁ ତଳମୁଣ୍ଡ ଜମି ଭାଗଚାଷରେ ପଡିଥାଏ l ବନ୍ୟାପାଣି ପଶି ତାର ଚାଷ ବିଗିଡିଗଲା l  ସନିଆ ଭାଇକୁ ସାହାଯ୍ୟ କରିବାକୁ କିଏ ଆଗେଇଲେନି l କାଦୁଅରୁ ଉଦ୍ଧାର କରିବାକୁହେଲେ ହେଲେ କାହାକୁ ତ କାଦୁଅକୁ ଓଲ୍ହେଇ ଯିବାକୁ ହୁଏ...!! ଗେରସ୍ତ ମୋର ତା' ସଙ୍ଗାତ ସନିଆକୁ କଥାଦେଲା, ଜମିଦାର ପୋଖରୀରୁ ମାଛଧରିବା କାମଟି ତାର l ମୋ ଚକିରେ ଚାଉଳ ସାଙ୍ଗରେ ଇଚ୍ଛାସବୁ ପେଷିଗଲା l


ଶନିବାର ଦି'ପହରେ ମାଛ ଧରୁ ଧରୁ ସନିଆ ଭାଇ ଗୋଡ଼ରେ କଣ୍ଟା ଲାଗିଲା l କାଦୁଅ ଭିତରେ ବଡ଼ ଚିଙ୍ଗୁଡି କି  କଙ୍କଡା ଭାବି ଅଣ୍ଡାଳି ଦେଖିଲା l କାଠ ଫରୁଆ l ସେଥିରେ ସୁନା ହାର ଆଉ କଙ୍କଣ l ନିଦା ନିଦା ସୁନା, କଉ ରାଜା ଅମଳର ଜଣା ପଡୁଥାଏ l ମୋତେ କାନ୍ଦ ଲାଗିଲା l ଯାହାହେଉ... ମୋ ଇଚ୍ଛା ପୁରଣ ହେବାକୁ ଯାଉଛି l ମାଳକୁ ଧରି ସୁକୁଟା ବା' ପଛରେ ଚାଲିଲି l ଗାଁ ସରପଞ୍ଚଙ୍କ

ଆଗରେ ଦଲିଲ ବଢ଼ାହେଲା l ସୁନାତକ କାହାର? ଆଗରୁ ମାଛଧରା କାମରେ ଥିବା ସୁକୁଟା ବାପର ନା ଯେହେତୁ ସନିଆ ଭାଇ ପାଇଛି ଯେହେତୁ ସେତକ ତା'ର, ନା ଜମିଦାର ଯମୁନା ଦାସର?


ମୋ ଦେହମୁଣ୍ଡ ଝାଳେଇ ଗଲା l କିଛି କଥା ପେଟରେ ରଖିବନି ଗେରସ୍ତ ମୋର l ସମସ୍ତଙ୍କୁ କହିବା କଣ ଦରକାର ଥିଲା?


ପ୍ରଥମେ ସୁକୁଟା ବାପ କହିଲା,

- ଆଜ୍ଞା ହୁଜୁର, ମୁଁ ଏତେଗୁଡାଏ ଦିନ  କାମକଲି, ମୋତେ ମିଳି ନଥିଲା l ତାକୁ ମିଳିଛି, ୟାର ପ୍ରକୃତ ଦାୟାଦ ସନିଆ l ଦୟାକରି ତାକୁ ସେତକ ଦେଇ ମୋତେ ଉପକୃତ କରନ୍ତୁ l


ସନିଆ ଭାଇ ରଡି କରି ଉଠିଲା,


- ହୁଜୁର ଆଜ୍ଞା, ଏ ପାଗଳା ସଙ୍ଗାତ ମୋର ଏକତ ମୋତେ ମାଛଧରିବା ଦାୟିତ୍ୱ ଦେଇ ନିଜ ପେଟରେ ଲାତ ମାରିଚି l ଚଣ୍ଡାଳ ଏବେ ଆହୁରି ସୁନା ତକ ଦେଇ  ମୋତେ ଋଣଭାରରେ ପୋତିବାକୁ ନିଷ୍ପତ୍ତି ନେଇଛି l ମୁଁ କଣ କିଏବି ଏପରି ଚାହିଁବ?

ଯମୁନା ଦାସ ଜୋର କରି କହିଲା,ଯେତେହେଲେ ମୋ ପୋଖରୀ  l ମୁଁ ଏ ସୁନାର ଉତ୍ତର ଦାୟାଦ l 


ଲୋକେ କହିଲେ,


- ତେବେ କଣ ଏ ଅମୁଲ୍ୟସମ୍ପତ୍ତି ତକ ସ୍ୱାର୍ଥପର ଯମୁନା ଦାସ ସିନ୍ଦୁକକୁ ଯିବ? ଏହାତ ଖିରି ଉପରେ ବିରି ବଜ ବଜ ପରି l ତାର କଣ ଅଧିକାର? ସେମିତି କହିଲେ ମନ୍ଦିର ପାଖ ତଳିଆ ଜମିବି ତାର l ସେ କ୍ଷତି ପୁରାଣବାବଦକୁ ସନିଆକୁ ପାହୁଲିଟିଏ ସାହାଯ୍ୟ କରିନି l ଲାଭାଂଶରେ ହକ ଦାବି କରିବାକୁ ଏବେ ଆସିଛି l 


ସମସ୍ତେ ମିଳିତ ସ୍ୱରରେ ଅସମ୍ଭବ ବୋଲି କହିଲେ l ଶେଷରେ ଦୁଇ ସଙ୍ଗାତ ମିଶି ନିଷ୍ପତି ନେଲେ, ଗାଁରେ ଡାକ୍ତରଖାନା ଅଛି ହେଲେ ପକ୍କା ସଡ଼କ ନାହିଁ ବୋଲି କୌଣସି ଡାକ୍ତର ଆସୁ ନାହାନ୍ତି l ଏଥିପାଇଁ ଅଦିନିଆ ଅନେକ କଳି ମଉଳି ଝଡି ପଡୁଛନ୍ତି l ସମୟରେ ଚିକିତ୍ସା ନ ହେବାରୁ ସୁକୁଟା ବାପ ନିଜ ମା' କୁ ହରାଇ ସର୍ବସ୍ୱାନ୍ତ l ଏବେ ସମୟ ଆସିଛି ଏ ଅର୍ଥର ଉପଯୁକ୍ତ ବିନିଯୋଗ କରି ଗାଁକୁ ରୋଗମୁକ୍ତ କରିବାକୁ l 


ମୁଁ ଦେଖୁଥିଲି ସମ୍ପତ୍ତି ଏକ ପବିତ୍ର ସମ୍ପର୍କର ମୂଳଦୁଆ ଉପରେ କୁଠାରାଘାତ କରିବାକୁ କିପରି ଅକ୍ଷମ ହେଉଥାଏ l ଦୁଇ ସଙ୍ଗାତଙ୍କୁ ଗାଁ ସାରା ତାଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଦେଉଥାନ୍ତି l କାନଫୁଲ ନହେଲେ ବି ମୋତେ ରାତିରେ ସୁକୁଟାବାପ ନାକରେ ନାକଚଣାଟିଏ ପିନ୍ଧେଇ କହୁଥାଏ,


-ଆଉ ତୁ ରାଗିଲେ ମୋ ଉପରେ ଖର ନିଶ୍ୱାସ ପଡ଼ିବନି ଲୋ ମାଳବୋଉ l


ଆମ ବାହାଘର ବର୍ଷିପୁରାଣୀର ଖୁସିରେ ଗାଁ ଲୋକେ ଭୋଜି, ନାଚ ଗୀତର ଆୟୋଜନ କରି ଆସର ଜମାଇ ଦେଇଥିଲେ l ଜହ୍ନ ବଉଦ ଭିତରୁ ଉଙ୍କିମାରି ଖିଲ ଖିଲ କରି ହସୁଥାଏ ଆଉ ହେନାଫୁଲର ବାସ୍ନାରେ ସଞ୍ଜ କବଳିତ ହେଉଥାଏ l


ଏଇ ସ୍ୱାର୍ଥ ରହିତ ମଧୁର ସମ୍ପର୍କହିଁ ପ୍ରକୃତରେ ଜୀବନର ଅମୁଲ୍ୟ ସମ୍ପଦ l ମନେ ହେଉଥିଲା ଆମେ ସତରେ ଖୁବ ଧନୀ  ଆଉ ବୋକା ଇୟେ ନୁହେଁ, ଆମେସବୁ ଥିଲୁ l ବିବାହ ଵିଧିର ନିର୍ଦ୍ଦେଶରେ ହେଲେ ସ୍ୱୟଂ ଭଗବାନ ତାର ନିର୍ଦ୍ଦେଶକ l ମୁଁ ମନେମନେ ଭଗବାନଙ୍କୁ ଏମିତି ସ୍ୱାମୀ ଜନ୍ମ ଜନ୍ମ ପାଇଁ ପାଇବାକୁ ପ୍ରାର୍ଥନା କରୁଥିଲି l


                                ଗାର୍ଗୀ ମିଶ୍ର / ବାଙ୍ଗାଲୋର


Rate this content
Log in

Similar oriya story from Comedy