Lipi Sahoo

Inspirational

4.5  

Lipi Sahoo

Inspirational

ଚେରମୂଳି

ଚେରମୂଳି

8 mins
19


ଖବରଟା ପାଇଲା ପରେ କାଲି ରାତିରୁ ସମସ୍ତଙ୍କ ମନ ଖରାପ । ଏକ ଦୂରନ୍ତପ୍ରସାରୀ ନିରବତା ଖେଳି ଯାଇଛି ଘର ଭିତରେ । ଅଲିଭା ମୁହଁ ଶୁଖେଇ ଶୁଖେଇ ବୁଲୁଚି । ପିଲାମାନେ ବି ଏକ ପ୍ରକାର ଚୁପ୍ । ୧୨ ବର୍ଷ ଭିତରେ ଏମିତି ଘଟଣା ଘଟି ନଥିଲା । ଲଲାଟେନ୍ଦୁ ଯେତେବେଳ ତାଙ୍କ ଟ୍ରାନ୍ସଫର ଖବର ଶୁଣେଇଲେ ସେ ବି ଫୁଲବାଣୀକୁ ସମସ୍ତେ ହତବାକ୍ । ବାପା ବୋଉ ତ କାଲିଠାରୁ ଚୁପ୍ । ଅପେକ୍ଷାରେ ଅଛନ୍ତି ଲୁଲୁ କ'ଣ ଫଇସଲା ନେଉଛି । ଅଲିଭା ଆଖି ଛଳଛଳ ସେ ବିବାହ ପରଠାରୁ ଶାଶୁଘର ଭୁବନେଶ୍ଵର ଛାଡି କେବେ ବାହାରକୁ ଯାଇ ରହିନି । ଲୁଲୁଙ୍କ ଥରେ ଟ୍ରାନ୍ସଫର ହେଇଥିଲା ସେ ବି କଟକ ରୋଜ ଯିବାଆସିବା କରୁଥିଲେ । ପିହୁ ଆଉ ଅମୁ ଏଇଠି ଭଲ ସ୍କୁଲରେ ପଢୁଛନ୍ତି । ପିହୁର ତ 6 କ୍ଲାସ୍ ହେଇଗଲାଣି । ଅମୁ ଏବେ 2nd stdରେ ଅଛି । ସତ କହିବାକୁ ଗଲେ ଏଠି ସମସ୍ତ ନିଜ ଲୋକଙ୍କୁ ଛାଡି ସେ ଦୂର ପାହାଡ ଜଙ୍ଗଲ ଅଞ୍ଚଳ କୁ ଯିବାକୁ ପିହୁର ଆଦୌ ଇଚ୍ଛା ନଥିଲା । ସବୁଠୁ ବଡ କଥା ହେଲା ପିହୁ ବି ଜେଜେବାପା ଆଉ ଜେଜେମାଆଙ୍କୁ ଛାଡି ଦଣ୍ଡେ ରହି ପାରିବନି । ତା'ର ତ ଯିବା ପ୍ରଶ୍ନ ଉଠୁନି । ଆଉ ଲୁଲୁ ଅଲିଭାକୁ ସାଙ୍ଗରେ ନେଇ ଯିବାକୁ ଜିଦି କରୁଛନ୍ତି । ଶେଷରେ ଲୁଲୁ ଅଲିଭା ଆଉ ଅମୁ ଫୁଲବାଣୀ ଗଲେ ।

                  ବେଶ୍ କିଛି ଦିନ ଲାଗିଗଲା ଘର ସଜାଡା ସଜଡିରେ । ତା'ପରେ ଭାରି ଏକଲା ଲାଗେ ଅଲିଭାକୁ ସେଠି । ସରକାରୀ ଚାକିରୀରେ ଗୋଟିଏ ସୁବିଧା କ୍ବାର୍ଟର ମିଳିଯାଏ । ଅଉ ଗୋଟିଏ କଲୋନୀ ବି । ପାଖ ପଡିଶାଙ୍କ ସହ ମିଳାମିଶା କରିବା ଆରମ୍ଭ କରି ଦେଲା ଅଲିଭା । ସେଠିକା ଲୋକମାନେ ଭାରି ସରଳ ସହରୀ ମାନଙ୍କ ଭଳି ଚାଲାକଚତୁର ନୁହଁନ୍ତି । ଧୀରେ ଧୀରେ ଫୁଲବାଣୀ ତାକୁ ଭଲ ଲାଗିବାକୁ ଲାଗିଲା । ତା'ର ଶାନ୍ତ ସୁନ୍ଦର ପରିବେଶ ଆଉ ଲୋକମାନେ । ସେ ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ବ ସହ ପରିଚିତ ହେଇଥିଲା ସେଠି । ଶାଗବାଲୀ ପଦ୍ମା ମାଉସୀ । ସବୁଦିନ ସକାଳୁ ଆସି ଦୂଆରେ ଡାକ ପକେଇବ । ମା ଶାଗ ନେଇ ଯା.....।

                   ସତ କହିବାକୁ ଗଲେ ତା'ର ଭାଷା ଶୁଣିବାକୁ ଅଲିଭାକୁ ଭାରି ଭଲଲାଗେ । ଏପଟର ଭାଷା ଶୈଳୀରୁ ସେମାନଙ୍କର ଅଲଗା ଟିକେ । ଜିଦି କରି ସେ ସବୁଦିନ ଶାଗ ଦେଇଯାଏ । କହିବ ଶାଗ ଖାଇଲେ ଦେହ ଭଲ ରହିବ । ପୁଣି କେତେ ନୂଆ ନୂଆ ଶାଗ ଆଣିବ ଯେ ଅଲିଭା କାନ ଆଖି ଉଠିବା ଦିନରୁ ସେ ଶାଗ ନାଁ ଶୁଣି ନାହିଁ କି ଦେଖି ନାହିଁ । ଖାଲି କ'ଣ ଶାଗ ଦେବ ରନ୍ଧା ପ୍ରଣାଳୀ ବି ବତେଇ ଦେବ । କାହାକୁ ବେଷର ଦେଇ ତ କାହାକୁ ଆମ୍ବୁଲ ଦେଇ ପୁଣି କାହାକୁ ମୁଢିଗୁଣ୍ଡ ଦେଇ କରିବାକୁ କହିବ । ସତ କୁ ସତ ଭାରି ଭଲଲାଗେ ସେ ଶାଗ ସବୁ । ଲୁଲୁଙ୍କ ଫରମାଇସ ସବୁଦିନ ଶାଗ କର । ଗରମ ଗରମ ସବୁ ଶାଗ ଭଲ ଲାଗେ । ଲୁଲୁ କୁହନ୍ତି ତମ ପଦ୍ମା ମାଉସୀ ବହୁତ ବାଗ ଜାଣିଚି । ଖାଲି ଶାଗ ଲଗେଇ ବି ଭାତ ଖାଇ ହେବ । ଭାରି ସୁଆଦିଆ ଲାଗୁଚି । ଏମିତି ହସଖୁସିରେ ଦିନ ଗଡି ଚାଲିଲା ।


                  ପଦ୍ମା ମାଉସୀ ଦୁଇତିନି ଦିନ ଆସିଲାନି । ଅଲିଭା ବି ସେ ବିଷୟରେ ମୁଣ୍ଡ ପୁରେଇ ନାହାନ୍ତି । ଅମୁର ଜରକୁ ନେଇ ସେ ବହୁତ ବ୍ୟସ୍ତ ଥିଲେ । ପିଲାଟା ତିନି ଚାରିଦିନ ହେଲା ଜରରେ ପଡିଲାଣି ମେଡିସିନ୍ ଖାଉଚି ଡକ୍ଟର ବି ଦେଖିଲେ ହେଲେ ଭଲ କାହିଁକି ହେଉନି । ସେ ତ ମନସ୍ତ କଲା ତାକୁ ନେଇ ଭୁବନେଶ୍ବର ଚାଲି ଯିବ ସେଇଠି ଭଲ ଡକ୍ଟର ଦେଖେଇବ । ପିଲାଟା ଶୁଖି କଣ୍ଟା ହେଇଗଲାଣି । 


            ପରଦିନ ପଦ୍ମା ମାଉସୀର ଡାକ ଶୁଭିଲା ଦାଣ୍ଡରେ ।ଅଲିଭାର ମନ ଜମା ଭଲ ନାହିଁ ସେ ବାହାରକୁ ଗଲା ନାହିଁ । ହେଲେ ସେ କୋଉ ଛାଡିବା ଲୋକ ଡାକି ଚାଲିଲା ମାଁ ମାଁ । ଅଲିଭା କିଛି ବାଟ ନପାଇ ବାହାରିଲା । ମାଉସୀ ଆଜି ଶାଗ ନେବିନି । ପଦ୍ମା ତା ମୁହଁ ଦେଖି ବେଶ୍ ବାରି ପାରିଲା ତା ମନ ଭଲ ନାହିଁ । କ'ଣ ହେଇଚି ମାଁ ମୋତେ କହ ତୋ ମୁହଁ କାଇଁ ଶୁଖିଚି । ଅଲିଭା ଉଦାସ ହେଇ କହିଲା ପୁଅକୁ ଜର ଚାରି ଦିନ ହେଲା । ଛାଡୁନି ଜମା । ପଦ୍ମା ପଚାରି ଚାଲିଲା ଜରର ଲକ୍ଷଣ ସବୁ । ଅଲିଭା ଇଚ୍ଛା ନଥାଇ ବି କହି ଚାଲିଲା । ମନେ ମନେ ବିରକ୍ତ ବି ହେଲା । ୟେ କ'ଣ ବଇଦ ??? ଏତେ କଥା ପଚାରୁଚି । ହେଲେ ଉପରେ କିଛି କହିଲାନି । ପଦ୍ମା ପାଛିଆ ଉଠେଇ ଚୁପଚାପ ଚାଲିଗଲା ।

               

        ଦିନ ତିନିଟା ବେଳେ ପଦ୍ମା ଡାକ ପକେଇଲା ଦୂଆରେ । ଅଲିଭାର ଆଖି ଲାଗି ଯାଇଥିଲା ଟିକେ । ରାତିରେ ଠିକ୍ ସେ ଶୋଇ ପାରୁନି । ଜଗିବାକୁ ପଡୁଚି ରାତିରେ । ତା ଡାକ ଶୁଣି ଉଠିଲା ସେ । ଆଶ୍ଚର୍ଯ୍ଯ ବି ହେଲା ଅବେଳରେ ସେ କାହିଁକି ଆସିଚି ?? ପଦ୍ମା କହିଲା ମୋତେ ପୁଅ ପାଖକୁ ନେଇ ଚାଲ ମାଁ । ଅଲିଭା କିଛି କହିବା ଆଗରୁ ସେ ଘର ଭିତରେ ପଶି ସାରିଥିଲା । ସବୁ କିଛି ଅଡୁଆ ଲାଗୁଥିଲେ ବି ପଦ୍ମାକୁ କିଛି କହି ପାରିଲାନି ଅଲିଭା । ଅମୁ ପାଖରେ ପହଞ୍ଚି ଅଣ୍ଟାରୁ ଗୋଟେ ପୁଟୁଳା କାଢିଲା । ପତରରେ କ'ଣ ଗୋଟେ ପେଷ୍ଟ ଭଳିଆ ଆଣିଥିଲା । ଅମୁ କପାଳରରେ ଲଗେଇଲା । ତା'ପରେ ଅଲିଭାକୁ କହିଲା ପାଣି ଗ୍ଲାସେ ଦେ । ଅଲିଭା ତା କାରନାମା ଦେଖି ଚାଲି ଥାଆନ୍ତି । ଦୋ ଦୋ ପାଞ୍ଚ ହେଇ ପାଣି ଗିଲାସେ ବଢେଇଲେ । ସେ ଅଣ୍ଟାରୁ ଆଉ ଗୋଟେ ପତର କାଢି ସେଥିରୁ ଗୋଟେ ଗୋଲି ବାହାର କଲା । କୋଉ ଚେରମୂଳିରେ ବନା ଗୋଲି ବୋଧେ । ଅଲିଭା କିଛି କହିବା ଆଗରୁ ଅମୁ ପାଟିରେ ଗୋଲି ରଖି ପାଣି ଢୋକେ ଦେଲା । ଭାରି ପିତା ଥିଲା ବୋଧେ ଅମୁ ବିଚିକିଟିଆ ମୁହଁ କଲା । ପଦ୍ମା ପତରରେ ଥିବା ଆଉ ଗୋଟିଏ ଗୋଲିକୁ ଅଲିଭା ହାତକୁ ବଢେଇ ଦେଇ କହିଲା ଜର ଏବେ ପୁରା ଛାଡିଯିବ । ଆଉ ଲେଉଟିବନି । ଯଦି ଲେଉଟେ ରାତିରେ ଏଇଟା ଦେଇଦେବୁ ପୂରା ଠିକ୍ ହେଇଯିବ । ଏତିକି କହି ସେ ବାହାରିକି ଚାଲିଗଲା । ଡରରେ ଅଲିଭାର ବାକସ୍ଫୁରଣ ହେଉ ନଥାଏ । ପୁଅକୁ କ'ଣ ଖୁଏଇଲା ଜଣା ନାହିଁ । ଯଦି ଦେହ ବେଶୀ ଖରାପ ହେବ ଲୁଲୁ ଜାଣିଲେ ଖୁବ୍ ରାଗିବେ । କିଛି ସମୟ ପରେ ଅମୁ ଆଖି ଖୋଲି କହିଲା ମାଁ ଭୋକ ଲାଗୁଚି କିଛି ଖାଇବାକୁ ଦିଅ । ଅଲିଭା ଖୁସିରେ ରୋଷେଇ ଘରକୁ ଦୌଡିଲା ଏଇ ଆଣୁଚି କହି । ଚାରିଦିନ ହେଲା ଯାହା ଦେଲେ ଓକାଳୁ ଥିଲା । ଭୋକ ଲାଗୁନି ପାଟିକୁ ଭଲ ଲାଗୁନି କହି । ଖାଲି ପାଣି ପିଇ ପିଇ ରହିଚି । ଜିଦି କରି ଦେଲେ ବାନ୍ତି କରୁଥିଲା । ଟିକିଏ ଛତୁଆ ଗୋଳେଇ କି ଆଣିଲା । ପଟାପଟ ସେ ସବୁ ଖାଇଦେଲା । ଅଲିଭା ହାତମାରି ଦେଖିଲେ ଜର ବି ଓହ୍ଲାଇ ଯାଇଥିଲା । ଅଲିଭା ଆଶ୍ବସ୍ତିରେ ନିଶ୍ବାସ ମାରିଲା । ଲୁଲୁ ଅଫିସରୁ ଆସିଲା ବେଳକୁ ଅମୁ ବିଛଣାରେ ବସି ଖେଳୁଥିଲା ଭିଡିଓଗେମ୍ । ଆଉ ଜର ଲେଉଟି ନଥିଲା ବି ।


                    ଧୀରେ ଧୀରେ ପଦ୍ମା ମାଉସୀ କି ଲୀଳା ଲଗେଇଲା ଯେ ଦିନେ ଅଧେ ସେ ନ ଆସିଲେ ଅଲିଭାକୁ ଭଲ ଲାଗେନା । ତା ଶାଗ ନ ଖାଇଲେ ଭାତ ରୁଚେନା । ଅମୁ ଭଲ ହେଲା ପରେ ଅଲିଭା ଗୋଟେ ଭଲ ଶାଢୀଟେ କିଣି ତାକୁ ଦେଇଥିଲା । ସେ ଯମା ନେଉ ନଥିଲା । ରାଣ ନିୟମ ପକେଇ କି ଦେଲା । ଦିନେ ଅଲିଭା ପଚାରି ବସିଲା ୟେ ଚେରମୂଳି ଔଷଧ କେଉଁଠୁ ଶିଖିଲ ?? ସବୁ ମୋ ଶଶୁରଙ୍କ ଠୁ ଶିଖିଛି । ମୋ ବର ଏଥିରେ ଟିକେବି ମନ ଦେଲାନି । ଶଶୁର ଆଉ ଉପାୟ ନ ପାଇ ମୋତେ ସବୁ ଶିଖେଇଲା । ଗଛ ଚିହ୍ନେଇଲା , ମାପ ପରିମାଣ ଶିଖେଇଲା । ଜଙ୍ଗଲକୁ ନେଇ ଗୋଟି ଗୋଟି ଗଛ ଦେଖେଇଲା କିଛି ଗଛ ଆମ ବାଡିରେ ବି ଅଛି । କାହାର ପତର କାହାର ଚେର କାହାର ଫୁଲଫଳ ଔଷଧ ବନେ ଶିଖେଇଲା । ଗାଁର ଯାହାର ଯାହା ବେମାରୀ ହେଲେ ମୋ ହାତରେ ବନା କରେଇ ଦେଲା । ଧୀରେ ଧୀରେ ମୋର ସବୁ ମନେ ରହିଗଲା । ବୁଢାର ଡର ଗଲା । ସେ ଭାବୁଥିଲା ତା'ପରେ ୟେ ଜ୍ଞାନ ବୁଡିଯିବ । ସେଇଥି ପାଇଁ ମୋତେ ଗୋଟି ଗୋଟି ସବୁ ଶିଖେଇଲା ।


                 ହଠାତ ଦିନେ ଅଫିସରୁ ଆସି ଲୁଲୁ ବାନ୍ତି କଲେ । ଯାହା ଖାଇଲେ ବାନ୍ତି ହେଲା । ଅଲିଭା ଲୁଲୁଙ୍କୁ ଡାକ୍ତର ପାଖକୁ ନେଲା । ଅଲ୍ଟ୍ରାସାଉଣ୍ଡ ହେଲା । ବାହାରିଲା ପେଟରେ ଅଲସର୍ । ଅପରେସନ୍ କରିବାକୁ ପଡିବ । ଯେହେତୁ ଲୁଲୁଙ୍କ ଡାଇବେଟିସ୍ ବି ଥିଲା । ମେଡିସିନ୍ ଖାଇ ଟିକେ କମିଲେ ଅପରେସନ୍ ହେବ । ନ ହେଲେ ସେଇଟା କ୍ଯାନ୍ସର ଆଡକୁ ଯିବ ବୋଲି ଡକ୍ଟର କହିଲେ । ଅଲିଭା ଡରି କି ଛାନିଆ ହେଇଗଲା । କହିଲା ଚାଲ ଭୁବନେଶ୍ବର ପଳେଇ ସେଇଠି ଦେଖେଇବା । ଲୁଲୁ କହିଲେ ରୁହ ମୋର ସବୁ ରିପୋର୍ଟ ମୋର ଡାକ୍ତର ସାଙ୍ଗ ମନୋଜକୁ ପଠଉଚି । ସେ କ'ଣ କହୁଚି ଦେଖିବା । ସେ ବି ସେଇୟା କହିଲା । ମେଡିସିନ ସବୁ ଠିକ୍ ଅଛି ସେ ସବୁ ଖାଆ ଆଉ ବିନା ତେଲମସଲାର ଟିକେ ନରମ ଆଉ ଚକୁଟା ହେଇଥିବା ଖାଦ୍ୟ ଖାଆ କହିଲା । ଅଲିଭା ଖୁବ୍ ଡରି ଯାଇଥିଲା । ଲୁଲୁ ମନା କରି ଦେଇଥିଲେ ଏବେ ବାପା ମାଁଙ୍କୁ କିଛି ଜଣେଇବାକୁ । ଅଲିଭା ଭାବିଥିଲା ଶାଶୁଶଶୁର ଆସିଥିଲେ ଟିକେ ସାହାସ ମିଳିବ । ହେଲେ ଲୁଲୁ ତ ମନା କରିଦେଲେ । ରାତିସାରା ଅଲିଭାକୁ ନିଦ ନାହିଁ । ଆଖି ତଳ କଳା ପଡି ସେ ନିଜେ ରୋଗୀଣା ଦେଖା ଯାଉଥିଲା ।

               ପର ଦିନ ପଦ୍ମା ଡାକ ପକେଇଲା ଶାଗ ଶାଗ ।ଅଲିଭା ଆସି ମନା କଲା ବାବୁଙ୍କ ଦେହ ଭଲ ନାହିଁ ଶାଗ ନେବିନି । ପଦ୍ମା ପଚାରି ବସିଲା କ'ଣ ହେଇଛି ?? ଅଲିଭା କହିଲା ପେଟ ରୋଗ । ସେ ବା ଅଲସର୍ କ'ଣ ବୁଝିବ ?? ପଦ୍ମା ପଚାରିଲା ବାବୁ ଘରେ ଅଛି ?? ଟିକେ ଡାକିଲୁ !! ଅମୁର ଦେହ ଖରାପ କଥା ଅଲିଭାର ମନେ ପଡିଗଲା ।

ସେ ପଦ୍ମାକୁ ଭିତରକୁ ଡାକି ନେଲା । ଲୁଲୁ ପେପର ପଢୁଥିଲେ । ଘର ଭିତରେ ଶାଗବାଲୀକୂ ଦେଖି ସେ ଆଶ୍ଚର୍ଯ୍ଯ ହେଲେ । ଅଲିଭା ଇସାରା କଲା କିଛି ନକହିବାକୁ । ପଦ୍ମା ତାଙ୍କ ନାଡି ଦେଖିଲା । ଲୁଲୁ ଆବାକାବା ହେଇ ଅନେଇ ଥାଆନ୍ତି । ତା'ପରେ ସେ କହିଲା ବାବୁ ଟିକେ ସାର୍ଟ ଟେକ । ଦୋ ଦୋ ପାଞ୍ଚ ହେଇ ସାର୍ଟ ଟେକିଲେ । ସେ ପେଟରେ ହାତ ମାରିଲା । ତା'ର ଆଖି ବନ୍ଦ ଥାଏ । ଟିକେ ଚିପି ପଚାରିଲା ଦରଜ ହେଉଚି ?? ଲୁଲୁ କହିଲେ ହଁ । ସେ କହିଲା ଭଲ ହେଇଯିବ , ବ୍ୟସ୍ତ ହେବା ଦରକାର ନାହିଁ । ଉଠି ଚାଲିଗଲା । 

              ଲୁଲୁ ପଚାରିଲେ ୟେ ସବୁ କ'ଣ ଥିଲା ?? ତମ ମୁଣ୍ଡ ଠିକ୍ ନାହିଁ ବୋଧେ ଅଲିଭା । ସେ କ'ଣ ଡାକ୍ତର ମୋତେ ଭଲ କରିଦେବ ?? ଅଲିଭା ଚଟ୍ କରି କହିଲା ତମ ପୁଅକୁ ସେ ହିଁ ଭଲ କରିଥିଲା । ସେ ଆଣି ଚେରମୂଳି ଔଷଧ ଦେଇଥିଲା । ମୁଁ ଡରିକି ତୁମକୁ କହି ନଥିଲି ରାଗିବ ବୋଲି । କାଲି ତମ ପାଇଁ ବି ଔଷଧ ଆଣିବ ।

 ପାଗଳ ନା କ'ଣ ?? ଏଇ ଚେରମୂଳି ଔଷଧ ତମେ ବିଶ୍ବାସ କରୁଚ ଆଜିକା ଯୁଗରେ । 

ତମ ପୁଅ ପୁଣି ଠିକ୍ ହେଲା କେମିତି ?? ଗୋଟେ ପାନ ଔଷଧରେ ଠିକ୍ ହେଲା । ଚାରିଦିନ ଜରରେ ଛଟପଟ ହେଇଚି ସେ ବିଚରା । ଲୁଲୁ ଆଉ କିଛି କହିଲେନି । ମିଜାଜରୁ ଜଣା ପଡୁଥିଲା ସେ ଚେରମୂଳି ଔଷଧ ସେ ଖାଇବେନି ଯେମିତି । 

                  ସତ କୁ ସତ ପର ଦିନ ପଦ୍ମା ତିନିଟା ପୁଡିଆ ନେଇ ଆସିଲା । କେମିତି କ'ଣ ଖାଇବ ବତେଇ ଦେଲା । ପୁଣି କ'ଣ ସବୁ ନଖାଇବ ସେ କଥା ବି ବୁଝେଇ ଦେଲା । ସାତ ଦିନ ପାଇଁ ଔଷଧ ଆଣିଥିଲା । ଏବେ ଅଲିଭା ସଙ୍କଟରେ ପଡିଲା ୟେ ସବୁ ଲୁଲୁଙ୍କୁ କେମିତି ଖୁଏଇବ ?? ଯଦି ସେ ମନା କରି ଦିଅନ୍ତି !! ପଦ୍ମାକୁ ପଚାରିଲା ଏଗୁଡାକ ପିତା ହେଇଥିବ । ଖାଇବାରେ ଗୋଳେଇ କି ଦେଲେ ହେବ ?? ହଁ !! ଟିକେ ପିତା ଅଛି , ସେମିତି ବି ଦେଇ ହେବ ଯେ । ପଦ୍ମା ଟିକେ ଆଶ୍ବସ୍ତ ହେଲା । ଖାଇବାରେ ଗୋଳେଇ କି ଦେଲେ ସେ ଜାଣି ପାରିବେନି । ସତରେ ସେ ଭଲ ହେଇଯିବେ ତ ?? ଅପରେସନ୍ ଦରକାର ହେବନି ତ ?? ମାଁ ମୋ କଥା ବିଶ୍ବାସ କର ପୂରା ଠିକ ହେଇଯିବ ବାବୁ । ପେଟ କାଟିବାକୁ ପଡିବନି । ହେଲେ ଔଷଧ ଠିକ୍ ସେ ଦେବୁ । ଆଉ ଯୋଉଗୁଡା ମନା କଲି ସେ ଖାଇବା ଯମା ଦେବୁନି । ଏଥର ମୁଁ ଆସୁଚି । 

                  ଅଲିଭା ଡରି ଡରି ଖାଇବାରେ ସେ ଔଷଧ ଗୋଳେଇ ଗୋଳେଇ ଦେଲେ । ଲୁଲୁ ଜାଣି ବି ପାରିଲେନି । ଧୀରେ ଧୀରେ ପେଟ କଷ୍ଟ କମିବାକୁ ଲାଗିଲା । ଠିକ ସାତ ଦିନରେ ଔଷଧ ସରିଲା । ଡାକ୍ତର ଦେଇଥିବା ଡେଟ୍ ରେ ସେ ଚେକଅପ୍ ପାଇଁ ଗଲେ । ଅପରେସନ୍ ପୂର୍ବରୁ ଅଲଟ୍ରାସାଉଣ୍ଡ କଲେ । ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ଯ । ଅଲସର୍ ପୂରା ଠିକ ହେଇ ଯାଇଛି । କେମିତି ସମ୍ଭବ ?? ସେ କହିଲେ ଆପଣ ପୂରା ଠିକ ଅଛନ୍ତି । ଅପରେସନ ଦରକାର ନାହିଁ । ଆଉ କୋଉଠୁ ମେଡିସିନ ଖାଇଥିଲେ କି ?? ଏତିକି ଶୁଣି ଲୁଲୁ ସନ୍ଦେହ ଦୃଷ୍ଟିରେ ଅଲିଭାଙ୍କୁ ଅନେଇଲେ । ଅଲିଭା ଫିକକିନା ହସି ଦେଲେ ।


               ଲୁଲୁଙ୍କ ଆଖିରେ ଝଲସି ଉଠିଲା ଏକ ଅତୁଟ ବିଶ୍ବାସ । ସେ ମନେ ମନେ ଶପଥ କଲେ ପଦ୍ମାକୁ ବଣମଲ୍ଲୀ ପରି ବଣରେ ଝଡିଯିବାକୁ ଦେବିନି । ସେ ଲୋକଲୋଚନକୁ ନିଶ୍ଚୟ ଆସିବ । ତା'ର ସେ ବିଦ୍ୟା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । ଦୁଇବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ପଦ୍ମା ପଦ୍ମଶ୍ରୀ ପାଇବାକୁ ଯାଉଛି । ଲୁଲୁ ଅଲିଭା ଖୁବ୍ ଖୁସିଥିଲେ ତା ପାଇଁ ।।।


Rate this content
Log in

Similar oriya story from Inspirational