Lipi Sahoo

Classics

4.8  

Lipi Sahoo

Classics

ଦେବଦତ୍ତା ଏକ ପ୍ରଶ୍ନବାଚୀ.....?

ଦେବଦତ୍ତା ଏକ ପ୍ରଶ୍ନବାଚୀ.....?

4 mins
342


ପୁରାତନ ଯୁଗରେ ଏକ ସୁନ୍ଦର ଉପତ୍ୟକା ଥିଲା । ଯାହାର ପୂର୍ବତଟରେ ଗଙ୍ଗା ଓ ପଶ୍ଚିମତଟରେ ଯମୁନା ପ୍ରବାହିତ ହେଉଥିଲା । ଉପତ୍ୟକାର ନାମଥିଲା ଉପବୈକୁଣ୍ଠପୁର । ସେଇ ଉପବୈକୁଣ୍ଠପୁର ର ପୂର୍ବତଟରେ ଉଚ୍ଚବର୍ଗର ଲୋକମାନେ ବସବାସ କରୁଥିଲେ ଯେପରି ବ୍ରାହ୍ମଣ,କ୍ଷେତ୍ରିୟ ଆଉ ଉଚ୍ଚ ବ୍ୟବସାୟୀମାନେ । ଆଉ ଯମୁନାତଟରେ ନିମ୍ନଜାତିର ଲୋକମାନେ । ସେଠାରେ ଏକ ବଡ ଗଣିକା ବସ୍ତି ବି ଥିଲା । ଗଙ୍ଗାସ୍ନାନ ଆଉ ପାନ ସେମାନଙ୍କ ପାଇଁ ନିଷେଧ ଥିଲା । 


                 ଜଣେ ବେଦବିଦ୍ ନୈଷ୍ଠିକ ବ୍ରାହ୍ମଣ ଉପବୈକୁଣ୍ଠପୁରରେ ବସବାସ କରୁଥିଲେ । ବେଶ୍ ଧନବାନ୍ ବି ଥିଲେ । ତାଙ୍କ ନାମ ଶ୍ରୀଧର । ପରିବାର କହିଲେ ଦୁଇପୁତ୍ର ଆଉ ପତ୍ନୀ । ହସଖୁସିରେ ସଂସାର ଚାଲିଥିଲା । ସେ ପ୍ରତ୍ୟହ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାସ୍ନାନ କରିବାକୁ ଯାଆନ୍ତି । ଗଙ୍ଗାତଟ ଓ ଯମୁନାତଟ କୁ ଯିବା ପାଇଁ ଦୁଇଟି ସମାନ୍ତରାଳ ରାସ୍ତାଥାଏ । ହେଲେ ଦୁଇଟି ଭିତରେ ବେଶ୍ ବ୍ୟବଧାନ ଥାଏ । କାରଣ ସେ ସମୟରେ ସ୍ପୃଶ୍ୟଅସ୍ପୃଶ୍ୟ ଭେଦଭାବ କଠୋର ଭାବରେ ପାଳନ କରା ଯାଉଥିଲା । ଶ୍ରୀଧର ପଣ୍ଡିତ ବି ଏହାକୁ କଠୋର ଭାବରେ ପାଳନ କରୁଥିଲେ । ପ୍ରତିଦିନ ସେ ସ୍ନାନ କରିଯିବା ସମୟରେ ସେଇ ସମାନ୍ତରଳ ପଥରେ ଜଣେ ଗଣିକା ସହ ଭେଟ ହୁଏ । ଯାହାର ନାମ ଦେବଦତ୍ତା । ସେ ଯମୁନାରୁ ସ୍ନାନ ଶେଷ କରି ଫେରେ । ବ୍ରାହ୍ମଣ ଙ୍କୁ ଦେଖି ସେ ଦୂରରୁ ସାଷ୍ଟାଙ୍ଗ ପ୍ରଣିପାତ କରେ । ହେଲେ କେବେ ବି ଶ୍ରୀଧର ସେଥି ପ୍ରତି ଭ୍ରୂକ୍ଷେପ କରନ୍ତି ନାହିଁ । 

                 

                 ୟା ଭିତରେ ଅନେକ ବର୍ଷ ଅତିବାହିତ ହେଇଗଲା । ଶ୍ରୀଧର ଧୀରେ ଧୀରେ ବାର୍ଦ୍ଧକ୍ଯ ଆଡକୁ ଗତିକଲେ । ଦେହର ବଳ କମି କମି ଆସିଲା । ଏକ ଦୂରାରୋଗ୍ଯ ବ୍ୟାଧି ବି ତାଙ୍କୁ ମାଡିବସିଲା । ଯୋଗକୁ ତାଙ୍କ ପତ୍ନୀ ଆଉ ପୁତ୍ରମାନେ ତାଙ୍କୁ ଛାଡି ଅନ୍ୟ ରାଜ୍ଯକୁ ଚାଲିଗଲେ । ସେ ଏକବାର ଏକଲା ହେଇଗଲେ । 

                  


               ଏକଦା ସ୍ନାନ କରିଯିବା ସମୟରେ ରାସ୍ତାରେ ନିସ୍ତେଜ ହେଇ ଗଳି ପଡିଲେ । ଦବଦତ୍ତା ଏହା ଦେଖି ଆଉ ସମ୍ଭାଳି ହେଇ ରହି ପାରିଲେନି । ସେ ସମସ୍ତ ବାରଣକୁ ଖାତିର ନକରି ଧାଇଁ ଆସିଲେ । ଆଉ ଅନ୍ୟ ଉପାୟ ନପାଇ ଶ୍ରୀଧର ଙ୍କୁ ଧରି ନିଜ ଗୃହକୁ ନେଇଗଲେ । ବୈଦ ଡକାଇ ତାଙ୍କର ଚିକିତ୍ସା କରେଇଲେ । ତିନିଦିନ ପରେ ଶ୍ରୀଧର ଙ୍କର ହୋସ୍ ଆସିଲା । ଆଖିଖୋଲି ଦେଖିଲେ ଦେବଦତ୍ତା ତାଙ୍କ ପାଦ ପାଖରେ ବସିଥିଲେ । ଘୃଣାରେ ଶ୍ରୀଧରଙ୍କର ନାଶିକାକୁଞ୍ଚନ ହେଇଗଲା । ସେ କ୍ରୋଧିତ ହେଇ ପଚାରିଲେ ମୁଁ ଏଠାରେ କେମିତି ?? ଦେବଦତ୍ତା ସମସ୍ତ ଘଟଣା ବର୍ଣ୍ଣନା କଲେ । ଶ୍ରୀଧର ସବୁ ଶୁଣିସାରି ଉଠିଚାଲି ଯିବା ପାଇଁ ବାହାରିଲେ । ଦେବଦତ୍ତା ସଙ୍ଗେ ସଙ୍ଗେ ପଚାରି ବସିଲେ କୁଆଡେ ଯିବେ ଶ୍ରୀମନ....??? ସମସ୍ତେ ଜାଣି ସାରିଲେଣି ଆପଣ ମୋ ପାଖରେ ଅଛନ୍ତି । ସେପଟରେ ଆପଣଙ୍କ ପ୍ରବେଶ ନିଷେଧ ହେଇ ସାରିଛି । ଏବେ ରହିବେ କେଉଁଠି ??? ପୁଣି ଆପଣ ଭୀଷଣ ଅସୁସ୍ଥ । ଆପଣଙ୍କ ସେବା କିଏ କରିବ ??? ଶ୍ରୀଧରଙ୍କ ମୁଣ୍ଡ ଜୋର୍ ରେ ବୁଲେଇ ଦେଲା । ସେ ଖଟ ଉପରେ ପଡିଗଲେ । ଦେବଦତ୍ତା ଧାଇଁ ଆସି ତାଙ୍କୁ ସମ୍ଭାଳି ନେଲେ । ଶ୍ରୀଧର ବୁଝିଗଲେ ବ୍ୟାଧି ତାଙ୍କୁ ସଂପୂର୍ଣ୍ଣ ଭାବରେ ମାଡି ବସିଲାଣି । ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ । ଚଲାବୁଲା କରିବାର ସାମର୍ଥ୍ଯ ବି ହରେଇ ବସିଲେଣି । ଏଇଠି ହିଁ ତାଙ୍କୁ ମୃତ୍ୟୁ ପର୍ଯ୍ଯନ୍ତ ପଡି ରହିବାକୁ ହେବ । ଗ୍ଲାନି ଭିତରେ ତାଙ୍କର ଦିନରାତି କଟିବାକୁ ଲାଗିଲା । ଯାହାକୁ ସେ ଘୃଣା କରୁଥିଲେ ତାହାରି ଆଶ୍ରୟରେ ଶେଷ ଜୀବନ କାଟିବାକୁ ପଡିଲା । ମୁଁ ଏମିତି କ'ଣ ପାପ କରିଥିଲି ଯେ ମୋତେ ଏମିତି ଭୋଗ ମିଳିଲା । ହେଲେ ଦେବଦତ୍ତା ତାଙ୍କର ସମସ୍ତ ସେବା ବିନା ସଂକୋଚ ରେ କରି ଚାଲିଥିଲେ । ଏପରି କି ସେ ତାଙ୍କର ଦେହ ବ୍ୟବସାୟ ସଂପୂର୍ଣ୍ଣ ରୂପେ ଛାଡି ଦେଇଥିଲେ । ହେଲେ ଶ୍ରୀଧରଙ୍କ ତାଙ୍କ ପ୍ରତି ଥିବା ଘୃଣା ଭାବ ଶେଷ ପର୍ଯ୍ୟନ୍ତ ଯାଇ ନଥିଲା । ବାଧ୍ଯବାଧକତାରେ ସେ ଦେବଦତ୍ତାଙ୍କର ସେବା ଗ୍ରହଣ କରୁଥିଲେ । ଜାଣି ସାରିଥିଲେ ତାଙ୍କ ମରଣ ଏଇଠି ହିଁ ହେବ । 

               


           ଗୋଟିଏ ଆଶଙ୍କା ଧୀରେ ଧୀରେ ତାଙ୍କର ଦୃଢୀଭୂତ ହେବାକୁ ଲାଗିଲା ଯେ ଶେଷ ସମୟରେ ତାଙ୍କ ଇଷ୍ଟ ଶ୍ରୀହରି ଏଇ ପାପପଙ୍କିଳ ଜାଗାକୁ ତାଙ୍କୁ ଦେଖା ଦେବାକୁ କେବେ ବି ଆସିବେ ନି ??? ମରଣ ପୂର୍ବରୁ ଇଷ୍ଟ ଦର୍ଶନ ହେଇ ପାରିବ ନାହିଁ । ସେଇଥି ପାଇଁ ଦିନରାତି ବିକଳ ହେଇ କାନ୍ଦିବାକୁ ଲାଗିଲେ । 

               

     

                ବାରମ୍ବାର ଦେବଦତ୍ତା କ୍ରନ୍ଦନର କାରଣ ପଚାରିବାରୁ ସେ କ୍ରୋଧିତ ହେଇ କହିଲେ ତୁମେ ହିଁ ମୋର କ୍ରନ୍ଦନ ର କାରଣ । ମୋର ଶେଷ ସମୟରେ ମୋ ଇଷ୍ଟ ଶ୍ରୀହରି କ'ଣ ଏଇ ଘୃଣ୍ୟ ଜାଗାକୁ ମୋତେ ଦର୍ଶନ ଦେବାକୁ ଆସିବେ । ମୋତେ ନେଇ କୋଉଠି ବି ପକେଇ ଦେଇ ଆସ । କମ୍ ସେ କମ୍ ସେଠାରେ ମୋର ଇଷ୍ଟ ଙ୍କର ଦର୍ଶନ ତ ପାଇ ପାରିବି ।


                ଦେବଦତ୍ତା ସାମାନ୍ୟ ହସି କହିଲେ ନିଶ୍ଚିନ୍ତ ରୁହନ୍ତୁ ଶ୍ରୀମନ.... ମୁଁ ନିଜେ ଇଷ୍ଟ ଦର୍ଶନ କରେଇ ଦେବି ଶେଷ ସମୟରେ । ସେ ସ୍ବୟଂ ଆସି ଉପସ୍ଥିତ ହେବେ ।

                


            କ'ଣ ହେଲା ତୁମେ କରେଇ ଦେବ ?? ପରିହାସ କରୁଛ ମୋ ସହ । ତୁମର ଦୁଃସାହସ ତ କମ୍ ନୁହେଁ ଗଣିକା ....। ଦେବଦତ୍ତା କିଛି ଉତ୍ତର ନ ଦେଇ ଚାଲିଗଲେ ।


               ଶ୍ରୀଧର ଙ୍କ ଶେଷ ସମୟ ଉପସ୍ଥିତ ହେଲା । ଦେବଦତ୍ତା ପାଖରେ ବସି ଥାଆନ୍ତି । ଆଖି ଖୋଲନ୍ତୁ !! ଶ୍ରୀମନ ଏଇ ଦେଖନ୍ତୁ ଇଷ୍ଟ ଆସି ଉପସ୍ଥିତ ହେଲେଣି । ସତ କୁ ସତ ଆଖି ଖୋଲି ଦେଖିଲେ ଶ୍ରୀହରି ସ୍ବୟଂ ଚିନ୍ମୟ ରୂପରେ ତାଙ୍କ ସାମ୍ନା ରେ ଦଣ୍ଡାୟମାନ । ଶ୍ରୀଧର ଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ବୋହି ଚାଲିଲା । ସେ ହାତ ଉଠେଇ ପ୍ରଣାମ କଲେ । ହେଲେ ଶ୍ରୀହରି ଆଙ୍ଗୁଳି ନିର୍ଦେଶ କରି କହିଲେ ମୋତେ ନୁହେଁ ଦେବଦତ୍ତା ଙ୍କୁ ପ୍ରଣାମ କର । ସେ ତାଙ୍କର ସମସ୍ତ ପୂଣ୍ୟ ପ୍ରଦାନ କରି ତୁମକୁ ମୋର ଦର୍ଶନ କରେଇଛନ୍ତି । ଶ୍ରୀଧର ହାତ ଯୋଡିଲେ ଦେବଦତ୍ତାଙ୍କୁ । ହେଲେ ତାଙ୍କ ଆଖିରେ ଥିଲା ପ୍ରଶ୍ନବାଚୀ । ଜ୍ଞାନ ଠାରୁ ବି ବଡ ୟେ ସଂସାରରେ କ'ଣ କିଛି ଗୋଟେ ଅଛି କି ??? ଏକ ଅସମାହିତ ପ୍ରଶ୍ନବାଚୀ ନେଇ ଶେଷ ନିଃଶ୍ବାସ ତ୍ୟାଗ କଲେ ......। ସେ ଜାଣି ସାରିଥିଲେ ଉତ୍ତର ପାଇଁ ମୋତେ ଆଉ ଏକ ଜନ୍ମକୁ ବରଣ କରିବାକୁ ପଡିବ ନିଶ୍ଚିତ .... । ହେଲେ ସେ ପ୍ରତୀକ୍ଷା ମୋକ୍ଷ ଠାରୁ ମଧୁରତର ହେବ ମୋ ପାଇଁ ......।

                


Rate this content
Log in

Similar oriya story from Classics