ଧର୍ମଆଳରେ ହିଂସା ଓ ଘୃଣା
ଧର୍ମଆଳରେ ହିଂସା ଓ ଘୃଣା
ବିଗତ ଆଠ ଗତ ଆଠ ବର୍ଷ ଧରି ଭାରତର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି । ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଧାର୍ମିକ ହିଂସା, ସାଂପ୍ରଦାୟିକ ହିଂସାକୁ ସରକାରୀ ପ୍ରସୋହନ ଦିଆଯାଉଛି। ଧର୍ମସଭା କରି ଗେରୁଆବସ୍ତ୍ର ଧାରଣକାରୀ ସଂଗଠକମାନେ ଆହ୍ବାନ ଦେଉଛନ୍ତି ଯେ, ସାମରିକ ବାହିନୀ ମୁସଲମାନମାନଙ୍କୁ ହତ୍ୟା କରିବାକୁ ହେବ। ଭାରତର ସମ୍ବିଧାନକୁ ଏହା ଫଳରେ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଉଛି।
ରାମନବମୀ ଦିନ ରାମଚନ୍ଦ୍ରଙ୍କ ଜନ୍ମଦିବସ ପାଳନ କରିବା ପାଇଁ ଉତ୍ସବ କଲାବେଳେ ଖଣ୍ଡା, ତରକାରୀ, ତ୍ରିଶୁଳ ଓ ଗେରୁଆ ଝଣ୍ଡା ଧରି ମୁସଲମାନ ବସ୍ତି ଭିତରେ ଉତ୍ତେଜକ ସ୍ଲୋଗାନର କ’ଣ ଦରକାର ଥିଲା ? ନିଜ ଦେବତାକୁ ପୂଜା କଲାବେଳେ ଯେଉଁ ମନୋଭାବ ସୃଷ୍ଟି ହେବା କଥା, ତାହା କରା ନ ଯାଇ, ଅନ୍ୟ ଧର୍ମ ବିଶ୍ବାସୀଙ୍କୁ ଅପମାନିତ କରିବା, ଧମକ ଦେବା ଓ ହିଂସା ଉଦ୍ରେକ କରାଯିବା ଯୋଗୁ ନିଜର କ’ଣ ପୂଣ୍ୟ ଅର୍ଜିତ ହେଉଛି ?
ଭାରତର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବି ଲୋକମାନେ ଏହାକୁ ସମର୍ଥନ କରୁନାହାନ୍ତି । ମୁଷ୍ଟିମେୟ ହିଂସାଶ୍ରୟୀ, ଅପରାଧ ଓ ଘୃଣା ଉଦ୍ରେକକାରୀ ହିନ୍ଦୁଧର୍ମର ଉପାସକ ନୁହଁନ୍ତି, ବରଂ କେତେକ ବର୍ବର ଧର୍ମ ନାମରେ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି । ପୁଲିସ, ପ୍ରଶାସନ ଓ ଶାସକଦଳର ପୂର୍ଣ୍ଣ ସମର୍ଥନ ନ ଥିଲେ, ଏହି ମୁଷ୍ଟିମେୟ ଅପରାଧୂମାନେ ନିର୍ଭୟରେ ଏପରି କାର୍ଯ୍ୟ କରିପାରନ୍ତେ କି ? ତା’ଛଡା ଏଭଳି ଘଟଣା ନିର୍ଦ୍ଦିଷ୍ଟ ଗୋଟିଏ ଅଞ୍ଚଳରେ ସୀମାବଦ୍ଧ ନୁହେଁ । ଆସାମଠାରୁ ଗୁଜୁରାଟ ପର୍ଯ୍ୟନ୍ତ ଏଭଳି ଘଟଣା ଘଟିଚାଲିଛି ।
ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦେଶର ପୂର୍ବତନ ସେନାଧ୍ୟକ୍ଷମାନେ ପତ୍ର ଲେଖୁ, ସମ୍ବିଧାନର ଉଲ୍ଲଙ୍ଘନ ହେଉଛି ବୋଲି ଜଣାଇଲେ ବି, ସେମାନେ ନିରବ ରହୁଛନ୍ତି, ଅର୍ଥାତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏହି ଧରଣର ହିଂସାତ୍ମକ କାର୍ଯ୍ୟକୁ ନା ପସନ୍ଦ ବା ବିରୋଧ କରୁନାହାନ୍ତି । ତାହାହିଁ ସବୁଠାରୁ ଉଦ୍ବେଗର ଘଟଣା। ତେଣୁ ଏ ପରିସ୍ଥିତିରେ ସଚେତନ ଜନସାଧାରଣ ହିଁ ସେମାନଙ୍କ ପ୍ରତିବାଦର ସ୍ୱର ଉଠାଇବାକୁ ହେବ। ରାଷ୍ଟ୍ର ଯଦି ନିଜର ନାଗରିକଙ୍କ ଅଧିକାରକୁ ଗ୍ୟାରେଣ୍ଟି ନ ଦିଏ, ତେବେ ନାଗରିକମାନେ ଐକ୍ୟବଦ୍ଧ ହୋଇ ପ୍ରତିବାଦ କରିବା ବ୍ୟତୀତ ଅନ୍ୟ କିଛି ରାସ୍ତା ଅଛି କି ? ଏହାର ବିକଳ୍ପ ନାହିଁ ।