Lipi Sahoo

Comedy

4.4  

Lipi Sahoo

Comedy

ଜ୍ବାଇଁଡାକରା

ଜ୍ବାଇଁଡାକରା

4 mins
410


ଖବରଦାର କହି ଦେଉଛି ଯୋଉଠି ପଲେ ଶାଳି ଥିବେ ସେଇ ଘରେ କେବେ ବି ବାହା ହେବେନି । ଆଗକୁ ଆଉ କହିବେନି ଯେ ଧଡିଆ ସତର୍କ କରେଇ ନଥିଲା । ଶାଳିମାନଙ୍କୁ ଦେଖି ଭିଣେଇ ଛନଛନ ହୁଏ ସତ ହେଲେ ଶେଷରେ ନାମ ନେବାକୁ ପଡିବ । ନାକରେ ପାଣି ପିଏଇ ଦିଅନ୍ତି ହୋ ! ମୁଁ ନିଜେ ପା ଭୁକ୍ତଭୋଗୀ । କ'ଣ ବିଶ୍ବାସ ହେଉନି ? ତେବେ ଶୁଣନ୍ତୁ କାହାଣୀ ।

                 ମାସେ ପୂରି ନଥାଏ ବାହାଘରକୁ । ରଜ ଆସି ପହଞ୍ଚିଗଲା । ଶଶୁରଘର କହିଲେ ଜ୍ବାଇଁଡାକରା କରିବେ । ମୋ ମନ କୁରୁଳି ଉଠିଲା । ପ୍ରଥମଥର ଶଶୁରଘର ଯିବି । ମୋ ନିଜର ଆଉ ଦାଦା ବଡାପା ଶଶୁରଘର ମିଶି ଛଅ ଶାଳୀ । ଏତେ ଶାଳୀଙ୍କ ମେଳରେ ରଜଟା ଜମିଯିବ ବୋଲି ଭାବିଲି । କେମିତି ଶାଳୀମାନେ ମୋ ସେବାରେ ଲାଗିଯିବେ ସେଇ ସ୍ବପ୍ନ ଦିନରାତି ଦେଖିଲି । ଶେଷରେ ରଜ ଆସି ପହଞ୍ଚିଲା । ଶଳା ଆସି ଆମକୁ ଡାକିନେଲା । 

                ଶଶୁରଘରେ ପହଞ୍ଚୁ ପହଞ୍ଚୁ ଶାଳିମାନେ ଆସି ଘେରିଗଲେ । ବେକରେ ଫୁଲମାଳ ଗଳେଇ ଦେଲେ । ମୋ ଛାତି କୁଣ୍ଢେମୋଟ ହେଇଗଲା । ଶଶୁରଘର ସ୍ବର୍ଗପୁର ଆଉ ଶାଳୀମାନେ ଅପସରୀ ଭଳି ଲାଗିଲେ । ମୋତେ ଭିତରକୁ ପାଚ୍ଛୋଟି ନେଲେ । ହେଲେ ମୁଁ କ'ଣ ଜାଣିଥିଲି ୟେ ମାଳ ସେମାନେ ବଳୀର ଛେଳି ବେକରେ ଗଳେଇଚନ୍ତି ବୋଲି । ଶାଶୁ ଆସି ଶାଳି ମାନଙ୍କୁ ଗାଳି କରି କହିଲେ ଭିଣେଇଙ୍କୁ ହଇରାଣ କରନି । ସେ ଏତେ ବାଟରୁ ଆସିଛନ୍ତି ବିଶ୍ରାମ କରନ୍ତୁ ସବୁ ଏକା ସାଙ୍ଗରେ ଖିଲଖିଲ ହେଇ ହସି ଉଠିଲେ । ସତେ କି ମଲ୍ଲୀଫୁଲ ଝରି ପଡିଲା । ଏ ସୀତା ଗଲୁ ଭାଇନାଙ୍କ ପାଇଁ ସର୍ବତ ନେଇ ଆସିବୁ । ଜଣେ ଧାଇଁଲା ସର୍ବତ ଆଣିବାକୁ । ଗୋଟେ ସେକେଣ୍ଡରେ ଆଣି ପହଞ୍ଚି ଗଲା ଆଉ ସସ୍ନେହେ ବଢେଇ ଦେଲା । ଗୋଟେ ଢୋକ ପାଟିକି ଯାଇଛି କି ନାଇଁ କାନମୁଣ୍ଡ ଭାଇଁଭାଇଁ କଲା । ୟେ କି ସର୍ବତ !! ମୋ ଦେହାତିକେ କେବେ ପିଇ ନଥିଲି । ଜଣେ କହି ଉଠିଲା ଭାଇନା ପିଉନ , କ'ଣ ଭଲ ଲାଗୁନି କି ?? ଶଳା ଏଟା ଢୋକି ହେଉଛି ନା ଫିଙ୍ଗି ହେଉଛି । ସାଙ୍ଗେ ସାଙ୍ଗେ ଜଣେ ଆସି ନିଜ ହାତରେ ପିଏଇବା ଆରମ୍ଭ କରିଦେଲା । ଭାଇନା ଲାଜ କ'ଣ କରୁଚ ଯେ ପିଇଦିଅ ବାଧ୍ୟରେ ଚାରିଢୋକ ପିଇବାକୁ ପଡିଲା ।

                   ଧୀରେ ଧୀରେ ମୋତେ ଆଭାସ ହେଲା ମୁଁ ଅପସରୀ ମେଳରେ ନାହିଁ ବରଂ ମଧୁରଶତ୍ରୃ ମାନଙ୍କ ମେଳରେ ଅଛି । ମୁଁ ଛାନିଆରେ ମୋ ସେନାପତିଙ୍କୁ ଖୋଜିବାକୁ ଲାଗିଲି । ତମ ନାନୀ କୁଆଡେ ଗଲେ କି ? ଦେଖା ଯାଉ ନାହାଁନ୍ତି । ସମସ୍ତେ ଏକା ସାଙ୍ଗରେ କହି ଉଠିଲେ କ'ଣ ଦରକାର ଆମକୁ କହୁନ ଆମେ ଆଣିଦେବୁ ନାନୀକୁ କାଇଁ ଖୋଜୁଚ ? ନାଇଁ ସେମିତି କିଛି କଥା ନାହିଁ । ଆଟାଚି ଚାବିଟା ତାଙ୍କ ପାଖରେ ଥିଲା । ମୁଁ ଡ୍ରେସ୍ ବଦଳେଇ ଥାଆନ୍ତି । ମନେ ମନେ ସେମାନଙ୍କୁ ବାହାରକୁ ଭଗେଇବାକୁ ଚାହୁଁଥିଲି । ଏଇଟା ଗୋଟେ ବାହାନା ଥିଲା । ଆରେ ଏଇ କଥା । ତମ ପାଇଁ ତ ନୂଆ ଧୋତି ଆସିଛି ସେଇଟା ପିନ୍ଧିବ । ରେଣୁ ଗଲୁ ଖୁଡୀଙ୍କ ଠାରୁ ଭାଇନାଙ୍କ ନୂଆ ଧୋତି ମାଗି ଆଣିବୁ । ଜଣେ ଧାଇଁଲା ଧୋତି ଆଣିବାକୁ । ନୂଆ ଜରିଟେ ଆଣି ଖଟ ଉପରେ ଥୋଇ ଦେଲା । ଭାଇନା ବଦଳେଇ ପକା ଆମେ ଆସୁଛୁ କହି ସବୁ ବାହାରିଗଲେ । ଓହୋଃ !! ମଣିଷ ବଞ୍ଚିଗଲା । ନୂଆ ଜରିଟା ଖୋଲୁ ଖୋଲୁ ଗୋଟେ ଚିତ୍କାର ବାହାରି ଆସିଲା । ଧୋତି ଉପରେ ଥିଲା ଗୋଟେ ଝିଟିପିଟି । କବାଟ ସେପଟୁ ଶୁଭିଲା ଚପା ହସ । କ'ଣ ହେଲା କି ଭାଇନା ଏମିତି ଚିଲେଇଲ ? ଲାଜରେ ଧଡିଆ ଉତ୍ତର ଦେଲେ ନାଇଁ କିଛି ନାଇଁ । ଯୋଗକୁ ସେଇଟା ଗୋଟେ ନକଲି ଝିଟିପିଟି ଥିଲା । ଯେଣ ତେଣ ପ୍ରକାରେ ଲୁଗା ବଦଳେଇ ଲଥକିନା ବସି ପଡିଲେ ଖଟ ଉପରେ । ମନେ ମନେ ବିରକ୍ତ ହେଲେ ନିଜ ସ୍ତ୍ରୀ ଉପରେ । କୁଆଡେ ଯାଇଛି ମୋତେ ଏକା ଛାଡିଦେଇ । ଶାଳୀମାନେ ଏଠି ଭଲ ଗମାତ ଚଲେଇଛନ୍ତି ମୋ ସାଙ୍ଗରେ ।

                   ଧଡକିନା କବାଟ ଖୋଲି ପଶିଆସିଲେ ସେମାନେ । ଭାଇନା ଚାଲ ଖାଇବ ବଢା ହେଲାଣି । ସେମାନଙ୍କ ପଛରେ ଚାଲିଲେ ଧଡିଆ । ଏଥର ସତର୍କ ଦୃଷ୍ଟି ସେମାନଙ୍କ ଉପରେ । କେତେବେଳ କ'ଣ କରିଦେବେ ଠିକ୍ ଠିକଣା ନାହିଁ । ମନରେ ଭୟ ବି ଥାଏ । ଏତେ ସବୁ ଖାଇବା ଆଇଟମ୍ ଦେଖି ଧଡିଆଙ୍କ ଆଖି ଲାଖିଗଲା । ହାତଧୋଇ ବସିଲେ ଖାଇବାକୁ । ସୌଜନ୍ୟତା ଦୃଷ୍ଟିରୁ କହିଲେ ମୁଁ କ'ଣ ଏକା ଖାଇବି , ତମେମାନେ ଆସୁନ ଖାଇବ । ମନରେ ଡର ବି ଥାଏ କାଳେ ଖାଇବାରେ ଲଙ୍କାଫଙ୍କା ମିଶେଇ ଦେଇଥିବେ । ଏମାନଙ୍କୁ ବିଶ୍ବାସ ନାହିଁ । ସେମାନେ ଏକାସାଙ୍ଗରେ କହିଲେ ନାଇଁ ନାଇଁ ତମେ ଖାଅ । ଏ ସବୁ ତମ ପାଇଁ । ଧଡିଆ ଚାଲାକି ପଡି କହିଲେ ଆସୁନ ଗୋଟେ ଗୋଟେ ଗୁଣ୍ଡା ତମମାନଙ୍କୁ ଖୁଆଇ ଦେବି । ମନେ ମନେ ଭାବିଲେ ଜଣା ପଡିଯିବ କିଛି ମିଶା ହେଇଛି ନା ନାଇଁ । ସବୁ ସୁନା ପିଲା ଭଳି ପାଟି ଦେଖେଇ ଦେଇ ଗୋଟେ ଗୋଟେ ଗୁଣ୍ଡା ଖାଇଗଲେ । ଏଥର ଆମେ ତମକୁ ଖୁଆଇବୁ କହି ଧଡିଆଙ୍କୁ ଖୁଆଇବାକୁ ଲାଗିଲେ । ଯାହା ହେଉ ଖାଇବାଟା ଠିକ୍ ଅଛି । କିଛି ଗଡବଡ କରି ନାହାଁନ୍ତି । ହେଲେ ଶେଷ ଗୁଣ୍ଡାରେ ଗୋଟେ ଧାନୁଆଁଲଙ୍କା ରଖି କେମିତି ଖୁଆଇଦେଲେ କେଜାଣି ସେ ଜାଣି ପାରିଲେ ନାହିଁ । ପାଟିରେ ଯେମିତି ନିଆଁ ଲାଗିଗଲା । ପାଣି ପାଣି ବୋଲି ଚିଲେଇଲେ । ଶାଶୁ ଧାଇଁ ଆସିଲେ । ପାଟି କଲେ ଶାଳିମାନଙ୍କୁ । 

                   ପର ଦିନ ଥିଲା ପହିଲିରଜ । ଶାଳିମାନେ ଆସି ଘେରିଗଲେ । କହିଲେ ଚାଲ ଭାଇନା ଦୋଳି ଖେଳିଯିବା । ଧଡିଆଙ୍କ ଛାତିରେ ଛନକା ପଶିଲା । ତାଙ୍କର ତିଳେମାତ୍ର ଇଚ୍ଛା ନଥାଏ । ସେଠି ସେମାନେ କ'ଣ କରିବେ ମା ଗଙ୍ଗେଇଙ୍କୁ ଜଣା ହେଲେ ଶାଳିମାନେ ଟାଣିଟାଣି ନେଇଗଲେ । ପଟା ଦୋଳିରେ ବସେଇ ଦେଲେ । ଧଡିଆଙ୍କୁ ବହୁତ ଡର ଲାଗୁଥାଏ । ସେ ଚାଲାକି କରି କହିଲେ ମୁଁ କ'ଣ ଏକା ଝୁଲିବି ମୋ ସାଙ୍ଗରେ ଜଣେ ଆସି ବସ । ଖଫ କରି ମିତା ଆସି ତାଙ୍କ ପାଖରେ ବସି ପଡିଲା । ଅନ୍ୟମାନେ ଦୋଳି ବାହିଲେ । ଡର ତଥାପି ମନରେ ଥାଏ । ପକେଇ ପୁକା ଦେବେ । ଜୋରରେ ଦୋଳିର ଦୁଇ ବାହାକୁ ଧରି ଥାଆନ୍ତି । ପାଖରେ ସାନଶାଳି ମିତା କି ସାମ୍ପୁ ଲଗେଇଥାଏ କେଜାଣି ତାର ବାସ୍ନାରେ ଧଡିଆ ମତୁଆଲା ହେବାକୁ ଲାଗିଲେ । ଦୋଳି ଖେଳିବାରେ ମଜା ଆସିବାକୁ ଲାଗିଲା । ନଜର ହଟି ଦୁର୍ଘଟଣା ଘଟି । କେତେବେଳ ସାନ ଶାଳି ଖେଳ କରିଦେଇଛି ଜଣା ନାହିଁ । ଧୋତିକଛା କୁ କାଢି ଦୋଳିବାହାରେ ଗୁଡେଇ ଦେଇଛି । ଦୋଳିଖେଳ ସରିଲା ଯିବାକୁ ବାହାରିଲା ବେଳକୁ ଧୋତିଖୋଲି ତଳେ ପଡିବା ଅବସ୍ଥା । ଭାଗ୍ୟଭଲ ସମ୍ଭାଳି ଦେଲି ନହେଲେ । ଦୋଳିଖେଳ ର ସବୁ ରସ ବାହାରିଗଲା । ଏ ସବୁ କାଣ୍ଡ ପରେ ଶଶୁରଘରେ ଆଉ ଦଣ୍ଡେ ରହିବାର ଇଚ୍ଛା ନଥିଲା । କି ମାରାତ୍ମକ ଜନ୍ତୁ ହୋଃ ଏମାନେ । ଶପଥ କଲି ୟେ ସବୁ ଶାଳି ବାହାହେଇ ବିଦା ନହେଲା ପର୍ଯ୍ୟନ୍ତ ଶଶୁରଘରେ ଆଉ ପାଦ ଦେବିନି । ଜ୍ବାଇଁଡାକରା ସରିଲା ଏବେ ସେ ବିଦା ହେବେ । ଶାଳୀମାନଙ୍କର କି କାନ୍ଦବୋବାଳି ନାନୀକୁ ଧରି । ଧଡିଆଙ୍କ ମନ ଟିକେ ଶୀତଳ ହେଲା ସେମାନଙ୍କ କାନ୍ଦଦେଖି । ମୋତେ ଯେତିକି ନାକରେ କନ୍ଦେଇଚ ଏବେ ତମେମାନେ କାନ୍ଦ । 

କୋଉ ଶଳାଟି ଲେଖିଥିଲା ଏ ଢଗ ତାକୁ ଦେଖିଲେ ଟାଙ୍କେ ଛେଚିବି ।

            ଯାହାର ନାହିଁ ଶଶୁରଘରେ ଶାଳୀ

            ଧିକ ତା ଜୀବନ ! ସେ ପକ୍କା ଅଗାଡି ।


Rate this content
Log in

Similar oriya story from Comedy