Arabinda Rath

Comedy

4.5  

Arabinda Rath

Comedy

କଇଁଛ କାର୍

କଇଁଛ କାର୍

8 mins
312



ପିଟାପିଟି ପରି କ୍ଷୁଦ୍ରଗ୍ରାମରେ ଏମିତି ଆଚମ୍ବିତିଆ ଦୃଶ୍ଯ କେବେ କେହି ଆଖି ଉଠିବା ଦିନରୁ ଦେଖି ନଥିଲେ। ତେଣୁ ସଭିଙ୍କ ମନରେ କୌତୁହଳ ରହିବା ସ୍ବାଭାବିକ ଥିଲା।

ପାହାନ୍ତି ପହର ସୁଲୁସୁଲିଆ ପବନ ଗାଁଆଲୋକଙ୍କ ଗହଳି ହେତୁ ଉଷୁମ ହୋଇ ଯାଇଥିଲା। ସେ ସମୟରେ କିଏ ପୋଖରିପାଣି ବାହାରିଛି ତ କିଏ କଳରେ ଗୁଡାଖୁ ଜାକି ଦାନ୍ତକାଠି ଧରି ଚୋବାଇବାରେ ବ୍ଯସ୍ତ। ଗାଁଆ ମାଇପିମାନେ କୋଳରେ ମଇଳା ଲୁଗାବିଣ୍ଡା ଧରି ସର୍ପିଳ ଗତିରେ ମାଡି ଆସୁଥା'ନ୍ତି। ଦରଲଙ୍ଗଳା ପିଲା ସବୁ ଚଢେଇଙ୍କ କିଚିରି ମିଚିରି ଶବ୍ଦକୁ ଅବଦମିତ କରି ସ୍ବର ଲମ୍ବାଇ ଗୀତ ଗାଇ ନାଚିବାରେ ବ୍ଯସ୍ତ। ଗାଈଆଳ ପିଲା, ଗୋସୈନ୍ଯଙ୍କ ପଛରେ ବାଡି ଧରି "ହେ ଟି ଟି ଟି " "ହୋଃ ହୋଃ" ଆଦି ଗୋଭାଷା ଉଚ୍ଚାରଣ ପୂର୍ବକ ମାଡି ଚାଲିଥାଏ। ଗାଁଆର ଅର୍ଦ୍ଧାଧିକ ଲୋକ ସକାଳ ହେଲେ ଗାଁଆରାସ୍ତା ଓ ପୋଖରିତୁଠରେ ସେମାନଙ୍କର ଆଡ୍ଡା ଜମାନ୍ତି।


ଦେଶର ହାନିଲାଭ ଠାରୁ ଆରମ୍ଭ କରି ମହାକାଶକୁ ରକେଟ୍ ପ୍ରେରଣ ଯାଏଁ ସବୁ ଆଲୋଚନା ସେତିକି ସମୟରେ ସରିଯାଏ। ମାଇପି ମାନଙ୍କ ପାଖରେ ମଧ୍ଯ ଆଲୋଚନା ପାଇଁ ଢେର ବିଷୟ ଥାଏ। କାହାଘର ଶାଶୁ ବୋହୂକୁ ମାରିଲା, କାହା ବୋହୂ ଶାଶୁ କୁ ବାସିକେଶରେ ପଚାରୁନି, କାହା ଘର ଝିଅ କାନରେ ମୋବାଇଲି ଗେଞ୍ଜି ଦିନରାତି ବସୁଛି ଠାରୁ ଆରମ୍ଭ କରି କାହା ବାହାଘରର ଛଅବର୍ଷ ହେଲାଣି ପିଲା ହେଉ ନାହାଁନ୍ତି,ସବୁ ଆଲୋଚନା ସେଇ ପୋଖରିତୁଠରେ ହୋଇଯାଏ। ସେମାନଙ୍କ ଭିତରେ ସବୁଶ୍ରେଣୀର ଜ୍ଞାନୀ ମାନେ ଥାଆନ୍ତି। ରୋଗ ବଇରାଗ,ଗୁଣିଗାରେଡି, ବିବାହ ମେଳକ,ଛାଡପତ୍ର ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଇଁ ବିଶେଷଜ୍ଞା ମାନେ ଯାହାକୁ ଯେତେ। ଅମୁକ ଗଛର ଚେରକୁ ଛେଳି ଘିଅରେ ଭାଜି ଖୁଆଇ ଦେଲେ ଟମୁକ ସମସ୍ଯାର ସମାଧାନ ହୋଇଯିବ - - - ଗର୍ଭିଣୀ କାଳି ବିଲେଇ ପିଲା ବେଇଲା ପରେ ତା'ର ତିନି ନମ୍ବର ସନ୍ତାନକୁ ମାସେ କାଳ ଘରେ ରଖି କ୍ଷୀର ପିଆଇଲେ ଢମୁକ ବିପଦ ଟଳି ଯିବ - - ଆଦି କେତେ ଯେ ତୁଟୁକା ତାହାର ହିସାବ ନାହିଁ। ସେ ଆଡକୁ ଗଲେ ଅସଲ ଘଟଣା ଆଡେ ମୁହଁ ବୁଲେଇ ହେବ ନାହିଁ। ତେଣୁ ସେମାନଙ୍କୁ ଛାଡି ମଞ୍ଜି କଥାଟି ବିଷୟରେ ଲଣ୍ଠନପାତ କରିବା।


ଗାଆଁଲୋକେ ପୂର୍ବବର୍ଣ୍ଣିତ କାର୍ଯ୍ଯକ୍ରମରେ ନିମଜ୍ଜିତ ଥିିବା ସମୟରେ ପ୍ରେମାନନ୍ଦ ଢକଲ ସିଂ ଓରଫ ପମି କିଳିକିଳା ରାବ ଛାଡି ଦୌଡି ଆସିବାର ସଭିଏଁ ଲକ୍ଷ୍ଯ କଲେ। କାନ୍ଧରେ ପଡିଥିବା ଗାମୁଛାକୁ ସେ ପବନରେ ଚକ୍ରାକାର କରି ବୁଲାଇ ଏମନ୍ତ ମାଡି ଆସୁଥାଏ ଯେ ଦେଖିବା ଲୋକ ଭାବିବ ସ୍ବୟଂ ଅଭିମନ୍ଯୁ ହାତରେ ରଥ ଚକ ଧରି ଶତୃ ସଂହାର ପାଇଁ ମାଡି ଆସୁଛନ୍ତି। ମଳିଛିଆ ଜିଭକୁ ଚାଖଣ୍ଡେ ସରିକି ଲମ୍ବାଇ ହାଳୁହାଳୁ କରି ପ୍ରେମାନନ୍ଦ କହିଲା- - ମୋ ଭାଇଲୋ...ଆଲୋ ଦାଦିଲୋ- - - କିଏ କୁଆଡେ ଗଲ ଦଉଡି ଆସ। ନାଣ୍ଡି ବାୟାଣୀ ଚାଷ ଜମି ପାଖରେ ଗୋଟେ ମୋଟରକାର କଇଁଛ ହୋଇ ଯାଇଛି। ସେ କାର ଭିତରେ ଗୋଟେ ସାଏବ ଓ ତା ସାହେବାଣୀ ସହିତ ବାଦୁଡି ପରି ଝୁଲି କଣ ସବୁ ଗାଡୁରୁ ଗାଡୁରୁ ହଉଛି।


- - ହଇରେ ଢକଲରାମ ପେରେମା,ସକାଳୁ ତଣ୍ଟି ଓଦା କରି ଦେଇଛୁ ନା କଣ? ଆମକୁ ଓଲୁ ଭାବିଲୁ? ତୋ ଜନମ ଜାତକରେ କେବେ କାରକୁ କଇଁଛ ହେବାର ଦେଖିଛୁ। କହୁଛି କଣ ନା ସାହେବ ସାହେବାଣୀ ବାଦୁଡି ପରି ଝୁଲିଛନ୍ତି। ୟା'ପ ଗାଲମାଧବ ତୁଚ୍ଛା ଗାଲୁ ପେଲୁଛୁ । ପଚାମାଛ ବାସ୍ନା ନାକରେ ପଶିଗଲେ ଯେମିତି ନାକପୁଡା କୁଚାମୁଚା ହୋଇଯାଏ ସେମିତି ମୁହଁ କରି ଚଢାଗଳାରେ କହିଲା ଚେଙ୍ଗିଜ୍ ପଣ୍ଡା।


- - ଆରେ ଚିଙ୍ଗ,ତୁ କାହିଁକି ତୁଚ୍ଛାଟାରେ ପେରେମା ଉପରେ ଗରଗର ହଉଛୁ। ଆଜି ସେ କାରଟା କଇଁଛ ହେବାର ଦେଖିଦେଲା ଯେ ତୁମକୁ ବିଶ୍ବାସ ହେଉନି। କିନ୍ତୁ ଦିନଥିଲା ଏଇ ଆଖିରେ ମୁଁ ଦେଖିଛି ରେଳଗାଡିକୁ ତେଲୁଗୁଣୀ ପୋକ ହେବାର। ସେଦିନ ରେଳଧାରଣାରେ ବସି ମୁଁ ଦେଉଳ ତିଆରି କାମ ସାରିଛି କି ନାହିଁ, ଦେଖିଲି ଚିତାବାଘ ପରି ରେଳଗାଡିଟା ମାଡି ଆସୁଛି। ସେ ଅବସ୍ଥାରେ ନା ଉଠି ହେଉଛି ନା ବସି ହେଉଛି। ଭାବିଲି ପ୍ରାଣଟା ଗଲା - - ରେଳଧାରଣା ଉପରେ ନବସି ଆମ୍ବତୋଟାକୁ ଯାଇଥିଲେ ଏ ଅବସ୍ଥା ହୋଇ ନଥାନ୍ତା। କିନ୍ତୁ ସେ ସମୟରେ ରେଳ ଯିବାର ନଜିର ନାହିଁ ବୋଲି ବସି ଯାଇଥିଲି। ଶେଷ ସମୟ ଆସୁଛି ଜାଣି ଗୁଡାଖୁ ଘଷା ଛାଡି, ଦୁଇହାତ ଯୋଡି ମାଆ ଚେମ୍ବେନଶ୍ବରୀଙ୍କୁ ମୁଣ୍ଡିଆ ମାରିଲି। ଠିକ୍ ସେତିକି ବେଳକୁ ଅଚାନକ ଧାଡୁମ୍ ଧାଡୁମ୍ ଖର୍ ଖର୍ ଖର୍ ଧୁପ୍ ଧୁପ୍ ଶବ୍ଦକରି ରେଳ ଗାଡିଟା ସୁକୁଟି ଗଲା। ଚାହୁଁଚାହୁଁ ରେଳଗାଡିଟା ତେଲଗୁଣୀ ପୋକ ପାଲଟି ଧାରଣା ଉପରେ ସଳସଳ କରି ରଙ୍ଗିଗଲା। ମୁଁ ନିଜେ ସେ ତେଲଗୁଣୀ ପୋକର ତିନି ଚାରିଟା ଗୋଡ ଭାଙ୍ଗି ଅଣ୍ଟିରେ ପୁରେଇଲି। ଆଜି ଯାଏ ଡବାରେ ରଖିଛି କାଳେ କେତେବେଳେ ରେଳଗାଡିର ଚକ ପାଲଟିଗଲେ କବାଡିବାଲାକୁ ଲୁହା ବିକିବି ବୋଲି।


ଅଣ୍ଟା ସଳଖି କହିଲେ ଗାଁଆର ବୟୋଜ୍ଯେଷ୍ଠ ବୃଦ୍ଧ ଚିଲମ୍ ମହାକୁଡ। ତାଙ୍କ ପ୍ରକୃତ ନାମ ଗାଁଆ ଲୋକଙ୍କୁ ମଧ୍ଯ ଜଣାନାହିଁ। ଦିନରାତିରେ ତାଙ୍କ ହାତରେ ଚିଲମ ଓ ମୁହଁରୁ ଧୂଆଁ ବାହରେ ବୋଲି ଏମନ୍ତା ନାମରେ ଖ୍ଯାତ। ଚିଲମ ଟାଣି ଗାଲ ଦୁଇଟା ଠାକରା ପାଲଟି ଯାଇଛି। ଲୋକେ ଦେଖିଲେ ଚିଲମ୍ ଥରେ ଗପ ଆରମ୍ଭ କଲେ ସେ ଆଉ ସରିବନି। ତା କଥା ପୃଥିବୀ ଡେଇଁ ଗ୍ରହାଣୁପୁଞ୍ଜ ଯାଏ ପହଞ୍ଚିବାକୁ ବେଶି ସମୟ ନେବନି। ତେଣୁ ଲୋକେ ମେଳି ବାନ୍ଧି ନାଣ୍ଡି ବିଲ ପାଖକୁ ଦୌଡିଲେ। ବାଟରେ ଜଣେ ପେରେମାକୁ ପଚାରିଲା - - - ଭାଇ ସତ କହ,ତୁ କେମିତି ଜାଣିଲୁ କାର ଟା କଇଁଛ ହୋଇଗଲା ବୋଲି


- - ଆରେ ମୁଁ କଣ ମିଛ କହୁଛି। ମୁଁ ପରା ତୃତୀୟ ପାସ୍ କରିଛି। ସେ ସାହେବ ନିଜେ ମୋତେ କହଲା ହେଲ ପମି, ମାଇଁ କାର ଟରଣଟଡ ଟରଟଲ। ତୁ ନିଜେ କହ, ସାଙ୍ଗସାଥିଏ ମୋତେ ସ୍ନେହରେ କଣ ଡାକନ୍ତି?

- - ହଁ ହଁ ସେମାନେ ତୋତେ ପମି ଡାକନ୍ତି। ଆଉ ବାକିି ଯାହା ସବୁ କହିଲା ତା ମାନେ କଣ?


- - ଧେତ୍ ବୋକା,ସାଇବ ମାନେ ଇଁରାଜୀରେ କଥାଭାଷା ହେଲା ବେଳେ ଟିକେ ଥତମତ ହୁଅନ୍ତି। ସେ ମୋତେ "ହେଲୋ" ନକହି "ହେଲ" କହିଲା। ୟାପ ତାକୁ ଇଂରାଜୀ ଭଲରେ ଆସିନି। ପୁଣି ଟର୍ଟଲ ମାନେ ହେଲା କଇଁଛ। ମୁଁ ପରା ଟର୍ଟଲ ମାର୍କା ବିଡି ଟାଣୁଛି। ସେ ଶବ୍ଦର ଅର୍ଥ ମୋତେ ଭଲରେ ଜଣା। ପ୍ରଶ୍ନକର୍ତ୍ତା ଟୋକାଟା ବଲବଲ କରି ପ୍ରେମାନନ୍ଦ ମୁହଁକୁ ଚାହିଁଥାଏ।


ନାଣ୍ଡିବିଲ ପାଖରେ ନାହିଁ ନଥିବା ଭିଡ। ଗାଁଆଟା ଯାକର ଲୋକ ମାଛି ପରି ଗାଡି ଚାରିପଟେ ବେଢି ରହିଥା'ନ୍ତି। କିଏ କେତେ ପ୍ରକାରର କାହାଣୀ ଶୁଣାଉଛି ତାହାର ହିସାବ ନାହିଁ। ଭିଡ ଆଡେଇ ଭିତରକୁ ପଶିଲା ନାଣ୍ଡି। ବୟସ ଅଶି ସରିକି ହେବ। ଅଣ୍ଟା ନଇ ବଙ୍କୁଲୀ ବାଡି ହୋଇ ଗଲାଣି। ତଥାପି ବୁଢୀ ଠୁକୁରୁ ଠୁକୁରୁ ଚାଲି ଗାଁଆ ଭିତରେ ତିନି ଚାରି ଘେରା ମାରିଦିଏ ସବୁଦିନ। ଦିହରେ ବଳ ନାହିଁ ସତ, କିନ୍ତୁ ପାଟି ପୁରା ଇସ୍ପାତ। ଚାଇଁଚାଇଁ କରି ଏମିତି ଚିରାଡ ମାରିବ ଯେ କାନ ତାବଦା କରିଦେବ। କଣ୍ଟାବାଡରେ ଲୁଗା ପକେଇ କଳି ଲାଗିବାରେ ତାକୁ ନାରଦ ବି ପାରିବେନି। ନାଣ୍ଡି ବଡପାଟିରେ କହିଲା- - ଏ ନିଆଁରଡ ରଙ୍ଗିଆ ଗାଡି ଭିତରେ ନିହାତି ଅସୁର ଟେ ବସିଛି। ଏ ଅଭିଆଡୀ ଝିଅକୁ ବାଡିପୋଡା ହରଣଚାଳ କରିନେଲା ବେଳେ ଦେବତା ମାନେ ତୀର ମାରି ଦେଲେ ବୋଲି ଆକାଶରୁ ଖସି ମୋ ବିଲ ପାଖରେ ପଡିଛି। ଏ ରଇଜଳା ନିହାତି ରାବଣର ପିଲାପିଚିକା ହୋଇଥିବ। ଦେଖୁନ, ତା ମୁହଁଟା କେମିତି ଅସୁରପିଲା ପରି ଦିଶୁଛି। ନାଣ୍ଡି ମୁହଁରେ କଥା କହିବାର କାହାର ଜୁ ନଥିଲା। ସେ ଯାହା କହିଲା ସେଇଆ ସତ ନ୍ଯାୟରେ ଲୋକେ ମୁଣ୍ଡ ଟୁଙ୍ଗାରିଲେ।


ତେଣେ ଗାଡି ଭିତରେ ବସିଥିବା ଲୋକଟା ଓଲଟା ଝୁଲି ଆକ୍ତାମାକ୍ତା ହୋଇ ଗଲାଣି। ମାଇପି ମଣିଷର ଅବସ୍ଥା ତହୁଁ ଖରାପ। ଦୁଇପ୍ରାଣୀଙ୍କ ମୁଣ୍ଡ ଗାଡିର ଛାତ ଉପରେ ଭରା ଦେଇଅଛି। ଲୋକଟା ସେତେବେଳ ଯାଏଁ ଷ୍ଟିୟରିଂ ଉପରେ ହାତ ରଖି ଗାଡିଟାକୁ ଘୁଁ ଘୁଁ କରିବାରେ ଲାଗିଥିଲା। ସେ ପୁଣି ଇଂରାଜୀରେ ବିଳି ବିଳେଇଲା। "ହେଲ୍ପ ମି " “ ହେଲ୍ପ ମି" ତିନି ଚାରିଟା ଭେଣ୍ଡିଆ ପ୍ରେମାନନ୍ଦକୁ ଅଧାପିଆ ଅବସ୍ଥାରେ ଘିଞ୍ଚି ଆଣିଲେ। କହିଲେ - - ଆବେ ଚାଲ୍, ତୋତେ ସେ ସାହେବ ପୁଣି ଖୋଜିଲାଣି। କହୁଛି "ହେଲ ପମି" । ୟା'ପ ତୋ'ର ତା ସହ ସମ୍ପର୍କ କଣ ଆଗ କହ। ତୋତେ କେତେଥର ଆଜି ସେ ହେଲୋ କରିବ। ଲୋକଙ୍କ ଭିତରେ କାଟତି ବଢୁଛି ଜାଣି ପ୍ରେମାନନ୍ଦ ନଇଁ ପଡି ସାହେବକୁ କହିଲା- - ଓ ୟା ୟା, ଭେରି ଗୁଡ୍। ଥ୍ଯାଙ୍କ୍ ୟୁ, ମିସ୍ ୟୁ, ଲଭ ୟୁ।


କଣ ହେଲା କେଜାଣି,ପ୍ରେମା ଗାଡି ପାଖରୁ ଛିଟିକି ଖଣ୍ଡେ ଦୂରରେ ପଡିଲା। ଦେଖିଲା ବେଳକୁ ସାହେବାଣୀ ପ୍ରେମାନନ୍ଦ ଗାଲରେ ବାଇଶି ପଳିଆ ଚାପୁଡାଏ କଷି ଦେଇଥିଲା। ଏ ଦୃଶ୍ଯ ଦେଖି ଗାଁଆ ଭେଣ୍ଡିଆଏ ଏମିତି କୁହାଟ ମାରି ହସିଲେ ଯେ ପ୍ରେମାନନ୍ଦ ମଦ ବୋତଲ ସେହିଠାରେ ଗଡାଇ ଦେଇ ଲଜ୍ଜା ଅପମାନରେ ଚମ୍ପଟ ମାରିଲା। ସମସ୍ତେ ନିଜନିଜ ଭିତରେ ଗପସପରେ ମାତିଲା ବେଳକୁ ଗାଡି ଭିତରେ ବସିଥିବା ଲୋକ ଦୁଇଟିର ଅବସ୍ଥା ଖରାପ ହୋଇ ସାରିଥିଲା। କି ବେଳାରେ ସେମାନେ ଘରୁ ବାହାରିଥିଲେ କେଜାଣି ଏପରି ଦୁର୍ଦ୍ଦଶାରେ ପଡିଲେ। ଅନ୍ଯ କେଇଁ ସ୍ଥାନରେ ପଡିଥାନ୍ତେ ଭଲା, ତାଙ୍କ ଯୋଗରେ ଏଇ ପିଟାପିଟି ଗାଁଆ ହିଁ ଲେଖାଥିଲା। ଲୋକଗୁଡା ସେମାନଙ୍କୁ ଉଦ୍ଧାର କରିବେ କଣ, ନିଜ ନିଜର ଜ୍ଞାନ ଗାରିମା ଦେଖେଇବାରେ ଲାଗିଛନ୍ତି।


ଦୂରରୁ ସାଇକେଲ ପେଲି କେହି ଜଣେ ଆସିବାର ଦେଖାଗଲା। ଓଃ, ଇଏତ ଖେଞ୍ଚାଖେଞ୍ଚି ନିଉଜ୍ ଚ୍ଯାନେଲର ସାମ୍ବାଦିକ ଅପାଣ୍ଡୁକ ପାହାଡ ସିଂ। ସେ ଜଣେ ଅଉଲ ନମ୍ବରର ସାମ୍ବାଦିକ। ଲୋକେ କୁହନ୍ତି ସେ ମୁର୍ଦ୍ଦାର ପାଟିରୁ ବି ସତକଥା କାଢି ଦିଅନ୍ତି। ତାଙ୍କୁ ଦେଖିଲେ ଚାରଣିଆ ଆଠଣିଆ ଚୋରଙ୍କ ଭିତରେ ଭାଳେଣି ପଡିଯାଏ। ଆଖପାଖ ପନ୍ଦରଟି ଗାଁଆରେ ଯେତେସବୁୁ ଅପରାଧ ଘଟେ ସେସବୁର ଖବର ଅପାଣ୍ଡୁକ ସଂଗ୍ରହ କରନ୍ତି। ତାଙ୍କୁ ଲୋକଙ୍କ ଗହଳି ଦିଶିଲା କି କଣ, ସାଇକେଲ ପେଡାଲ ଜୋରରେ ଘୁରିବାକୁ ଲାଗିଲା, ତା ସାଙ୍ଗକୁ ସାଇକେଲ ବଲ ବିୟରିଂ ମାନେ ସମତାଳରେ ରାଉଁ ଟି ଟି ….ରାଉଁ ଟି ଟି..କରି ଗୀତ ଗାଇବା ଆରମ୍ଭ କରିଦେଲେ। ଧଇସଇଁ ହୋଇ ଅପାଣ୍ଡୁକ ଘଟଣା ସ୍ଥଳରେ ପହଞ୍ଚିଛନ୍ତି କି ନାହିଁ, ଗାଁଆ ଟୋକାଏ ତାଙ୍କୁ ସାଇକେଲ ଉପରୁ ଘୋଷାରିନେଲେ। କାର ପାଖରେ ତାଙ୍କୁ କଚିଦେବା ପୂର୍ବରୁ ଘଟଣାର ମଞ୍ଜି କଥାଟି ଜଣାଇ ସାରଥିଲେ । ତାହାହେଲା ଆମ ଗାଁଆରେ ଆଜି ଗୋଟେ କାର କଇଁଛ ହୋଇ ଯାଇଛି। ତେଣିକି ଖବର ଟାଣିବା କାମ ଅପାଣ୍ଡୁକର।


କାର ପାଖରେ ଚକାମାଣ୍ଡୁ ପାରି ବସିଲେ ଅପାଣ୍ଡୁକ। ଲୋକଟା ନେହୁରା ହୋଇ ତାଙ୍କୁ କହିଲା- - ପ୍ଲିଜ୍ ହେଲ୍ପ ମି। ମାଇଁ କାର୍ ଟର୍ଣଡ୍ ଟର୍ଟଲ୍। କାନରେ ହେଲ ପମି ପଡିବା ମାତ୍ରେ କେତେଟା ଭେଣ୍ଡିଆ ରଡି ଛାଡିଲେ-- ଆରେ ହେ ପ୍ରେମା, ସାଇବ ତୋତେ ପୁଣି ଖୋଜୁଛି ରେ। । ଅପାଣ୍ଡୁକ ସେମାନଙ୍କ ଉପରେ ରାଗି ଚିତ୍କାର କଲା-- ଚୁପ୍ କର ବେ, ତୁମ ମାନଙ୍କୁ ଖେଳ ଲାଗିଛି ନାହିଁ। ଲୋକଟା କହୁଛି ମୋତେ ସାହାଯ୍ଯ କର, ମୋ କାର ଟା କଇଁଛ ହୋଇ ଯାଇଛି। ଭିଡ ଭତରୁ କିଏ ଜଣେ କହିଲା ଆଉ ଆମେ କଣ ସେତେବେଳୁ ତୋତେ କଣ ବେଙ୍ଗ ହୋଇ ଯାଇଛି ବୋଲି କହୁଛୁ। ଶ୍ଯଃ କିଏ ତୋତେ ରିପଟର କଲା ବେ।


ସାର୍ ସରି ସାର୍। ଡୋଣ୍ଟ ଓରି ବି ହାପି। ଥାଙ୍କ୍ ୟୁ…..ଅପାଣ୍ଡୁକ ଏତିକି କହିଛି କି ନାହିଁ, ସେ ସାହେବାଣୀ ହାତମୁଠା କରି ତୟାର ହୋଇ ରହିଲା। ବିଚରା ଆଉ ଦୁଇ ପାଦ ଆଗେଇ ଥିଲେ ପ୍ରେମା ପରି ଖଣ୍ଡେ ଦୂରରେ ଛିଟିକି ପଡିଥାନ୍ତା। ଗାଡି ଭିତରେ ବସିଥିବା ଲୋକର ସେତେବେଳକୁ ତଣ୍ଟି ଶୁଖି ଗଲାଣି। ଦେହହାତ ଅବଶ ହୋଇ ଗଲାଣି। ଏ ଅବସ୍ଥାରେ ବେଶି ସମୟ ରହିଲେ ପ୍ରାଣ ବି ଚାଲି ଯାଇପାରେ। ସେ ବିକଳ ହୋଇ କହିଲା- - ମୋ ଭାଇ ଟା ପରା, ଆମକୁ ଏ ଗାଡି ଭିତରୁ ଟିକେ କାଢିଦିଅ। ଆମ୍ବୁଲାନସ୍ ଡାକି ମେଡିକାଲ ନେଇଚାଲ। ଦୟାକର ଆମ ଉପରେ। ସାହେବ ପାଟିରୁ ଓଡିଆ କଥା ଶୁଣି ଗାଁଆଲୋକଙ୍କ ଖୁସିର ଠିକଣା ରହିଲାନି। ସବୁ କହିଲେ ଆବେ ସେ ସେହେବ ଫାହେବ ନୁହଁ ବେ,ଆମ ରାଇଜ ଲୋକ। ଚାଲଚାଲ ଦେଖିବା କଣ ହେଇଛି ।

ଜମାରୁ ବ୍ଯସ୍ତ ହୁଅନ୍ତୁନି ଆଜ୍ଞା। ଆପଣଙ୍କ ସାମ୍ନାରେ ଖେଞ୍ଚାଖେଞ୍ଚି ଚ୍ଯାନେଲର କ୍ରାଇମ ରିପୋର୍ଟର ବସିଛନ୍ତି। ସେ ସବୁ ଠିକ କରିଦେବେ।


ଲୋକଟିି ଚାରି ଆଡକୁ ସନ୍ଧାନୀ ଆଖିରେ ଦେଖିଲା ବେଳକୁ ଅପାଣ୍ଡୁକ ସାର୍ଟର କଲାର ଟେକି ନିଜ ପରିଚୟ ପ୍ରଦାନ କରି ଆରମ୍ଭ କଲା- - ଆପଣଙ୍କ ପରିଚୟ ଦିଅନ୍ତୁ ଓ ମ୍ଯାଡାମଙ୍କର ମଧ୍ଯ।


- - ଆମେ ସ୍ବାମୀ ସ୍ତ୍ରୀ ନୂଆ ଗାଡି କିିଣି ଫରମାଇସପୁରକୁ ଫେରୁଥିିଲୁ। ଅଚାନକ ରାସ୍ତା ଉପରେ ଗୋଟେ ମଦୁଆ ଗାଡି ସାମନାରେ ନାଚିବାକୁ ଲାଗିଲା। ତାକୁ ଦେଖି ବ୍ରେକ କଷିଲି,ଗାଡି ଘୁଷୁରି ଚାଲିଲା କିନ୍ତୁ ରହିଲାନି। ଶେଷରେ ହ୍ଯାଣ୍ଡ ବ୍ରେକ ଟେକି ଦେଲି। ଦୁର୍ଭାଗ୍ଯକୁ ଗାଡି ଟା ଟେକି ହୋଇଗଲା। ଚାରି ଟା ଚକ ଆକାଶକୁ ଚାହିଁ ରହିଲେ ଓ ଆମେ ଦୁଇଜଣ ବାଦୁଡି ପରି ଝୁଲି ରହିଛୁ ଚାରି ଘଣ୍ଟା ହେଲାଣି। ସେ ଯୋଉ ଲୋକକୁ ମାଡାମ ଖୁନ୍ଦାଟେ ମାରିଲା ସେଇ ଲୋକ ସବୁ ନାଟର ଗୋବର୍ଦ୍ଧନ।


- - ଓଃ, ତାମାନେ ଏସବୁ ଘଟଣାର ମୁଖ୍ୟ ଖଳନାୟକ ଆମ ପ୍ରେ….. ଗାଁଆ ଟୋକାଏ ଅପାଣ୍ଡୁକ ପାଟିରେ ହାତ ମାଡିଦେଲେ,ନହେଲେ ବିଚରା ପ୍ରେମା ଜେଲରେ ପଶିଥାନ୍ତା।

- - ହଉ ସେକଥା ଛାଡନ୍ତୁ। ଆପଣଙ୍କୁ ଗାଡିରେ ଓଲଟା ଝୁଲି ଏବେ କେମିତି ଲାଗୁଛି।

- - ଓଲଟା ଝୁଲିଲା ପରି ଲାଗୁଛି,ଆଉ କେମିତି ଲାଗିବ।

- - ଉହୁଁ,କେମିତି ଲାଗୁଛି ମାନେ- - ଖୁସି,ଦୁଃଖ,ରୋମାଞ୍ଚ ନା ଭୟ। କଣ ଲାଗୁଛି।

– - ଏ ଅବସ୍ଥାରେ ଏମିତି ପଚାରିବା ଟା ଠିକ ଲାଗୁଛି ଆପଣଙ୍କୁ?

– - ମୋର ପଚାରିବାର ଅଧିକାର ଅଛି ଓ ଆପଣ କହିବାକୁ ବାଧ୍ଯ। କୁହନ୍ତୁ କେମିତି ଲାଗଛି।

- - ମୋତେ ହଇଜା ହେଲା ପରି ଲାଗୁଛି। ଏବେ ଖୁସି ତ?

- - ଓଃ ଏମିତି ଉତ୍ତର-- ହଉ ହେଲାରେ ପୁଅ। ମୋ ସାଙ୍ଗେ ମୁଣ୍ଡଚାଲାକି କରୁଛୁ ନାହିଁ? ବିଳିବିଳେଇଲା ଅପାଣ୍ଡୁକ।

- - ଗାଡି କିଣିବାକୁ ପଇସା କୁଆଡୁ ଆଣିଲେ। ସେ ପଇସା ସତ୍ ଉପାୟରେ ଉପାର୍ଜନ କରିଛନ୍ତି ତ?

- - ନାହିଁ ବ୍ଯାଙ୍କରୁ ଚୋରି କରି ଟଙ୍କା ଆଣି ଗାଡି କିଣିଲି। ରାଗରେ ତମତମ ହୋଇ କହିଲା ଲୋକଟି।

- - କଥାବାର୍ତ୍ତାରୁ ଜଣା ପଡୁଛି ଆପଣ ଜଣେ ସରକାରୀ କର୍ମଚାରୀ। ଲାଞ୍ଚମିଛ ଢେର ଖାଇଲା ପରି ଲାଗୁଛି। ଆଜି ସବୁ ସତ ନ କାଢିଲା ଯାଏଁ ଏ ଯାଗାରୁ ଇଞ୍ଚେ ଘୁଞ୍ଚିବିନି।

- - ଆରେ ସେ ବାଜେ କଥା ଛାଡ। ଆମ ଜୀବନ ବଞ୍ଚା। ପାଣି ଟିକେ ଦିଅ ଭଲା।

- - ସତ ନ କହିବା ଯାଏଁ କିଛି ମିଳିବନି। ଜୀବନରେ କଣ ସବୁ ଅପରାଧ କରିଛ ତାର ବିବରଣୀ ଦିଅ। ମୁଁ ସବୁ ଲେଖି ଆମ ଚ୍ଯାନେଲରେ ଦେଖେଇବି। ଲୋକେ ତୁମ ମୁହଁରେ ଛେପ ପକେଇବେ। ଘରକୁ ଗୋବରଲେଣ୍ଡା ଫିଙ୍ଗିବେ। ତୁମ ମାଇପ ବେକରେ ଝୁଲୁଥିବା ସୁନାହାର ପାଇଁ ଟଙ୍କା କୁଆଡୁ ଆଣିଲ। କୁହ,ସତ କୁହ ସବୁ। ତମକୁ କହିବାକୁ ପଡିବ। ନହେଲେ ଛାଡିବିନି।

ଲୋକଟିର ପାଟି ପାକୁପାକୁ ଅବସ୍ଥା। ସ୍ତ୍ରୀ ଲୋକଟି ବେହୋସ୍ ହୋଇ ସାରିଥିଲା। ଗାଁଆଟା ଯାକର ଲୋକ ରାସ୍ତା ଉପରେ ବସି ଏ ସୁନ୍ଦର ଦୃଶ୍ଯ ଉପଭୋଗ କରୁଥିଲେ। କୁଆଡେ ଥିଲେ,ହଠାତ୍ ଗାଁଆର ଦୁଇଟା ଦୁର୍ଦ୍ଦାନ୍ତ ଷଣ୍ଢ ଲଢେଇ କରି ସେ ଯାଗାକୁ ମାଡି ଆସିଲେ। ସେମାନଙ୍କୁ ଦେଖି ଲୋକେ ଛତ୍ରଭଙ୍ଗ ଦେଲେ। ଗୋଟେ ଷଣ୍ଡ ରାଗରେ କାରର ପଛପଟେ ଏପରି ଧକ୍କାଏ ଦେଲା ଯେ ଗାଡି ଟା ଏକବାରେ ସିଧା ଛିଡା ହୋଇଗଲା। ଚକାଚାରିଟା ରାସ୍ତା ଛୁଇଁବା ମାତ୍ରେ ଗାଡିରେ ବସିଥିବା ଲୋକ ଗୋଟେ ନିଶ୍ବାସରେ ଗାଡି ଷ୍ଟାର୍ଟ କରି ଆଖି ପିଛୁଳାକେ ଧୂଳି ଉଡାଇ ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇଗଲା। ବିଚରା ଅପାଣ୍ଡୁକ ଦୁଇ ଷଣ୍ଡଙ୍କ ଚାରି ଶିଙ୍ଗ ମଧ୍ଯରେ ଚାପି ହୋଇ ମୋ ବୋଉଲେ- - ବୋପାଲୋ ରଡି ଛାଡୁଥାଏ। ଷଣ୍ଢ ଲଢେଇରେ ବିଚରାର ସାଇକେଲଟି ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତା ଉପରେ ପଡିଥାଏ।

ପୁଣି ନାକଯାଏଁ ବୋତଲ ଟେକି ପ୍ରେମାନନ୍ଦ ଘଟଣାସ୍ଥଳକୁ ଫରି ତା କଇଁଛକୁ ନ ପାଇ ବଡ ନିରାଶ ହେଲା। ପୁଣି ଭାବିଲା ଆଜିକାଲି ସବୁ ସମ୍ଭବ। କାର ଟା କଇଁଛ ହୋଇ ଯାଇଥିଲା, ଏବେ ଷଣ୍ଢ ହୋଇ ଯାଇଥିବ। ତା ଇଛା, ଯାହା ଚାହିଁବ ହେବ। ସେଥିରେ ମୋର ଫାଦରର କେତେ ଯାଏ ଆସେ। ଅପାଣ୍ଡୁକର କରୁଣ ଚିତ୍କାର ପ୍ରେମାନନ୍ଦ କାନରେ ପଡୁ ନଥିଲା। ସେ ସ୍ବର ଲମ୍ବାଇ ଗୀତ ଗାଇଗାଇ ସେ ଯାଗାରୁ ଆଗକୁ ବଢି ସାରିଥିଲା।

                                                                                                             


Rate this content
Log in

Similar oriya story from Comedy