Arabinda Rath

Comedy

4  

Arabinda Rath

Comedy

କରେଣ୍ଟିଆ ନୃତ୍ୟ

କରେଣ୍ଟିଆ ନୃତ୍ୟ

12 mins
289



ନଚେଇଛନ୍ତି- ଅରବିନ୍ଦ ରଥ

ବିଚରା ନାରୟଣ ଚଇନି ଓରଫ୍ ନାଚବାବୁ ଅଫିସରୁ ଭାରାକ୍ରାନ୍ତ ଶରୀର ଓ ବ୍ଯଥିତ ହୃଦୟକୁ ବୋହି ବାହି ବଡ କଷ୍ଟରେ ଆପାର୍ଟମଣ୍ଟର ସିଢି ପରେ ସିଢି ଚଢିବାକୁ ଲାଗିଲେ। ପାଞ୍ଚମହଲା ଉପରେ ତାଙ୍କର ପାରାଭାଡି ପରି ଘରଟିଏ ଅଛି। ରାଜଧାନୀ ଉପକଣ୍ଠ ଏକ ଗ୍ରାମରେ ତାଙ୍କ ବୋପାଅଜା ଅମଳର ପୁରୁଖା ଘର ସାଙ୍ଗକୁ ଢେର ଜମିବାଡି ଥିଲା। କିନ୍ତୁ ଧର୍ମପତ୍ନୀଙ୍କ ଏକା ଜିଦ୍ ସେ ରାଜଧାନୀରେ ଘର ଖଣ୍ଡେ ତୋଳିବେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ବହୁଦିନ ଧରି ଘମାଘୋଟିଆ ଯୁଦ୍ଧ ହେବାପରେ ବିଚରା ନାଚବାବୁ ବାଧ୍ଯ ହୋଇ ଗାଁଆର ସମସ୍ତ ଜମିବାଡି ସହ ପୁରୁଖା ଘରକୁ ବିକ୍ରି କରି ରାଜଧାନୀରେ ଘର ଖଣ୍ଡେ କିଣିବାକୁ ମନ ବଳାଇଲେ। ଘର କିଣିବାକୁ ବହେ ଲୋକଙ୍କ ପାଖକୁ ଦୌଡି ନୟାନ୍ତ ହେବା ପରେ ଶେଷରେ ତାଙ୍କ ପକେଟକୁ ସୁହାଇବା ପରି ଘର ଖଣ୍ଡେ ମିଳିଲା, ତାହା ବି ପାଞ୍ଚ ମହଲା ଉପରେ। କହିବା ବାହୁଲ୍ଯ, ଦୁଇ ବଖୁରିଆ ପାରାଭାଡି ପରି ଘର ଟି କିଣିଲା ବେଳକୁ ତାଙ୍କର ସମସ୍ତ ଟଙ୍କା ପଇସା ସ୍ବାହା ହୋଇ ସାରିଥିଲା। ଗାଁଆରେ ଗୁଣ୍ଠ ଏକର ଦରିଆରେ ଖେଳୁଥିବା ଲୋକଟି ଶେଷରେ ଇଞ୍ଚ ହିସାବରେ ଘର ଖଣ୍ଡିଏ କିଣିଲେ। ପତ୍ନୀ ପାର୍ବତୀଦେବୀଙ୍କ ଖୁସି କହିଲେ ନ ସରେ। ଯାହାହେଲେ ବି ସେ ଏବେ ସ୍ମାର୍ଟସିଟିର ବାସିନ୍ଦା। ପାଞ୍ଚଲୋକଙ୍କ ସହ କଥାବାର୍ତ୍ତା ହେଲା ବେଳେ ସେ ଏବେ ଭୃଲତା ଟେକି କହି ପାରିବେ ସ୍ମାର୍ଟସିଟିରେ ରହିବା କଣ ଏତେ ସହଜ ହୋଇଛି। ସେତିକି ସ୍ମାର୍ଟ ନ ହେଲେ ଏ ଯାଗାରେ ଘର ଖଣ୍ଡେ କିଣିବା ଟା ସାତ ସପନ। ଆଣ୍ଡୁପାଣ୍ଡୁ ଲୋକେ ସିନା ପାଷାଣ୍ଡପୁର,ମୋତେଦେଇପୁର,ତତେନେଇପୁର, କୁଲାଭଙ୍ଗା, ଭୁରୁସୁଡା,କଣ୍ଟେଇସିଙ୍ଗା ପରି ଗାଁଆରେ ଲୀଳାଖେଳା କରିବେ,କିନ୍ତୁ ତାଙ୍କ ପରି ଲୋକ ରାଜଧାନୀରେ ଶହେ ଶହେ ରେ ଖେଳ କରିବେ। 

ନାଚବାବୁ ଗୁଣୁଗୁଣୁ ହୋଇ କୁହନ୍ତି - - ତେଣିକି ସକାଳେ ପ୍ରକୃତିର ଡାକ ଶୁଣିବା ବେଳେ ପାଇଖାନାରେ ପାଣି ଢାଳିବାକୁ ନ ପଡୁ,କିନ୍ତୁ ମୁହଁ ଫୁଟାଣି ବଜାୟ ରହୁ। କିହୋ, ଖାଇବାକୁ ପାଇଲେ ତ ଛାଡିବ। ଯଦି ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦା ହୋଇ ଚଳିବ ତୁମକୁ ଅନେକ ସମୟରେ ନାଲି ଚାହା ସାଙ୍ଗେ ମୁଢି ଖାଇ ଉଦରଶାନ୍ତ କରିବାକୁ ପଡିବ। 

ଝାଳନାଳ ହୋଇ କବାଟ ପାଖରେ ପହଞ୍ଚିଛନ୍ତିି କି ନାହିଁ ଘର ଭିତରୁ ଭାସି ଆସୁଥିବା କାନଫଟା ଗୀତର କୁମଧୂର ଧ୍ବନି ତାଙ୍କ କାନରେ ପଡି ଦେହ ଭିତରଟାକୁ ଏକ ରକମ ଝାଡି ପକେଇଲା। ଆଉଥରେ ସେ ନିଜ ଘରର ନମ୍ବରକୁ ପରଖିନେଲେ। ଘର ନମ୍ବର ଚାରିଶହ କୋଡିଏ, ଭୁଲ ହେବାର ପ୍ରଶ୍ନ ଉଠୁନି । ତେବେ ଘର ଭିତରେ କାହାର ବରଯାତ୍ରୀ ଯାଉଛି ଯେ ଏମିତି ଗୀତ ବାଜୁଛି। ତାଙ୍କ ଭାବନାରେ ପୂର୍ଣ୍ଣଛେଦ ପଡିଗଲା ଯେତେବେଳେ ଘରର କବାଟ ଖୋଲିଲା। ସମ୍ମୁଖରେ ଜଣେ ଜିନ୍ସ ଟି ସାର୍ଟ ପରିହିତା ନାରୀଙ୍କୁ ଦେଖି ଜିଭ କାମୁଡି ନାଚବାବୁ କହିଲେ- - କ୍ଷମା କରିବେ ଆଜ୍ଞା,ମୁଁ ବୋଧେ ବାଉଳାରେ ଭୁଲ ଘରକୁ ଚାଲି ଆସିଲି। 

ଝାଳ ସରସର ମୁହଁକୁ ଗାମୁଛାରେ ପୋଛି ନାରୀ ମୂର୍ତ୍ତି କହିଲେ ହଉ, ଥାଉ ସେ ବେହିଆମୀ, ଏମିତି କେତେ ଟା ସ୍ତ୍ରୀ ରଖିଛ କି ? 

ନାଚବାବୁଙ୍କ ପାଟିରୁ ବାହାରି ପଡିଲା ଆରେ ପାତି ତୁମେ। 

ପାଠକ ନିହାତି ମୁଣ୍ଡ କୁଣ୍ଡେଇ ଭାବୁଥିବେ ଏ ପାତି କିଏ? ନାଚବାବୁ ପାର୍ବତୀଙ୍କୁ ବେଳେବେଳେ ଗେହ୍ଲାରେ ପାତି ବୋଲି ଡାକି ଦିଅନ୍ତି। ପାତି ନାମଟା ନାଚବାବୁଙ୍କ ଏକାନ୍ତ ନିଜସ୍ବ ଓ ପତିପତ୍ନୀଙ୍କ ଭିତରେ ଥିବା ଅନାବିଳ ପ୍ରେମର ନିଦ୍ଦର୍ଶନ ମାତ୍ର। ଘର ଭିତରେ ପଶି ନାଚବାବୁ ଚମକି ପଡିଲେ। ଆହୁରି ତିନି ଚାରିଟି ଜିନ୍ସ ପିନ୍ଧା ନାରୀ ମୂର୍ତ୍ତି ଝାଳନାଳ ହୋଇ ତାଙ୍କ ଆଡକୁ ଜୁୁଳୁଜୁଳୁ ହୋଇ ଚାହିଁ ରହିଥିଲେ। ସେହି ନାରୀ ମାନଙ୍କ ସମ୍ମୁଖରେ ଛିଡା ହୋଇଥିଲା ଜଣେ ପାତି ମାଙ୍କଡ ସଦୃଶ ନହନହକା ଟୋକା। ବୟସ ଅତି ବେଶିରେ କୋଡିଏ ହେବ। ପିଲାଟିକୁ ଦେଖିଲେ ଲାଗୁଥିଲା ସତେକି ସେ ଜନ୍ମରୁ କିଛି ଖାଇନାହିଁ। ଗାଲ ଦୁଇଟାରେ ମାଂସର ଚିହ୍ନ ବର୍ଣ୍ଣ ନାହିଁ। ଦାନ୍ତ ଓ ମାଢି ଉପରେ ଏକ ପତଳା ଚର୍ମର ଆସ୍ତରଣ ଗାଲ ନାମକ ଅଙ୍ଗକୁ ସୂଚିତ କରୁଛି। ହନୁହାଡ ଦିଓଟି ଛେଳି ଶିଙ୍ଗ ପରି ଗାଲ ଭିତରୁ ଉଙ୍କି ମାରୁଛନ୍ତି। ଦୁଇ କାନରେ କୁଣ୍ଡଳ,ହାତରେ କଙ୍କଣ ଓ ବେକରେ ଝୁଲୁଛି ଏକ ଲମ୍ବା ଲକେଟ୍। ମସ୍ତକରେ ଶୋଭା ପାଉଛି ଚୁଟିର ପସରା। ଛେଳି ଲେଣ୍ଡି ସବୁକୁ ଯଦି କେହି ମାଳି ପରି ଗୁନ୍ଥିଦିଏ ଯେପରି ଦିଶିବ ଠିକ୍ ସେପରି ପିଲାଟି ତା କେଶକୁଚ୍ଛକୁ ଛେଳିଲେଣ୍ଡିଆ ଷ୍ଟାଇଲରେ ବାନ୍ଧି ଝୁଲାଇ ଦେଇଛି। କଳା କୋତରିଆ ହାତ ଦୁଇଟିରେ ଶିରା ପ୍ରଶିରା ମାନେ ଫୁଲ ବଗିଚାରେ ପାଣି ପାଇପ ପଡିବା ପରି ବିଛାଇ ହୋଇ ରହିଛନ୍ତି। ହାତର ଦଶଟି ଆଙ୍ଗୁଠିରେ ନାନାରଙ୍ଗର ଦଶଟି ମୁଦି ଦାଉଦାଉ ହୋଇ ଜଳୁଛି। ପିଲାଟି ପିନ୍ଦିଛି ଏକ ନାଲି ରଙ୍ଗର ଗେଞ୍ଜି ଓ ଠାଏଠାଏ କଣା ହୋଇ ଯାଇଥିବା ଜିନ୍ସ ପ୍ଯାଣ୍ଟ। ସେ ଏକ ଲୟରେ ନାଚବାବୁଙ୍କୁ ଚାହିଁ ରହିଥିଲା । ତା ଆଖିରେ ବିରକ୍ତିର ଛିଟା ସ୍ପଷ୍ଟ ଦିଶୁଥିଲା, ସତେ କି ନାଚଙ୍କ ଆଗମନରେ ତା ତପସ୍ଯା ଭାଙ୍ଗିଗଲା। 

ବ୍ଯାପାର କଣ ବୁଝିବା ପାଇଁ ତତ୍ପର ହେଲା ବେଳକୁ ନାଚଙ୍କ କଲେଜ ପଢୁଆ ଝିଅ କହିଲା ଓଃ ପପ୍ପା, ମମି ଓ ଆପାର୍ଟମେଣ୍ଟର ଅନ୍ଯ ଦିଦି ମାନେ ପରା ଡ୍ଯାନ୍ସ ଶିଖୁଛନ୍ତି। ହେଇ ଦେଖୁନ, ଭୋଙ୍ଗସର୍ ଗଟ୍ ଟ୍ଯାଲେଣ୍ଟରେ ବିଜୟୀ ହୋଇଥିବା ପ୍ରତିଯୋଗୀ ଫାଙ୍ଗସୁକୁଡୁ ମ୍ଯାଙ୍ଗଫ୍ଯାନଛୁ ସାର୍ ଏମାନଙ୍କୁ ଡ୍ଯାନ୍ସ ଶିଖେଇବାକୁ ଆସିଛନ୍ତି। ନାଚଙ୍କ କାନମୁଣ୍ଡ ଭାଁ ଭାଁ କରିଦେଲା। ସେ କେବେଠାରୁ ବାପାରୁ ପପ୍ପା ଓ ପାର୍ବତୀ ମାଆରୁ ମମି ହେଲେ ପ୍ରଥମେ ଜାଣି ପାରିଲେନି। ପୁଣି ସେ କଦର୍ଜିଆ ନାଁଆ ଥିବା ନାଚ ମାଷ୍ଟରର ରୂପରେଖ ଦେଖି ନାଚଙ୍କ ତଣ୍ଟି ଶୁଖିଗଲା। ଲଥ୍ କରି ସେ ଚୌକିରେ ପିଚାମାଡି ବସି ପଡିଲେ। ମହମହ ବାସ୍ନାରେ ମହକି ଯାଉଥିବା ଓ ଚର୍ମଚିପା ପ୍ଯାଣ୍ଟକୁ ଢିଲା ଗେଞ୍ଜିପିନ୍ଧା ମିସେସ ପଣ୍ଡିଆଣି, ମିସେସ ତ୍ରିପାଠିଆଣୀ , ମିସେସ କେରେକେଟାଣୀ ଓ ସୁବୁଦ୍ଧିଆଣୀ ଖିଲିଖିଲି ହସି ନାଚଙ୍କୁ କହିଲେ- - ବୁଝିଲେ ଭାଇନା, ଆପଣ ସିନା ବୁଢା ହୋଇଗଲେ କିନ୍ତୁ ଆମର ତ ପିଲାଦିନ ସରିନି। ଏବେ ନାଚଗୀତ ଖେଳକୁଦ ନକଲେ ଜୀବନ ବଞ୍ଚିବାରେ କି ଲାଭ। ଆଖି ମିଟିମିଟି କରି ସେମାନଙ୍କ ଆଡକୁ ଭଲରେ ଦେଖିଲେ ନାଚ। ପଣ୍ଡା,ତ୍ରିପାଠି ଓ କେରେକେଟାଙ୍କ ଝିଅ ବାହାଘର ସରିଲାଣି। ସୁବୁଦ୍ଧି ପୁଅ ପାଇଁ ବୋହୁଖୋଜା ଚାଲିଛି। ଚାରିଜଣ ଯାକ ଏକ କୁ ଆରେକ ଧପ୍ପାବାଜ୍ । ସେମାନେ କି ବେପାର କରନ୍ତି କାହାକୁ ଜଣା ନାହିଁ। ଯେତେବେଳେ ଦେଖିଲେ ସେମାନେ ଘରେ ବସିଥିବେ। ସେମାନଙ୍କ କକରଛନିଆ ମୁହଁ ଦେଖିଦେଖି ମାଇପ ମାନେ ବିଜାରିଆ ଅନୁଭବ କରୁଥିବେ ନିଶ୍ଚୟ। ନୋହିଲେ ବୃଦ୍ଧା ବୟସରେ ବାଲ୍ଯଲୀଳା କରିବାକୁ କାହିଁକି ମନ ବଳାନ୍ତା।

ୟା'ପ ଏମାନଙ୍କ ବୁଢୀ ମାଇପି ମାନେ ଯଦି ପିଲା ତେବେ ତାଙ୍କ ପାତି ତ ଦୁଧଖିଆ ଛୁଆ, ଆଉ ତାଙ୍କ ଅଲିଅଳି ଝିଅ ତ ଗର୍ଭସ୍ଥ ଶିଶୁ। ଆଉ ସେ ନିଜ ତାଙ୍କ ମୁଣ୍ଡ ଘୁରାଇଦେଲା। ସେ ତରତର ହୋଇ ଶୋଇବାଘରେ ପଶିଗଲେ। ଏଥର ପୁଣି ଗୀତ ବାଜିଲା, ଗୀତ ନୁହଁ ତ ଉଦ୍ଦଣ୍ଡ ଶୃତିକଟୁ ଗାଳି ପରି ଶୁଭୁଥିଲା। ତା ସାଙ୍ଗକୁ ନାଚମାଷ୍ଟରର ତାଗିଦା- - ଉହୁଁ ଏମିତି କଣ ନାଚୁଛନ୍ତି। କେତେଥର ଶିଖେଇଲେ ଶିଖିବେ। ଗୀତର ପ୍ରତି ଟି ବିଟ୍ କୁ ମନଦେଇ ଶୁଣନ୍ତୁ ଓ ହୃଦୟରେ ଅନୁଭବ କରନ୍ତୁ। ଗୋଡ ମନକୁ ମନ ହଲିବ,ଅଣ୍ଟା ଦୋହଲି ଯିବ। ଶରୀରର ପ୍ରତିଟି ଅଙ୍ଗ ଥେଇଥେଇ ନାଚିବେ। ଉହୁଁ…… ବୁଢୀଆଣି ମ୍ଯାମ୍ ଆପଣଙ୍କ ଛାତି ଜମା ବି ହଲୁନି। କଣ ଖାଇ ନାହଁନ୍ତି ନା କଣ ଯେ.. ସେପଟୁ ଶୁଭିଲା- - ଆରେ ବୁଢୀଆଣି ନୁହଁ ସୁବୁଦ୍ଧିଆଣୀ ମ୍ଯାମ୍…. ହଉ ଛାଡ ତୁମ ପାଟିରେ ଯଦି ପଶୁନିି ମୋତେ ସୁ ଦିଦି ବୋଲି ଡାକ କହିଲେ ସୁବୁଦ୍ଧିଆଣୀ। କେଜାଣି କାହିଁକି ନାଚଙ୍କୁ ଏସବୁ ଘଟଣା ବଡ ଅଶ୍ଳୀଳ ଲାଗିଲା। ପୁଅ ବୟସର ଟୋକାଟା ସାମ୍ନାରେ ଦରବୁଢୀ ଗୁଡା ଛୋପରାମୀ ଚଲେଇଛନ୍ତି। ସେ ବେହିପ ବି କହୁଛି ଅଣ୍ଟା ହଲାଅ,ଛାତି ହଲାଅ ଛିଃ ଛିଃ।

ପାଖାପାଖି ଦୁଇ ଘଣ୍ଟା ପରେ ନାଚ ମାଷ୍ଟର ଘର ଛାଡିଲା। ଚାହାକପେ ପାଇବା ଆଶାରେ ନାଚ ଢେର ସମୟ ଚାହିଁ ରହିଲେ,କିନ୍ତୁ ମିଳିଲାନି। ଗାଧୁଆ ପାଧୁଆ ସାରି ପାର୍ବତୀ ରୋଷେଇଘରେ ଖୁଡୁରୁ ଖାଡୁରୁ କଲେ। ତାଙ୍କ ନାଚ ସାଙ୍ଗମାନେ ରାତି ଖାଇବା ଟା ଖାଇ ସାରି ଘର ଛାଡିବେ ପରା। ରାତି ଦଶ ଟା ବେଳକୁ ଘରେ ଗହଳି କମିଲା। ତାଙ୍କର ପ୍ରାଣପିୟ ପାତି କୌଣସି ବାକ୍ଯବ୍ଯୟ ନ କରି ବିଛଣାରେ ଚାରିକାତ ମେଲେଇ ପଡିଗଲେ। ଝିଅ କୈଫୟତ ଦେଇ କହିଲା- - ନାଚଶିଖାର ପ୍ରଥମ ଦିନ ତ। ସେଥିପାଇଁ ମମିକୁ ଭାରି ଥକ୍କା ଲାଗୁଛି। ତୁମ ଖାଇବା ଟେବୁଲରେ ବଢା ହୋଇଛି। ଖାଇ ନେବ। ନାଚବାବୁ ଅଧିକା କିଛି କହିବା ପୂର୍ବରୁ ଝିଅ ନିଜ ରୁମର କବାଟ ବନ୍ଦ କରି ସାରିଥିଲା। ଏ ସମସ୍ତ ବ୍ଯାପାର ଦେଖି ନାଚଙ୍କୁ ବହୁତ ବ୍ଯସ୍ତ ଲାଗିଲା। ବାହାଘରର ଏତେ ବର୍ଷ ହେଲାଣି ପାର୍ବତୀଙ୍କର ଏପରି ବ୍ଯବହାର ସେ କେବେ ଦେଖି ନଥିଲେ। ସେ ଅଫିସରୁ ଆସିବା ମାତ୍ରେ ଗରମ ଚାହାକପ୍ ସହିତ ପାର୍ବତୀ ତାଙ୍କର ସ୍ବାଗତ କରୁଥିଲେ। ପାଖରେ ବସି ଦିନସାରା ଘଟିଥିବା ଟିକିନିଖି ଖବର ଶୁଣୁଥିଲେ ଓ କହୁଥିଲେ। ସାଙ୍ଗ ହୋଇ ଟିଭି ଦେଖୁଥିଲେ ଓ ରାତିରେ ଗରମ ଖାଇବା ବାଢି ଦେଇ ପାଖରେ ନାଚଙ୍କ ପାଖରେ ବସି ରହୁଥିଲେ ଖାଇବା ଶେଷ ହେବା ପର୍ଯ୍ଯନ୍ତ। କିନ୍ତୁ ଆଜି କାହିଁକି ଏତେ ବ୍ଯତିକ୍ରମ??  

ଯେଉଁ ନାରୀ ମାନେ ଆଜି ତାଙ୍କ ଘରେ ତା ତା ଥେଇ ନାଚି ଚଟାଣ ଥରାଇ ଦେଉଛନ୍ତି ସେମାନେ ତ ଆପାର୍ଟମେଣ୍ଟରେ ରହିବା ଦିନରୁ ପାର୍ବତୀଙ୍କୁ ବହୁତ ହୀନିମାନ କରିଥିଲେ। ତାଙ୍କ ଝିଅ ସେମାନଙ୍କୁ ଆଣ୍ଟି ଡାକିଦେଲା ବୋଲି ଝିଅକୁ ନାନା କଟୁକଥା କହି କନ୍ଦାଇ ଦେଇଥିଲେ। ସେମାନେ ଆଜୀବନ କେବେ ଆଣ୍ଟି ନ ହୋଇ ଦିଦି ହୋଇ ରହିବେ ବୋଲି ଝିଅକୁ କଡା ଭାଷାରେ ତାଗିଦ୍ ମଧ୍ଯ କରିଥିଲେ। ଘର ସାମନାରେ ପାର୍ବତୀ ଫୁଲଗଛ କୁଣ୍ଡ ଦୁଇଟା ରଖି ଦେଇଥିଲେ ବୋଲି ଆପାର୍ଟମେଣ୍ଟ ସୋସାଇଟିରେ ତ୍ରିପାଠିଆଣୀ କେତେଥର ଯେ ନାଲିସ କରି ସାରିଛି ତା'ର ହିସାବ ନାହିଁ। ପାର୍ବତୀଙ୍କ ଦେହର ମଳିନ ରଙ୍ଗ ଓ ଦରପାଚିଲା କେଶକୁ ନେଇ ଅନେକ କଟାକ୍ଷ କରିଛି ପଣ୍ଡିଆଣୀ। ସେହି କାରଣ ପାଇଁ ବିଚାରି ପାର୍ବତୀ ତକିଆରେ ମୁହଁ ଗୁଞ୍ଜି କାନ୍ଦିଛନ୍ତି ଅନେକ ଥର। ତେବେ ହଠାତ୍ ସେମାନେ କିପରି ପାର୍ବତୀଙ୍କ ଆଡକୁ ଲାଉଡଙ୍କ ପରି ଢଳି ପଡିଲେ ସେହି କଥା ନାଚଙ୍କ ମୁଣ୍ଡରେ ପଶୁ ନଥିଲା। ସେ ଯାହା ବି ହେଉ, ତାଙ୍କର ତ ବଇଁଶୀ ବାଜୁଛି ବାକି କଥା ପଚାରେ କିଏ।

ଏଥର ସବୁଦିନ ପାର୍ବତୀ ଡେରିରେ ବିିଛଣା ଛାଡିଲେ। ଦେହହାତ ପୀଡା ହେଉଛି ବୋଲି କୁନ୍ଥେଇ ମୁନ୍ଥେଇ ହେଲେ। ଘରକୁ ଅମୃତମାଞ୍ଜନ,ମୁଭ୍, ଆୟୋଡେକ୍ସ ଆଦି ପୀଡା ନିବାରଣକାରୀ ମାଲିସ୍ ଓୌଷଧ ମାନ ପୁଞ୍ଜା ପୁଞ୍ଜା ହୋଇ ଆସିଲା। ଘରେ ନାଚୁଆ ନାରୀମୂର୍ତ୍ତି ମାନଙ୍କର ସଂଖ୍ଯା ଯାଇ ଦଶରେ ପହଞ୍ଚିଲା। ସବୁଦିନ ଅଫିସ୍ ରୁ ଫେରିଲା ବେଳେ ନାଚବାବୁଙ୍କୁ ନୂଆ ଚପଲ ମାନେ ଦାନ୍ତ ନିକୁଟି ଚାହିଁ ରହିଥା'ନ୍ତି। ଆଜିକାଲି ନାଚବାବୁ ଅଫିସରୁ ଫେରିଲା ବେଳେ ଆଉ ଗରମ ଚାହା କପେ ପାଉ ନ ଥିଲେ। ତେଣୁ ଅଫିସ ପାଖ ଦୋକାନରୁ ଚାହା ବିସ୍କୁଟ ଖାଇ ଘରକୁ ଫେରୁଥିଲେ। ଘର ଭିତରଟା ଆଜିକାଲି ନାଇଟ୍ କୋଚ୍ ବସ ପରି ମନେ ହେଉଥିଲା। ବସ୍ ରେ ଯେମିତି ଡ୍ରାଇଭର ଓ ହେଲପର ନିଜ ଇଛା ଅନୁସାରେ ଗୀତ ବଜାନ୍ତି ପ୍ରତିବାଦ କରିବାକୁ କାହା ବୋପା ର ବି ଜୁ ନ ଥାଏ,ସେପାରି ନାଚଙ୍କ ଘରେ ବାଜି ଚାଲଥିଲା ବିଭିନ୍ନ ଭାଷାର ଗୀତ ମାନ। କେବେ ତେଲୁଗୁ ଗୀତରେ ଅଣ୍ଟା ହଲୁଥିଲା ତ କେବେ ଇଂରାଜୀ ଗୀତର ଢିଙ୍କ୍ ଚାକୁ ଢିଙ୍କ୍ ଚାକୁ ଧ୍ବନିରେ ପାଦ ଡେଉଁଥିଲା। ଅନେକଥର ନାଚବାବୁ ପରଦା ଆଢୁଆଳରୁ ପାତି ମାଙ୍କିଡିଆ ନାଚ ମାଷ୍ଟର ଓ ତା ଶିଷ୍ଯା ମାନଙ୍କୁ ଲୁଚି ଲୁଚି ଦେଖନ୍ତି। ଦେଖିବା ଉତ୍ତାରୁ ତାଙ୍କ ମନଟା ଆମ୍ବିଳିଆ ହୋଇଯାଏ। ବିଚାରି ପାର୍ବତୀ ଅନ୍ଯ ନୃତ୍ଯରତା ନାରୀ ମାନଙ୍କ ସହ ତାଳ ଦେଇ ପାରନ୍ତି ନାହିଁ। ସେମାନଙ୍କ ଠେଲାପେଲା ଖାଇ ସେ ଧିରେଧିରେ ପଛକୁ ଚାଲି ଯାଆନ୍ତି ଓ ନୃତ୍ଯ ମଇଦାନ ଛାଡି ରୋଷେଇଘରେ ପଶି ଯାଆନ୍ତି ଦଶ ବାର ଜଣଙ୍କ ପାଇଁ ରୋଷେଇ କରିବାକୁ। ରୁଟି ସେକିବା ବେଳେ ପାର୍ବତୀଙ୍କୁ ଲୁହ ପୋଛିବାର ସେ ଅନେକ ଥର ଦେଖିଛନ୍ତି । କାରଣ କଣ ହୋଇପାରେ?? ନାଚି ନ ପାରିବାର ବ୍ଯର୍ଥତା ନା ଅନ୍ଯ ନାରୀ ମାନଙ୍କ ସୌନ୍ଦର୍ଯ୍ଯ ସମ୍ମୁଖରେ ନିଜକୁ ହୀନ ମଣିବା। ଧିରେଧିରେ ପାର୍ବତୀଙ୍କ ପ୍ରତି ସେମାନଙ୍କ ବ୍ଯବହାରରେ ଢେର ପରିବର୍ତ୍ତନ ଦୃଶ୍ଯ ହେଲା। 

ଏ ଥଣ୍ଡା ପାଣି ବୋତଲେ ଦେଲ….ଟାଓ୍ବେଲ ଗୋଟେ ଦେଲ ବହୁତ ଝାଳ ବାହାରିଲାଣି…..ଆରେ ଏସି ଟିକେ ଜୋରରେ ଚଲାଅ, ଏତେ ଗରମ ସମ୍ଭାଳି ହେଉନି--- ଏମିତି ବରାଦ ମାନ ବଢି ଚାଲିଲା। ତା ସାଙ୍ଗକୁ ନାଚ ମାଷ୍ଟରର ତାଗିଦା--- ବୁଝିଲେ ପାରୁ ମ୍ଯାମ୍, ଆପଣଙ୍କ ଦେଇ ନାଚଫାଚ ହେବନି। ଆପଣଙ୍କ ଆଣ୍ଠୁଗଣ୍ଠି ଜାମ୍ ହୋଇ ଗଲାଣି। ନା ଗୋଡ ଉଠୁଛି ନା ଅଣ୍ଟା ହଲୁଛି। ଏମିତି ନାଚିଲେ ଆପଣ କି କମ୍ପିଟିସନରେ ଭାଗନେବେ। ମୋବାଇଲିରେ ଥରେ ଦେଖନ୍ତୁ କେମିତି ସୁ ମ୍ଯାମ୍, ପଣ୍ତି ମ୍ଯାମ୍,ତିରୁ ମ୍ଯାମ୍ ଆଉ କିରୁ ମ୍ଯାମ୍ ଟିକଟିକ ଫେସବୁକ୍ କୁ ଭିଡିଓରେ ପୋତି ପକେଇଲେଣି। ସେମାନଙ୍କ ଭିଡିଓ କୁ ଯେତିକି ବୁଢା ଆଙ୍ଗୁଠିଟେକା ପ୍ରଶଂସା ମିଳୁଛି ସେତିକିରେ ସେମାନେ ଆାଙ୍ଗୁଳିମାଳା ହୋଇ ଯିବାର ଯଥେଷ୍ଟ ସମ୍ଭାବନା ଅଛି। ଆଉ ଆପଣ-----ଫେସବୁକ୍ କଣ ଆପଣଙ୍କର ହ୍ବାଟସଆପ୍ ମଧ୍ଯ ନାହିଁ। ମୁଁ ଅନୁରୋଧ କରୁଛି କେବେ ମଧ୍ଯ କ୍ଯାମେରା ସାମ୍ନାରେ ନଚାନଚି କରିବାକୁ ମନ ବଳାଇବେନି, କାରଣ ଆପଣଙ୍କ ଭିଡିଓ ଦେଖିଲେ ମୋ ଭୋଙ୍ଗସର୍ ଗଟ୍ ଟ୍ଯାଲେଣ୍ଟ ଉପାଧିଟା ବଦନାମ ହୋଇଯିବ। ସବୁକଥାକୁ ହସ ପରିହାସରେ ଉଡାଇ ଦେଉଥିବା ପାର୍ବତୀ ସେଦିନ ଭିଷଣ ଅପମାନିତ ବୋଧ କଲେ। ତାଙ୍କୁ ଇଛା ହେଉଥିଲା ବୁକୁ ଫଟେଇ କାନ୍ଦିବାକୁ। କିନ୍ତୁ ଅନ୍ଯ ମହିଳାଙ୍କ ସାମନାରେ ଏମିତି ଭାଙ୍ଗି ପଡିବା ଟା ତାଙ୍କ ପାଇଁ ସମ୍ଭବ ନଥିଲା। ଅତଏବ୍,ସେ ମୁହଁ ତଳକୁ କରି ରୋଷେଇ ଘରେ ପଶିଲେ। ପାର୍ବତୀ ଚାଲିିଯିବା ପରେ ବେହିଆ ନାଚ ମାଷ୍ଟର ବାକି ନାଚୁଣିଆ ମାନଙ୍କ ଦେହର ବିଭିନ୍ନ ଅଙ୍ଗରେ ହାତ ମାରି ନାଚ ଶିଖାରେ ମନଦେଲା। ନାଚୁଣିଆ ମାନେ ନାଚରେ ନିମଗ୍ନ ହେବା ପରେ ନାଟୁଆ ମାଷ୍ଟ୍ର ନିଜ ମୋବାଇଲ କାଢି କାହାର ଫଟୋ ଉଠାଇଲା ଓ କାହାର ଭିଡିଓ କଲା। କେହି ପ୍ରତିବାଦ କଲେନି ବରଂ ଆହୁରି ଉତ୍ସାହିତ ହୋଇ କାଳିଶି ମାଡିବା ପରି ଅଞ୍ଚଳ ଟା ଖେଦି ଦେଇଗଲେ। ଦୂରରେ ବସି ଏସବୁ ଦେଖୁଥିଲେ ନାଚ ଓ ତାଙ୍କର ଅଲିଅଳି ଝିଅ। ବହୁ ଦିନ ପରେ ନାଚ ପଚାରିଲେ ଝିଅକୁ ଏହି ଭୟଙ୍କର ଷଡଯନ୍ତ୍ରର ଅସଲ ରହସ୍ଯ ବାବଦରେ। ନାନା ଲୋଭ ଦେଖାଇବା ପରେ ମଧ୍ଯ ଝିଅ ପାଟିରୁ ବଚନ ନ ବାହାରିବା ଦେଖି ନାଚ ଏକ ମୋବାଇଲ ଦେବାର ଲୋଭ ଦେଖାଇ କଥା ଆଦାୟ କରିବାରେ ସଫଳ ହେଲେ। କଥା ଟି ଏମନ୍ତ- - ପୂର୍ବ ବର୍ଣ୍ଣିତ ଚାରି ନାରୀବେଶୀ ଡାହାଣୀ ମାନେ ପାର୍ବତୀଙ୍କୁ ଯାଉଣୁ ଆସୁଣୁ କୁକୁର ବିଲେଇ ପରି ବ୍ଯବହାର କଲେ। ଏପରିକି ଆପାର୍ଟମେଣ୍ଟରେ ହେବାକୁ ଥିବା ନାଚ ପ୍ରତିଯୋଗିତାରେ ପାର୍ବତୀଙ୍କର ଭାବ ନେବାର ମଧ୍ଯ ଓୌକାତ ନାହିଁ ବୋଲି ଚାରି ଆଡେ କହି ବୁଲିଲେ। 


ଶେଷରେ ଝିଅ ସ୍ଥିର କଲା ସମସ୍ତଙ୍କ ମୁହଁରେ କୋଲପ ପକାଇବାକୁ। ଇଣ୍ଟରନେଟ୍ ରେ ବହେ ଖୋଜାଖୋଜି କରି ସେ ଆବିଷ୍କାର କଲା ଫାଙ୍ଗସୁକୁଡୁ ମ୍ଯାଙ୍ଗଫ୍ଯାନଛୁ ନାମକ ଭୋଙ୍ଗସର ପ୍ରସିଦ୍ଧ ନାଟୁଆକୁ। ଆଜୀବନ ନିଜେ ନ ନାଚି ଅନ୍ଯ ମାନଙ୍କୁ ନଚାଇ ଚାଲିଥିବା ପାଞ୍ଚଜଣ ପଇଁଚାଳିଶି ପାର କରି ସାରିଥିବା ମହିଳାଙ୍କୁ ନାଚ ଶିଖାଇବାର କଠିନ ଚ୍ଯାଲେଞ୍ଜକୁ ସ୍ବୀକାର କଲା ଏହି ନାଟୁଆ। ବାସ୍, ଦରକଷା ଛିଣ୍ଡିଗଲା। ମାସକୁ ଗାଏମୋଟ ଦଶ ହଜାର- - ଜଣ ପିଛା ଟଙ୍କା ଦୁଇ ହଜାର ପଡିଲା। ନିଜର ଉପସ୍ଥିତି ଜାହିର କରିବାକୁ ପାର୍ବତୀ ପ୍ରସ୍ତାବ ଦେଲେ ନାଚଶିଖା ତାଙ୍କରି ଘରେ ହେବ ଓ ନାଚ ସରିବା ପରେ ରାତ୍ରୀ ଭୋଜନରେ ସମସ୍ତେ ଆପ୍ଯାୟିତ ହେବେ। ଏମିତି ମନଲୋଭା ପ୍ରସ୍ତାବରେ କାହିଁକି କିଏ ମନା କରିବ ଭଲା। ରାତି ନ ପାହୁଣୁ ପାର୍ବତୀଙ୍କ କାଟତି ଢେର ବଢିଯାଇଥିଲା। ତାଙ୍କୁ ସବୁ ପାର୍ବତୀ ମ୍ଯାମ୍ ଡାକିବା ଆରମ୍ଭ କରି ଦେଇଥିଲେ। ତାଙ୍କ ସହ କଥା ହେବା ସମୟରେ ଉପରୋକ୍ତ ନାରୀ ମାନେ ନାନା ଜାତିର ପ୍ରଶଂସାବାଚକ ଶବ୍ଦର ବହୁଳ ବ୍ଯବହାର କରୁଥିଲେ। ପାର୍ବତୀ ଯାହା ଚାହୁଁଥିଲେ ତାହା ମିଳିଗଲା, ମାତ୍ର ଚାଲ୍ ଟା ଓଲଟା ପଡିଗଲା। ଜଣପିଛା ଦୁଇ ହଜାର ଅଧିକା ମନେକରି ମିସେସ ପଣ୍ଡିଆଣି, ମିସେସ ତ୍ରିପାଠିଆଣୀ , ମିସେସ କେରେକେଟାଣୀ ଓ ସୁବୁଦ୍ଧିଆଣୀ ଅନ୍ଯ ନାରୀ ମାନଙ୍କୁ ଥୋପ ପକାଇ ଡାକିଲେ। ସେମାନଙ୍କ ପାଖରୁ ଜଣ ପିଛା ତିନି ହଜାର ହାତେଇଲେ। ବେପାର କିଛି ମନ୍ଦ ନଥିଲା। ଫାଙ୍ଗସୁକୁଡୁ ହାତକୁ ଦଶ ହଜାର ବଢାଇ ଦେବା ପରେ ବଳକା ଅର୍ଥର ଭାଗବଣ୍ଟା ସୁଚାରୁ ରୂପରେ ହେଉଥିଲା। ଲାଭରେ ସମସ୍ତେ ରହିଲେ,କିନ୍ତୁ ବିଚାରି ପାର୍ବତୀ--- ସେ ନିଜେ ରଚିଥିବା ବ୍ଯୁହରେ ଭୟଙ୍କର ଭାବେ ଫସି ଯାଇଥିଲେ। ତାଙ୍କୁ ନିଜର ଇଜ୍ଜତ ମାଟିରେ ମିଶିବା ପରି ଲାଗୁଥିଲା। ନା ସେ ନାଚବାବୁଙ୍କୁ ସମୟ ଦେଇ ପାରୁଥିଲେ ନା ଦୁଇ ପଦ କଥା ହୋଇ ପାରୁଥିଲେ। ସବୁଦିନ ଏତେ ଲୋକଙ୍କ ପାଇଁ ରୋଷେଇ କରି ତାଙ୍କର ସମୟ,ଟଙ୍କା,ଇଣ୍ଡେନ୍ ଗ୍ଯାସ୍ ଓ ମାସିକ ସଉଦା ସରଳ ପିଲାର ତରଳ ଝାଡା ପରି ବୋହି ଚାଲିଥିଲା। ପାର୍ବତୀଙ୍କ ଶୁଷ୍କ ମୁଖମଣ୍ଡଳ ଓ ପେଜୁଆଆଖିର ଭାଷା ନାଚବାବୁ ଠିକ୍ ବୁଝି ପାରୁଥିଲେ। ନାଚଙ୍କୁ ପାର୍ବତୀ ଆଖି ମାଧ୍ଯମରେ ନେହୁରା ହୋଇ କହୁଥିଲେ- - ହେଇଟି ଶୁଣୁଛ, ତୁମେ କିଛି ଗୋଟେ ନ କଲେ ହବନି। ଏ ସବାଖାଇ ରାଢ ମାଇକିନା ଦଳ ମୋ ସଂସାର ଖୋଳ କରିବାକୁ ବସିଲେଣି। ପୁଣି ଏ ଛାଲଛଡା କୁକୁର ରୂପଧାରୀ ପରମ ବେଧୁଆ ନାଚ ମାଷ୍ଟରର କିଛି ଗୋଟେ ବ୍ଯବସ୍ଥା କରିବାକୁ ହେବ। ନାଚ ଶିଖା ଆଳରେ ସେ ଏ ମାଇକିନା ମାନଙ୍କ ଯେତିକି ଭେଷେଡାମୀ କରୁଛି ସେମାନଙ୍କ ଘଇତା ମାନେ ମଧ୍ଯ ସେତିକି କରି ନଥିବେ। 

ସେଦିନ ରାତିରେ ନାଚବାବୁ କେତେ କଣ ଚିନ୍ତା କରିକରି ଗୋଟେ ପ୍ଯାକେଟ୍ ରକେଟ ମାର୍କା ବିଡି ଟାଣି ପକେଇଲେ। ତିନି ଚାରିଥର ଗୁଡାଖୁ ଟେଳା ଧରି ବିଦେଶି ମଳତ୍ଯାଗ ଆସ୍ଥାନ(କମୋଡ୍) ଉପରେ ବସି ଜାଲ ଭିଡୁଥିବା ବୁଢିଆଣୀ ମାନଙ୍କୁ ନିରୀକ୍ଷଣ କଲେ। ମୁଣ୍ଡରେ କିଛି ଗୋଟେ ଭୟଙ୍କର ଯୋଜନା ପଶିଲା ନିଶ୍ଚୟ,ସେଥିପାଇଁ ସେ ଉଲ୍ଲସିତ ହୋଇ ହିପ୍ ହିପ୍ ହୁର୍ରେଃ ହୁର୍ରେଃ ବୋବାଳି ଛାଡିଲେ। ପାର୍ବତୀଙ୍କ କ୍ଷୀଣ ସ୍ବର ଶୁଭିଲା- - ହେଇଟି, ଏତେ ସମୟ ଗାଧୁଆଘରେ କଣ କରୁଛ- - ତୁମକୁ ଠିକ୍ ଲାଗୁଛି ତ? ମଝିରେ ମଝିରେ ଏମିତି କର୍କଶିଆ ରାବ କାହିଁକି ଦେଉଛ ଯେ?? କୋଷ୍ଠକାଠିନ୍ଯ ହୋଇଗଲା କି?? ନାଚବାବୁ ଧନୁଯାତ୍ରାର କଂସ ପରି ମନେ ମନେ ଅଟ୍ଟହାସ୍ଯ କରି ଉଠିଲେ। ପାର୍ବତୀଙ୍କ ଉଦ୍ଦେଶ୍ଯରେ କହିଲେ - - ମାଇଁ ଡାର୍ଲିଂ ପାତି, ମୁଁ କେବଳ ଅପେକ୍ଷା କରି ରହିଛି କାଲିକୁ। କାଲି ଏମିତି ନାଚ କ୍ଲାସ ହେବ ଯେ ଆପାର୍ଟମେଣ୍ଟରେ ହଇଚଇ ପଡିଯିବ।

ତହିଁ ଆରଦିନ ଯଥା ସମୟରେ ନାଚ ମାଷ୍ଟର ଓ ତା ଶିଷ୍ଯା ମାନଙ୍କର ଆଗମନ ହେଲା। ପ୍ରଥମେ ଚାହା ଦେଇ ସେମାନଙ୍କୁ ସ୍ବାଗତ କଲେ ନାଚବାବୁ ଓ ପାର୍ବତୀ। ନାଚବାବୁଙ୍କୁ କଟାକ୍ଷ କରି କହିଲେ ପଣ୍ଡିଆଣୀ- - ଆରେ ନାରଣ ବାବୁ, ଆଜି ଏ ସମୟରେ ଆପଣ ଘରେ ଅଛନ୍ତି ? ଆମେ ଗାର୍ଲସ ମାନେ ଆପଣଙ୍କ ସାମନାରେ 

କେମିତି ନାଚ ଶିଖିବୁ, ଓଃ ମାଇଁ ଗଡ୍ ଆମକୁ ଏତେ ଲାଜ ଲାଗିବ ଯେ…...ଖଇଁ ଖଇଁ ହୋଇ ହସି ଉଠିଲେ ପଣ୍ଡିଆଣୀ। 

- - ଆରେ ନା ନା ସେମିତି କୁହନି, ନାରଣ ବାବୁ ଆଜି ଦେଖିବେ ତାଙ୍କ ଡାର୍ଲିଂ ଭଲ ନାଚନ୍ତି ନା ଆମେମାନେ।

 - - ହଁ ଠିକ୍ କହିଲ ଦିଦି, ହେଇ ଦେଖୁନ ଆମକୁ ଦେଖି କେମିତି ନାରଣବାବୁଙ୍କ ଆଖିର ପଲକ ପଡୁନି। ନାରୀ ମହଲରେ ହସର ଗୁଞ୍ଜରଣ ଖେଳି ଗଲା। ନାଚ ମାଷ୍ଟର ତା ଛେଳିଲେଣ୍ଡିଆ ଚୁଟି ସବୁକୁ ସଜିଲ କରି ପ୍ରସ୍ତୁତ ହେବାକୁ ଲାଗିଲା।

ଗଳା ଝାଡି ନାଚବାବୁ ସଂକ୍ଷିପ୍ତ ଭାଷଣ ଥୋଡାଏ ଝାଡିଦେଲେ- - ଆପଣମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗୁଛି। ଏତିକି ଦିନ ଭିତରେ ଆପଣମାନେ ଯେତିକି ନଚାନଚି କରି ମୋ ଘର କମ୍ପେଇ ଦେଇଛନ୍ତି ସେଥିପାଇଁ ଯେତେ ଧନ୍ଯବାଦ ଦେଲେ ମଧ୍ଯ ଉଣା ପଡିଯିବ। ଆଜି ଯାଏଁ ମୁଁ କେବଳ ପାର୍ବତୀଙ୍କ ଇସାରାରେ ନାଚୁଥିଲି,କିନ୍ତୁ ଆପଣ ମାନଙ୍କ ନାଚଶିଖା ଦେଖି ମୋତେ ଲାଗୁଛି ଯିଏ ଅନ୍ଯକୁ ନଚାଏ ତାକୁ ମଧ୍ଯ ଦିନେ ନା ଦିନେ ନାଚିବାକୁ ପଡେ। ସେ ଯାହା ବି ହେଉ, ଆପଣମାନଙ୍କ ନାଚଶିଖା ଦେଖିବାର ଅବସର ପାଇଥିବାରୁ ମୁଁ ନିଜକୁ ଧନ୍ଯ ମନେ କରୁଛି। ଆଜି ପାର୍ବତୀଙ୍କ ଗୋଡ ମକଚି ଯାଇଛି ତେଣୁ ସେ ନାଚି ପାରିବେନି। କିନ୍ତୁ ଆପଣମାନଙ୍କ ପାଇଁ ରୋଷେଇ ନିହାତି କରିଦେବେ। କିନ୍ତୁ ମହାନ୍ ନୃତ୍ଯଗୁରୁଙ୍କୁ ମୋର ଏକ କ୍ଷୁଦ୍ର ଅନୁରୋଧ। ଆଜି ସେ ଟିପ୍ ଟିପ୍ ବର୍ଷା ପାନି ଗୀତରେ ଶିଷ୍ଯା ମାନଙ୍କୁ ନଚାନ୍ତୁ। ବର୍ଷାପାଣିରେ କାଟ୍ରିନା କୈଫ ନାମ୍ନୀ ମହିୟସୀ ହିରୋଇନି ଯେମିତି ସଦ୍ଯ କଅଁଳା ବାଛୁରି ପରି ଡିଆଁଚିରା ମାରୁଛି ତାହା ଦେଖି ମନ ଭିତରେ ଚଡଚଡି ବାଣ ଫୁଟିବା ପରି ମନେ ହେଉଛି। ସେ ନାଚ ଦେଖିଲେ ଖଟପଲଙ୍କ ଟେବୁଲଚୌକି ମଧ୍ଯ ଗୋଡ ହଲେଇ ନାଚିବାକୁ ମନ ବଳାଇବେ। କିନ୍ତୁ ନୃତ୍ଯଗୁରୁ ଫାଙ୍ଗସୁକୁଡୁ ମ୍ଯାଙ୍ଗଫ୍ଯାନଛୁ ମହାରାଜ କଣ ଏମିତି କଷ୍ଟଟକରିଆ ନାଚ ଶିଖେଇ ପାରିବେ। ନାଚବାବୁଙ୍କ ଭାଷଣ ଶୁଣି ଘରର କବାଟ ଝରକା ଆଦି ରୋମାଞ୍ଚିତ ହୋଇଗଲେ, ନାଚମାଷ୍ଟର କଥା ପଚାରେ କିଏ। ସେ ଉଲ୍ଲସିତ ହୋଇ ଓଲଟା ପହଁରିବା ପରି ହାତ ପଛକୁ ନେଇ କେଇଘେରା ବୁଲେଇଦେଲା ଓ ଥାକୁଲୁ ଥାକୁଲୁ ଡେଇଁ କିଛି ବାଟ ଆଗେଇ ଯାଇଁ କଣେଇ ନାଚବାବୁଙ୍କୁ ଦେଖି କହିଲା- - ହୋଃ ମଉସା,ତୁମ କାଟ୍ରିନାଦେଇ ଏମିତି ନାଚୁଥିଲା ତ?

- - ହଁ ହଁ ଠିକ୍ ଏମିତି ଓଲଟା ପହଁରା ନାଚ ନାଚୁଥିଲା। କିନ୍ତୁ ସେ ତ ବର୍ଷାରେ ଭିଜି ଭିଜି ନାଚୁଥିଲା। ଆପଣ ଖଡଖଡିଆ ଶୁଖା ନାଚ ନାଚୁଛନ୍ତି।

- - ହବ ମଉସା,ସବୁ ହେବ। ମୁଁ କଣ ଶୁଖିଲାଟାରେ ଭୋଙ୍ଗସରର ବିଖ୍ଯାତ ନାଟୁଆ ହୋଇଛ। ଆଜି ସମସ୍ତଙ୍କୁ ଭିଜେଇ ଭିଜେଇ ନଚେଇବି। ଆପଣ ଖାଲି ପାଣି ପାଇପ୍ ର ବ୍ଯାବସ୍ଥା କରନ୍ତୁ ମୁଁ ଟିପ୍ ଟିପ୍ ବର୍ଷା ପାନି ଗୀତ ଲଗଉଛି। ନାଚ ଆରମ୍ଭ ହେବାମାତ୍ରେ ପାଣି ପାଇପ୍ ସାମ୍ନାରେ ଆଙ୍ଗୁଠି ଥାପି ପତଳା ପାଣିସୁଅ ପିଚକାରୀ ମାରି ଛାଡିବେ। ଆମ ସମସ୍ତଙ୍କୁ ଭିଜେଇ ଚାଲିବେ ଓ ଆମେ ମାନେ କୁଲଛତ୍ରିଆ ନାଚି ଏରିଆ କମ୍ପେଇଦେବୁ। କଣ ରାଜି ତ?

- - ଯୋ ଆଜ୍ଞା ଗୁରୁଦେବ୍। ନାଚବାବୁଙ୍କ କୁଟୀଳିଆ ହସ ଚଷମାତଳୁ ଆଖି ଭିତରେ ଉକୁଟି ଆସିଲା।

ଟିପ୍ ଟିପ୍ ବର୍ଷା ପାନି ଫୁଲ ଭୋଲ୍ଯୁମରେ ବାଜିଲା। ଛାତି ତଳ ଦାଉଁ ଦାଉଁ ହୋଇଗଲା। କାନ୍ଥରେ ଚାଲୁଥିବା ଝିଟିପିଟି ଆଦି ଇତର ପ୍ରାଣୀ ଭୂମିକମ୍ପ ଆସିଲା ଭାବି ଲୁଚିଲାଚି ଗଲେ। ଯେଉଁ ତିନି ଚାରିଟା ମଶା ମାଛି ଉଦବାର୍ଜିଆ ହୋଇ ଉଡୁଥିଲେ ସେମାନେ ପିଚାମାଡି ଭୂଇଁରେ ପଡିଲେ। ନାଚ ଆରମ୍ଭ ହୋଇଗଲା। ତେଣିକି ହାତରେ ପାଣି ପାଇପ ଧରି ନାଚବାବୁ ଫାଙ୍ଗସୁକୁଡୁ ମ୍ଯାଙ୍ଗଫ୍ଯାନଛୁଙ୍କ ଆଦେଶ ଅପେକ୍ଷାରେ ରହିଲେ। ଗୀତଟି ବେଗ ଧରିବା ମାତ୍ରେ ସମସ୍ତେ ହାତ ପଛକୁ ବୁଲେଇ ଓଲଟା ପହଁରି ଥାକୁଲୁ ଥାକୁଲୁ ଡେଇଁ ଚାଲିଲେ। ନାଚବାବୁଙ୍କ ଝିଅ ମୋବାଇଲ ଧରି ସବୁ ରେକର୍ଡିଙ୍ଗ କରିବାରେ ଲାଗିଲା। ଆଦେଶ ଆସିବା ମାତ୍ରେ ପାଣିର ଫୁଆରା ସମସ୍ତ ନାଟୁଆଙ୍କ ଉପରେ ନାଚବାବୁ ବର୍ଷି ଦେଇଗଲେ। ଆଃ କି ସୁନ୍ଦର ମନମତାଣିଆ ଦୃଶ୍ଯ। ହଠାତ୍ ନାଚମାଷ୍ଟର ହାତେ ଉପରକୁ ଡେଇଁ ତଳେ କଚି ହୋଇ ପଡିଲା। କଥା କଣ ବୁଝିଲା ବେଳକୁ ସମସ୍ତେ ହାତେ ହାତେ ଡେଇଁ ତଳେ ଛେଚି ହୋଇ ପଡିଲେ। ତା ପରର ଅବସ୍ଥା ଅସମ୍ଭାଳ। ଭୁଇଁରେ ଯାହାର ହାତ,ଗୋଡ,ନିତମ୍ବ ଓ ଶରୀରର ଅନ୍ଯ ଅଙ୍ଗ ସ୍ପର୍ଶକଲା ସମସ୍ତେ ହାତେହାତେ ଡେଇଁ ତଳେ ପଡିଲେ। ସୁ ମ୍ଯାମ୍, ପଣ୍ତି ମ୍ଯାମ୍,ତିରୁ ମ୍ଯାମ୍ ଆଉ କିରୁ ମ୍ଯାମ୍ ଙ୍କ ଢିଲା ଗେଞ୍ଜି ଖସି ଅନ୍ତବସ୍ତ୍ର ଦିଶିଗଲା। ସେମାନେ ବୋପାଲେ ମାଆଲୋ ଡାକି ଗୁରୁଣ୍ଡି ଗାରେଣ୍ଡି ସେ ଜାଗା ଛାଡି ପଳାୟନ କଲେ। ନାଚ ମାଷ୍ଟରର ଅବସ୍ଥା ନ କହିବା ଭଲ। ବିଚରାର ଛେଳିଲେଣ୍ଡିଆ ଚୁଟି ଗୁଛ ଫିଟି ଛିନଛତ୍ର ହୋଇଗଲା। ତା ପ୍ଯାଣ୍ଟ ଖସିଗଲା ଓ ସେ ଦରଲଙ୍ଗଳା ହୋଇ ଡିଆଁ ମାରିଲା। 

ନାଚବାବୁ ଗେହ୍ଲେଇ ଡାକିଲେ - - ଆରେ ପାତି, ଆସ ଟିକେ ଦେଖିବ କେମିତି କରେଣ୍ଟିଆ ନୃତ୍ଯ ଚାଲିଛି। କଣ ହେଉଛି କିଛି ବୁଝି ନ ପାରି ପାର୍ବତୀ ଖାଲି ବଲବଲ କରି ଚାହିଁ ରହିଥା'ନ୍ତି। କିଛି ସମୟ ଭିତରେ ନାଚକ୍ଷେତ୍ର ଶୂନ୍ଯ ହୋଇଗଲା। ସମସ୍ତେ ଯିବା ଉତ୍ତାରୁ ନାଚବାବୁ ମେନସୁଇଚ୍ ବନ୍ଦ କରି ଝିଅକୁ ଡାକ ପକାଇ କହିଲେ- - ଆଲୋ ମାଆ, ଟିକେ ବ୍ଲାକଟେପ୍ ଟା ଆଣିଲୁ, ଆମ ସାଉଣ୍ଡବକ୍ସର ତାର ବୋଧେ ମୂଷାକାଟି ଦେଇଛି।



Rate this content
Log in

Similar oriya story from Comedy