Kabiratna Nutan Kumar Behera

Tragedy Action Classics

3  

Kabiratna Nutan Kumar Behera

Tragedy Action Classics

ଲୋକଟା ବହୁତ ଖରାପ

ଲୋକଟା ବହୁତ ଖରାପ

5 mins
224



  ବୋଉ...ବୋଉ...ଶିଘ୍ର ତାଟି ଫିଟା... ମୁଁ ଆଇଛି ବା... ।

ଏ ବୋଉ... କେତେ ନିଦେଇଛୁ..ରାତି ପାହିଲା ପରା...।

    ବାହାର ଶବ୍ଦ ଓ ଟିଣ କବାଟର ଢଣ୍ ଢାଣ୍ ଶବ୍ଦରେ ନିରୋଧାର ଚାଉଁ କିନା ନିଦ ଭାଙ୍ଗିଗଲା,କାନ ଡେରି ଶୁଣିଲା।ଯେମିତି ବାରି ପାରିଲା...ତାକୁ ତା ଝିଅ ଦମି (ଦମୟନ୍ତୀ)ଡାକୁଛି...ଚଟାପଟ ଛାଡିଝୁଡି ହୋଇ ଉଠି ପଡ଼ିଲା। ସଙ୍ଗେ ସଙ୍ଗେ ଯାଇ ତାଟି ଫିଟାଇଲା।

    ବୋଉ...ଡାକି ଦେଇ ଜାବୁଡ଼ି ଧରିଲା ଦମି ତାକୁ। ଭୋ ଭୋ କାନ୍ଦି ଆଖିରୁ ଧାର ଧାର ଲୁହ ଗଡ଼ାଇ ଚାଲିଲା।

    ନିରୋଧା ହତମତ ହୋଇ କ'ଣ କହିବ କ'ଣ ନାଇଁ, କିଛି ନ ବୁଝି ଝିଅର କାନ୍ଦରେ କାନ୍ଦ ମିଶାଇ... ଦୁହେଁ ବହେ କାନ୍ଦିଲେ ସେ ଦୁଆର ମୁହଁଟାରେ ଠିଆଠିଆ।

   କିଛି ସମୟ ପରେ ନିରୋଧା ଝିଅକୁ ଘର ଭିତରକୁ ଧରି ନେଲା। ତା ଶୋଇବା ଖଟରେ ବସାଇ କହିଲା...ତୁନି ହ ଲୋ ଦମି, ଆଉ କାନ୍ଦନା...କ'ଣ ହୋଇଛି କହ..କାନିରେ ତାର ଦମିର ଆଖି ଲୁହ ପୋଛି ନିଜ ଆଖିରୁ ବି ଲୁହ ପୋଛିଲା।

    ଏବେ କହ...ରାତି ରାତି... ଏମିତି ତୋ ଶାଶୁଘରୁ ଗୋଡ଼ କାଢ଼ି ଚାଲି ଆସିଲୁ କାହିଁକି ମା' ?

     ତୋତେ ସବୁ କହିବି ଲୋ ବୋଉ...ସବୁ କହିବି...

ଭୋକରେ ମୋ ଜୀବନ ଚାଲି ଯିବ, ଦି ଦିନ ହେଲା

କିଛି ଖାଇନି । ସେ ହାରାମି ବାନ୍ଧି ରଖିଥିଲା ମୋତେ...

ପାଣି ଟୋପାଏ ବି ଦେଲାନି। ମୁଁ ଭାରି କଷ୍ଟରେ ହାତର ବନ୍ଧା ଖୋଲି ପଳେଇ ଆସିଛି ...ତା ଅଜଣାତରେ ।

      କହୁ କହୁ ଭାତ ହାଣ୍ଡି ଅଣ୍ଡାଳି ପକାଇଲା ଦମି।ଦେଖିଲା ଅଳପ ଭାତ ଆଉ ତୋରାଣି ଅଛି। ସଙ୍ଗେ ସଙ୍ଗେ ବେଲାରେ କାଢ଼ି ନେଇ ତୋରାଣି ତକ...ଢକ ଢକ ପିଇଗଲା ବେଲାଏ...ଜୀବନ ବିକଳରେ। ତା ବୋଉ ଚାହିଁ ଯାଏ ସେମିତି କାଠ ଖୁଣ୍ଟଟେ ହୋଇ।

    ମାଆ ଝିଅ ଖଟରେ ବସି ପଡିଲେ। ଏଣେ ଭୋର ଭୋର ହୋଇ ଆସୁଛି ରାତି ପାହିଲାଣି।ଦମି ବୋଉର କୋଳରେ ମୁଣ୍ଡ ରଖି କାନ୍ଦି କାନ୍ଦି କହିଲା...ବୋଉ ଲୋ..ମୋ ସୁଖ ଦେଖିବୁ ବୋଲି ସିନା ତା ହାତରେ ମୋତେ ଛନ୍ଦି ଦେଲୁ। ଧାର କରଜ କରି ହାତ ପାତି ମାଗି ମୋ ବାହାଘର କଲୁ ହେଲେ ମୋ ଜୀବନରେ ସୁଖ ନାହିଁ।

ଯାହାକୁ ତୁ ତୋ ଜୋଇଁ କରିଛୁ। ସେଇଟା ଗୋଟାଏ ଧପାବାଜ୍ ଟାଉଟର ବେଇମାନ୍ ଲୋକଟା ବହୁତ ଖରାପ୍।

ଲୋଭ ଦେଖାଇ ଝିଅଙ୍କୁ ବାହା ହୋଇ କିଛି ଦିନ ମିଳାମିଶା କରିନେଇ ବିକି ଦିଏ ବାଇଜୀ କୋଠିରେ। ମୋ ଆଗରୁ ଏମିତି କେତେ ଥର କରିଛି ତାକୁ ଜଣା।

    ଏ କଥା ତୁ ଜାଣିଲୁ କେମିତି ମୁଁ ଶୋଇଥିଲି ସେକଥା ହେଉଥିଲା ଜଣକ ସାଥୀରେ କେତେ ଟଙ୍କା ଦେବ...ମୁଲ୍ ଚାଲ୍ କରୁଥିଲା ଇଏ ପଚିଶ ଲକ୍ଷ ମାଗୁଥିଲା।

ସେ ପଟ କଥା ମୁଁ ଶୁଣି ପାରିଲିନି ।

    ମୁଁ ସିଧା ସିଧା ତାକୁ ପଚାରିଲି, କାହା ସହିତ କଥା ହେଉଥିଲ କି କଥା।

    ସେ ନିଶାରେ ଟଳମଳ ହେଉଥିଲା କେମିତି

କହି ପକାଇଲା ତୋତେ ନେଇ ବିକି ଦେବି କୋଠିରେ।

ରାଣୀ ହୋଇ ରହିବୁ...

   ମୁଁ ତାକୁ ରାଗି ହେଲି ବୁଝାଇଲି। କହିଲା ମୋତେ କ'ଣ ଧରମ ବାଣୀ ଶୁଣିଉଛୁ। ଆଲୋ ତୋ ପରି କେତେ ଜଣକୁ ବିକି ସାରିଛି। ସେଇ ସବୁ ଟଙ୍କାରେ ଏ ସବୁ କୋଠା ଗାଡ଼ି ।

    ମୁଁ ଦୃଢ଼ ଭାବରେ ପ୍ରତିବାଦ କଲି। କହିଲି ଯାଉଛି ପୋଲିସ୍ କୁ କହିବି ସେଇଠୁ ସେ ମୋତେ ବହୁତ ଫୁସୁଲେଇ ଏଣୁ ତେଣୁ କହି ମୋ ମନ ନେଲା । ମୁଁ ସବୁ ଟିକି ନିଖି ପଚାରିଲି ସେ ଆଉ କହିଲାନି। ମୋତେ ବାନ୍ଧି ପକାଇଲା।

ରାତି ଗାଡ଼ି ଆସିଲେ ମୋତେ ନେଇଥାନ୍ତା ଜାଲାଣ କରି।ଆଉ ବିକି ଦେଇଥାନ୍ତା ସେଇଠି।

   ଆଉ କହି ପାରିଲାନି ଦମି ପୁଣି କୋହ ଧରି କାନ୍ଦିଲା।

   ବୋଉକୁ ତାର ଅନ୍ଧାର ଦିଶିଲା ଚାରିଦିଗ ଯଦିଓ ସେତେବେଳକୁ ସୁରୁଜ ଉଇଁ ଖରା ଫୁଟି ସାରିଥାଏ ଅଗଣା ସାରା।

    ଏଇ ଦମି ବାପ ଛେଉଣ୍ଡ ଝିଅଟେ। ଦଶ ବର୍ଷର ଥିଲା ବାପା ତାର ହଠାତ୍ ସାପ କାମୁଡାରେ ଆଖି ବୁଝିଲା। ଗରିବଘର ,ତରତର ହୋଇ ଡାକ୍ତର ଖାନା ଆଣିବା ବାଟରେ ଜୀବନ ଚାଲିଗଲା। ତା ବୋଉ କହେ। ବହୁତ ଗରିବ ସେମାନେ। ବାପା ତାର ଦିନ ମଜୁରୀ କରୁଥିଲା। ଜମିବାଡ଼ିନାହିଁ। ଘରଟିଏ ବି ନ ଥିଲା। ତା ବାହାଘର ଛ' ମାସ ଆଗରୁ ସରକାରୀ ଭାବରେ ବିଧବା ଆବାସ ଟିଏ ପାଇଛନ୍ତି। ଏବେ ବୋଉ ତା'ର ପର ଘରେ ବାସି ପାଇଟି କରେ ମୂଲ ବି ଲାଗେ।

   ଦମି କ୍ଲାସ୍ ଟେନ୍ ଯାଏଁ ପଢିଛି। କଲେଜ୍ ପଢିବାକୁଭରସା ତା ମାଆର ହେଲାନି। ମନା କଲା ଅଠର ବର୍ଷ ପରେ ଭଲ ଘର ବର ଦେଖି ବାହା ଦେଇ ଦେବ। ଆଉ ଦମି ସେବେଠୁ ଘରେ ରହି ରୋଷେଇ ବାସ କରୁଥିଲା ସିଲେଇ କାମ କରୁଥିଲା। ଦି ଓଳି ସାହିର କେଇଜଣ ଛୋଟ ଛୋଟ ପିଲାକୁ ପଢାଉଥିଲା।

     ବାପା ତାର ମଲା ପରେ ବି ମାଆ ଝିଅଟ କଷ୍ଟେ ମଷ୍ଟେ ଏକ ପ୍ରକାର ଚଳି ଯାଉଥିଲେ। ତା ବୋଉର ଏବେକୁ ପାଖାପାଖି ଷାଠିଏ ବର୍ଷ ଛୁଇଁବ। ଏଇଟା ସେଇଟା ବେମାର ଦେଉଛି... ଔଷଧ କିଣିବାକୁ ଟଙ୍କା ନାହିଁ। ରୋଗ ବଢ଼ିଲେ ୧୦୮ ଗାଡ଼ି ଆସି ନିଏ, ମାଗଣା ଔଷଧ ଖାଇ ସେ ଡାକ୍ତରଖାନାରେ ଭଲ ହୋଇ ଘରକୁ ଆସେ। ଦମୟନ୍ତୀ ବୋଉ ପାଖେ ପାଖେ ରହି ତାର ସେବା ଶୁଶ୍ରୁଷା କରେ। ମଝିରେ ମଝିରେ ତା ମାମୁଁ ଆସି ଦେଖା ଶୁଣା କରନ୍ତି। ସେ ବି ତା ନିଜ ମାମୁଁ ନୁହଁନ୍ତି। ତା ବୋଉର ପୋଡିଶା ଘରର।

ଲେଖା ଯୋଖାରେ ବୋଉର ଭାଇ ଆଉ ଦମିର ମାମୁଁ।

  ତା ବାହାଘରରେ ସେଇ ମାମୁଁ ମଧ୍ୟସ୍ଥି କରିଥିଲା। ବୋଉକୁ ତାର ବହୁତ ଭଲ ଭଲ କହି ରାଜି କରାଇଲା। କହିଲା ପକା ଘର, ଗାଡିମଟର ଥିଲା ବାଲା। ବାପା ମାଆ ସିନା ତାର ନାହିଁ, ହେଲେ ବହୁତ ମେହନତି କରି ସେ ନିଜ ଗୋଡ଼ରେ ଠିଆ ହୋଇଛି। ଭାରି ଶାନ୍ତି ଶିଷ୍ଟ ପିଲାଟା।

ପାଠ ବି ପଢିଛି। କମ୍ପାନୀ ଚାକିରି କରିଛି।

    ବୋଉ ସବୁ ଶୁଣି ତାର... ଦମିକୁ ବି ପଚାରି ଥିଲା।ଏତେ ସବୁ ଶୁଣି କେଉଁ ଝିଅ ମନା କରିଥାନ୍ତା । ତାଙ୍କ ତୁଳନାରେ ପୁଅ ଘର ତ ଉଚ୍ଚରେ ଏ ଗହନ, ଭିତିରି କଥା କିଏ ବା କାହିଁକି ଭାବିବ...।

    ବାହାଘର ସବୁ କାମ ସୁରୁଖୁରୁରେ ସରିଲା। ଆଜକୁ ଦେଢ଼ ମାସ ହେବ। ଦମି ଜାଣିଲା ଗତ ରାତିରେ । ସେଇଠୁ ସେ କୌଶଳ କରି ଖସି ଆସିଛି।

    ନିରୋଧା ଅପେକ୍ଷା କରିଥିଲା କାଳେ ତାର ଜୋଇଁ ଆସିବ। କିଛି ଗୋଟାଏ ମୀମାଂସା କରିବେ। ଭୁଲ୍ ବାଟରୁ ସୁଧାରିବା ପାଇଁ ସୁଯୋଗଟିଏ ଦେବ। ମାତ୍ର ସେ ସପ୍ତାହକ ମଧ୍ୟରେ ବି ଆସିଲା ନାହିଁ।

    ଦମିର ମାମୁଁ ଏ କଥା ଜାଣି ବହୁତ ଦୁଃଖ କଲା। ଏ ବିଷୟରେ ସେ କିଛି ଜାଣେନା। ବାହାଘର ପୂର୍ବରୁ ଗୋଟେ ପୁଅଠୁ ଯାହା ଯାହା ତଥ୍ୟ ନିଆ ଯାଏ ...ସେ ସବୁ ବୂଝିଛି... ସମସ୍ତେ ଭଲ କହିଛନ୍ତି। ଆଗରୁ ସେ ବାହା ହୋଇଥିଲା ଏମିତି ଝିଅ ଚାଲାଣ କରେ ଏ କଥା କାହାକୁ ଜଣା ନ ଥିଲା।କାରଣ ସେ ସବୁ ସେ ବାହାରେ କରିଛି। ଘରକୁ ଆସେ ଯାଏ। ସମସ୍ତେ ଜାଣନ୍ତି କମ୍ପାନୀ

ଚାକିରି କରେ ବୋଲି। ଏହା ଭିତରେ ଏତେ ଗୁମର ଅଛି କିଏ ବା କେମିତି ଜାଣିବ...ଲୋକଟା ବହୁତ ଖରାପ।

     ତା' ମାମୁଁ ଜୋଇଁ ପାଖକୁ ଗଲେ। ସେ ଘରେ ତାଲା ପକାଇ ଦେଇ ଫେରାର୍ ହୋଇ ଯାଇଥିଲା।

     ମାଆ ଝିଅ ଏବେ କ'ଣ କରିବେ... ଉପାୟ ଆଉ କ'ଣ ? ଝିଅର ଜୀବନ ନଷ୍ଟ ହୋଇଗଲା। ସମାଜରେ ଝିଅ ବିବାହ କରି ଥରେ ଶାଶୁଘର ଗଲା ପରେ ...ସେଠି ଏମିତି କିଛି ଅପ୍ରୀତିକର ଅସାମାଜିକ ଘଟଣା ଘଟିଲେ ବାପା ମାଆ ପାଖକୁ ଫେରି ଆସେ ସତ କିନ୍ତୁ ତା'ର ଭବିଷ୍ୟତ ଅନ୍ଧାରରୁ ଅନ୍ଧାର ଆଡ଼କୁ। କେହି ବୁଝିଲେ ବି ଜୀବନ ବା ଗଢି ଦେବ କିଏ ? ସ୍ବାମୀ ସ୍ତ୍ରୀର ସଂସାରରେ ଜଣକ ବିନା ଆଉ ଜଣେ ଅଧୁରା। ବିବାହିତ ଝିଅକୁ ଆଉ କିଏ ବା ଦରଦ ଦେଖାଇ ବାହା ହେବ। ସମାଜରେ ସେ ବାଚ୍ଛନ୍ଦ ହୋଇରହିବ। ଆଗକୁ ଲମ୍ବା ଜୀବନ ପଡିଛି ତାର...

   ପ୍ରଭୁଙ୍କୁ ଡାକିବା ଛଡ଼ା ଆଉ କିଛି ଉପାୟ ନଥିଲା

ନିରୋଦା କି ଦମୟନ୍ତୀ ପାଖରେ। ମାଆ ଝିଅ ଦୁଃଖର ଭଉଁରୀ ଭିତରେ ଉବୁଟୁବୁ ହେଉଥିଲେ।

    ବହୁତ ଭାବିଚିନ୍ତି ଶେଷରେ କେଶ୍ କଲେ। ଅନେକ ତନାଘନା ପରେ ପୋଲିସ୍ ଦ୍ଵାରା ଆରେଷ୍ଟ ହେଲା ସେ। ଏବେ ହାଜତ୍ ରେ ଅଛି । ବିଚାର ଚାଲିବ ତାକୁ ହୁଏତ ଆଜୀବନ କାରାଦଣ୍ଡ ହୋଇ ପାରେ। ମାତ୍ର ଦମୟନ୍ତୀର କ'ଣ ହେବ ତା ଜୀବନକୁ କ'ଣ ଆଉ ସଜାଡ଼ି ପାରିବ ଅବା ଆଉ କେଉଁ ପୁଅକୁ ଦ୍ଵିତୀୟ ବାହା ହୋଇ ସୁଖରେ ରହିବାକୁ ଭରସା ବିଶ୍ଵାସ କରିବ ଅମୀମାଂସିତ ଏ

ଜଟିଳ ଜୀବନର ଆଗାମୀ ଭବିଷ୍ୟତ, ସତରେ

ଅନ୍ୟମାନେ କେତେ କଷ୍ଟ ପାଆନ୍ତି, କେତେ ଯନ୍ତ୍ରଣା ସହିଥାଆନ୍ତି, କେହି ହୁଏ ଯଦି ଏମିତି ବହୁତ ଖରାପ...କେବଳ ସବୁରି ମୁହଁରେ ସେଇ କଥାର ମନ୍ତବ୍ୟ ଶୁଣାଯାଏ...

ଲୋକଟା ବହୁତ ଖରାପ...।

             


Rate this content
Log in

Similar oriya story from Tragedy