ଭଲ କଲ ମୋତେ ଭୁଲି ଗଲ
ଭଲ କଲ ମୋତେ ଭୁଲି ଗଲ
( ମନର ଭାବ ଭାବନା...ପ୍ରେମ ପ୍ରଣୟର ପରିଭାଷା... ଦୁଇ
ପ୍ରେମୀ ଯୁଗଳଙ୍କ ହୃଦୟରେ ସବୁଦିନ ଏକ ହୋଇ ରହି ନ
ଥାଏ। ଭିନ୍ନ ଭିନ୍ନ ସମୟର ପରିବେଶ ପରିସ୍ଥିତି ତଥା ତାଙ୍କର ବ୍ୟକ୍ତିଗତ ଅବସ୍ଥାକୁ ନେଇ କଡ଼ ଲେଉଟାଏ। ବୁଝାମଣାରେ
ଅନ୍ତରାୟ ସୃଷ୍ଟି କରେ। ପଟ୍ଟ ପରିବର୍ତ୍ତନ ହୁଏ... ସେମିତି ଏକ
କଥାବସ୍ତୁକୁ ନେଇ ଏ କ୍ଷୁଦ୍ରଗଳ୍ପର ଅବତାରଣା )
କିଛି ଭଲ ଲାଗୁ ନଥାଏ ପରାଗକୁ। ମୋବାଇଲ୍ ଖୋଲିଲା...ଦୃଷ୍ଟି ତାର ସ୍ଥିର ହୋଇ ରହିଲାନି କୌଣସି
ଆପ୍ ରେ। ଆଙ୍ଗୁଳି ଚାଳନା କରି ଘାଣ୍ଟି ଦେଲା ସବୁ। ନା
କିଛିରେ ବି ମନ ଲାଗିଲା ନି। ଟି.ଭି. ଖୋଲିଲା...ରିମୋଟ୍
ଧରି ଚ୍ୟାନଜଲ୍ ବଦଳାଇ ଚାଲିଲା। ସେଥିରେ ବି ନିଜକୁ
ନିଜ ମନକୁ ଥୟ କରି ପାରିଲାନି। ବାଧ୍ୟ ହୋଇ ଶୋଇବାକୁ
ଚେଷ୍ଟା କଲା...ଆଖିକୁ ଆସିଲାନି ନିଦ।
କ'ଣ ଆଉ ସେ କରିବ, ମୁଣ୍ଡକୁ କିଛି ଆସୁ ନ ଥାଏ।
ମନଟା ତାର ଚଳ ଚଞ୍ଚଳତାରେ ଆଜି ବିଚଳିତ ହୋଇ
ଯାଇଛି। ସେ ଇତସ୍ତତଃ... ବିକ୍ଷିପ୍ତ ତାର ମାନସିକତା।
କେନ୍ଦ୍ରସ୍ଥ ହୋଇ ପାରୁନି ତାର ଚିନ୍ତା ଚେତନା। ସେ ଅନୁଭବ
କରୁଛି ସବୁ ଓଲଟ ପାଲଟ ହୋଇଗଲା ତା ଜୀବନରେ ଅଚାନକ ଝଡ଼ ଆସି...। କ'ଣ ଆଉ ଖୋଜି ସାଇତିବ...
ସଜାଡ଼ି ରଖିବ। ମହାବାତ୍ୟାକୁ ପ୍ରତିରୋଧ କରିବାକୁ ତାର
ବା ଶକ୍ତି ସାମର୍ଥ୍ୟ କେତେ...।
ପରାଗ ଘରେ ଆଉ ସ୍ଥିର ହୋଇ ରହି ପାରିଲାନି। ଟି
ସାର୍ଟ ଓ ପ୍ୟାଣ୍ଟଟି ତରତର ପିନ୍ଧି...ବାଇକ୍ ନେଇ ବାହାରିଲା
ସେଇ ନଈକୂଳର ଗଛ ପଥରର ଘଞ୍ଚରେ ଥିବା ନିର୍ଜନତାକୁ... ଯେଉଁଠି ସେ ପ୍ରଥମ ଥର ପାଇଁ ଭେଟିଥିଲା ମାଧୁରିମାକୁ...
ଏ ସଂଯୋଗ ବଶତଃ। କେହି କାହାକୁ ଜାଣି ନ ଥିଲେ ତା
ପୂର୍ବରୁ।
ପରାଗ ଭାରି ପ୍ରକୃତି ପ୍ରେମୀ। ଅଧିକାଂଶ ସମୟ ବୁଲି ଯାଏ...ତା ପାଖଆଖର ବିଭିନ୍ନ ସ୍ଥାନ। ନଦୀ ବିଲ ବଣ...
ସବୁ ତାକୁ ବହୁତ ଭଲ ଲାଗେ। ବୁଲି ଆସିଲେ କେମିତି ଏକ
ଅପୂର୍ବ ତୃପ୍ତି ଅନୁଭବ କରେ ତା ହୃଦୟରେ। ତେଣୁ ବୁଲି ଆସି
ଥିଲା ଏଇ ନଈକୂଳକୁ। ସବୁଜ ଗଛଲତା ଓ ବିରାଟ ବିରାଟ ପଥରରେ ସଜାଇଲା ପରି ସୁନ୍ଦର ମନୋରମ ଏ ସ୍ଥାନଟି।
ଏହା ପୂର୍ବରୁ ବି ସେ ବହୁତ ଥର ଏଠାକୁ ଆସେ...ତା ଘରଠୁ
ପାଞ୍ଚ କିଲୋମିଟର ଦୂର।
ବୋଧହୁଏ ମାଧୁରିମା ବି ସେମିତି କିଛି ଭାବ ଭାବନାକୁ
ନେଇ ଆସିଥିଲା। ସାଙ୍ଗରେ ଥିଲେ ତାର ଆଉ ଦୁଇଜଣ
ବାନ୍ଧବୀ। ପଥର ଉପରେ ଡେଇଁ ଡେଇଁ ଯିବା ସମୟରେ
ପାଦରୁ ଜୋତା ଖସି ତଳେ ପଡ଼ି ଯାଉଥିଲା ମାଧୁରିମା।
ଆଉ ପରାଗ ହଠାତ୍ ଦେବଦୂତ ପରି ଆସି ... ମାଧୁରିମାକୁ
ବଞ୍ଚାଇ ଥିଲା ମରଣ ମୁହଁରୁ...ସେ ଦୁଇ ବାନ୍ଧବୀ ଏ ଦୃଶ୍ୟ
ଦେଖି ପ୍ରମାଦ ଗଣିବା ସଙ୍ଗେ ସଙ୍ଗେ ସ୍ତବ୍ଧ ହୋଇ ଯାଇଥିଲେ।
ସମସ୍ତେ ପ୍ରକୃତିସ୍ଥ ହେଲା ପରେ...ପରିଚୟ ଦିଆନିଆ
ହୋଇଥିଲେ ସେମାନେ। ସୁସ୍ଥ ଦେହ ମନ ନେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ବିଦାୟ ନେଇ ଯାଇଥିଲେ ଯେ ଯା'ର ଘରକୁ...। ଏ ଘଟଣାର କେଇ ଦିନ
ଭିତରେ ପରାଗ ଆଉ ମାଧୁରିମା ପରସ୍ପର...ପରସ୍ପରର
ନିକଟତର ହୋଇ...ଉଭୟେ ଉଭୟଙ୍କୁ ଭଲ ପାଇ ବସିଥିଲେ। ଦେଖା ସାକ୍ଷାତ୍ ସେମିତି ବିଶେଷ ଭାବରେ
ଦେଉ ନ ଥିଲେ ବି ମୋବାଇଲ୍ ରେ ପ୍ରତିଦିନ ଘଟୁଥିଲେ
ନିରୋଳାରେ ଘଣ୍ଟା ଘଣ୍ଟା...ନିଜ ନିଜ କଥା କହି ଜଣେ
ଅନ୍ୟକୁ ଆକୃଷ୍ଟ କରୁଥିଲେ। ଭଲ ପାଇବାର ସୀମାରେଖା
ଭିତରେ ହିଁ ଗଢି ଉଠିଲା ତାଙ୍କର ପ୍ରେମର ମହଲ।
କେବେ କେହି କାହାକୁ ଅସମ୍ମାନ ବା ଅମାନ୍ୟ କରି
ଆବେଗର ପ୍ରବଣତାରେ ପବିତ୍ର ପ୍ରେମକୁ କଳୁଷିତ
କରି ନାହାଁନ୍ତି।
ମାଧୁରିମା ସେଇ ନଈ ପାଖ ଗାଁ'ର ଝିଅଟିଏ। ସହରରେ
ରହି ପାଠ ପଢୁଥିଲା। ପଢା ସାରି ଆସି ଗାଁ'ରେ ରହୁଥିଲା
ତା ବାପା ବୋଉ ଓ ପରିବାର ସାଥୀରେ। ସେ ବଡ଼ ଘର ଝିଅ।
ଗାଁ ଓ ସହରରେ ତାଙ୍କର କୋଠା ବାଡ଼ି...ଆଜି ବି ଜମିଦାରୀ
ଅଛି..ଭାଗ ଚାଷରେ ସବୁ ଜମିର ଦେଖା ଶୁଣା କରନ୍ତି ତା ବାପା। ସେ ସାରା ଅଞ୍ଚଳରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ହେଉଛି
ତା ବାପା। ମାଧୁରିମା ଗୋଟିଏ ମାତ୍ର ଝିଅ, ତାଙ୍କ ଜମିଦାର
ବଂଶରେ। ତେଣୁ ସେ ଅତି ଆଦରଣୀୟା ଥିଲା। ଅଲିଅଳି
ମଧ୍ୟ। ଅଭାବ କଣ ପିଲା ଦିନଠୁ ଜାଣିନି...ବୁଝିନି। ଦେଖିନି
ସେ ଦରିଦ୍ରତାର ସେ କରୁଣ ଦୃଶ୍ୟ...ଅନୁଭବ କରି ନିଜ
ଭୋକ ଉପାସର ଯନ୍ତ୍ରଣା କେତେ ଦୁର୍ବିସହ।
ମାଧୁରିଆର ରୂପ ଲାବଣ୍ୟ ମନଭୁଲା। ଏମିତି କିଛି
ତ୍ରୁଟି ଗଢ଼ଣରେ ନାହିଁ କିଏ ବାରି ଦେବ...ନିନ୍ଦିବାକୁ ସାହସ
କରିବ। ଈଶ୍ବରଙ୍କ ସୃଷ୍ଟିରେ ସେ ଅନୁପମା ଅନନ୍ୟା। ଫଗୁଣର
ଫୁଲବନ ପରି ମଧୁଝରା। କୋଇଲି ପରି ତାର ସୁରିଲା କଣ୍ଠ।
ପ୍ରଜାପତି ପରି ମନ।
ଏ ସବୁରେ ପରାଗ ଆକୃଷ୍ଟ ହୋଇଥିଲା। ଯେଉଁ ଦିନ
ପଥରରୁ ଖସି ପଡିଥିଲା ତା ବାହୁ ବନ୍ଧନରେ। ସେତେବେଳେ
ତା ଦେହରେ ଖେଳି ଯାଇଥିଲା ଏକ ବୈଦ୍ୟୁତିକ ତରଙ୍ଗ,
ତାର ଝଟକାରେ ସେ ହଜାଇ ବସିଥିଲା ନିଜର ସ୍ଵତ୍ତା।
ତା ପରେ ଭଲ ପାଇ ମଧୁରିମାକୁ ମନ ପ୍ରାଣ ହୃଦୟ ଦେଇ
ସାରିଛି। ତାକୁ ନେଇ ମନର ଡାଏରୀ ଲେଖି ଚାଲିଛି
ରୋମାଞ୍ଚକର ପ୍ରେମ କାହାଣୀର ଉପନ୍ୟାସ।
ପରାଗ ଜଣେ ଗରିବ ମେଧାବୀ ଛାତ୍ର। ସୁନ୍ଦର ଚେହେରା।
ଲମ୍ବ ଛଅ ଫୁଟ। ଚଉଡ଼ା ଛାତି। ଶାନ୍ତ ନମ୍ର ଭଦ୍ର। ମାଆ
ବାପାର ଭବିଷ୍ୟତ। ଦୁଃଖ ଅଭାବ ଅନାଟନରେ ବଢ଼ି
ଗ୍ରାଜୁଏସନ୍ କମ୍ପପ୍ଲିଟ୍ କରିଛି। ଆଗକୁ ଆଉ ପଢ଼ି ପାରିଲାନି।
ପରିବାରର ଦାୟିତ୍ବ ତୁଲାଇବା ସହିତ ବାପାମାଆଙ୍କ କଥା
ବୁଝିବା ପାଇଁ ଏବେ ଏବେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ
ଜବ୍ କରୁଛି। ସେମିତି ମୋଟା ଅଙ୍କର ଦରମା ନାହିଁ। କଷ୍ଟେ
ମଷ୍ଟେ ଚଳି ଯାଉଛି। ଭଲ ଯବ୍ ପାଇଁ ଚେଷ୍ଟା ଜାରି ଥିଲା।
ମାଧୁରିମା ସହିତ ତା'ର ପ୍ରେମ ସମ୍ପର୍କ ଗଢ଼ି ଉଠିଲା ପରେ
ସେ ଆଉ ସେ ଚାକିରି କଥା ଭାବିବାକୁ ବେଳ ପାଇନି।
ଆଜି ପରାଗକୁ ମାଧୁରିମା ସଫା ସଫା ମନା କରିଦେବା,
ତାକୁ ନେଇ ସ୍ବପ୍ନ ନ ଦେଖିବାକୁ। ସେ ନିକଟରେ ଜଣେ
ଓଇଏସ୍ ଅଫିସରଙ୍କୁ ବାହା ହେବାକୁ ଯାଉଛି। ଆସନ୍ତାକାଲି
ତାର ଏନ୍ଗେଜ୍ ମେଣ୍ଟ୍ ସହରର ଏକ ସୁରମ୍ୟ ମଣ୍ଡପରେ।
କେମିତି ସେ ଧରିଥାନ୍ତା ପରାଗର ହାତ...ଅଭାବ ଅନାଟନର
ଦୈନ୍ୟତା ଭିତରେ ସେ ସଢ଼ି ପାରିବନି। ଆଦର୍ଶ ପ୍ରେମର
ଜୟ ଗାନ କରି ଜଣକର ସୁଖ ଆନନ୍ଦ ପାଇଁ ବଂଶ ମର୍ଯ୍ୟାଦା
ଆଭିଜାତ୍ୟକୁ ଧ୍ଵଂସ କରି ଦେବନି। ସେ ପରାଗକୁ ଭଲ ପାଏ।
ବଞ୍ଚିଚି ତା ପାଇଁ...ନହେଲେ ହୁଏତ ସେ ଦିନ ମରିଥାନ୍ତା।
ସେଥିପାଇଁ ସେ ଋଣୀ ପରାଗ ପାଖରେ। ତା ମାନେ ନୁହେଁ ତ
ଆଉ ଯେତେ ଦିନ ବଞ୍ଚିବ ତାହାରି ପାଖରେ ...ତାକୁ ବାହା
ହୋଇ..ବଳିଦାନ ଦେବ ନିଜକୁ। ପ୍ରେମର ସବୁ ଘାତ
ପ୍ରତିଘାତ ସହି ପରିବାର ତଥା ବାପା ମାଆଙ୍କର ସବୁ ଇଚ୍ଛାକୁ
ଏଡି଼ ଦେଇ ଏକା ପରାଗକୁ ନେଇ କ'ଣ ସେ ସୁଖୀ ହୋଇ
ପାରିବ। ସେ କହିଛି ତାର ବାପାଙ୍କୁ ସବୁ କଥା। ବାପା ବି
ପରାଗ ପ୍ରତି ସମ୍ବେଦନଶୀଳ। ତା ମାନେ ନୁହେଁ ତାକୁ
ଜୋଇଁ ଭାବରେ ଗ୍ରହଣ କରି ପ୍ରତିଷ୍ଠା ପ୍ରତିପତ୍ତିକୁ
ଧୂଳିସାତ୍ କରିଦେବେ। ପରାଗ ଚାହିଁଲେ ଯଥେଷ୍ଟ ଆର୍ଥିକ
ସାହାଯ୍ୟ କରିବେ...ଏତେ ସବୁ କଥା ଫୋନ୍ ରେ
ମାଧୁରିମା ଅନର୍ଗଳ ଭାଷଣ ଦେଲା ପରି ପରାଗକୁ ଶୁଣାଇ
ଥିଲା...ବୁଝାଇ ଥିଲା।
ତା ପରେ ପରାଗର ପ୍ରେମରେ ଲାଗିଲା ସୂର୍ଯ୍ୟ ପରାଗ।
ଅନ୍ଧକାର ମାଡିଲା ଦିନରେ। ଦେଖିଲା ପ୍ରେମରେ ସ୍ଵାର୍ଥର
ବିବର୍ଣ୍ଣ ଦୃଶ୍ୟପଟକୁ। ତା ମନର ଡ୍ରଇଂ ଖାତା ଯେତେ
ଚିତ୍ର ବିଚିତ୍ର ହୋଇଗଲା...ବୋଧହୁଏ ତାର ଦାରିଦ୍ର୍ୟତାର ଦୈନ୍ଯ ଅଭାବକୁ ଆଖି ଠାର ମାରି ଆଜିର ସଭ୍ୟତା
ଅଟହାସ କରୁଥିଲା ବିଦ୍ରୁପରେ। ସତରେ ପ୍ରେମର ସଂଜ୍ଞା
କ'ଣ ବଦଳିଗଲା। ଅର୍ଥ ସ୍ବାର୍ଥର ସର୍ବସ୍ବ ଭିତରେ ପ୍ରେମ
ଖୋଜୁଛି ଏବେ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ...ଭୋଗ ବିଳାସ। ମା'ର
ପରାଗ ପାଖରେ ବିନ୍ଦୁଏ ବି ନାହିଁ। ମନେ ମନେ ନିଜକୁ
ନିଜେ ଶତବାର ଧିକ୍କାର କଲା ପରାଗ।
ସେହି ଗଛ ପଥରର ଘଞ୍ଚରେ ବସି ଦେଖୁଥିଲା ଦୁନିଆଁର
ରଙ୍ଗମଞ୍ଚ। କେତେ ଚରିତ୍ରର କେତେ ଭୂମିକାରେ ପରିବେଷଣ
ହେଉଛି ଉଦ୍ଭଟ ନାଟକ। ସେ ସେ ନାଟକର ନିର୍ଦ୍ଦେଶକ
ହୋଇ ପାରୁଛି ନା ନାୟକ...କେବଳ ଜଣେ ସାଧାରଣ
ଦର୍ଶକଟିଏ ହୋଇ ସମୀକ୍ଷା କରୁଛି ନିଜକୁ...ତାର ଭୁଲ୍
କେଉଁଠି ?
ସେତେବେଳକୁ ସୂର୍ଯ୍ୟ ହେଉଥାନ୍ତି ଅସ୍ତାଚଳଗାମୀ।
ତାଙ୍କର ଅସ୍ତରାଗର ରକ୍ତିମ ଆଭା ଏତେ ତେଣେ ଛିଟିକି
ପଡୁଥିଲା ଲାଲା ରକ୍ତ ପରି। ପରାଗକୁ ଅନୁଭୂତ ହେଲା
ସେ ସବୁ ବୋଧେ ତା ହୃଦୟରୁ ବହି ଆସିଛି ତାକୁ ନିଃପ୍ରାଣ
କରି ଦେବାକୁ...
ରାତ୍ରିର ଘନ ଅନ୍ଧାର ମାଡି ଆସିବା ପୂର୍ବରୁ ପରାଗ
ଫେରି ଆସିଲା ତା ଘରକୁ...।
ସବୁ ଚୁପଚାପ୍ ହୋଇଗଲା।ତିନି ବର୍ଷର
ବ୍ୟବଧାନ ପରେ ହଠାତ୍ ନ୍ୟୁଜ୍ ର ହାଇ ଲାଇଟ୍ ଓ
ସବୁ ଆଞ୍ଚଳିକ ଠାରୁ ଆନ୍ତର୍ଜାତିକ ସମ୍ବାଦ ପତ୍ରରେ
ପରାଗର ଫୋଟ ସହିତ ତଳେ ଲେଖା ହେଲା ଆଇଏଏସ୍
ଟପ୍ପର୍...
ସ୍ଵାଗତର ସୁଅ ଛୁଟିଲା। ସମ୍ବର୍ଦ୍ଧନା ପରେ ସମ୍ବର୍ଦ୍ଧନା...
ସଭାମଞ୍ଚରେ ଫୁଲତୋଡ଼ାର ପାହାଡ଼... ପରାଗର ମନରେ ପ୍ରେମର ପରାଗ ସଙ୍ଗମ କରାଉଥାଏ...ଆଉ କହୁଥିଲା
ପ୍ରେମରେ ପରାସ୍ତ ସ୍ଵୀକାର ନ କରି ଆତ୍ମବିଶ୍ଵାସକୁ ଉତ୍ଜୀବିତ
ରଖି ଶ୍ରମ ସାଧନାରେ ଅସମ୍ଭବ ମଧ୍ୟ ସମ୍ଭବ ହୁଏ।
ହଜାର ହଜାର କନ୍ଗ୍ରାଚୁଲେସନ୍ ମେସେଜ୍... ଅଭିନନ୍ଦନ
ଜ୍ଞାପନ ଭିତରେ ସେ ଦିନ ବି ପରାଗର ଦୃଷ୍ଟି ସେ ମାଧୁରିମାର
ଅଭିନନ୍ଦନ ମେସେଜ୍ ଉପରେ ଅଟକି ଯାଇଥିଲା...
ମାଧୁରିମା ଲେଖିଥିଲା...ପରାଗ..ହାର୍ଟି କନ୍ଗ୍ରାଚୁଲେସନ୍ସ ଟୁ ଇୟୁ ଆଉ ପରାଗ ତା ରିପ୍ଲାୟରେ ଲେଖି ଦେଇଥିଲା.
ଭଲ କଲ ମୋତେ ଭୁଲି ଗଲ ।