ପେଟୁ ଗଣେଶ
ପେଟୁ ଗଣେଶ
ବାହା ହୋଇ ନୂଆ ଆପାର୍ଟମେଣ୍ଟକୁ ଆସିଲା ପରେ ମିତୁଲ ଓ ଅମିତ ଖୁବ ଖୁସି ଥାନ୍ତି l ଚଡେଇ ହଳେ ଦିନ ଦିନ ଲାଗି କାଠିକୁଟା ସଂଗ୍ରହ କରି ବସା ବାନ୍ଧି ଦେଲା ପରେ ନିଶ୍ଚିନ୍ତ ନିଦରେ ଶୋଇପଡନ୍ତି l
ହେଲେ ଶୋଇଥିବା ବେଳେ କଲିଙ୍ଗ ବେଲ ମାରିଲେ କି ବିରକ୍ତ ଲାଗେ l କବାଟ ଖୋଲି ଦେଖିଲେ କେହି ନଥାନ୍ତି l ଭୂତ ପ୍ରେତ ତ ନୁହେଁ ଆଉ?
ଦିନେ ମିତୁଲ ଧରିଲେ ଆସାମୀଟିକୁ l
ଲେନ୍ସ ବାଟେ ଦେଖିଲେ.... ବାହାରିଲା ମୋଟୁ ଛୁଆଟିଏ....
ପ୍ରାୟ ପ୍ରତିଦିନ ଆସି କଲିଙ୍ଗ ବେଲ ବଜାଇ ଧାଇଁ ପଳାଏ l ବୟସ ପ୍ରାୟ ପାଞ୍ଚ ବର୍ଷ ହେବ l
ଜଗି ବସି ସେ ବେଲ ମାରିବା ପୂର୍ବରୁହିଁ ତା'ହାତ ଧରି ପକାଇଲେ l ପଚାରିଲେ ନାଁ କଣ? କେତେ ନମ୍ବର ଫ୍ଲାଟରୁ ଆସୁଛି,ବେଲ ମାରିବା ଉଦ୍ଦେଶ୍ୟ କଣ ବୋଲି ଜେରା କଲେ l
କିଛି ଉତ୍ତର ପାଇଲେନି l ଓଲଟା ପିଲାଟି ଘର ଭିତରକୁ ଗଳି ଚାହିଁଲା.... ଚାହିଁଲା, ପଚାରିଲା,
- ଆଣ୍ଟି, ସେଇଟା କଣ?
- ସେଇଟା ହ୍ୱାଇଟ ବୋର୍ଡ ମାନେ ଧଳା ପଟା l
- ସେଥିରେ ତୁମେ ମାର୍କରରେ ଲେଖ ନା ସ୍କେଚରେ?
ପିଲାଟିର ପାଟି ଲାଗୁଥାଏ l ଗେଣ୍ଡା ଚାଲିବା ସ୍ପିଡ଼ରେ କଥା କହୁଥାଏ ଭାରି ମଜା ଲାଗୁଥାଏ ତା' କଥା ଶୁଣିବାକୁ l
ମିତୁଲ କହିଲେ,
- ଉଭୟରେ l ସ୍କେଚପେନ ଦେଇ କହିଲେ
-ନିଅ ଲେଖିବାକୁ ଚାହୁଁଚ କିଛି...?
ଆସି କନ୍ନଡା ଅ ଆ.... ଲେଖିଦେଲା ଆଖି ପିଛୁଳାକେ l ମହା ବିଚକ୍ଷଣ l ପାଟିରୁ ବିଶେଷ କଥା ନ ବାହାର କରି କାମରେ କରି ଦେଖାଇବା ପିଲା l କଥାରେ ଯେତିକି ମନ୍ଥର, କାର୍ଯ୍ୟରେ ସେତିକି ଚଞ୍ଚଳ l
ମିତୁଲ ପଚାରିଲେ
-କଉ କ୍ଲାସ?
ଦୁଇ ଆଙ୍ଗୁଳି ଦେଖାଇଲା l
-ବାବା ସେକେଣ୍ଡ ଷ୍ଟାଣ୍ଡାର୍ଡ କହନ୍ତି, ଆଜି ଗଣେଶ ପୂଜା l ନିଅ ଲଡ଼ୁ l
ଦୁଇ ହାତରେ ଦୁଇଟା ଆଉ ପାଟି ଫୁଲ କରି ଚାହିଁଲା l
ମିତୁଲ ଜାଣିଲେ ଭୋକରେ ଅଛି l ପଚାରିଲେ,
-ଦୋଷା ଖାଇବ?
କିଛି କହିଲାନି l କିଛିବି ଇନ୍ଫର୍ମେସନ ଲିକ କରିବାକୁ ସରକାର ମନା କରି ପଡିଶା ଘରକୁ ପଠାଇଛନ୍ତି ବୋଧହୁଏ l ଓଲଟା ପଚାରିଲା,
- ଆଣ୍ଟି ତୁମେ ଧଳାପଟା କାହିଁ ରଖିଛ?
ଆଚ୍ଛା, ପୁରା ଯାଞ୍ଚ ପାରତାଲ କରିକି ଯିବ ତାହାହେଲେ??
ହସି ହସି କହିଲେ ମିତୁଲ,
- ମୁଁ ଅନ ଲାଇନ ଟ୍ୟୁସନ କରେ l ବଡ଼ ପିଲାଙ୍କୁ ପଢ଼ାଏ l ତୁମ
ନାଁ କଣ?
- ଦୋଷା ସାଙ୍ଗରେ କଣ ଅଛି?
ପ୍ରଶ୍ନ ବଦଳରେ ପ୍ରଶ୍ନ? ମିତୁଲ ଭାବିଲେ ଉତ୍ତର ହିଁ ଦେବା l
- ଚଟଣି ଆଉ ଗୋଲା ପଜାମୁ l
କିଛି ନକହିବାକୁ ପିଲାଟି ବଦ୍ଧପରିକର l ୱାନ ସାଇଡେଡ଼ ଫୋନ ପରି l କେବଳ ରିସିଭ କରିହେବ l କଥାହେବା କଷ୍ଟ l ତଥାପି ଚାଲୁ l
ଦୋଷା ଖାଉଥାଏ କମ ପକାଉଥାଏ ତଳେ ବେଶୀ l ତାକୁ ଲକ୍ଷ୍ୟ କରି ମିତୁଲ ପଚାରିଲେ,
- ବାବା... ତୁମକୁ ମମି ଖୁଆଇ ଦିଅନ୍ତି ନା ନିଜେ ଖାଅ?
- ନିଜେ ହାତରେ ଖାଏ l
ସଗର୍ବରେ ଉତ୍ତର ଦେଲା ସଣ୍ଢା ଟେକି ଏଥର l ଯେମିତି ଗୋଟେ ବଡ଼ ମାଇଲ ଖୁଣ୍ଟ ପାର କରିଛି ସେ l ସବୁ ବୟସ ପାଇଁ ଗୋଟେ ଗୋଟେ ମାଇଲଖୁଣ୍ଟ ଥାଏ l ତା ବୟସରେ ହାତରେ ଖାଇବା l ସେ କେତେ ପରିଶ୍ରମ କରି ସେତକ କଳା ଅକ୍ତିଆର କରିଛି l ଗର୍ବ କରିବନି? ତା ଉତ୍ତର ଦେବାର ଢଙ୍ଗରୁ ଏତକ ଜଣା ପଡିଲା l
ଓହୋ, ଫୋନଟାରେ ତାହାଲେ ଇନକମିଙ୍ଗ ଆଉ ଆଉଟ ଗୋଇଙ୍ଗ ଉଭୟ ବ୍ୟବସ୍ଥା ରହିଛି l ସରକାରଙ୍କର ଜୈ l
ଛୁଟିରେ ଡେରି ଯାଏ ଶୋଇବାକୁ ପସନ୍ଦ କରୁଥିବା ଅମିତ ପିଲା ପାଟି ଶୁଣି ନ ଶୋଇ ଉଠିଆସିଲେ l ପଚାରିଲେ,
-ଆରେ ଏ କିଏ? ବାବା, ତୁମ ନାଁ କନ?
-ଅଙ୍କଲ, ମୋ ନାଁ ପାର୍ଥ l
- ମାନେ ପୁରା ନାଁ? ପାର୍ଥ ପରେ କଣ?
- ଆଉ ଗୋଲାପ ଜାମୁନ ଅଛି?
ଏତେ ବେଳକୁ ମିତୁଲ ଜାଣି ଗଲେଣି ତା ଦୁର୍ବଳତା l
- ଫାଷ୍ଟ କୁହ ତୁମ ସ୍କୁଲ ନାଁଟା? ମିତୁଲ ପଚାରିଲେ l ଆଗେ ଖାନା ତାପରେ ଗାନା... ଭାବିଲେ ଏ ପକ୍କା ବ୍ରାହ୍ମଣ ଘର ପରି ଲାଗୁଚି l ଖାଦ୍ୟ ଲୋଭୀ l
ପାଞ୍ଚ ଘଣ୍ଟା ଲଗେଇ ପାର୍ଥ କହିଲା,
- ଯୁନାଇଟେଡ଼ .... ଇଣ୍ର୍ନେ...ଇଣ୍ଟର୍ନେସ... ନାଲ ସ୍କୁଲ
-ହେ ଭଗବାନ, ସ୍କୁଲ ନାଁ ମାନେ ସ୍କୁଲର ନାଁ ନୁହଁ...
ଆରେ ବାବୁ ତୁମକୁ କଣ ଡାକନ୍ତି ? ତୁମ ଟାଇଟେଲ ଫାଇଟେଲ କିଛି ଅଛି ନା ନାହିଁ?
ପୁଣି ଚୁପ l
-ଆଉ ଚଟନୀ?? ମିତୁଲ ପଚାରିଲେ l
- ହଁ ( ପାଞ୍ଚ ଛ ଥର ମୁଣ୍ଡ ଟୁଙ୍ଗାରିଲା )
ଅମିତ ପଚାରିଲେ,
-ଆଚ୍ଛା ବାବାଙ୍କ ନାଁ?
- ସରୋଜ l
- ବାସ ସରୋଜ?
ମୁଣ୍ଡ ଟୁଙ୍ଗାରି ଖାଇବାରେ ମନୋନିବେଶ କଲା l ଖାଦ୍ୟ ସମାପ୍ତି ପରେ
ମିତୁଲ ପଚାରିଲେ,
- ତୁମ ଫୁଲ ନାଁ କୁହ l ମୋ ନାଁ ଯେମିତି ମିତୁଲ ମିଶ୍ର l
- ମୋ ନାଁ ବି ପାର୍ଥ କୁମାର ମିଶ୍ର l
ଅମିତ ଓ ମିତୁଲ ଉଭୟ ଚାହାଁ ଚାହିଁ ହୋଇ ହସି ଦେଲେ l ଭାବିଲେ,
ଯାହା ଶୁଣୁଛି ସେୟା ହିଁ କହୁଛି କି କଣ l ଦୁଇଟା ଘର ଛାଡି ତାଙ୍କ ଘରକୁ ଯାଇ ଛାଡି ଆସିଲା ବେଳକୁ ଘରର ନାମ ଫଳକ ଉପରେ ଲେଖା ଯାଇଛି ତା ବାପାଙ୍କ ନାଁ ..
ଇଞ୍ଜିନିଅର ସରୋଜ କୁମାର ମିଶ୍ର
ସେବେଠୁ ଦୁଇ ପଡିଶା ଚିହ୍ନା ଚିହ୍ନି ହେଇଯାଇଥିଲେ l ପିଲାଟି ଯେବେବି ଦେଖା ହୁଏ, କହେ, ମୋ ନାଁ ପାର୍ଥ କୁମାର ମିଶ୍ର l ଆଉ ପାର୍ଥ ଡାକିଲେ କହେ, ଖାଲି ପାର୍ଥ ନୁହେଁ, କୁମାର ମିଶ୍ର l ତିନିଟା ନାଁ ମୋର,ଠିକ ଅଛି?
ମିତୁଲ କହିଲେ....
- ଓରଫ ପେଟୁ l ଦାନା ଭିତରକୁ ଗଲେ ପେଟୁ ପାଟି ଖୋଲିବ l ସତରେ ଛୋଟବେଳ କଥା କେତେ ନିଆରା l ଅଚିହ୍ନା ଅଜଣାଙ୍କୁବି ଆପଣାର କରିବାପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େନି l ବାସ ବାହାନା କରି କଲିଙ୍ଗ ବେଲ ମାରିବାର ଅଛି l ଯେତେଯେତେ ବଡ଼ ହେଇଯାଉ ମନଟା ହୁଏତ ସେତେ ଛୋଟ ହୋଇ ହୋଇ ଯାଏ l ନା କାହା ଉପରେ ସହଜରେ ବିଶ୍ୱାସ ଆସେ ନା ଇଚ୍ଛା ଥିଲେବି କଥା ହେଇହୁଏ l ଆଗ କାଳରେ ଜେଜେ, କାକା, ଦାଦା ସମସ୍ତେ ଛୁଆ ମାନଙ୍କୁ ବୁଝାଇ ଦେଉଥିଲେ, ଗପ, କବିତା, ନିତି କଥା କହୁଥିଲେ l
ସେପଟେ ସ୍ତ୍ରୀ ଲୋକମାନେ ନିଜ କାମ କରିପାରୁଥିଲେ l ଯାହା ସାଙ୍ଗରେ ନାହିଁ ତା ସାଙ୍ଗରେ ସବୁ ଛୁଆ ବସି ଗୁଣ୍ଡାଏ ଗୁଣ୍ଡାଏ ଖାଇ ଖେଳୁଥିଲେ l ଭାତ, ଡାଲି ଆଳୁ ଚକଟାରେ ବି କେତେ ଆତ୍ମସନ୍ତୋଷ l
ଆଜିକାଲି ନା ଯୌଥ ପରିବାର ଅଛି ନା ଵୟୋଜ୍ୟେଷ୍ଠଲୋକେ ବା ପିଲାମାନେ ସାଙ୍ଗ ପାଉଛନ୍ତି l
ସେ ଯାହାହେଉ, ଅମିତ ଆଉ ମିତୁଲଙ୍କୁ ନୂଆ ଆପାର୍ଟମେଣ୍ଟରେ ନୂଆକରି ଗଣେଶ ପୂଜାରେ ପେଟୁ ଗଣେଶଙ୍କ ପରି ଛୁଆସାଙ୍ଗଟିଏ ମିଳିଗଲା l ଆଉ ଚିନ୍ତା କଣ? ଏଥର ଦୁଇ ପରିବାର ମିଶିଗଲେ l ସୁବିଧା ଅସୁବିଧାରେ ସାଙ୍ଗ ହୋଇ ଚଳିଲେ l ଅଜଣା ସହର ଏବେ ଆଉ ଅଜଣା ରହିଲା କେଉଁଠି?
ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଓ ଅଭିନନ୍ଦନ l ସମସ୍ତେ ଖୁସିରେ ମିଳିମିଶି ରହନ୍ତୁ l ସର୍ବେ ଭବନ୍ତୁ ସୁଖିନଃ l