Rabindra kumar Sahoo

Romance Tragedy

4.0  

Rabindra kumar Sahoo

Romance Tragedy

ପ୍ରେମ ଏକ ଝଡ

ପ୍ରେମ ଏକ ଝଡ

5 mins
328


   ଆଜିକା ଦୁନିଆଁରେ ପ୍ରେମ ଏକ ଅଜବ ଚିଜ । କିଏ ତାକୁ କେଉଁ ପ୍ରକାରେ ଉପସ୍ଥାପନା କରୁଛି ତାହା ନା ମୁଁ ଜାଣିଛି ନା ତୁମେ ଜାଣିଛ ? ହଠାତ୍ ଦୁନିଆଁ ଟା ବଦଳିଗଲା ଭଳି ଲାଗୁଥିଲା ଜିତେନ୍ଦ୍ରକୁ । ସବୁ ଥାଇ ମଧ୍ୟ ସେ ଆଜି ନିଃସ୍ଵ । ବାପ ମାଆଙ୍କର ଅତି ଗେଲବସରିଆ ପୁଅ ଥିଲା ଜିତେନ୍ଦ୍ର । କଲେଜରେ ପଢିଲା ବେଳେ ସୁନୀତାକୁ ଭଲ ପାଇ ବସିଥିଲା । ଜିତେନ୍ଦ୍ରର ବାପା ଜଣେ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଥିଲେ । ଜିତେନ୍ଦ୍ର ଥିଲା ତାଙ୍କ ବାପାମାଆଙ୍କର ଏକ ମାତ୍ର ସନ୍ତାନ । ପିଲାବେଳୁ ସେ ଭଲ ପଢୁଥିଲା । କେତେ ସ୍ଵପ୍ନ ସେ ଦେଖିଥିଲା ତା ଜୀବନରେ, ଜୀବନର ଅଙ୍କାବଙ୍କା ରାସ୍ତାରେ ଗତି କରୁ କରୁ ହଠାତ୍ କଲେଜ ଜୀବନରେ ଦେଖା ହୁଏ ସୁନୀତା ସହ, ଗଢି ଉଠେ ତା ସହ ପ୍ରେମ ସମ୍ପର୍କ । ଦେଖିବାକୁ ରୂପରେ ଅତି ସୁନ୍ଦର ଥିଲା ଗୁଣରେ ବି ଅତ୍ୟନ୍ତ ଚମତ୍କାର ଥିଲା । ସମୟ ସହ ତାଳ ଦେଇ ଦେଇ ଚାଲୁ ଚାଲୁ ହଠାତ୍ ଜୀବନର ମୋଡ ବଦଳିଗଲା ସୁନୀତା ଜିତେନ୍ଦ୍ରର ବନ୍ଧୁ ସହପାଠୀ ରମେଶକୁ ବିବାହ କଲା । ଜିତେନ୍ଦ୍ର ଓ ସୁନୀତାଙ୍କ ପ୍ରେମରେ ପୂର୍ଣ୍ଣଛେଦ ପଡିଲା । ସେହି ଦିନୁ ଜିତେନ୍ଦ୍ରର ବାପାମା ଜିତେନ୍ଦ୍ରକୁ ଯେତେ ବୁଝାଇଲେ ବି ସେ ଆଉ ବିବାହ କରିବ ନାହିଁ ବୋଲି ଏକ ପ୍ରକାର ସ୍ଥିର କରିଦେଇଥିଲା ଓ ସେ ମଧ୍ୟ ଆଉ ବିବାହ କରି ନ ଥିଲା । ଜୀବନ ଟା କେମିତି ଗୋଟାଏ ତାକୁ ଦୁର୍ବିସହ ହେଲା ଭଳି ଲାଗୁଥିଲା । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କୃତି ଛାତ୍ର ଜିତେନ୍ଦ୍ର ଚାକିରୀ ବାକିରି କଲା ନାହିଁ । ବାପା ମାଆ ତାକୁ ଯେତେ ବୁଝାଇଲେ ମଧ୍ୟ ନା ସେ ଆଉ ବିବାହ କରି ସଂସାର କଲା ନା ସେ ଚାକିରୀ କରି ରୋଜଗାର କରିବା ପାଇଁ ଇଛା କଲା । ଏକ ପ୍ରକାର ବିତୃଷ୍ଣା ଭାବେ ଜୀବନ ବିତାଇବାକୁ ଚାହୁଁଥିଲା ବେଳେ କଲେଜର ସାଙ୍ଗ ମାନଙ୍କ ସଂସ୍ପର୍ଶରେ ଆସି ଦେଶ ସେବା ଓ ସମାଜ ସେବାରେ ମନୋନିବେଶ କରିବା ପାଇଁ ଚେଷ୍ଟା କରିବାକୁ ଆରମ୍ଭ କଲା । ବେଳେବେଳେ ଜିତେନ୍ଦ୍ର ଭାବୁଥିଲା ସତରେ କେତେ ହତଭାଗ୍ୟ ସେ । ଯାହାକୁ ନିଜର ସବୁକିଛି ବୋଲି ଭାବୁଥିଲା, ମନ ଓ ହୃଦୟ ଯାହାକୁ ସର୍ବସ୍ୱ ସମର୍ପଣ କରିଦେଇଥିଲା, ଯିଏ କି ସୁନୀତାକୁ ତା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାବୁଥିଲା ଶେଷରେ ସେ ମଧ୍ୟବିତ୍ତ ପରିବାରର ଜିତେନ୍ଦ୍ରକୁ ଏମିତି ଅଧା ବାଟରେ ଏକା କରି ଛାଡି ଚାଲିଯିବ ବୋଲି ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲା । ହେଉ କ'ଣ କରାଯିବ ବିଧିର ବିଧାନ ଭାବି ମନକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଜିତେନ୍ଦ୍ର ତା ମନ ଓ ହୃଦୟରୁ ସୁନୀତାକୁ ଭୁଲି ପାରୁ ନ ଥିଲା । ହେଲେ ସେ ଥିଲା ବଡ ଲୋକ ଘରର ଝିଅ ପୁଣି ବ୍ରାହ୍ମଣ ଘରର ଝିଅ, କିନ୍ତୁ ଜିତେନ୍ଦ୍ର ଥିଲା ଖଣ୍ଡାୟତ ଘରର ପିଲା ।ଏଣେ ଜାତି ତେଣେ ଧନ ସମ୍ପଦରେ ଭିନ୍ନତା କାରଣରୁ ସୁନୀତାର ବାପା ମାଆ ରାଜିହେଲେନି ତାଙ୍କ ଝିଅ ସୁନୀତା ଜିତେନ୍ଦ୍ର ସହ ବିବାହ ଦେବାକୁ । ସବୁ ଜାଣିଶୁଣି ସୁନୀତା ତା'ର ବାପାମାଆଙ୍କ କଥାରେ ରାଜି ହୋଇ ନୀରବରେ କିଛି ନ ଜାଣିଲା ପରି ରମେଶକୁ ବିବାହ କରିଥିଲା । ସେ ପରିସ୍ଥିତି ରେ ପଡି ସିନା ରମେଶକୁ ବିବାହ କଲା ହେଲେ ଜିତେନ୍ଦ୍ରର ଅବସ୍ଥା କ'ଣ ହେବ ସେ କଥା କେବେ ସେ ଚିନ୍ତା କରି ନ ଥିଲା । ଅର୍ଦ୍ଧାହାର, ଅର୍ଦ୍ଧପାଗଳ ଓ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହୁଥିଲା ଜିତେନ୍ଦ୍ର । ସମୟ ସବୁଦିନ ସମାନ ଯାଏ ନାହିଁ ଜିତେନ୍ଦ୍ରର ସାଙ୍ଗ ସାଥୀ ସବୁ ତାକୁ ଭଲ ପାଉଥିଲେ ଯେହେତୁ ସେ ଏକ କୃତି ଛାତ୍ର ଥିଲା ତାକୁ ସାନ୍ତ୍ଵନା ଦେଇ ଅନେକ ବୁଝାଇଲା ପରେ ସେ ନିଜକୁ ଏକ ସମାଜ ସେବକ ରୂପେ ଗଢିତୋଳିବାକୁ ଚେଷ୍ଟା କଲା । ସ୍ଥିର କଲା ନୂତନ ପିଢ଼ିର ଯୁବକମାନଙ୍କୁ ସୁସଂଗଠିତ କରି ସୁନ୍ଦର ବିଶ୍ଵଟିଏ ଗଢିବା ପାଇଁ ଯେଉଁଠି ନ ଥିବ ଉଚ୍ଚ ନୀଚ୍ଚର ପ୍ରଭେଦ, ଜାତି ଧର୍ମର ପ୍ରଭେଦ। ପ୍ରତ୍ୟେକ ମଣିଷ ପ୍ରତ୍ୟେକ ମଣିଷକୁ ଭଲପାଇବେ । ଜିତେନ୍ଦ୍ର ଭାବେ ରକ୍ତ ମାଂସ ହାଡ଼ରେ ଗଢା ପ୍ରତ୍ୟେକ ମଣିଷର ଶରୀର ଶିକ୍ଷା, ସଂସ୍କାର, ଚରିତ୍ରବାନ୍ ହେଲେ ତ ମଣିଷର ମାନବିକତା ଓ ମଣିଷପଣିଆର ବିକଶିତ ହୋଇଥାଏ ତେବେ ଏ ମଣିଷ ଜାତି ଜାତି ନାଆଁରେ ଧର୍ମ ନାଆଁରେ ଏତେ ବିଭେଦର ପ୍ରାଚୀର ସୃଷ୍ଟି କରେ ? ମାନବ ସଭ୍ୟତାର ଏତେ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ଘଟିଲା ପରେ ବି କାହିଁକି ମଣିଷ ଏମିତି ଯେ ଦୁଇଟି ହୃଦୟର ମିଳନରେ ବ୍ୟାଘାତ ସୃଷ୍ଟି କରନ୍ତି । ଯେଉଁ ଧର୍ମ ଗ୍ରନ୍ଥମାନଙ୍କରେ ଲେଖାଅଛି ସକଳ ଘଟେ ନାରାୟଣ, ମଣିଷ ଦ୍ଵାରା ପ୍ରଣିତ ନୀତି ନିୟମରେ ମଧ୍ୟ ଲେଖା ଅଛି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷେ ସମସ୍ତ ମଣିଷ ଆଇନ୍ ଆଖିରେ ସମାନ ତଥାପି ଆଜିର ସଭ୍ୟ ଶିକ୍ଷିତ ମଣିଷ ସଭ୍ୟତାର ଚରମ ସୀମାରେ ପହଞ୍ଚିଲା ପରେ ବି ତା'ର ମନର ସଂକୀର୍ଣ୍ଣତାକୁ ଦୂର କରି ପାରୁ ନାହିଁ । ସେହି ପ୍ରଥା, ପରମ୍ପରାର ଦ୍ଵାହି ଦେଇ ନିଜର ବୁଦ୍ଧି, ବିବେକ ଓ ଶିକ୍ଷାକୁ ପଛକୁ ପକାଇ ଦେଉଛି । ଏମିତି ଅନେକ ଦ୍ଵନ୍ଦ୍ଵ ମଧ୍ୟରେ ମାନସିକ ଚାପରେ ଥାଇ ସମାଜ ସଂସ୍କାର ଦିଗରେ ଯୁବପିଢିଙ୍କୁ କିଛି ଦିଗ୍ ଦର୍ଶନ ଦେବା ପାଇଁ ସମାଜରେ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ କରିବା ପାଇଁ ନୂତନ ପିଢ଼ିର ଅନେକ ପ୍ରେମୀ ଯୁଗଳ ଯୁବକ ଯୁବତୀଙ୍କୁ ବିବାହ କାର୍ଯ୍ୟ ନିଜେ ହିଁ ସମ୍ପନ୍ନ କରିଥିଲା ଜିତେନ୍ଦ୍ର । ବୟସର ଅପରାହ୍ନରେ ପଦାର୍ପଣ କଲା ସତ୍ତ୍ୱେ ମଧ୍ୟ ଭୁଲି ନ ଥିଲା ସେ ସୁନୀତାକୁ । ବେଳେବେଳେ ଭାବେ ପ୍ରକୃତରେ ପ୍ରେମ ଏକ ଜୁଆର ନା ଭଟ୍ଟା, ଜୀବନର ଆରମ୍ଭ ନା ଶେଷ, ଉନ୍ନତି ନା ଅବନତିର ଗୋଟାଏ ସୋପାନ ? ପ୍ରେମ ଗୋଟାଏ ବିଜ୍ଞାନ ନା ଦର୍ଶନ ? ଏମିତି ଅନେକ ପ୍ରଶ୍ନ ତା ମନରେ ଉଙ୍କି ମାରୁଥିଲା ଓ ମନର ମାନସୀ ସୁନୀତାକୁ ପ୍ରତି କ୍ଷଣେ ଅନୁକ୍ଷଣେ ଝୁରି ହେଉଥିଲା । ପ୍ରତି ମୁହୂର୍ତ୍ତରେ ନିଜକୁ ପ୍ରଶ୍ନ କରେ ପ୍ରକୃତରେ ଯିଏ ଯାହାକୁ ମନ, ପ୍ରାଣ ଓ ହୃଦୟ ଦେଇ ଭଲ ପାଇଥାଏ ସତରେ କ'ଣ ସେ ତାକୁ ଭୁଲିପାରେ ସେ ପୁଅ ହେଉ ଅବା ଝିଅ ହେଉ, ସେ ପ୍ରେମିକ ହେଉ ଅବା ପ୍ରେମିକା ହେଉ ? ଅନେକ ଅସମାହିତ ପ୍ରଶ୍ନ ଭିତରେ ଘୂରି ବୁଲି ବୁଲି ଜିତେନ୍ଦ୍ର ବେଳେ ବେଳେ ଥକି ପଡେ । ତଥାପି ସମାଜ ସେବାକୁ ଜୀବନର ନିଶା ଭାବେ ଗ୍ରହଣ କରିଥିଲା ଜିତେନ୍ଦ୍ର ଅନେକ ପ୍ରେମୀ ଯୁଗଳଙ୍କ ବିବାହ କାର୍ଯ୍ୟ ନିଜେ କରାଇଛି, ଅନେକ ପ୍ରେମ କରି ବିବାହ କରିବା ପାଇଁ ଚାହୁଥିବା ପୁଅଝିଅଙ୍କ ପିତାମାତାଙ୍କୁ କାଉନସେଲିଂ କରି ସେମାନଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରାଇ ସେମାନଙ୍କ ପୁଅଝିଅଙ୍କ ଘର ବସାଇ ଛନ୍ତି, ଅନେକ ସ୍ଵାମୀ ସ୍ତ୍ରୀଙ୍କର ବିବାହ ବିଚ୍ଛେଦକୁ ମଧ୍ୟ ପୁନଃ ଯୋଡ଼ିଛନ୍ତି ଜିତେନ୍ଦ୍ର । ପ୍ରତି ଗାଆଁଗଣ୍ଡା, ଗଳି କନ୍ଦିରେ ଜିତେନ୍ଦ୍ର ଆଜି ପରିଚିତ ହୋଇଯାଇଥିଲା ତା'ର ସମାଜ ମଙ୍ଗଳ କାର୍ଯ୍ୟ ପାଇଁ । ବେଳେବେଳେ ସେ ଭାବୁଥିଲା ସତରେ ତା'ର ସେହି ଚିର ଶାଶ୍ଵତ ପ୍ରେମର ବିରହ ନ ହୋଇଥିଲେ ଗୋଟିଏ ଛୋଟିଆ ଚାରିକାନ୍ଥ ମଧ୍ୟରେ ସୁନୀତା ସହ ଘର ସଂସାର କରି ରହିଥିଲେ ନା ତାକୁ ନା ସୁନୀତାକୁ ନା ତାଙ୍କ ଦୁହିଁଙ୍କର ପ୍ରେମକୁ କିଏ ଚିରକାଳ ମନେ ରଖିଥାନ୍ତା । ଜିତେନ୍ଦ୍ରର ଏ ସବୁ କାର୍ଯ୍ୟ କଳାପ ବିଷୟରେ ଶୁଣି ସୁନୀତା ତା'ର ସ୍ଵାମୀ ରମେଶକୁ କହିଲା ଥରେ ଜିତେନ୍ଦ୍ରକୁ ଦେଖା କରିବା ପାଇଁ । ରମେଶ ମଧ୍ୟ ଜାଣିଥିଲା ସୁନୀତା ଜିତେନ୍ଦ୍ରକୁ ଭଲ ପାଉଥିଲା ବୋଲି । ହେଲେ ସେ ମଧ୍ୟ ତା'ର ପରିବାରର ଚାପରେ ସୁନୀତାକୁ ବିବାହ କରିଥିଲା । ସୁନୀତାର କଥା ରକ୍ଷା କରି ଉଭୟେ ସୁନୀତା ଓ ରମେଶ ଜିତେନ୍ଦ୍ରକୁ ଦେଖା କରିବାକୁ ଗଲେ। ଜିତେନ୍ଦ୍ର ସୁନୀତା ଓ ରମେଶକୁ ତାଙ୍କ ବିବାହର ଏତେ ବର୍ଷ ପରେ ଆସିବାର ଦେଖି ଖୁସି ଯେତିକି ହେଲା ମନରେ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରିଲା ହଠାତ୍ ଜିତେନ୍ଦ୍ର ରମେଶ ଓ ସୁନୀତା ଦୁହିଁଙ୍କୁ ପ୍ରଶ୍ନ କଲା ଏତେ ଦିନ ପରେ କେମିତି ମୋ କଥା ମନେ ପଡ଼ିଲା ? ଉଭୟେ ରମେଶ ଓ ସୁନୀତା ବହୁତ ମନ ଦୁଃଖ କରି କହିଲେ ଆମକୁ ଆଉ ଲଜ୍ଜ୍ୟା ଦିଅନି ।ଏକଥା କହୁ କହୁ ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା, ସେଇଠି ଜିତେନ୍ଦ୍ର ସୁନୀତା ଓ ରମେଶକୁ କହିଥିଲା ସେ ପ୍ରେମର ଝଡ ଯଦି ମୋ ଜୀବନରେ ଆସି ନ ଥାନ୍ତା ମୁଁ ହୁଏତ ଜୀବନର ମାନେଟା କ'ଣ ବୁଝି ପାରିନଥାନ୍ତି ।ସମସ୍ତଙ୍କ ପରି ମୁଁ ମଧ୍ୟ ସେହି ଚାରି କାନ୍ଥରେ ଆବଦ୍ଧ ମୋର ଛୋଟ ନୀଡ ଟିରେ ମୋ ଛୋଟ ତେଲ ଲୁଣ ସଂସାର ଭିତରେ ହଜି ଯାଇଥାନ୍ତି । ଏତେ ବଡ ବିଶାଳ ସଂସାରର ପରିକଳ୍ପନା କରି ପାରିନଥାନ୍ତି ଓ ମୋ ହୃଦୟରେ ଏତେ ବିଶାଳତା ଆସି ନ ଥାନ୍ତା । ସେଥିପାଇଁ ପ୍ରେମ ଏକ ଝଡ ସଦୃଶ ହୋଇ ଆସି ମୋତେ ଅନେକ କିଛି ଶିକ୍ଷା ଦେଲା । ପ୍ରତ୍ୟେକ ମଣିଷ ପ୍ରେମର ଝଡରୁ କିଛି ଶିକ୍ଷା କରି ସମାଜ ମଙ୍ଗଳ ଦିଗରେ କିଛି କାର୍ଯ୍ୟ କରିବା ଉଚିତ୍ । ଜିତେନ୍ଦ୍ରର ଏହି କଥା କେଇପଦରେ ସୁନୀତା ଓ ରମେଶ ନୀରବ ରହି କିଛି ନ କହି ଟିକେ ମୁଣ୍ଡ ହଲେଇ ସେହି ସ୍ଥାନ ପରିତ୍ୟାଗ କଲେ । ସେମାନେ ଅନୁଭବ କଲେ ପ୍ରକୃତରେ ପ୍ରେମ ଏକ ଝଡ ଏହା ମଣିଷକୁ କେତେବେଳେ ସତ୍ ମାର୍ଗକୁ ନେଇଯାଏ ତ ପୁଣି ଅନେକଙ୍କୁ କୁପଥ ଓ ବିପଥଗାମୀ ବି କରୁଛି । ପ୍ରେମ ରୂପକ ଝଡକୁ ଜୀବନରେ ସାମ୍ନା କରି ତାକୁ କିଏ କେଉଁ ଦିଗରେ କାର୍ଯ୍ୟରେ ଲଗାଉଛି ସେଇଟା ସେହି ବ୍ୟକ୍ତି ଓ ତା'ର ସୁଚିନ୍ତିତ ବ୍ୟକ୍ତିତ୍ଵ ଉପରେ ନିର୍ଭର କରେ ।



Rate this content
Log in

Similar oriya story from Romance