Sunanda Mohanty

Romance Thriller Others

3  

Sunanda Mohanty

Romance Thriller Others

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

5 mins
186


ରଙ୍ଗମୟ ଦୁନିଆଁ ଭିତରେ,ମେଳାରେ ରଙ୍ଗ ବେରଙ୍ଗର ସମାହାର. ପୋଷାକ ସହିତ ବ୍ୟକ୍ତି ବିଶେଷ ଓ ଗ୍ରାହାକ ଗ୍ରହୀତାଙ୍କର ମାଧ୍ୟମ ବିଭିର୍ନ୍ନ ପ୍ରକାର ଜିନିଷ. ସେ ରଙ୍ଗ ବେରଙ୍ଗର ବେଲୁନ ହେଉ, ବା ଖେଳନା, ପାପୋଛ, ମୂର୍ତ୍ତି, ହାତରେ ଚିତା କୁଟେଇବାର ପ୍ରୟାସ ଭିତରେ ରଙ୍ଗ ବେରଙ୍ଗର ଚୁଡ଼ି ଦୋକାନରେ ଅଟକି ଗଲେ ସ୍ତ୍ରୀ ଶେଫାଳି ଓ ସ୍ୱାମୀ ବିବେକ. ସବୁ ରଙ୍ଗର ସବୁ ଚୁଡ଼ି ପସନ୍ଦ ହେଉଛି. ପୁଣି ଝିଅ ବୋହୁ ଭଉଣୀ ଭାଉଜ ନଣନ୍ଦ ଇତ୍ୟାଦିଙ୍କ ପାଇଁ ରଙ୍ଗ ବେରଙ୍ଗର ଚୁଡ଼ି ବାଛୁ ବାଛୁ ସମୟ ଅତିକ୍ରାନ୍ତ ହେଉଛି ବିବେକଙ୍କର ତ ଶେଫାଳି ଚୁଡ଼ି କିଣିସାରି କହିଲେ, ଦେଲ ଦେଲ ହଜାରେ ଟଙ୍କା. ବିବେକ ବଢ଼େଇ ସାରି କହୁଥିଲେ ସରିଲା ତ?ଶେଫାଳି ରଙ୍ଗ ବେରଙ୍ଗର ଦଶ ହଳ ଚୁଡ଼ି ସାଥିରେ ଫେରୁ ଫେରୁ ବିବେକଙ୍କର ଲମ୍ଭା ହାତ ପୁଣି ଫେରିଯାଉଥିଲା ଏବଂ ପଚାରୁଥିଲେ କଣ ସବୁ ସରିଗଲା? ହଁ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି?ହଳକୁ ମାତ୍ର ଶହେ ଟଙ୍କାରେ କେତେ ସୁନ୍ଦର ରଙ୍ଗ ବେରଙ୍ଗର ଚୁଡ଼ି. ସମସ୍ତେ ଖୁସି ହେବେ. ବିବେକ ପଚାରୁଥିଲେ ଆଉ କଣ କିଣିବାର ଅଛି ନା ଯିବା?ଯିବା କଣ ମ, ଛୋଟ ନାତି ନାତୁଣୀଙ୍କ ପାଇଁ ଡୁବୁଡୁବା ଖୋଜ. ସେଇଟା କଣ? ସେଇଟା କଣ ଜାଣିନ? ପିଲାଦିନେ କିଣିନ? ନା ନିଜ ପିଲାଙ୍କୁ କିଣେଇ ଡେଇନ? ଏବେ ମୋ ନାତି ନାତୁଣୀ ପାଇଁ କିଣିଲା ବେଳକୁ ଭୁଲିଯାଉଛ? ଓଃ ଯୋଉ କାଠି ବାଜା. ହଁ ମ ସେଇ କାଠିବାଜାରେ ଯୋଉ ଆନନ୍ଦ, ଆଉ କୋଉଥିରେ ନଥାଏ ପିଲାଙ୍କର . ସେଗୁଡା ଆଗେ ମାଟିରେ ତିଆରି ଥିଲା ବୋଲି କୋଡିଏ ଟଙ୍କାରେ ମିଳି ଯାଉଥିଲା.ଏବେ କଳେବର ବଦଳି ପ୍ଲାଷ୍ଟିକ କିମ୍ବା ଫାଇବର ହେବା ପରେ ଗୋଟାକ ପଚାଶ କି ଷାଠିଏ ଟଙ୍କା. ହଉ, ଭାଙ୍ଗିବନି ପୁଣି ବହୁତ ଦିନ ରହିବ. ଦିଟା ମକା ସିଝା ଖାଇଦେଲେ ପଚାଶ ଯାଉଛି, ଡୁବୁଡୁବା ତ ରହିବ ଅନେକ ଦିନ. ଖାଇଦେଲେ ପେଟକୁ ଯିବ, କହୁଥିଲେ ଶେଫାଳୀ. ବିବେକ କହୁଥିଲେ ଏ ଲଙ୍କା ଚପ ଓ ମଥୁରା କେକ ସହ ଅନ୍ୟାନ୍ୟ ତେଲ ଭାଜି ଖାଇବା ଅପେକ୍ଷା ମକା ସିଝା, ଶରୀର ପାଇଁ ଖୁବ ଭଲ, ଶୁଣୁନ କି ଟିଭି ନିୟୁଜ?? କାଲି କହୁନଥିଲା ଟିଭିରେ,ପିଜା ଓ ବର୍ଗର ଖାଇଲେ ଆୟୁଷ କମେ. ହଁ ମ ସବୁବେଳେ କଣ କିଏ ପିଜା,ବର୍ଗର ଖାଉଛି? ତୁମେ ଖାଉନା ହେଲେ ତୁମ ପିଲାମାନେ ଖାଉଛନ୍ତି ଯେ, ମନାକର ସେମାନଙ୍କୁ, କହୁଥିଲେ ବିବେକ ।

    ଶେଫାଳୀ କିନ୍ତୁ ଖୋଜି ଚାଲିଥିଲେ ଡୁବୁଡୁବା, ନପାଇ ଦେଖୁଥିଲେ, ବିବେକ ମକା ସିଝା ପାଖରେ ଅଟକି ଯାଇଛନ୍ତି. ଡୁବୁଡୁବା କାଲି ଖୋଜିବ ଚାଲ କହି,ସ୍ୱାମୀ ସ୍ତ୍ରୀ ଦୁହେଁ ଘରକୁ ଫେରିବା ପରେ, ମକା ଖିଆରେ ମନ ନଦେଇ ଚୁଡ଼ି ଦେଖୁଥିଲେ ଶେଫାଳି. କାହାକୁ କୋଉ ରଙ୍ଗ ଦେବେ, ଦେଖୁ ଦେଖୁ ଦେଖିଲେ ଆଉ ତିନି ହଳ ଲୋଡ଼ା. ବିବେକ କହୁଥିଲେ କଣ ଆହୁରି ବାକି ରହିଲା?ତ ଶେଫାଳି କହୁଥିଲେ, ହଁ ଭାଣିଜୀ ଝିଆରୀ ତିନିଜଣ ରହିଗଲେ. ହଉ, କହି ମକା ଖାଇବାରେ ମନ ଦେଲେ ବିବେକ. ଶେଫାଳି ଭାବୁଥିଲେ ଆଉ ଦୁଇଦିନ ମେଳା ଅଛି, କିଣିନେବେ ଚୁଡ଼ି.ହେଲେ ଦୁଇଦିନ ଆଖି ପିଛୁଳାକେ ଚାଲିଗଲା, ଯାଇହେଲାନି ଚୁଡ଼ି ଆଣିବାକୁ.ଦୀପାବଳୀର ରଙ୍ଗ ବେରଙ୍ଗ ଲାଇଟ ଉତ୍ସବର ମେଳା ସରିଗଲାନି ଯେ ଶେଫାଳୀଙ୍କ ମନ ଭାଙ୍ଗିଗଲା.

   ସକାଳୁ ସକାଳୁ ଶେଫାଳି ପଚାରିଲେ ଦୋକାନ ସବୁ ଭାଙ୍ଗିଯିବଣି? ହଁ ପାଖାପାଖି ଅନ୍ୟ କୋଉ ମେଳା ମଉଛବ ସ୍ଥାନକୁ ଯିବେଣି. ଶେଫାଳୀ ଖୋଜୁଥିଲେ ଫୁଲକୁ, ଏଯାଏଁ ଆସିନି କାମକୁ, ତାକୁ ମାପ, ଟଙ୍କା ଓ ସାମ୍ପୁଲ ଦେଇ ପଠାଇଦେଲେ ନେଇ ଆସନ୍ତା. ବାୟା ମଧ୍ୟ ଦେଖାଯାଉନି. ସ୍ୱାମୀ ବିବେକ ମଧ୍ୟ ତଳ ପଟ ବାଡ଼ିରେ କଦଳୀ ପେଣ୍ଡା ହାଣି ଗଛ କାଟିଲେ, କଦଳୀ ପଟୁକା ଡ଼ଙ୍ଗା କରିବା ଯୋଜନାରେ ଅଛନ୍ତି. ତାଙ୍କରି ପାଖେ ବାୟା ଥାଇପାରେ. ଫୋନ ଉଠେଇଲେ ଶେଫାଳି, ବାୟା ତୁମ ପାଖେ ଅଛିକି? ସେ ଆଜି ଆସିବନି, କାହିଁକି ଖୋଜୁଥିଲତାକୁ?, କଥା କଣ କି କାଳେ ଚୁଡ଼ି ଦୋକାନ ସବୁ ଥିବ, ନେଇଆସିଥାଆନ୍ତା ଚୁଡ଼ି ତିନି ହଳ. ସେମାନେ ଚାଲିଯିବେଣି. ନିରାଶରେ ଫୁଲକୁ ଅପେକ୍ଷା କରିବା ଛଡା ଗତି ନଥିଲା ଶେଫାଳିଙ୍କର . ଟିକେ ସମୟ ପରେ ତଳ ବାରିରୁ ଆସି ବିବେକ ପ୍ୟାଣ୍ଟ ସାର୍ଟ ପିନ୍ଧି କହୁଥିଲେ ଦିଅ ଦିଅ , ମାପ, ସାମ୍ପୁଲ, ଯାଏ ଦେଖେ. କୃତଜ୍ଞତାରେ ମନ ଭରିଗଲା ଶେଫାଳୀଙ୍କର. ସତରେ ବିବେକଙ୍କୁ ସ୍ୱାମୀ ରୂପେ ପାଇ ସେ ଧନ୍ୟ ମନ ତଳେ ରଙ୍ଗ ବେରଙ୍ଗର ପ୍ରେମ ଫୁଲ ଫୁଟି ଝରୁଥିଲା ତ ଆଜି ରୋଷେଇରେ ବିବେକଙ୍କ ପାଇଁ ତାଙ୍କ ପସନ୍ଦର ମୂଳାଭଜା, ମୂଳାଶାଗ ବେସର ନଡ଼ିଆ, ସାରୁ ବାଇଗଣ ପକେଇ କରିବାକୁ ଯାଉଛନ୍ତି କବାଟ ଖୋଲି କିଏ ଆସିଲା ତ ଶେଫାଳୀ କହୁଥିଲେ,ଫୁଲ ଆ ଆ, ଟିକେ ଚଞ୍ଚଳ ନଡ଼ିଆ କୋରି ଦେ, ହେଲେ ଫୁଲ ନୁହେଁ, ବିବେକ ଆସି ବଢ଼େଇ ଦେଇଥିଲେ ପ୍ୟାକେଟ. ତାକୁ ଖୋଲି ଦେଖିଲା ବେଳକୁ ଲାଲ ଲାଲ ଟମାଟ. ମନ ମରିଗଲା. ହେଲେ ଦ୍ୱିତୀୟ ପ୍ୟାକେଟରେ ଥିବା ଡୁବୁଡୁବା ଦେଖି ନିଜେ ନଡ଼ିଆ କୋରେଇବାକୁ କୋରଣା ଖୋଜୁଥିଲେ ଶେଫାଳୀ.ଫୁଲ ଆସି ପଛରୁ କହୁଥିଲା ଉଠ ଉଠ ମାଆ, ମୁଁ ନଡ଼ିଆ କୋରି ଦେଉଛି. ତା ହାତରେ ନୂଆ ଚୁଡ଼ି ଦେଖୁ ଦେଖୁ ଫୁଲ କହୁଥିଲା ତୁମେ ମେଳାପାଇଁ ଯୋଉ ପଇସା ଦେଇଥିଲ ସେଥିରେ ଏ ଚୁଡ଼ି କିଣିଛି ଭଲ ହେଇଛି ନା ମାଆ. ହଁ କହି ଟମାଟ କାଟୁଥିଲେ ଶେଫାଳି. ତାଙ୍କ ହାତର ରଙ୍ଗୀନ ଚୁଡ଼ି ଦେଖି ଫୁଲ କହୁଥିଲା ତୁମ ଚୁଡ଼ି ରଙ୍ଗ ବହୁତ ଭଲ. ଶେଫାଳି କହିଲେ ତୋ ଚୁଡ଼ି ମଧ୍ୟ ବହୁତ ସୁନ୍ଦର.

   ବିବେକ କହୁଥିଲେ ରବିବାର ଦିନ ଯିବା କଥା ମନେ ଅଛିତ? ଶେଫାଳି କହିଲେ ମନେ ଅଛି ଯେ ହେଲେ ଆମ ସ୍ଥାନୀୟ ଦୀପାବଳୀ ଆଲୋକ ଭରା ମେଳାଟା ଥିଲା, ସମସ୍ତେ କହିବେ ଅପା ଆମ ପାଇଁ କିଛି ଆଣିନି??ଚୁଡ଼ି ଆଣିଛ ପରା. ହଁ ଆଣିଛି କିନ୍ତୁ ତିନିହଳ ନିଅଣ୍ଟ ଅଛି ନା. ଏକା ପରି ନଦେଲେ, କେମିତି ହେବ??ହଉ ଦେଖିବା କହି ବିବେକ ଗାଧେଇ ଗଲେ. ଗାଧେଇ ସାରି ଆସିଲେ ଗୋଟେ ମିନିଟ ବି ଅପେକ୍ଷା କରିବେନି ବିବେକ, ତ ଧଡ଼ପଡ଼ ହୋଇ ବଢ଼ାବଢି କରିବାକୁ ପ୍ରସ୍ତୁତ ହେଉଥିଲେ ଶେଫାଳି. ପଞ୍ଚୁକରେ ଆମିଷ ବିହୀନ ଅରୁଆ ଭାତ, ଡାଲି, ମୂଳାଭଜା ଓ ମୂଳାଶାଗ ସହ ଟମାଟ ଖଟା ଖାଇଲା ବେଳେ ଶେଫାଳି କହୁଥିଲେ, ଫୁଲ ଆଜି ସୁନୁସୁନିଆ ଶାଗ ଆଣିବ କହୁଥିଲା, ଆଣିନି. ଭଲ କରିଛି, ନିରାମିଷ ତଥା ପିଆଜ ରସୁଣ ବଘରା ନଥିଲେ କଣ ଲାଗିବ ସୁନୁସୁନିଆଁ ଶାଗ?? ମୂଳା ଶାଗର ବାସ୍ନା ଭଲ ଲାଗେ ତଥା ସ୍ୱାସ୍ଥ୍ୟପ୍ରଦ ବୋଲି ଖଇ ଚଳେଇ ଦେବା କଥା.

   ଶେଫାଳି କହିଲେ ଶାଗ କହିଲେ ତ ତୁମେ କୋଶେ ଦୂର ଯିବ. ମନେନାହିଁ କି ସେଥର ସଜନା ଗଛର ଡ଼ାଳ ବସ ଉପରେ ରହିଯିବାରୁ, ମତେ ଘରେ ଛାଡ଼ିଦେଇ ବସର ଫେରିବା ଯାଏଁ ଷ୍ଟାଣ୍ଡରେ ଅପେକ୍ଷା କରି ରହିବା କଥା. ବସ ପୁଣି ପୁରୀରୁ ଫେରିବାରେ, ତୁମ ସଜନା ଡ଼ାଳ ଟ୍ରଲିରେ ଧରି ଫେରିଲ ଘରକୁ. ଆଉ ଆଜି ମେଳା ଭାଙ୍ଗି ଦୋକାନ ସବୁ ଉଠିଯିବା ଆଗରୁ ଟିକେ ଯାଇଥିଲେ, ତିନି ଚାରିହଳ ନିଅଣ୍ଟ ଚୁଡ଼ି ଆଣିପାରିନଥାନ୍ତ !ଶେଫାଳିଙ୍କ ମୁହଁକୁ ଘଡିଏ ଚାହିଁ ବିବେକ କହିଲେ, ଆରେ ସଜନା ଶାଗ କେତେ ଉପକାରୀ ତୁମେ ଜାଣିନା. ତା ପତ୍ରର ରସ ଖାଇଲେ ବ୍ଲଡ଼ ପ୍ରେସର ସହିତ କେତେ ରୋଗ ଭଲ ହେବ. ହଁ ମ ସେଇଥି ପାଇଁ ଏତେ କଷ୍ଟ କରି ସଜନା ଡ଼ାଳ ପୋତିଲ, କୋଉ ବଞ୍ଚିଲା??କଅଁଳୁ କଅଁଳୁ ମାଙ୍କଡ଼ ଭିଡି ନେଲା. ତା ଛଡା ନଡ଼ିଆ ଗୁଆ ଚେରରେ ଏଠାରେ ସଜନା ଗଛ ହୁଏନି ସହଜେ. ଫୁଲ ଖାଉ ଖାଉ କହୁଥିଲା ମୁଁ ସଜନା ଡ଼ାଳ ଆଣି ପୋତିଦେବି ମାଆ ଦେଖିବ, ଲାଗିଯିବ ଗଛ. ହଁ ଯେମିତି ଆଜି ସୁନୁସୁନିଆଁ ଶାଗ ଆଣିବୁ କହିଥିଲୁ. ମାଆ କାଲି ଦେଖିଥିବା ଶାଗ, ଆଜି କିଏ ନେଇଯାଇଛି ତୋଳିକି ପା. ସେଇଥି ପାଇଁ ପରା ଆସୁ ଆସୁ ମୋର ଆଜି ଡେରି. ହେଲେ ମାଆ ତୁମ ହାତ ମୂଳାଶାଗ ଭାରି ସୁଆଦ. ମୁଁ ଘରେ କଲେ ଏମିତି ଲାଗେନି. ତୋ ବାବୁଙ୍କୁ ଶାଗ ପସନ୍ଦ ତ ସେଇଥି ଲାଗି ଶାଗ ସୁଆଦିଆ ହୁଏ ମୋ ହାତରେ. ହଁ ମାଆ ବାବୁ ଆଉ ତୁମକୁ ଦେଖିଲେ ଲଷ୍ମୀ ନାରାୟଙ୍କ ଯୋଡି ପରି ଲାଗେ. ହଉ ସେତିକି ଥାଉ ପ୍ରଶଂଶା କହି ଅନ୍ୟ କାମ ପାଇଁ ଉଠିଗଲେ ଶେଫାଳି. ହେଲେ ଖାଇସାରି ବିଶ୍ରାମ ନେବା ପରିବର୍ତ୍ତେ କୁଆଡେ ଗଲେ ବିବେକ??

   ସନ୍ଧ୍ୟା ଯାଇ ରାତି ହେଲାଣି. ଗାଈଗୋଠ ଫେରିଲେଣି,ପକ୍ଷୀ ନୀଡ଼କୁ ଗଲେଣି.ସଞ୍ଜ ଦେଇ ଜଣାଣ କରି ସାରିଲେଣି ଶେଫାଳି କିନ୍ତୁ ବିବେକଙ୍କର ଦେଖା ନାହିଁ. ଫୋନ କଲେ ଲାଗୁନି. ଏ ବୟସରେ ବାଇକ ନେଇ ରାତିରେ ଫେରିବା ଭଲ ନୁହେଁ ଜାଣି ବି ଘରକୁ ଫେରିବାରେ ବିଳମ୍ବ ହେଉଛି କାହିଁକି ଭାବି ସନ୍ତୁଳିତ ହେଉଥିଲେ ଶେଫାଳି. ଫେରିଲେ ବିବେକ. ତୁମକୁ କୁଆଡେ ଯିବାର ଥିଲା? କହିକି ଯିବା କଥା ନୁହେଁ?? ଆଖିକୁ ଲାଇଟ ପଡିଲେ ବାଇକ ଗଡା଼ଇବା ସହଜ କଥା ନୁହେଁ ଜାଣିବି କୁଆଡେ ଯାଇଥିଲ?କିଛି ଉତ୍ତର ନଦେଇ ବଢ଼େଇ ଦେଇଥିଲେ ପ୍ୟାକେଟଟି ବିବେକ. ସେଇଟି ଖୋଲି ଚମକି ପଡି ଶେଫାଳି କହିଲେ କୋଉଠୁ ପାଇଲ? ଏଠୁ ମେଳା ସରିବା ପରେ ଦୋକାନ ଭାଙ୍ଗି ସେମାନେ ବେନୁପଡା ମେଳାକୁ ଚାଲିଗଲେଣି ବୋଲି ସକାଳେ ଖବର ପାଇ ଚୁଡ଼ି ଆଣିବାକୁ ଯାଇଥିଲି ବେନୁପଡା.ସ୍ୱାମୀଙ୍କୁ ଚାହିଁ ଥିଲେ ଶେଫାଳି, ପାଟିରୁ ବଚନ ବାହାରୁ ନଥିଲା. ପ୍ରେମର ସାତରଙ୍ଗ ହୃଦୟକୁ ରଙ୍ଗୀନ କରୁଥିଲା କେବଳ. ଆସନ୍ତା କାଲି ପାଇଁ ନିମନ୍ତ୍ରିତ ଅତିଥି ହୋଇ ଯିବାକୁ ଚୁଡ଼ି ବଦଳାଇ,ସ୍ୱାମୀ ଆଣି ଦେଇଥିବା ଚୁଡ଼ି ପିନ୍ଧିବାକୁ ଖୁବ ମନ ହେଲାବେଳେ ଆଉ ଗୋଟେ ପ୍ୟାକେଟ ବଢ଼େଇ ସ୍ୱାମୀ କହୁଥିଲେ ଶାଗ. କି ଶାଗ ସେଟା? ଆରେ ମଦରଙ୍ଗା ମୁଠେ. କେତେବେଳେ କରିବି କାଲି?ପରଠା ସଙ୍ଗେ ଭାଜିଦେବ ଯେ ଖାଇନେଇ ବାହାରିଯିବା, କହୁଥିଲେ ବିବେକ. ଫୋନ କରୁଥିଲି, ଧରୁନଥିଲ କାହିଁକି?? ଶାଗବାଲୀକୁ ପଇସା ଦେଉଥିଲି ପରା. ପଛରେ କରିବାକୁ ଭୁଲି ଯାଇଛି. ପ୍ରେମ ଓ ଅଭିମାନର ରଙ୍ଗ ଏକା କି ଅଲଗା ରଙ୍ଗ ବେରଙ୍ଗ ବୁଝିହେଉନଥିଲା, ରଙ୍ଗୀନ ଆଲୋକ ମାଳା ଭିତରେ, ନିମନ୍ତ୍ରଣ ଉତ୍ସବ ସରିବା ଯାଏଁ ।



Rate this content
Log in

Similar oriya story from Romance