ପକ୍ଷୀ ପ୍ରେମିକା
ପକ୍ଷୀ ପ୍ରେମିକା
ବସରେ ସିଟଦୁଇଟି ପାଇ ବସିଗଲେ କୃତି ଓ ସ୍ୱାମୀ ନିଖିଲ. ଝରକା ଫାଙ୍କ ଦେଇ ବାହାରକୁ ଚାହିଁଲେ କୃତି. ଧୁ ଧୁ ଖରାରୁ ଉପଶମ ମିଳୁଛି ଆଜି ମେ ପହିଲାରେ. ତାର କାରଣ କଟକ ଭୁବନେଶ୍ୱରରେ କାଳବୈଶାଖିର ପ୍ରବଳ ଝଡ଼ବର୍ଷା. କୃତି ଖୋଜୁଥିଲେ ପକ୍ଷୀ. ଗଛ କାହିଁ ଯେ ପକ୍ଷୀ ଆସିବେ!ସବୁଠି ତ ଗୋଡି କଂକ୍ରିଟ ସିମେଣ୍ଟ ଛପରରେ ଛାତ ଚାଲିଛି. ଆଉ ପାଞ୍ଚତାଲା ବିଲଡିଂ ଉପରକୁ ମଧ୍ୟ ଲୁହାତାର ସବୁ ଦିଶୁଛି. ଆହୁରି ମହଲା ପରେ ମହଲା ଗଢ଼ା ଯିବାର ପ୍ରତିଶ୍ରୁତି ବହନ କରି ଲୁହାତାର ଗୁଡିକ ଉଦ୍ଧତ ମୁଣ୍ଡ ଟେକି କହୁଛନ୍ତି ଏବେ ରାଜ ଆମର. ପକ୍ଷୀ ତ ପକ୍ଷୀ ମଣିଷ ବି ବାଉଳା ହେବ ପ୍ରବେଶ ଓ ପ୍ରସ୍ଥାନର ବାଟ ପାଇବାକୁ ଏ କୋଠାରେ. ତଥାପି କୃତି ଖୋଜୁଥିଲେ ପକ୍ଷୀ. ପକ୍ଷୀଟିଏ ଦେଖିଲେ ଭିଡ଼ ଭିତରେ ନିଜ ପ୍ରେମିକକୁ ପାଇଗଲା ଭଳି ମନେହୁଏ. ଏକଥା ତ କହିହେବନି ସ୍ୱାମୀଙ୍କୁ ଯେ ମୁଁ ସେଇ ଉଡ଼ନ୍ତା ପକ୍ଷୀର ପ୍ରେମିକା. ଯାହା ପାଇଁ ଗଛ କଟା ଚାଲିଛି. ପାଣିପାଗରେ ଅନିୟମିତତା ଦେଖାଯାଉଛି. ଏଇତ ଆଜି କାଳ ବୈଶାଖିର ପ୍ରକୋପକୁ ଦୃଷ୍ଟିରେ ରଖି ଟିଭି ଦ୍ୱାରା ପ୍ରଶାସନ ତିନିଘଣ୍ଟା ଯାଏ ଘରୁ ବାହାରିବାକୁ ବାରଣ କରିଥିଲେ ମଧ୍ୟ ସ୍ୱାମୀଙ୍କୁ ଢାଲ କରି ଘରୁ ବାହାରିଛନ୍ତି କୃତି. ନିଜର କୃତିତ୍ୱ ବହନ କରି ସମ୍ମାନିତ ହେବେ ମଞ୍ଚରେ. ଏମିତି ଅନେକ ମଞ୍ଚରେ ସମ୍ବର୍ଦ୍ଦିତ ହୋଇଥିଲେ ମଧ୍ୟ ଆଜିର ଖବରକାଗଜ ଏଡିଟରଙ୍କର ସ୍ନେହର ଡାକରା ତାଙ୍କୁ ପକ୍ଷୀର ମଧୁର କାକାଳୀ ପରି ଶୁଭୁଥିଲା ତ ସେ ଆମନ୍ତ୍ରଣ ଥିଲା ନିମନ୍ତ୍ରଣ ଉର୍ଦ୍ଧରେ. କିନ୍ତୁ ବର୍ଷା ଯଦି ହୁଏ!ଆଜିକାଲି କୋଶେ ଦୂରରେ ବର୍ଷା ପଡୁଥିଲେ ବି କୋଶେ ଦୂରରେ ଚି଼ହ୍ନବର୍ଣ୍ଣ ନଥାଏ ଜଳବିନ୍ଦୁଟିଏର ତ ଦେଖାଯାଉ!
ବର୍ଷାର ଚିହ୍ନ ତ ନଥିଲା କିନ୍ତୁ ପ୍ରକୃତି କୋଳରେ ସୁନ୍ଦର ଆୟୋଜନ ମନ ମୁଗ୍ଧ କରୁଥିଲା. କି ସୁନ୍ଦର ବ୍ୟବହାର!ଅତିଥି ଦେବୋ ଭବ ପରି. ପୁଣି କି ସୁନ୍ଦର ଚର୍ଚ୍ଚା ଓଡ଼ିଆ ଘରର ପରମ୍ପରା ଓ ସଂସ୍କୃତି ସରି. ତଥାପି ପ୍ରତିକୂଳ ଅବସ୍ଥା ଉପୁଜି ପଡୁଥିଲା ବର୍ଷା ବାରି. ସମ୍ପାଦକ, ସହ ସମ୍ପାଦକ, ପ୍ରତିଷ୍ଠାତା ଓ ସହଯୋଗୀମାନେ ଅତିଥି ଅଭ୍ୟାଗତମାନଙ୍କୁ ନେଇ ବସାଇଥିଲେ ନିଜ ଅଫିସରେ ଓ ଲାଇବ୍ରେରୀରେ ତଥା ପାଞ୍ଚଶହ କି ସାତଶହ ଲୋକ ଧରିପାରୁଥିବା ତାଙ୍କ ଅଡ଼ିଟୋରିଅମରେ. ବାହାରେ କାଳବୈଶାଖି ବର୍ଷା ତାଣ୍ଡବ ରଚୁଥିଲା. ସେହି ଭିତରେ ଖବର କାଗଜ ସହିତ ସଂଶ୍ଲିଷ୍ଟ ଭାଇଭଉଣୀଙ୍କର ଅତିଥି ପରାୟଣତା ଦେଖିବା ଭଳି ଥିଲା. କୋଉଠୁ ଚଉକି, ଚା, ସହିତ ଜଳଯୋଗରେ ଆତ୍ମିୟତା ଭରି ରହିଥିଲା. ବର୍ଷା ଯଦିଓ ଛାଡିଲା, ସବୁ ଆୟୋଜନକୁ ଅଧାଅଧି ଧ୍ବଂସ କରିଦେଇଥିଲା. ଗଦି ଚୌକିରୁ କପଡା ବାହାର କରି, ପାଲ ସବୁକୁ ଗୁଡେଇ ରଖି, ଅଡ଼ିଟୋରିଅମରେ ଅତିଥିଙ୍କୁ ବସାଇବାକୁ ପୁଣି ତତ୍ପରତା ଦେଖିବା ଭଳି ଥିଲା କାରଣ ଦ୍ୱିତୀୟ ବାର କାଳବୈଶାଖିର ବର୍ଷା ଛେଚୁଥିଲା ଗର୍ଜ୍ଜନ କରି. ଭିତରେ ସବୁ ଆୟୋଜନ ହୋଇସାରିବା ପରେ ଛାଡିଗଲା ପୁଣି ଯେମିତି ପରେ ଦେବୀ ହୋଇଯାଇଥିବା ସେଦିନର ବାପାଙ୍କ ଝିଅ ଜାଇ,ଡ଼ଙ୍ଗାରୁ ନିଖୋଜ ହେବା ପରର ସେ ଗୀତ ଦୁଇ ଧାଡି ଥିଲା, ମେଘ ଚାଲିଗଲା ମେଘର ବାଟରେ ବାତାସୀ ହୋଇଲା ଠିଆ. ଏଠି ମଧ୍ୟ ପୁଣି ବୁହା ବୁହି ଚାଲିଥିଲା ଆନୁସାଙ୍ଗିକ ଜିନିଷ ପତ୍ର ସହ ବାହାରେ ପୂର୍ବ ପ୍ରସ୍ତୁତିକୁ ପୁନ୍ନଜୀବିତ କରିବାକୁ କାରଣ ଖବର ପହଞ୍ଚିସାରିଥିଲା ଛତିଶଗଡ଼ର ସର୍ବୋଚ୍ଚ ନାଗରିକ ଆସନ ଅଳଙ୍କୃତ କରିଥିବା ଓଡିଶାର ବରପୁତ୍ର ମଞ୍ଚାସୀନ ହେବାକୁ ଆସି ପହଞ୍ଚି ସାରିଲେଣି.ଦୁଇ ଦୁଇଥର ବୁହାବୁହି କରି ନାକେଦମ ହେଲେ ମଧ୍ୟ ମନୋବଳ ହାରି ନଥିଲେ କେହି ।
ପଛରେ ନାମଟା ଜାଣିବାକୁ ପାଇଥିଲେ କୃତି ଯେ ମଞ୍ଚ ପରିଚାଳକ ସେ ଭାଇଙ୍କର ନାମ ଥିଲା ବିରୁପାକ୍ଷବାବୁ. କି ସୁନ୍ଦର ଚମତ୍କାର ଉପସ୍ଥାପନା ଶୈଳୀ ତାଙ୍କର!ସେହି କଥା ତ ଶିଖିବାକୁ ଆସିଛନ୍ତି କୃତି ଓ ତାଙ୍କ ସହ ତାଙ୍କ ସ୍ୱାମୀ. ବାଟସାରା ବସରେ ସନ୍ତୁଳିତ ହେଉଥିଲେ କୃତି ଯେ, ଏତେବେଳକୁ ନିଜ ଘରେ ଛାତ ଉପରେ ସେ ଦେଖୁଥାନ୍ତେ ତାଙ୍କ ମନ ପସନ୍ଦର ପକ୍ଷୀମାନଙ୍କର ଆଗମନ ଓ ପ୍ରତ୍ୟାଗମନ ସହ ପ୍ରେମରେ ରଖିଥିବା ପାଣି ଢ଼ାଳରୁ ସେମାନଙ୍କ ଭିତରୁ କାହାର ନା କାହାର ଥଣ୍ଟ ବୁଡେଇ ପାଣି ପିଇବାର ଦୃଶ୍ୟ. ପାରାଦୁଇଟିଙ୍କ ଭିତରୁ ଜଣଙ୍କ ପରେ ଜଣେ ଥଣ୍ଟ ବୁଡେଇଲା ବେଳେ କୃତିଙ୍କର ମନେପଡେ ସେହି ଛବିଳ ବର୍ଣ୍ଣବୋଧ ବହିର କିଛି ପଂକ୍ତି, ଆସ ଆସ ପାରା ଯୋଡିକ ମୋର ପିଣ୍ଢାରେ ବସ.. ଖାଇବାକୁ ଦେବି ତୁମକୁ ମୁହିଁ ନଡ଼ିଆ ରସ.. ପିଇବାକୁ ଦେବି ତୁମକୁ ମହାନଦୀର ପାଣି.. ଶୋଇବାକୁ ଦେବି ତୁମକୁ ରତ୍ନ ଖଟ ମୁଁ ଆଣି. ଏସବୁ ତ କିଛି ଦେଇପାରିବେନି କୃତି କିନ୍ତୁ ଥଣ୍ଡା ପାଣିରେ ଥଣ୍ଟ ବୁଡେଇ ପାଣି ପିଉଥିବା ପାରାଙ୍କୁ ଦେଖି ମନ ସନ୍ତୁଷ୍ଟ ହୋଇଯାଏ. ଏ ଭିତରେ ସଭାକାର୍ଯ୍ୟ ଆଗେଇ ଚାଲିଥାଏ. ମହାନୁଭବ ଜନନାୟକ ମୁଖ୍ୟ ଆକର୍ଷଣ ଛତିଶଗଡ଼ ରାଜ୍ୟପାଳ ପହଞ୍ଚି ସଭାରେ ସ୍ଥାନ ଅଳଙ୍କୃତ କରିସାରିଥାନ୍ତି. ପରିଚାଳକ ଭାଇ ଥରକୁ ଥର କ୍ଷମା ମାଗିନେଉଥାଆନ୍ତି ବର୍ଷା ପାଇଁ. କିନ୍ତୁ କୃତି ଭାବୁଥାଆନ୍ତି ତାଙ୍କୁ କହିବାର ସୁଯୋଗ ମିଳନ୍ତା କି ସେ ଏପର୍ଯ୍ୟନ୍ତ ଘଟିଯାଉଥିବା ଥରକୁ ଥର ଦୁଇଥର କାଳବୈଶାଖି ବର୍ଷାର ଆରମ୍ଭ ଓ ଶେଷ ଏସବୁକୁ ସକାରାତ୍ମକ ଦୃଷ୍ଟିକୋଣରେ ଦିପଦ କୁହନ୍ତେ ଯେ ଏ ଖବରକାଗଜର ପ୍ରଗତି ପାଇଁ ଆକାଶରୁ ଅମୃତ ବାରି ରୂପକ ପୁଷ୍ପ ଥରେ ନୁହେଁ ଦୁଇ ଦୁଇ ଥର ଆସି ଏ ରଜତ ଜୟନ୍ତୀର ବାର୍ଷିକୀ ଉତ୍ସବକୁ ଆଶୀର୍ବାଦ କରିଯାଇଛି. ଓ ପୁଣି ମନେ ପକେଇ ଦେଇଛି ଏପ୍ରିଲ ପହିଲା ମେ ଦିବସ ଅର୍ଥାତ ଶ୍ରମ ଦିବସରେ ଆରମ୍ଭ ହୋଇଥିବା ଏ ଖବର କାଗଜର କଳେବର ସହିତ କର୍ମକର୍ତ୍ତା ଆଜିବି ଶ୍ରମ ଓ କର୍ମରେ ବିଶ୍ୱାସ କରନ୍ତି. ଏ ଭିତରେ ମହାମହିମ ଛତିଶଗଡ଼ ରାଜ୍ୟପାଳଙ୍କୁ ଏକ ପାଦପ ମୂଳରେ ପାଣି ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରାଇଲା ବେଳେ ସେହି ଦୃଶ୍ୟରେ କେତେ ବାର୍ତ୍ତା. ପ୍ରକୃତି ପାଇଁ, ଛଡେଇର ବସା ପାଇଁ, ଉପଯୁକ୍ତ ସମୟରେ ବର୍ଷା ଖରା ଶୀତ ସହ ଅନ୍ୟାନ୍ୟ ଋତୁର ଅନୁଭବ ପାଇଁ, ସର୍ବୋପରି କୃତୀଙ୍କ ପ୍ରେମିକ ପକ୍ଷୀମାନଙ୍କ ନିର୍ଭୟ ବାସସ୍ଥଳୀ ହୋଇ ଆଗାମୀ ଭବିଷ୍ୟତର କର୍ମସଂସ୍ଥାନର ପ୍ରଥମ ପଦକ୍ଷେପ. ସେତିକି ବେଳେ ବାନ୍ଧବୀ ଜଣେ ମାଗୁଥିଲେ ମ୍ୟାଡାମ ଆପଣଙ୍କ ମୋବାଇଲ ଆଇ. ଡି ଟିକେ ଦେବେ. ରୁହନ୍ତୁ କହି ରାଜ୍ୟପାଳଙ୍କ ବାର୍ତ୍ତା ଶୁଣୁଥିଲେ କୃତି. ତାଙ୍କୁ ଶୁଭୁଥିଲା ନାଗରିକ ମାତଦାନ ତା ବାଟରେ ଯାଉ କିନ୍ତୁ ସାହିତ୍ୟ ବଞ୍ଚି ରହୁ ଠିକ ଗଛ ପରି. କୃତିଙ୍କ ପାଟିରୁ ବାହାରି ଆସୁଥିଲା ପକ୍ଷୀଙ୍କ ଆଶ୍ରୟସ୍ଥଳୀ ପରି. ବାନ୍ଧବୀ କହୁଥିଲେକି ଆପଣଙ୍କ ଆଇ ଡି କଣ ପକ୍ଷୀ? କୃତି ତାଙ୍କୁ ଆଶ୍ଚର୍ଯ୍ୟ ଆଖିରେ ଚାହିଁ କହୁଥିଲେ ହଁ ସେଇଭଳି କିଛି, ଦେଉଛି ଅପେକ୍ଷା କରନ୍ତୁ ଟିକେ ।