ପ୍ରଶଂସା
ପ୍ରଶଂସା
ମଣିଷ ର କର୍ମ ହେଉଛି ଈଶ୍ବରଙ୍କ ଆଦେଶ ଓ ନିର୍ଦେଶ। ମଣିଷର ଚିନ୍ତାଧାରା ଓ ବିଚାରଶକ୍ତି ଈଶ୍ବରଙ୍କ ଦ୍ବାରା ହିଁ ପରିଚାଳିତ ହୋଇଥାଏ । ଈଶ୍ବର ଅନ୍ତର୍ଯ୍ୟାମୀ ରୂପରେ ସମସ୍ତ ପ୍ରାଣୀଙ୍କ ହୃଦୟବକ୍ଷରେ ବିଦ୍ୟମାନ। ସ୍ମରଣ ଶକ୍ତି ଓ ଜ୍ଞାନ ଈଶ୍ବରଙ୍କଠାରୁ ଉତ୍ପନ୍ନ ଏବଂ ବିଲୋପ ମଧ୍ୟ। ଈଶ୍ବର କହିଲେ ଏକ ବିଶ୍ବାସର ପରିମାପ। ସେହି ବିଶ୍ବାସରେ ମଣିଷଟି ନିଜକୁ କର୍ତ୍ତବ୍ୟାମୁଖୀ କରିଥାଏ। ସେ ସବୁବେଳେ ନିଜକୁ ବିଶ୍ବାସଯୋଗ୍ୟ କର୍ତ୍ତବ୍ୟର ଅଧିନ କରିଥାଏ।ଭଲମନ୍ଦ କାର୍ଯ୍ୟରେ ନିଜକୁ ନିୟୋଜନ କରେ। ମଣିଷଟି ଯାହାକିଛି କରେ ବା କରିବାକୁ ଇଛାଟିଏ ମନରେ ଆଣେ ସେସବୁ ଈଶ୍ବରଙ୍କ ପାଖରେ ପହିଁଚିଯାଏ। ମଣିଷର ସବୁକର୍ମର ଚିଠା ବା ତାଲିକା ଈଶ୍ବରଙ୍କ ପାଖରେ ବିଦିତ। କଥାରେ ଅଛି - ଯାହା ମୁଁ କରଇ, ଯାହା ମୁଁ ଚିନ୍ତୟି ମନେ, ଜଗତର କର୍ତ୍ତା ପରମେଈଶ୍ବର ଜାଣୁଛନ୍ତି ତତ୍କ୍ଷଣେ। ମଣିଷଟି ଏକ ସାମାଜିକ ପ୍ରାଣୀ। ସମସ୍ତେ ନିଜ ନିଜର କର୍ମରେ ପରିପ୍ରକାଶ କରିଥାନ୍ତି। ସମସ୍ତଙ୍କର କିଛି ନା କିଛି ଇଛାଶକ୍ତି ଥାଏ। ଇଛାଶକ୍ତିକୁ ପ୍ରୋତ୍ସାହିତ କଲେ ମଣିଷଟି ଅନେକ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜନ କରେ।ଉଦାହରଣ ଛଳରେ କହିପାରେ ଅନେକ ମଣିଷ କେମିତିକା ଅନ୍ୟକୁ ପ୍ରଶଂସା ନହେଲେ ଭତ୍ସନା କରିବାରେ ସିଦ୍ଧହସ୍ତ।
ଛୋଟ ପିଲାଟି ବୟସ ମାତ୍ର ୮ ବର୍ଷ। ନାମ ଚିତ୍ରା, ସୁରେଶ ବାବୁଙ୍କ ସାନ ଝିଅ, ଚିତ୍ର ଆଙ୍କିବାରେ ଧୁରନ୍ଧର। ବାପା ମା'ଙ୍କର ଅତି ଆଦରର ଗେହ୍ଲା ଝିଅ। ଚିତ୍ରାଙ୍କନ ପ୍ରତିଯୋଗିତା ହେଲେ ଯିବାପାଇଁ ଜିଦ୍ ଧରି ବସେ। କିନ୍ତୁ ସେ ସବୁରେ କେତେବେଳେ ସୁଯୋଗ ମିଳେନା। ଅସୁମାରୀ ଆଶା ଥାଏ ଭଲ ଚିତ୍ରଟିଏ ଆଙ୍କିବା ପାଇଁ। ସୁଯୋଗକୁ ଅପେକ୍ଷା କରି ଚିତ୍ରା କିଛି ସମୟ ପର୍ଯ୍ୟନ୍ତ ହାରିଯାଏ ପୁଣି ଜିତିବାର ଆଶାରଖି। ବାପା ବ୍ୟବସାୟ ରେ ବ୍ୟସ୍ତ ଥାଆନ୍ତି, ତାଙ୍କର ଏସବୁ ପ୍ରତି ଧ୍ୟାନ ନଥାଏ, ଚିତ୍ରା ର ସାଙ୍ଗ ମାନେ ସବୁଆଡେ ପ୍ରତିଯୋଗୀତା ରେ ଭାଗ ନିଅନ୍ତି, ଏବଂ ପ୍ରତିଯୋଗୀତାରେ ପୁରସ୍କୃତ ହୁଅନ୍ତି, ଏମିତି ଅନେକ ଶିଶୁ ବଣମଲ୍ଲି ପରି ବଣରେ ମଉଳିପଡନ୍ତି କେବଳ ଟିକିଏ ଉତ୍ସାହର ଅଭାବରେ। ଉତ୍ସାହ ଜାଗ୍ରତ ହେଲେ ମଣିଷଟି ତାର ଲକ୍ଷ୍ୟ ପଥରେ ଅଗ୍ରସର କରେ। ଯେମିତି ଶରୀରର ସୁସ୍ଥ ପାଇଁ ଭିଟାମିନ୍ ର ଆବଶ୍ୟକତା ଥାଏ ଠିକ୍ ସେମିତି ମଣିଷଟି ଭଲ ମଣିଷର ଆଖ୍ୟା ପାଇଁ ଉତ୍ସାହ ଓ ପ୍ରେରଣାର ଭରପୁର ଭିଟାମିନ୍ ଆବଶ୍ୟକତା ଥାଏ। ଖାଦ୍ୟ ସ୍ବାଦଯୁକ୍ତ ଥିଲେ ଖାଇବାରେ ଅନେକ ଆନନ୍ଦ ଆସେ, ଠିକ୍ ସେହିପରି ମଣିଷଟି ପାଇଁ ପ୍ରେରଣା ଓ ପ୍ରଶଂସା ସ୍ବାଦଯୁକ୍ତ ଖାଦ୍ୟ ଅଟେ। ମଣିଷର ଜନ୍ମ ସହିତ ତାର କଳା, ଚରିତ୍ର, ସ୍ବଭାବ ଓ ଯଶକୀର୍ତ୍ତୀ ଯୋଡିହୋଇ ଆସିଥାଏ। ଚିତ୍ରା ନିଜେ ଦିନେ ସ୍କୁଲ ସାରଙ୍କ ପରାମର୍ଶ ଅନୁସାରେ ପାଖ ସ୍କୁଲରେ ଅଗଷ୍ଟ ୧୫ ପାଇଁ ଚିତ୍ରା ଅଙ୍କନ ପ୍ରତିଯୋଗୀତା ରେ ଭାଗ ନେଲା । ପ୍ରତିଯୋଗୀତା ରେ ୩ୟ ସ୍ଥାନ ଅଧିକାର କଲା । ଏ କଥା ଜାଣି ସ୍କୁଲ ସାର୍ ଅତ୍ୟନ୍ତ ଖୁସି ହେଲେ। ବହୁତ ଭଲଲାଗିଲା ଚିତ୍ରା, ମୁଁ ସେଥିପାଇଁ ଗର୍ବିତ । ତୁମ ପାଖରେ ଗୁଣ ଅଛି ତାକୁ ଚିହ୍ନଟ କରିବାରେ ବାପା ମା ଭୁଲ୍ କରିଛନ୍ତି । ମୁଁ ତୁମ ବାପା ଙ୍କୁ ସାକ୍ଷାତ କରି ସବୁ କହିବି । ସ୍କୁଲ ସାର ଆସି ଚିତ୍ରା ର ବାପା ସହ ଭେଟିଲେ ଏବଂ କହିଲେ, ସୁରେଶ ବାବୁ ଆପଣ ଅଜାଣତରେ ଗୋଟାଏ ବଡ଼ ଭୁଲ ଟିଏ କରିଛନ୍ତି । ସୁରେଶ ବାବୁ କହିଲେ! ସାର ମୁଁ ଭୁଲ୍ କ'ଣ କରିଛି ସାର? ଆପଣ ନିଜ ପିଲାମାନଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନି ପାରିନାହାନ୍ତି । ଚିତ୍ରାକୁ ଆପଣ କୌଣସି ପ୍ରତିଯୋଗୀତା ରେ ଭାଗ ନେବାକୁ ଦେଉନାହାନ୍ତି ଏ କଥା ଆଦୌ ଠିକ୍ ନୁହେଁ। ସେମାନଙ୍କୁ ସୁଯୋଗ ଦେଲେ ସିନା ତାଙ୍କ ଭିତରେ ଥିବା ପରିଚୟ ଓ ଅନ୍ତର୍ନିହିତ ଗୁଣ ବିକଶିତ ହେବ। ସେ ଦିନେ ମୋତେ କହିବାରୁ ମୁଁ ଏ କଥିତ ଜାଣିଲି। ଆପଣ ଜାଣିନାହାନ୍ତି, ଚିତ୍ରା ଆଜି ଚିତ୍ରାଙ୍କନ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଛି। ସେ ବହୁତ ଖୁସି, ସୁରେଶ ବାବୁ ଏକଥା ଜାଣିପାରି ମନ କଷ୍ଟ କଲେ। ସତରେ ସାର ଆମେ ସବୁ ବ୍ୟବସାୟ ଓ ଟଙ୍କା ପଛରେ ଧାଇଁ ଧାଇଁ ପିଲାଙ୍କ ଅନ୍ତର୍ନିହିତ ଗୁଣ କଥା ଭୁଲି ଯାଉଛେ। ସାର ଆପଣଙ୍କ ପ୍ରଚେଷ୍ଟା ଓ ପ୍ରେରଣାକୁ ମୁଁ ପ୍ରଣାମ ଜଣାଉଛି। ଧନ୍ୟବାଦ ସାର ଆପଣଙ୍କୁ! ଏ ସବୁ କଥାରେ ବାପା ସୁରେଶ ବାବୁ ଝିଅ ଚିତ୍ରାକୁ କୋଳେଇ ନେଲେ ବହୁତ ଆଦର ଓ ପ୍ରଶଂସା କଲେ। ପ୍ରଶଂସା କରିବା ହେଉଛି ସକରାତ୍ମକ ଚିନ୍ତାଧାରା ର ଏକ ପାର୍ଶ୍ବ। ଯାହାକି ମଣିଷ ସମାଜରେ ନକରାତ୍ମକ ଚିନ୍ତାଧାରାର ଚକ୍ରବ୍ୟୁହରୁ ରକ୍ଷାକରେ। ସୁସ୍ଥସବଳ ସମାଜ ଗଠନରେ ସକରାତ୍ମକ ଚିନ୍ତାଧାରା ଓ ପ୍ରଶଂସାର ଅତ୍ୟନ୍ତ ଆବଶ୍ୟକତା ରହିଛି।