Mr.GAGAN BIHARI NAYAK

Fantasy Inspirational Thriller

3  

Mr.GAGAN BIHARI NAYAK

Fantasy Inspirational Thriller

ପୁରୁଣା ଚଷମା

ପୁରୁଣା ଚଷମା

9 mins
255



ଶ୍ରାବଣର ଅସରାଏ ଲୁହର ଉଜାଣିରେ ତିକ୍ତ ସିକ୍ତ ଓଦା ଭୁଇଁ ଓ ମାଟିର ବାସ୍ନା ପରିବେଶକୁ ଭିନ୍ନ ଏକ ରୂପ ଦେଇଛି । ପଶ୍ଚିମାକାଶେ ସୂର୍ଯ୍ୟାସ୍ତ ହେବାକୁ ଅଳ୍ପ ସମୟ ବାକି । ଝିପି ଝିପି ବର୍ଷାର ବର୍ଣ୍ଣାଳୀ ସୃଷ୍ଟି କରିଛି ସାତରଙ୍ଗ ଭରା ଇଂଦ୍ରଧନୁ । ଏଇ ଅବସରରେ ମାଗୁଣି ସହରର ଫୁଟ ପାଥରେ ଚାଲି ଚାଲି ଯାଉଛି । ଫୁଟ-ପାଥର କଡକୁ ଲାଗି ଝଙ୍କାଳିଆ ବରଗଛ ଗଛ ତଳେ ପାଗଳଟି ଉପରକୁ ଆଁ କରି ପଡି ରହିଛି । ମାଗୁଣି ଅନେଇଁଲା ପାଗଳର ମୁହଁକୁ । ଜୀର୍ଣ୍ଣ-ଶୀର୍ଣ୍ଣ ଦେହ । ମୁହଁରେ ପାଚିଲା ଦାଢି, ଆଙ୍ଗୁଠିରେ ଲମ୍ବା ଲମ୍ବା ନଖ । ପାଚିଲା ଦାଢିରେ ଲାଳ-ଛେପରେ ଫୋଟକା ଫୋଟକା ଗୁଡିକ ଝୁଲି ରହିଛି । ଟିକେ ଆଗକୁ ଚାଲି ଯାଉଥିଲା ମାଗୁଣୀ । ପଛକୁ ଫେରି ଚାହିଲା ପାଗଳକୁ । ମୁହଁଟି ଚିହ୍ନା ଚିହ୍ନା ପରି ଲାଗିଲା । ଝାପସା ଅତୀତର କୁହୁଡିରେ ସେ ଯେମିତି ବାଟ ହୁଡି ଯାଉଛନ୍ତି । ସଂପୂର୍ଣ୍ଣ ମନେ ନ ପଡିଲେ ବି ସେ ଚିହ୍ନିଲେ, ନିକଟରେ ପଡିଥିବା ଛଟାଟିଏ ଓ କଳା ବ୍ୟାଗଟି । ତାଙ୍କୁ ଯେମିତି ଲାଗିଲା ସେ ହ୍ୟାଣ୍ଡ-ବ୍ୟାଗଟି ସହିତ ପରିଚିତ ଅଛି । ଆଗରୁ ସେ ଦେଖିଛି । ତେଣୁ ସେ ତନ୍ନ ତନ୍ନ କରି ନିରୀକ୍ଷଣ କରି ଚାଲିଥିଲା ପାଗଳର ମୁଖ ମଣ୍ଡଳକୁ । ବାମ ଗାଲର ଓଠ ତଳେ ଥିବା କଳା ଜାଈଟି ଚମକୁ ଥିଲା ପାଗଳର ସେମିତି । ମନେ ପଡିଗଲା ତାର -ଏଇ ସେଇ ପୂର୍ବତନ ଅଧିକାରୀ ସମରେଶ କାନୁନଗୋ । ତାଙ୍କ ପ୍ରିୟ ରିଟାୟର୍ଡ ଅଫିସର । ମନ ତଳେ ପ୍ରଶବାଚୀ, ଏଠାରେ ...ଏମିତି ଅବସ୍ଥାରେ । ସେ ଯାହା ହେଉନା କାହିଁକି, ସେ ତାଙ୍କୁ ଆଜି ପଚାରି ବୁଝିବ । ସେ ଏମିତି ଅବସ୍ଥାକୁ ଖସି ଆସିଲେ କେମିତି ???

ଯାତାୟତ ରାଜ ରାସ୍ତାର ଲୋକାରଣ୍ୟ । ଅକ୍ଲାନ୍ତ ପରିଶ୍ରମ କରି ହାତକୁ ଟାଣି ଉଠେଇଲା ମାଗୁଣୀ । ପାଖ ଦୋକାନରୁ ପାଣି ବୋତଲତିଏ ଆଣି ପିଇବାକୁ ଦେଲା । ମୃତ୍ୟୁକାଳୀନ ତମ୍ବା ତୁଲସୀ ପ୍ରାୟ ଲାଗିଲା ଯେମିତି । ପାଗଳ ଚାହିଁଲା –କିଏ ତୁମେ ? କାହିଁକି ଉଠେଇଲ । ଅନେଇଁଲା ପାଗଳ ମାଗୁଣୀ ମୁହଁକୁ.... ।


- ଫୁଟ-ପାଥରେ ରାସ୍ତାଟି ଅବରୋଧ କରି କାହିଁକି ଶୋଇଛ ? ଟିକେ ଦୂରେଇକି ଶୋଉନ । ଲୋକେ ଆପଣଙ୍କ ଉପରେ ଡେଇଁକି ଯିବା ଆସିବା କରୁଛନ୍ତି । 

ପାଗଳଟି କିଛି ସମୟ ଅନେଇଁଲା । କହିଲା – ତମେ ମାଗୁଣୀ !!! ତମେ ଚିହ୍ନି ପାରୁଛ ମୁଁ କିଏ ??? ପାଗଳର ମୁହଁରୁ ମାଗୁଣି ନିଜର ପରିଚୟ ଶୁଣି ତାଙ୍କୁ ଚିହ୍ନିବାରେ ଅସୁବିଧା ରହିଲା ନାହିଁ । ...ଏଇ ତେବେ ସେଇ ସମରେଶ କାନୁନଗୋ, ତାଙ୍କ ପୂର୍ବତନ ରିଟାୟର୍ଡ ଅଧିକାରୀ । ଦମ୍ଭ ଓ ସାହସ କରି ପଚାରିଲା ମାଗୁଣି –ଆପଣ ଏ ଅବସ୍ଥାରେ ...ଏମିତି ??? ଧୀର ନରମ ଗଳାରେ କ୍ଷୀଣ ଉତ୍ତର- ମୋତେ କ୍ଷମା କରିଦିଅ ମାଗୁଣି । ମୁଁ ଶେଷ ଜୀବନର ପ୍ରାୟଶ୍ଚିତ ସ୍ଵରୂପଏଇ ଅବସ୍ଥାରେ ଉପନୀତ ହୋଇଛି । ଗର୍ବ-ଦମ୍ଭ-ଅଭିମାନର ଉପାଧିରେ ଭୂଷିତ ହୋଇଥିବା ବ୍ୟକ୍ତିର ଏହା କଣ ଉପଯୁକ୍ତ ପୁରଷ୍କାର ନୁହେଁ ?

-ମାଗୁଣିର ଆଖିରୁ କେତେବେଳେ ଦି’ ବୁନ୍ଦା ଅମାନିଆଁ ଲୁହ ଜକେଇ ଆସିଥିଲା । 

ଶିଥିଳ ଅବୟବ ଓ ଥର ଥର କଣ୍ଠ ସ୍ଵର, ଜୋଡ ହସ୍ତେ ମାଗୁଣିକୁ କହିଲେ- ତମେ ମୋର ମୋ' ପାଇଁ ବହୁତ ସେବା କରିଛ ଏଇ ଶେଷ ସମୟରେ ଏଇ ଟିକି କାମ ଟିଏ କରି ଦିଅ ମାଗୁଣି । 

-କୁହନ୍ତୁ ମୁଁ କଣ କରିବି ସାର ! ଆଜ୍ଞାକୁ ଦଣ୍ଡବତ କରି କହିଲା ମାଗୁଣି ।


ଆଖିରେ ନିର୍ଦ୍ଦେଶ କରି କହିଲେ- ଏଇ ପୁରୁଣା ବ୍ୟାଗ ରେ ଗୋଟିଏ ପୁରୁଣା ଡାଇରୀ ଅଛି ଯାହାକୁ ମୁଁ ଦୀର୍ଘ ବର୍ଷର ସମସ୍ତ କଥାକୁ ଲେଖି ରଖିଥିଲି । ସେ ସବୁ ଲେଖାକୁ ଏକ ପୁସ୍ତକର ରୂପ ଦେଇ ପାରିବ ? ତେବେ ଯାଇ ମୋ' ଆତ୍ମା ଶାନ୍ତି ପାଇବ । ସେଇ ପୁସ୍ତକର ଭିତରେ ମୁଁ ଦେଖି ଆସିଥିବା ଏକ ଅସଜଡା ଦୁନିଆଁର କଥା । ଯାହାକୁ କେତେକେ ସଜେଇ ନ ପାରି ମୋ' ଭଳି ରାସ୍ତା କଡରେ ଗଡିସଢି ମରନ୍ତି । ସମସ୍ତେ ଥାଇ ବି କିଛି ନଥିଲା ଭଳି ଅଜାତ ଶତ୍ରୁ ବିମ୍ବିସାର ହୋଇ ଶେଷ ଅବସ୍ଥାରେ ଭୋଗନ୍ତି ଏଇ ଭଳି ଜନ୍ତ୍ରଣା । ସେଇ ପୂଣ୍ୟ ଦୁନିଆଁ ରେ ମୋ ଭଳି ପାପ ଚରିତ୍ର ମାନଙ୍କ ଅବସ୍ଥା ଏମିତି ଦୁର୍ବିସହ ହୁଏ । ମୋତେ କଥା ଦିଅ ମାଗୁଣି- ଏମିତି କହି ମାଗୁଣିର ହାତକୁ ଜୋର କରି ଭିଡି ଧରିଲେ ପାଗଳ ବୃଦ୍ଧ ଜଣକ । ଆଖି ଛଳ ଛଳ ଲୁହ ଭରା କଣ୍ଠରେ କେତେବେଳେ ‘’ହଁ’’ କରି ଦେଇଛନ୍ତି ମାଗୁଣି । ସେଇ ମୁର୍ମୁଷ ଅବସ୍ଥାରେ ଅନନ୍ଦାଶ୍ରୁ ଦି’ ଟୋପା ଝରି ଆସିଲା ଆଖିରୁ ଓ ସେଇଠି ଟଳି ପଡିଲେ –ସମରେଶ କାନୁନଗୋ । 


ମାଗୁଣି ହ୍ୟାଣ୍ଡ ବ୍ୟାଗ ଟି ଖୋଲିଲା । ଡାଇରୀ ର ସମସ୍ତ ପୃଷ୍ଠା ଓଲଟାଇଲା । ମୂଳରୁ ଶେଷ ପର୍ଯ୍ୟନ୍ତ ଲେଖାଥିଲା –ଜୀବନ ଇସ୍ତାହାର । ତିନିଶହ ପଂଷଠି ପୃଷ୍ଠାର ମଣ୍ଡିତ ହେଇଥିଲା ଏକ ମୋଟା ଡାଇରୀ । ସେଥିରେ ବର୍ଷକର କାର୍ଯ୍ଯକଳାପ ଲେଖାନଥିଲା । ଲେଖାଥିଲା ସମରେଶ କାନୁନଗୋଙ୍କ ସାରା ଜୀବନ-ଇତିହାସ ।

କାଲି ପରି ଲାଗେ ସମରେଶ କାନୁନଗୋ’ କାମରେ ଯୋଗ ଦେଲା ବେଳେ ମା’ କେତେ ଖୁସି ହେଉଥିଲେ । ପୁଅ ତାଙ୍କର ଜଣେ ଦେଶ ମାତୃକାର ସେବାରେ ଯୋଗ ଦେଇ ତାଙ୍କ ଯଶକୁ ବହୁତ ଆଗକୁ ନେଇ ସମାଜରେ ଭଲ ନାଁ’ ଟିଏ କମେଇବ । ଅବଶ୍ୟ ଗୋଟିଏ ଅପନ୍ତରା ଗାଁ’ ର କୃଷକ ପରିବାରରୁ ସେ ହେବେ ସହରରେ ପ୍ରଥମ ପ୍ରଶାସନିକ କର୍ମଚାରୀ । ଗାଁ' ଚାଳିଆ ଅଳନ୍ଦୁ ଲଗା ଘର ମଝି ଓରାରେ ତାଙ୍କର ବାହା ମୁକୁଟ ବୋଧ ହୁଏ ଆଉ ଥିବ କି ନାହିଁ କହି ହେବନି । ହେଲେ ପ୍ରିୟା ସଲିଳା ସହିତ ଚଉଠି ରାତିଟାର ମଧୁ ବୋଳା ସ୍ମୃତି ଗୁଡାକ ସେ' ସେଇଠି ଛାଡି ଆସିଲେ । ଅନେକ ସମୟରେ ଭାବନ୍ତି ସେ' ସ୍ମୃତିଭରା ମଧୁମୟ ମୂହୁର୍ତ୍ତ ଗୁଡାକ । ଛାଇ ଭଳି ଠିଆ ହୁଅନ୍ତି ଅଶରିରି ହୋଇ ନିରୋଳା ମୂହୁର୍ତ୍ତରେ । ତା'ପରେ ଲୁଚି ଯାନ୍ତି କେଉଁଠି କୋଳାହଳ ଭିତରେ ଆଉ ସମରେଶ ହଜି ଯା'ନ୍ତି ସେଇ କର୍ମମୟ ଦୁନିଆଁର ଅନ୍ଧାର ଭିତରେ ଯେଉଁଠି ମିଳେନା ରାହା ଟିକେ ଖୋଜିବାକୁ ନିଜେ ନିଜକୁ । ବେଳେ ବେଳେ ଝଙ୍କାଳିଆ ବରଗଛ ମୂଳେ ବସି ପୁରୁଣା ଝାପସା ଝାପସା ସ୍ମୃତିକୁ ମନେ ପକାଉ ଥିଲେ ସମରେଶ । ଅପରାହ୍ନର ବୟସ କ୍ରମଶଃ ଫିକା ପଡି ଆସିଲାଣି । ସେଦିନ ଅତୀତ କର୍ମମୟ ସ୍ମୃତିର ଦଂଶନରେ ବିଚଳିତ ।


ସଞ୍ଜ ନୂଆଣିଆଁ ବେଳ । ଛଦ୍ମ ବେଶୀ ପାଗଳ ପାଲଟିଛନ୍ତି- ସମରେଶ ବାବୁ । କାର୍ଯ୍ଯାଳୟର ପ୍ରଶାସନିକ ସମରେଶ ବାବୁ ।

କେହି ଜଣେ କହିଉଠିଲା –ସାର- ନମସ୍କାର ! କହି ଜରୀ ଘେରା ଘର ଭିତରକୁ ପଶିଲା।

ପରିଚିତ ଲାଗିଲା ଯେମିତି ସମରେଶ ବାବୁଙ୍କ କାନକୁ । ସେ କହିଲେ –କିଏ ?

-ମୁଁ, ଆସିଛି- ମାଗୁଣି ।

-ମାଗୁଣି ! ବିସ୍ମୟର କୁହେଳିକା ଭିତରେ ସେ ବୁଡି ଗଲେ ।

-ଆପଣଙ୍କ ଅଫିସିର ଚପରାଶି, ମାଗୁଣି ।

-ଓଃ ! ମାଗୁଣି ଆସ –ଆସ । ତୁମ କଥା ଭାବୁଥିଲି । ତୁମେ ମୋର ଏତେ ବିଶ୍ଵସ୍ତଯେ, ତୁମକୁ ମନେ ପକେଇଲା ସମୟରେ ତୁମେ ହାଜର ।

- ମୁଁ କେମିତି ଭୁଲି ଯିବି ଆଜ୍ଞା-ଏଇ ନିଅନ୍ତୁ ଆପଣ ଛାଡି ଆସିଥିବା- ଚଷମା ।

-ଚଷମା କାହିଁକି ଆଣିଲ ମାଗୁଣି । ସେଇଟା ପୁରୁଣା ହେଇ ଯାଇଛି । ସେଇ ଚଷମାରେ ମୁଁ ଯାହା ଦେଖିଛି ସବୁ ଓଲଟା ହେଇ ଯାଇଛି । ଜାଣିଛ ମାଗୁଣି, ସେଇ ପୁରୁଣା ଚଷମାରେ ଦେଖି ନଦେଖିଲା ଆଖିରେ ମୁଁ କେତେ କାହା ପରିବାର ଉଚ୍ଛନ୍ନ କରି ଦେଇଛି ।  ମାଗୁଣି ! ସେଇ ଚଷମା ମୋତେ ଭୁଲ ରାସ୍ତା ଦେଖେଇ ମୋତେ ବାଟ ବଣା କରିଛି । ମୁଁ ଆଜି ଭ୍ରଷ୍ଟାଚାର ମୁକ୍ତ କହି ନିଜକୁ ସଫେଇ ଦେଉଥିବା ବେଳେ ଏଇ ଚଷମା ମୋତେ ଗୋଟିଏ ଭ୍ରଷ୍ଟ ଅଧିକାରକ କରିଦେଇଛି । ମୁଁ ତାକୁ ଗ୍ରହଣ କରିପାରିବିନି- ମାଗୁଣି ତୁମେ ତାକୁ ନେଇଯାଅ । ସେଇଟା ପୁରୁଣା ଚଷମା ।


-ଏଇ ପୁରୁଣା ଚଷମାରେ ଆପଣ ସେ ପୁରୁଣା ଦିନର ସ୍ମୃତି ଭରା ମୂହୁର୍ତ୍ତକୁ କଣ ଦେଖି ନାହାନ୍ତି ।

-ହଁ ଦେଖିଛି । ଅଫିସିକୁ ଗଲା ବେଳେ, ଡଲ୍ଲୀ ବୋଉ ଗଳାରେ ଟାଏ ଟା ବାନ୍ଧିବା ବେଳେ ମୋ ଗେଟ-ଅପ ଚେହେରା । ତା’ ଆନମନା ମନକୁ ଯେମିତି ଏଇ ଚଷମା ପିନ୍ଧା ଆଖିରେ ବାନ୍ଧି ରଖିବାର ପ୍ରୟାଶ । ଆଖିର ମିଳନ ଦେହର ମୃଦୁ ଶିହରଣକୁ ମୋବାଇଲିର ସ୍ନାପ ସୁଟରେ ସେଲଫି ନେଇ ଆଲବମ ଫୋଲ୍ଡରରେ ସଜେଇ ରଖିବା । ସବୁ ମୁଁ ମୋ ପରିବାର ପାଇଁ । ମୋ ମଙ୍ଗଲ ପାଇଁ । ସବୁ ଯେମିତି ମୋ ସ୍ଵାର୍ଥ ପାଇଁ । ସ୍ଵେଚ୍ଛାଚାରୀ ଭାବେ କରିଛି । ମୁଁ ଭୁଲି ଯାଇଛି ତୁମ ହାତର ମିଠା ଚା’ କପେ ପିଇ ତମମାନଙ୍କ ସହିତ ସୁମିଷ୍ଟ ବ୍ଯବହାର କରିବା।


 ଯେମିତି ମୋର ଗୋଟାଏ ଅଧିକାର ଚା'ପିଇବା ଓ ତୁମର ଯେମିତି କର୍ତ୍ତବ୍ଯ ସେ ଚା’ ଦେବା । ତାରି ଭିତରେ ମୁଁ ପାଲଟି ଗଲି ଗୋଟାଏ ସ୍ଵାର୍ଥାନ୍ଧ । ଚରିତ୍ର ହୀନ ମଣିଷ । ମହାନଦୀରେ ବନ୍ୟା ଆସିଲେ ଆମେ ମହାନଦୀର ଜଳକୁ ଆକଳନ କରି ଗୋଟାଏ ମଜବୁତ ବନ୍ଧ ତିଆରି ନ କରି କେମିତି ଦଳେଇ ଘାଇ ବନ୍ଧ ଦୁର୍ବଳ ହୋଇ ପ୍ରତି ବର୍ଷ ବନ୍ୟା ଆସିଲେ ଶହ ଶହ ଟ୍ରକ ବାଲି ବସ୍ତା ଓ ନାମୀ ଦାମୀ ସିମେଣ୍ଟର ନକଲି ବିଲ କରି ଖାଇବାର ଯୋଜନାର ଯୋଜନା ପ୍ରସ୍ତୁତ କରୁ । କିନ୍ତୁ ଥରେ ସେଇ ବାଲି ସିମେଣ୍ଟରେ ସେ ବନ୍ଧ ମଜବୁତ କରିବାର ପ୍ରସ୍ତାବ ଦେଇ ନାହୁଁ । ଜଦି ଥରୁଟିଏ ମଜବୁତ ବନ୍ଧଟିଏ ବନ୍ଧା ଯାଇ ଥାନ୍ତା ତେବେ ପ୍ରତି ବର୍ଷ ତାହା କଣ ବନ୍ଯାରେ ଧୋଇ ହେଉଥାନ୍ତା । ଧନ ଜୀବନ ନଷ୍ଟ କରିଥାନ୍ତା । ମୁଣ୍ଡର ବୁଦ୍ଧି ଥାଇ କେବଳ ଖାଇବା ବାହାନା ନେଇ ଅସଲ କଥା କହୁ ନ ଥିଲୁ । ମୁଁ ସଚୋଟ ଦେଖେଇଲା ବେଳକୁ ମୋ' କଥା ମୋ' ତଳ ଅଧିକାରୀ ମାନିବାକୁ ପ୍ରସ୍ତୁତ ନ ଥିଲା । କେତେକ ଗଣମାଧ୍ଯମ ଆସି କହୁଥିଲେ ଆମେ ଆପଣଙ୍କ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା କଥା ଆମ ଖବର କାଗଜରେ ଲେଖି ଓଡିଶାରୁ ଦିଲ୍ଲୀ ଯାଏଁ ବାର୍ତ୍ତା ପହଞ୍ଚେଇବାର ପ୍ରୟାଶ ଜାରି ରଖିଛୁ । ଆମ ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । କାରଣ ସବୁ ଅର୍ଥ ସହାୟତାରେ ସେମାନେ ଅଂଶୀଦାର ହୋଇ ମୋଟା ଅଙ୍କର ମଞ୍ଜୁରୀ ଅର୍ଥକୁ କିମିତି ଅକ୍ଲେଶରେ ତୁଷାରପାତ କରି ହେବ ।


ସେଇ କଥା ଏଇ ପୁରୁଣା ଚଷମାଟି ଟିକିନିଖି ସବୁ ନାକ ଉପରେ ରହି ସବୁ ଦେଖିଛି ହୃଦୟର ସ୍ପନ୍ଦନ କେତେ ବଢିବାର ଜାଣିଛି । ମୁଣ୍ଡ ଯେତେ ସବୁ ଖରାପ ଚିନ୍ତାର ନକ୍ସା ଅଙ୍କନ କରୁ ଥିଲା । ଏଇ ମୁଣ୍ଡର ଭ୍ରଷ୍ଟ ଭାବନକୁ ଏଇ ଚଷମା ପ୍ରତିବାଦ ନ କରି ଝୁଲନ୍ତା ଅବସ୍ଥାରେ ଥାଇ ମୁକ ସାକ୍ଷୀ ପାଲଟି ଯାଇ ଥିଲା । କେବଳ ସେତିକି ନୁହେଁ – ମାଗୁଣି । ସହରୀ କରଣ ଯୋଜନାରେ ତୋଳା ଯାଇଥିବା ଅନେକ ସରକାରୀ ଘରର କାନ୍ଥ ଓ ଛାତ ସବୁ ଦୁର୍ବଳ କରି ତୋଳା ଯାଇଛି । ପଚିଶି ବାଲିମାପରେ ଗୋଟିଏ ସିମେଣ୍ଟ ଦେଇ କେତେଯେ ମଣିଷ ଜୀବନ ସହିତ ଖେଳିଛି ମୁଁ । ସେଇ ଅସାଧୁ ଆୟ ସବୁ ମୋ’ଠାରୁ ମୋ ପରିବାରକୁ ଦୂରେଇ ରଖିଲା । ମୁଁ ବାପ ହେଇ ପିତୃତ୍ଵର ମମତା କାହାକୁ ଦେଇ ପାରିଲି ନାହିଁ । କଳା ଟଙ୍କା ଆୟରେ ସେମାନେ ଯାଇ ବିଦେଶରେ ପଢିଲେ । ମୁଁ ଗୋଡେଇଲି କଳା ଧନ ସଂଗ୍ରହ କରିବା ପଛରେ । ତାପରେ ... ଲଣ୍ଡା ଜଙ୍ଗଲ କାଟି ସବୁଜିମା ଭରିଦେବା ପରିବର୍ତ୍ତେ ମୁଁ ସର୍ବୋଚ୍ଚ ଅଟ୍ଟାଳିକା ତିଆରି କରିବାର ପରିକଳ୍ପନା, ମୁଁ ଆଙ୍କି ପ୍ରସ୍ତାବ ସବୁ ଆଗତ କରିବାକୁ ଗଣ ମାଧ୍ଯମରେ ଦୃଷ୍ଟି ଆକର୍ଷଣ କରେଇ ସେଥିରୁ କେତେ ନିଜର ଆୟ ହେଇ ପାରିବ ସେତେବେଳେ ଏଇ ପୁରୁଣା ଚଷମା ମୋତେ ଦେଖେଇ ଦେଉଥିଲା । କେମିତି ମାପ ଚୁପ ହେଲେ ସେଥିରେ ମୋର ଭଲ ଆୟ ହେବ । ଏଇ ସବୁ ଭ୍ରଷ୍ଟ କାମରେ ଲିପ୍ତ ହୋଇ ଅନେକ ରୋଜଗାର କରିଛି ।


ଏଇ ପୁରୁଣା ଚଷମା ସବୁ ଭ୍ରଷ୍ଟ ଚିତ୍ର ସବୁ ଆଙ୍କିବାର ଦେଖିଛି । ସ୍ତ୍ରୀର କଟୁବାକ୍ୟ ଶୁଣି ନୀରବ ରହିଛି କାରଣ ସେ ମୋତେ ଧମକ ଦେଇ କହିଛି ଯଦି ତା’ କଥା ନ ଶୁଣେ ସେ' ମୋ' ନାଆଁରେ ଅଭିଯୋଗ କରିବଯେ, ମୁଁ ଭ୍ରଷ୍ଟ ଚରିତ୍ରର ମଣିଷ । ଆଉ ଜାଣିଛ, ମୋ' ଭ୍ରଷ୍ଟ ଆୟର ଅଂଶୀଦାର ମାନେ ବେଶ ମଜା ନେଇଛନ୍ତି । ପରିବର୍ତ୍ତେ ମୋର ଚାକିରୀ ଚାଲିଗଲା । ଚାକିରୀ ଚାଲିଯିବା ପରେ ମୋ ଅର୍ଜିତ ଅର୍ଥ ଗୁଇନ୍ଦା ବିଭାଗ ଦ୍ଵାରା ଧରା ପଡି ତାହା ଜାତୀୟ କାରଣ ହେଇଯିବା ଜାଣି ସ୍ତ୍ରୀ ମୋତେ ଛାଡ ପତ୍ର ଦେଇ ଦେଲା । ବିଦେଶରେ ପଢୁଥିବା ପିଲାମାନେ ବିଦେଶରୁ ଅର୍ଥ ସଙ୍କଟରେ ପ୍ରପୀଡିତ ହେଇ ପ୍ରତ୍ୟାବର୍ତ୍ତନ କଲେ । ମୋ' ବିରୁଦ୍ଧରେ ଭିଜିଲାନ୍ସର ସନ୍ଦେହୀ ଆଖି ବାରମ୍ବାର ଚଢାଉ କଲା । ଶେଷରେ ସେ ସିବିଆଇକୁ ଦେଇ ମୋର ସମସ୍ତ ଅର୍ଜିତ ଅର୍ଥ ବାଜ୍ୟାପ୍ତି କରିଦେଲା । ମୋ' ପାଖରେ ମୋ ପିଲାମାନେ ରହିବାକୁ ଘୃଣା କଲେ । ଯେତେ ପ୍ରିୟପରିଜନ ଥିଲେ ମୋ' ସହିତ ମିଳା ମିଶି କଲେ କାଳେ ପୋଲିସ ସନ୍ଦେହ କରି ସେମାନଙ୍କ ଉପରେ ଚଢାଉ କରିବ, ତେଣୁ ସେମାନେ କଥା ବାର୍ତ୍ତା କରିବା ବନ୍ଦ କରିଦେଲେ । ମୁଁ ନିରୁପ୍ରାୟ ହୋଇ ଗୋଟିଏ ବାସନ୍ଦ ଜୀବନ ଯାପନ କଲି । ଶେଷରେ ଠିକ କଲି ଗୋଟିଏ ପାଗଳ ଅଭିନୟକୁ ଆପଣେଇ ବଞ୍ଚିବି। ମୁଁ ମଣିଷରୁ କୃତିମ ପାଗଳ ପାଲଟି ଗଲି । ସେଇ ପାଗଳାମି ଭିତରେ ମୁଁ ଖୋଜି ବୁଲିଲି ନିଜକୁ-। ହଜି ଯାଇଥିବା ମୋ' ଭିତରେ ମଣିଷ ପାଣିଆକୁ । ଆଉ ସମୀକ୍ଷା କରିବାକୁ ମୋ ଭ୍ରଷ୍ଟ ଚରିତ୍ରକୁ । ଜାଣିଛ, ମୁଁ ମୋ ଦେହର ସମସ୍ତ ଅଙ୍ଗ ଆଜି ସ୍ଵେଚ୍ଛାକୃତ ଭାବେ ଦାନ କରି ଦେଇଛି ଏ ଦେଶର ମଣିଷ ମାନଙ୍କୁ ଯାହାଙ୍କ ଅର୍ଥକୁ ମୁଁ ଆତ୍ମସାତ କରି ପାଲଟି ଗଲି ଏକ ଘୃଣ୍ୟ ମଣିଷ । ବାକି ଥିବା ସମସ୍ତ ଅର୍ଥକୁ ଦେବା ପରେ ନିଅଣ୍ଟିଆ ଅର୍ଥ ପୁରଣ ପାଇଁ ଏଇ ଦେଖ ! ମୋ ଦେହରୁ କିଡିନୀ ଓ ଗୋଟିଏ ଆଖି ବିକ୍ରି କରି ପରିଶୋଧ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛି ।


ଦିନେ ସମରେଶ ପାଖରେ ଗାଡି, ବଙ୍ଗଳା, କୋଠା ବାଙ୍କ ବାଲାନ୍ସ ସବୁ ଥିଲା ଆଜି ସେ ଫକିର ଆଉ ଛଦ୍ମବେଶୀ-ପାଗଳ । ତାପରେ, ସମସ୍ତେ ଗୋଟେ ଗୋଟେ ଭ୍ରଷ୍ଟ ଠକ-ଚୋର ଅଧିକାରୀ ଠାରୁ ନିଜକୁ ଅଲଗା କରିଦେଲେ । ତୁମକୁ କେତେ ମୁଁ ଖୋଜିଛି-ମାଗୁଣି । ହଁ, ତାପରେ ଭାବିଲି ତମେ ମୋ' ଛାଇ ନ ମାଡିବା ଭଲ । କାଳେ କିଏ ଭାବିବ କଣ । ଠିକ କଲି ଏଇ ରାସ୍ତାକୁ ମୋ' ବଙ୍ଗଳା ଭାବି ଆପଣେଇ ବଞ୍ଚି ଯିବି କିଛି ଦିନ । ଦିନେ ନା ଦିନେ ମୋ ରକ୍ତ ମୋତେ ଡାକିନେବେ ପରା । ଲୁଚି ଲୁଚି ଭଲ ପାଇବେ । କିନ୍ତୁ –ନା । ହାରୁଥିବା ପଶା ପାଲିର ଗୁଟି ଗୁଡାକୁ ବାରମ୍ବାର ହାରିବାର ପକ୍ଷଧର ହୋଇ ମୋ ଠାରୁ ସବୁ ଛଡେଇ ନେଇଗଲା । ମୁଁ ସବୁ ହରେଇ ପୋଲିସର ସନ୍ଦେହ ଦୃଷ୍ଟିରୁ ନିବୃତ୍ତ ହେବାକୁ ଯାଇ, ମଣିଷ ରୁ ପାଗଳ ହେଇ ଗଲି ।


ମାଗୁଣି ପଢୁଥିଲା ଡାଇରୀ ର ଶେଷ ପ୍ରୁଷ୍ଠାଙ୍କ ସେଇ ଖାତା ଭିତରେ ମାଗୁଣିର ଝର-କଲମରେ ଲେଖାଥିଲା ତାଙ୍କ ଜୀବନର ଇସ୍ତାହାର- । ମାଗୁଣିର ନୀରବ ନିସ୍ପନ୍ଦ ଆଖି ଦି’ଟାରୁ ଝରୁଥିଲା କେଇ ବୁନ୍ଦା ସମବେଦବନାର ଲୁହ ।

ଶେଷ କେଇ ଧାଡି ଅସ୍ପଷ୍ଟ ଦେଖା ଯାଉଥିଲେ ହେଁ, ଜୀବନର ଉପସଂହାରରେ ଲେଖା ଥିଲା- ଯଦି କେହି ସହୃଦୟ ବ୍ୟକ୍ତି ମୋ ବିଷୟ ପଢି ସମାଜ ସାମ୍ନାରେ ବିତରଣ କରେ । ତେବେ କେହି ହୁଏତ ମୋ' ଭଳି ହେବାକୁ ସାହସ କରିବେ ନାହିଁ । ଆଗାମୀ ପିଢୀ ପାଇଁ ସମରେଶ ପାଲଟି ଯାଇଥିଲେ ଏକ ଉଦାହରଣ । । ହାତରେ ଧରିଥିବା ପୁରୁଣା ଚଷମାଟି ତଳେ ପଡି ଭାଙ୍ଗି ଯାଇଥିଲା । ଜରି ଘେରା ଘର ଭିତରେ ଥିବା ଗୋଟିଏ ଭଙ୍ଗା ଟିଣ-ବାକ୍ସରେ ଥିଲା କେଇଖଣ୍ଡ ଖାତା ଓ ମାଗୁଣି ର ଝର କଲମ । ଯେଉଁ କଲମରେ ଲେଖା ଥିଲା,ସମରେଶ ବାବୁଙ୍କ ମୂଳରୁ ଶେଷ ପର୍ଯ୍ୟନ୍ତ ଜୀବନର ଇସ୍ତାହାରକୁ ପ୍ରକାଶନ ପାଇଁ ରଖିଥିଲା ।


ରାତି କ୍ରମଶଃ ବଢିବାରେ ଲାଗିଥିଲା । ମୁନିସପାଲିଟିର ଲୋକେ ତତପର ହେଉଥିଲେ ସମରେଶ ବାବୁଙ୍କ ନିଶ୍ଚଳ ଦେହଟାକୁ ଟେକି ନେବା ପାଇଁ । ଖୋଜା ପଡିଥିଲା କେଇ ଜଣ ସାକ୍ଷୀର ସ୍ଵାକ୍ଷର । ମାଗୁଣୀ ଏହାକୁ ମହତ କାମ ଭାବି ନିଜର ଦସ୍ତଖତ ଦେଇ, ଚାହିଁ ରହିଥିଲା ଏକ ଲୟରେ । ସବୁ କିଛି ଛାଡି ଦେଇ ବିଦାୟ ନେଇ ଯାଉଥିଲେ ଏକ ଭତ୍ସିତ ଆତ୍ମା ଭିନ୍ନ ଏକ ସ୍ଵର୍ଗ ପୁରକୁ । 

ଅଦୂରେ, ଶ୍ରମଣଙ୍କ ସହିତ ଭିକ୍ଷୁଙ୍କ ସ୍ଵର ଝଙ୍କାର ଭିତରେ ଥିଲା ବୁଦ୍ଧଙ୍କ ଅମର ତତ୍ତ୍ଵର ଉପଦେଶ – କାମନାର ବିନାଶରେ ଦୁଃଖର ବିନାଶର । ଅମୃତ ଝର ହେଇ ଝରୁଥିଲା ବୋହି ଯାଉଥିଲା ମାଗୁଣି ଆଖିର ଲୁହରେ ....... ।



Rate this content
Log in

Similar oriya story from Fantasy