ଶାଶୁ ବୋହୁ
ଶାଶୁ ବୋହୁ
ସୁଦାମର ବିବାହ ଏଇ ଅଳ୍ପଦିନ ହେବ ହୋଇଛି। ତା'ର ମାମୁ ଖୁବ୍ ଅସୁସ୍ଥ ଥିବା ଯୋଗୁଁ ବିବାହରେ ଯୋଗ ଦେଇ ପାରି ନଥିଲେ। ତେଣୁ ସୁଦାମ ତା' ବିବାହର ଅଳ୍ପ ଦିନ ପରେ ମାମୁଙ୍କୁ ଦେଖିବାକୁ ଗଲା।
ସୁଦାମକୁ ଦେଖି ତା' ମାମୁ ଅତ୍ୟନ୍ତ ଖୁସି ହୋଇ ବିବାହର ସବୁ କୁଶଳ ପ୍ରଶ୍ନ ପଚାରିଲେ ଓ କହିଲେ, "ଭଗବାନଙ୍କ ଦୟାରୁ ମୁଁ ଏବେ ପ୍ରାୟ ସୁସ୍ଥ ହୋଇଗଲିଣି। ଏବେ କହ ତୋର ନୂଆ ସଂସାର କିପରି ଚଳୁଛି? ଶାଶୂ ବୋହୂ ପରସ୍ପରକୁ ଭଲ ପାଉଛନ୍ତି ତ? ବୋହୂ ଶାଶୂକୁ କାମଦାମରେ ସାହାଯ୍ୟ କରୁଛି ତ?"
ସୁଦାମ କହିଲା, "ସାହାଯ୍ୟ କ'ଣ, ବୋହୂ ତ ସାରା ଘରସଂସାରର ଦାୟିତ୍ଵ ନିଜେ ନେଇଛି। ମା' ତ ଆରାମରେ ବସିଛି।"
ମାମୁ କହିଲେ, "ଯାହାହେଉ, ବୁଢୀଦିନେ ତୋ ମା'କୁ ଟିକିଏ ବିଶ୍ରାମ ମିଳିଲା। ବିଚାରୀ ବହୁତ କଷ୍ଟ ସହି ତୁମମାନଙ୍କୁ ସେ ମଣିଷ କରିଛି। ତୋ ବାପର ମୃତ୍ୟୁ ପରେ ସବୁ କଥା ତ ସେ ହିଁ ବୁଝୁଥିଲା। ଏବେ ତ ଖୁସିରେ ସେ ତା' ସମୟ କାଟିବ।"
ସୁଦାମ ଉତ୍ତର ଦେଲା, "ହଁ ମାମୁ, ମା ବର୍ତ୍ତମାନ ଆନନ୍ଦରେ ସମୟ ଅତିବାହିତ କରିବା ଉଚିତ। ମୁଁ ମଧ୍ୟ ସେଇଆ ଭାବୁଥିଲି ଓ ମା ନିଶ୍ଚିନ୍ତ ହୋଇ ରହନ୍ତୁ ବୋଲି ଚାହୁଁଥିଲି। କିନ୍ତୁ…"
ମାମୁ ତା' ଆଡେ ଚାହିଁ ରହିଲେ ଓ ପଚାରିଲେ, "କିନ୍ତୁ କ'ଣ? ତୁ ତ ଠିକ ଠାକ୍ ବୋଲି ଏବେ କହୁଥିଲୁ।"
ସୁଦାମ କିଛି କହିବାକୁ ଯାଇ ହଠାତ ଚୁପ ହୋଇଗଲା। ସେକଥା ତା'ର ମାମୁ ଲକ୍ଷ୍ୟ କରି କହିଲେ, "ମନେ ହେଉଛି ତୁ କିଛି କହିବାକୁ ଯାଇ ଅଚାନକ ଚୁପ ହୋଇଗଲୁ। ମୋ ପାଖରେ କିଛି କହିବାରେ କାହିଁକି ସଙ୍କୋଚ କରୁଛୁ? ତୋର ଯାହା କହିବାର ଅଛି ନିଃସଙ୍କୋଚରେ କହ।"
ସୁଦାମ କହିଲା, "ମୋର ବିବାହ ପରଠାରୁ ମା' ସର୍ବଦା ଦୂରେଇ ରହୁଛି। ସବୁବେଳେ ବସି ସେ କ'ଣ ଗୋଟେ ଭାବୁଥାଏ, ଏମିତି ଲାଗେ ସେ ଯେପରି କୌଣସି ସମସ୍ୟା ନେଇ ଗଭୀର ଚିନ୍ତାମଗ୍ନ।"
ମାମୁ ପ୍ରଶ୍ନ କଲେ, "ତୁ ତା'ର କାରଣ କ'ଣ ବୋଲି ପଚାରିଲୁ ନାହିଁ?"
"ମୁଁ ସେକଥା ପଚାରିବା ପୂର୍ବରୁ ହିଁ, ଦିନେ ବୋହୂ ବାସନ ମାଜି ପାଣି ଆଣି ଆସିବାକୁ ପୋଖରୀକୁ ଯାଇଛି, ଠିକ ସେତିକିବେଳେ ମା' ମୋତେ ପାଖକୁ ଡାକି କହିଲା, "ପୁଅ, ତୋ ସ୍ତ୍ରୀ ବହୁତ ସୁନ୍ଦର, କିନ୍ତୁ ତୁ ଏକଥା ତା' ମୁହଁ ଉପରେ କେବେବି କହିବୁ ନାହିଁ।"
ପୁଣି ମା' କହିଲା, "ସେପରି କଲେ ସେ କାଳେ ଭାରି ଉଦ୍ଧତ ହୋଇଯିବ ଓ ତୋର ଅବହେଳା କରିବ।"
ତା'ପରେ ମା' କହିଲା, "ନିଜ ସ୍ତ୍ରୀ ବୋଲି ସବୁକଥା ତାକୁ ଆଦୌ କହିବୁ ନାହିଁ।"
ମୁଁ ପଚାରିଲି, "କାହିଁକି କହିବି ନାହିଁ?"
ଉତ୍ତର ମିଳିଲା, "କାରଣ, ସେ ଯେଉଁଠି ନାଇଁ ସେଇଠି ଓ ଯାହାକୁ ନାଇଁ ତାହାକୁ ଘରର ଗୋପନୀୟ କଥାସବୁ କହିଦେବ।"
ମୁଁ ପଚାରିଲି, "ଆଚ୍ଛା, ତାପରେ?"
ମା' କହିଲା, "ତା'ପରେ ସିଏ ଯେତେ ଭଲ କଥା କହିଲେ ମଧ୍ୟ ହଠାତ ତା' କଥାରେ ପଡ଼ି କିଛି କରିବୁ ନାହିଁ।"
ମୁଁ ପଚାରିଲି, "କଲେ କ'ଣ ହେବ?"
ମା'ର ଜବାବ ହେଲା, "କ'ଣ ହେବ? ତା'ପରେ ମୋତେ ଏ ଘରୁ ବାହାର କରି ଦେବାକୁ ମଧ୍ୟ ତତେ ସେ ଶିଖେଇବ।"
ଏସବୁ ଅଜବ କଥା ଶୁଣି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲି। ତା'ପରେ ମା' କହିଲା, "ଶୁଣ, ସିନ୍ଦୁକର ଚାବି ତୁ ତାକୁ କେବେବି ଦେବୁ ନାହିଁ।"
ମୁଁ ପଚାରିଲି, "ଦେଲେ କ'ଣ ହେବ?"
ମା' କହିଲା, "ଆରେ ବୋକା, ତୋର ସବୁ ପଇସା ନେଇ ସେ ତା' ବାପଘରେ ପୂରାଇବ।"
ସବୁକଥା ଶୁଣିବା ପରେ ମୁଁ ମୋ ମା'କୁ ପଚାରିଲି, "ମା, ଏସବୁ କଥା ତୋ ମୁଣ୍ଡରେ କୁଆଡୁ ପଶିଲା? ଏହା ତ ନିହାତି ଅସଙ୍ଗତ କଥା।"
ଏକଥା ଶୁଣି ମାମୁ କହିଲେ, "ପୁଅ, ତୋତେ ଯାହା ପଚାରୁଥିଲି ତା'ର ଉତ୍ତର ପାଇଲି। ଏବେ କହ ତ ତୋ ମା' ତୋତେ କି ଉତ୍ତର ଦେଲା।
ମା' କହିଲା, "ପୁଅ କେଉଁଠି ମା'କୁ ଏସବୁ ପ୍ରଶ୍ନ ପଚାରେ? ଏବେ ମୁହଁ ବନ୍ଦ କରି ଚୁପ୍ ରହ।" ସୁଦାମ କହିଲା, "ଏତିକି କହି ମା' ମୋ ପାଖରୁ ଉଠି ରନ୍ଧାଘର ଆଡ଼େ ଚାଲିଗଲା।"
ଏକଥା ଶୁଣି ମାମୁ ହସି ହସି ଗଡ଼ିଗଲେ। ତା'ପରେ ସେ ଗମ୍ଭୀର ହୋଇଗଲେ। ଏସବୁ ଦେଖି ସୁଦାମ ପ୍ରଶ୍ନ କଲା, "ମାମୁ, ଏ ବିଷୟରେ କିଛି ସମାଧାନ ଜାଣିଥିଲେ ମୋତେ କୁହ, ମୋର ବା ମୋ ସ୍ତ୍ରୀର ଭୁଲ ଥିଲେ ମୁଁ ତାକୁ ସୁଧାରି ନେବି।"
ମାମୁ ପଚାରିଲେ, "ମୁଁ ସବୁ ଜାଣେ, ତେବେ ତୁ ଜାଣି କ'ଣ ଲାଭ ହେବ?"
ସୁଦାମ କହିଲା, "ମୁଁ ମା'ର ଭୟ ଓ ଆଶଙ୍କାର କାରଣ ଜାଣିଲେ ତାକୁ ଦୂର କରିବାକୁ ନିଶ୍ଚୟ ଚେଷ୍ଟା କରିବି। ତଦ୍ଦ୍ୱାରା ସେ ଅନ୍ତତଃ ଟିକେ ଶାନ୍ତିରେ ରହିବ।"
"ତେବେ ଶୁଣ। ଯେଉଁ ସବୁ କଥା ସେ ତୋ ସ୍ତ୍ରୀ ବିଷୟରେ ଆଶଙ୍କା କରୁଛି, ସେସବୁ ସେ ନିଜେ ଯେତେବେଳେ ନୂଆ ବାହା ହୋଇଗଲା ସେମିତି କରିଥିଲା। ସେଇଥିପାଇଁ ତା'ର ଭୟ।"
ଏକଥା କହି ମାମୁ ହସିଲେ ଓ ସୁଦାମ ମଧ୍ୟ ହସିଦେଲା।
ତା'ପରେ ମାମୁ କହିଲେ, "ସୁଦାମ! ତୋ ମା' ତୋତେ ଏସବୁ କଥା କହୁଛନ୍ତି, ଯେପରି ଏହା ତୋ ସ୍ତ୍ରୀ ନ ଜାଣନ୍ତି।"
ସୁଦାମ ପଚାରିଲା, "କାହିଁକି?"
ମାମୁ ବୁଝାଇ ଦେଲେ, "ତୋ ମା'ଙ୍କ ପ୍ରତି ବୋହୂର ଶ୍ରଦ୍ଧା କମି ଯାଇପାରେ।"