Ranjit Sahu

Crime Fantasy Thriller

4  

Ranjit Sahu

Crime Fantasy Thriller

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

5 mins
1.0K


"ସବୁ ଯୁଗରେ କଣ କଂସ ହାରିଯିବ କି? କେବେ ତ ତାହାର ମଧ୍ୟ ବିଜୟ ହେବ," କୁଟିଳ ହସଟିଏ ହସିଲେ ରାଜା ସମରେନ୍ଦ୍ର I "କାଲି ଏକଇଶିଆ ପୂଜା ପରେ ପରେ ଭଣଜାର ଇତିଶ୍ରୀ ଯେମିତି ହେଇଯାଏ ଆଉ କାହାକୁ କୌଣସି ସନ୍ଦେହ ନ ହୁଏ, ସେମିତି ବନ୍ଦୋବସ୍ତ ହେଇଥିବା ଦରକାର I ରାଜାଙ୍କର ଅନ୍ୟ ସନ୍ତାନ ହେବାର ଲେଖା ନାହିଁ ଜ୍ୟୋତିଷଙ୍କର ମତରେ I ତା ପରେ ତାଙ୍କର କନ୍ୟା ସହ ମୋର ଭାଇର ପୁଅର ବାହାଘର ହେବ ଏବଂ ଦିନେ ସେ ସମଗ୍ର ରାଜ୍ୟ ଆମର ହୋଇଯିବ I ସବୁ ପ୍ରବନ୍ଧ ସରିଛି ତ ?"


"ଆଜ୍ଞା ମଣିମା, ଆପଣ ଯେମିତି କହିଥିଲେ ସବୁ ଠିକ ସେମିତି ହେଇଛି I କାହା ମନରେ ତିଳେ ମାତ୍ର ସନ୍ଦେହ ହେବ ନାହିଁ I ଆପଣ ନିଶ୍ଚିନ୍ତ ରୁହନ୍ତୁ I କିନ୍ତୁ କାଲି ତ ସେହି ଉତ୍ସବରେ ଆପଣଙ୍କ ପୁତ୍ରର ମଧ୍ୟ ଏକୋଇଶିଆ ପାଳନ ହେବ ! ଏମିତି ଦୁଃଖ ଘଟଣା ପରେ ଆପଣ ନିଜକୁ ସମ୍ଭାଳି ପାରିବେ ତ?" ସେନାପତି ପଚାରିଲେ I "ମୋତେ ଏତେ ଦୁର୍ବଳ ମନେ କରୁଛ ସେନାପତି? ମୋ ନାମର ଅର୍ଥ ଭୁଲି ଯାଇଛ? ଏଇଟା ବିଧିର ବିଧାନ ହିଁ ଅଟେ ଯାହା ଯୋଗୁଁ ଆମେ ସେ ସମଗ୍ର ରାଜ୍ୟକୁ ଅକ୍ତିଆର କରିବା I ଗୋଟିଏ ଦିନରେ ମୁଁ ଦ୍ଵିତୀୟ ଥର ପାଇଁ ମାମୁଁ ଏବଂ ପ୍ରଥମ ଥର ପାଇଁ ପିତା ହେଲି କାହିଁକି ନଚେତ I କଣ କରାଯିବ? ହଉ, ଏ ସବୁ କଥା ଯେମିତି ଏହି କକ୍ଷରୁ ବାହାରକୁ ନ ଯାଏ I ଯେଉଁ ଦାସୀକୁ କାର୍ଯ୍ୟଭାର ଦିଆଯାଇଛି, କାର୍ଯ୍ୟ ଶେଷ ହେବା ପରେ ତୁରନ୍ତ ତାହାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇକି ତାହାର ହତ୍ୟା କରିଦିଅ ଯାହା ଦ୍ଵାରା ଅନ୍ୟ କେହି କେବେ ମଧ୍ୟ ସତ୍ୟତା ଜାଣି ପାରିବେନି," ରାଜା ସମରେନ୍ଦ୍ର ପୁଣି କହିଲେ I "ସେ ବନ୍ଦୋବସ୍ତ ମଧ୍ୟ ସରିଛି ମଣିମା, କଟୁଆଳ ତାହାର ଯୋଗାଡ଼ କରି ସାରିଛି, " ସେନାପତି ଉତ୍ତର ଦେଲେ I  ଶୋକ ସଭାରେ ମୁଁ ଅତ୍ୟନ୍ତ ଦୁଃଖୀ ହେବାର ଅଭିନୟ କରିବି, ଏବଂ ଦିନଟି ସାରା ଆଉ ଅନ୍ନ ଛୁଇଁବିନି ତେଣୁ ତାହା ପୂର୍ବରୁ ଯେମିତି ମୋର ଭୋଜନ କାର୍ଯ୍ୟକ୍ରମ ମଧ୍ୟ ସମାପନ ହୋଇଯାଏ, ଗୁପ୍ତ ଭାବରେ ତାହାର ବ୍ୟବସ୍ଥା କରିଥିବ," ପାଖରେ ଥିବା ମନ୍ତ୍ରୀଙ୍କୁ କହିଲେ ରାଜା ସମରେନ୍ଦ୍ର I ମନ୍ତ୍ରୀ ଆଦେଶ ପାଳନ କରିବା ଲାଗି ତୁରନ୍ତ କକ୍ଷ ତ୍ୟାଗ କଲେ I  ରାଜା ସମରେନ୍ଦ୍ରଙ୍କ ରାଜ୍ୟ ସପ୍ତଶୌର୍ଯ୍ୟ ଆଉ ରାଜା ମିତ୍ରାଦିତ୍ୟଙ୍କ ରାଜ୍ୟ ସପ୍ତସ୍ଵରା ପଡୋଶୀ ରାଜ୍ୟ ଏବଂ ମିତ୍ର ରାଜ୍ୟ ହୋଇଥିଲେ ମଧ୍ୟ ରାଜା ସମରେନ୍ଦ୍ର ସଦା ବେଳେ ରାଜା ମିତ୍ରାଦିତ୍ୟଙ୍କୁ ଈର୍ଷା କରୁଥିଲେ I ରାଜା ସମରେନ୍ଦ୍ରଙ୍କର ବ୍ୟବସାୟିକ ଦୃଷ୍ଟି ଅଧିକ ଏବଂ ସଦାବେଳେ ଧନ ଉପାର୍ଜନ ଆଉ ବିଳାସମୟ ଜୀବନ ଜାପାନ କରିବା ତାଙ୍କର ଜୀବନର ଲକ୍ଷ୍ୟ ଥିଲା I ତେଣୁ ଯେଣ ତେଣ ପ୍ରକାରେଣ ରାଜ୍ୟ ବିସ୍ତାର କରିବାକୁ ଏବଂ ସମ୍ପତ୍ତି ଠୁଳ କରିବାରେ ସଦା ବେଳେ ବ୍ୟସ୍ତ ଥିଲେ I ଅପରପକ୍ଷରେ ରାଜା ମିତ୍ରାଦିତ୍ୟ ଥିଲେ ମାତା ସରସ୍ଵତୀଙ୍କର ଉପାସକ, ସଂଗୀତ, କଳା ଆଉ ଅନେକ ବିଦ୍ୟାରେ ନିପୁଣ I ତେଣୁ ଚାରି ଆଡେ ତାଙ୍କର ସୁନାମ ଥିଲା I ତାହା ମଧ୍ୟ ରାଜା ସମରେନ୍ଦ୍ରଙ୍କର ଚକ୍ଷୁରେ ଶୁଳ ହୋଇ ତାଙ୍କୁ ସବୁ ବେଳେ ବିବ୍ରତ କରୁଥିଲା I ଅର୍ଥନୀତିରେ ଅଳ୍ପ ପଛରେ ଥିଲେ ମଧ୍ୟ ମିତ୍ରାଦିତ୍ୟଙ୍କର ରାଜ୍ୟରେ ଶାନ୍ତି ଆଉ ଶୃଙ୍ଖଳା ସବୁବେଳେ ରହିଥାଏ ଏବଂ ପ୍ରଜାମାନେ ପରସ୍ପର ସହିତ ଭାତୃଭାଵ ରଖି ଚଳୁଥାଆନ୍ତି I ସଂଯୋଗରେ ମିତ୍ରାଦିତ୍ୟ ବାହା ହୋଇଥିଲେ ସମରେନ୍ଦ୍ରଙ୍କର ଭଉଣୀ ସ୍ଥିତପ୍ରଜ୍ଞାଙ୍କୁ ଏବଂ ଦୁଇଜଣ ରାଣୀଙ୍କର ଗୋଟିଏ ଦିନରେ କିଛି ଘଣ୍ଟା ବ୍ୟବଧାନରେ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ I ସମରେନ୍ଦ୍ରଙ୍କ ପତ୍ନୀ ସୁନନ୍ଦା ମଧ୍ୟ ଅତ୍ୟନ୍ତ ଗୁଣବତୀ ଥିଲେ କିନ୍ତୁ ସ୍ଵାମୀଙ୍କର ଆଜ୍ଞାଧୀନା ହୋଇଥିବାରୁ ତାଙ୍କର ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ I ସବୁବେଳେ ଧନ ଲୋଭରେ ପୀଡିତ ରାଜା ସମରେନ୍ଦ୍ରଙ୍କୁ ଏହି ସଂଯୋଗରେ ରାଜ୍ୟ ବିସ୍ତାର ଆଉ ବିନା ଯୁଦ୍ଧରେ ପଡୋଶୀ ରାଜ୍ୟ ଅକ୍ତିଆର କରିବାର ସୁଯୋଗଟିଏ ଦିଶିଥିଲା I ଦୁଇଟି ରାଜ୍ୟର ସୀମାନ୍ତରେ ଥିଲା ଏକ ପ୍ରାଚୀନ ମନ୍ଦିର ଯେଉଁଠାରେ ସମସ୍ତ ପ୍ରକାର ପାରିବାରିକ ଉତ୍ସବ ସବୁ ସମ୍ପନ ହେଉଥିଲା I ମନ୍ଦିର ଵାହାରେ ପାନ୍ଥଶାଳାଟିଏ ମଧ୍ୟ ନିର୍ମାଣ କରାଯାଇଥିଲା ଦୁଇ ରାଜ୍ୟର ରାଜାଙ୍କର ପରିବାର ବର୍ଗ ପାଇଁ I ଗୋଟିଏ ଦିନରେ ଉଭୟ ରାଜ୍ୟର ରାଜକୁମାରଙ୍କ ଏକୋଇଶିଆ ହେଉଥିବାରୁ, ମିଳିମିଶି କାର୍ଯ୍ୟକ୍ରମଟିକୁ ଅଧିକ ଜାକଜକମରେ ପାଳନ କରିବାର ପ୍ରସ୍ତାବ ଦେଇଥିଲେ ରାଜା ମିତ୍ରାଦିତ୍ୟ  I ନିଜର ସମୃଦ୍ଧି ଆଉ ସମ୍ପତ୍ତିକୁ ସବୁବେଳେ ଦେଖେଇବାକୁ ତତ୍ପର ରାଜା ସମରେନ୍ଦ୍ରକୁ ଏଥିରେ ଆଉ ଗୋଟିଏ ସୁଯୋଗ ମିଳିଗଲା ନିଜକୁ ଅଧିକ ବୈଭବଶାଳୀ ବୋଲି ପ୍ରମାଣ କରିବାକୁ, ତେଣୁ ସେ ତୁରନ୍ତ ପ୍ରସ୍ତାବରେ ରାଜି ହୋଇଗଲେ ଏବଂ କହିଦେଲେ ସବୁ ଖର୍ଚ୍ଚର ଦୁଇ ତୃତୀୟାଂଶ ତାଙ୍କର ରାଜ୍ୟ ବହନ କରିବ I 

ରାଜା ସମରେନ୍ଦ୍ରଙ୍କର ବଡ ଭାଇଙ୍କର ପୁତ୍ରଟିଏ ଥିଲା ଯିଏ ରାଜା ମିତ୍ରାଦିତ୍ୟଙ୍କର ଜ୍ୟେଷ୍ଠ କନ୍ୟା ଠାରୁ ତିନିବର୍ଷ ବଡ ଥିଲା I ତେଣୁ ଦୂର ଭବିଷ୍ୟତକୁ ଆଖିରେ ରଖି, ରାଜା ସମରେନ୍ଦ୍ର ନିଜର ମନ୍ତ୍ରୀ ଆଉ ସେନାପତିଙ୍କ ସହ ପରାମର୍ଶ କରି ଏକ ଷଡଯନ୍ତ୍ର ରଚିଥିଲେ ଯାହା ଦ୍ଵାରା ଭଣଜାର ଅନ୍ତ ଘଟାଇ ନିଜର ପରିବାରର ଅଧୀନକୁ ଦୁଇ ରାଜ୍ୟକୁ ଆଣିବେ I 

ମହାମନ୍ତ୍ରୀ ମଧ୍ୟ କୁଟିଳ ପ୍ରକୃତିର I ତାଙ୍କର କୁଚକ୍ର ଅନୁସାରେ, ଦୁଇଟି ଶିଶୁଙ୍କ ପାଇଁ, ଏକାପ୍ରକାର ସବୁ ବନ୍ଦୋବସ୍ତ କରାଯିବ ଆଉ ଦୋଳି ମଧ୍ୟ ମିତ୍ରାଦିତ୍ୟଙ୍କର ରାଜ୍ୟର ବାଢେଇ ତିଆରି କରିବେ ଯାହା ଦ୍ଵାରା କାହାର ସନ୍ଦେହ ଏବେ ନାହିଁ I କିନ୍ତୁ ଯେଉଁ ଦୋଳିରେ ମିତ୍ରଦିତ୍ୟଙ୍କର ପୁତ୍ରକୁ ଶୁଆଯିବ ସେଥିରେ ଗୁପ୍ତ ଭାବରେ ତୃଟିଟିଏ କରାଯିବ ଯାହା ଦ୍ଵାରା ଦୋଳିରେ ଶୋଇବା ପରେ ରାତିରେ ଦୋଳିଟି ଭାଙ୍ଗିଯିବ ଆଉ ଶିଶୁର ବେକ ଭାଙ୍ଗି ତାହାର ମୃତ୍ୟୁ ହୋଇଯିବ I ଯେଉଁ ଦାସୀ ଶିଶୁଙ୍କୁ ଦୋଳିରେ ପକେଇବ, ତାହାର ଶିଶୁଙ୍କୁ ଚିହ୍ନିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଯାହା ଦ୍ଵାରା ସିଏ କୌଣସି ଭୁଲ କରି ପାରିବନି I ମିତ୍ରାଦିତ୍ୟଙ୍କର ପୁତ୍ରର ବେକରେ ପିନ୍ଧା ହୋଇଥିବ ହୀରା ଆଉ ମାଣିକ୍ୟର ହାରଟିଏ ଆଉ ତାଙ୍କର ପୁତ୍ରର ବେକରେ ପିନ୍ଧା ହେଇଥିବ ମୋତି ଆଉ ପୁଷ୍ପରାଗର ହାରଟିଏ I ଅନ୍ୟ ସବୁ ପୋଷାକ ପରିଧାନ ଏକ ପ୍ରକାର ହୋଇଥିବ I ଦାସୀ ଆଉ ଵାଢେଇକୁ ହରଣଚାଲ କରି ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଥିବା ହ୍ରଦର କୁମ୍ଭୀର ମାନଙ୍କର ଆହାର କରିଦିଆଯିବ I 

ଦୁଇଟି ରାଜ୍ୟର ପ୍ରଜାଙ୍କର ଉପସ୍ଥିତି ମଧ୍ୟରେ ଆରମ୍ଭ ହୋଇଗଲା ଉତ୍ସବ I ଦିନସାରା ଭୋଜିଭାତ ଆଉ ଯାତ୍ରାରେ କମ୍ପି ଉଠିଲା ମନ୍ଦିର ପ୍ରାଙ୍ଗଣ I ସନ୍ଧ୍ୟାବେଳେ ଦୁଇଟି ଶିଶୁଙ୍କୁ ଦୋଳିରେ ଶୁଆଇ ଦିଆଗଲା I 

ରାତି ସାରା ଶୋଇ ପାରିନଥିଲେ ରାଜା ସମରେନ୍ଦ୍ର I କେତେବେଳେ ଖୁସି ଖବର ଆସିବ ପ୍ରତୀକ୍ଷା କରି ବସିଥିଲେ I କଟୁଆଳ ଖବର ଦେଇ ସାରିଥିଲା ଦାସୀକୁ ଆଉ ବାଢେଇକୁ ନିକଟବର୍ତ୍ତୀ ଜଙ୍ଗଲରେ ହତ୍ୟା କରି ସେମାନଙ୍କର ଶରୀରକୁ କୁମ୍ଭୀମାନଙ୍କର ଆହାର କରିଦିଆସରିଛି I 

"ରାଜା ମିତ୍ରାଦିତ୍ୟଙ୍କର ଦୂତଟିଏ ଆସିଛି ଆଉ ବାର୍ତ୍ତା ନେଇକି ଆସିଛି I କହୁଛି, ମଣିମାଙ୍କୁ ତୁରନ୍ତ ମନ୍ଦିର ପାଖରେଥିବା ପାନ୍ଥଶାଳାକୁ ପ୍ରସ୍ଥାନ କରିବାକୁ ପଡିବ ଯେଉଁଠାରେ କିଛି ଗୋଟିଏ ବଡ ଅଘଟଣ ଘଟି ଯାଇଛି I ରାଜା ମିତ୍ରାଦିତ୍ୟ ବହୁତ ଶୋକାକୁଳ ଅବସ୍ଥାରେ ଅଛନ୍ତି " ଦାସୀଟି ଖବର ଦେଲା I 

ମନେ ମନେ ଅତୀବ ପ୍ରସନ୍ନ ହୋଇ ବାହାରିଗଲେ ରାଜା ସମରେନ୍ଦ୍ରI 

ପାନ୍ଥଶାଳା ବାହାରେ ସମସ୍ତଙ୍କ ମୁଖ ମଳିନ ପଡି ଯାଇଥିଲା I ପୂର୍ଵ ରାତିରେ ଜଣେ ରାଜକୁମାରଙ୍କର ମୃତ୍ୟୁ ଘଟିଛି ଦୋଳି ଭାଙ୍ଗିଯାଇ I ଯେଉଁ ପ୍ରକୋଷ୍ଠରେ ଦୁଇଟି ଶିଶୁ ଶୋଇଥିଲେ ସେଠାରେ ଉଭୟ ପରିବାରର ସଦସ୍ୟ ଏକତ୍ର ହୋଇ ସାରିଥାଆନ୍ତି ଶୋକପୂର୍ଣ ବାତାବରଣରେ I ସମରେନ୍ଦ୍ରଙ୍କର ମାତା ପିତା ମଧ୍ୟ ଥିଲେ I ରାଣୀ ସୁନନ୍ଦା ସଂଜ୍ଞାହୀନା ହୋଇପଡ଼ିଥିଲେ I ପାଖରେ ତାଙ୍କର ମାଆ ମୃତ ଶିଶୁଟିକୁ କୋଳରେ ଧରି ଅବିରତ କ୍ରନ୍ଦନ କରୁଥାଆନ୍ତି I ବିସ୍ମିତ ହୋଇଗଲେ ରାଜା ସମରେନ୍ଦ୍ର I କିଛି ସମୟ ଲାଗି ଗଲା ତାଙ୍କୁ ବୁଝିବାରେ ଯେ କୌଣସି କାରଣରୁ ତାଙ୍କର ପୁତ୍ର ଶୋଇଥିବା ଦୋଳିଟି ଭାଙ୍ଗିଯାଇଛି ରାତିରେ !

ଅତ୍ୟନ୍ତ ମ୍ରିୟମାଣ ହୋଇ ବସିପଡ଼ିଲେ ରାଜା ସମରେନ୍ଦ୍ର I କିଛି ସମାୟ ପରେ ରାଜା ମିତ୍ରାଦିତ୍ୟ ମଧ୍ୟ ଆସି ସାନ୍ତ୍ଵନା ପ୍ରଦାନ କଲେ କିନ୍ତୁ ସମରେନ୍ଦ୍ରଙ୍କର ଦୁଃଖର ସୀମା ନ ଥାଏ I ନିଜର କକ୍ଷକୁ ଫେରିଯାଇ ତୁରନ୍ତ ମନ୍ତ୍ରୀଙ୍କୁ ଆଉ ସେନାପତିଙ୍କୁ ଡାକି ବିଷମ ପରିସ୍ଥିତିର କାରଣ ଖୋଜିବାକୁ ଆଦେଶ ଜାରି କଲେ I ଅତ୍ୟନ୍ତ କ୍ରୋଧରେ ଯିଏ ଗଡବଡ କରିଛି ତାହାର ଶିରଚ୍ଛେଦର ଆଦେଶ ମଧ୍ୟ ଜାରି କରିଦେଲେ I କିଛି ସମୟ ପରେ ମନ୍ତ୍ରୀ ଫେରି ଆସି ଘଟଣା ବିଷୟରେ ବିବରଣୀ ଦେଲେ I ସବୁ ଠିକ ଚାଲିଥିଲା ଏବଂ ଦାସୀ ମଧ୍ୟ ତାହାର କାମ ଠିକରେ କରିଥିଲା କିନ୍ତୁ ଶିଶୁମାନଙ୍କୁ ପୋଷାକ ପିନ୍ଧେଇଲା ବେଳକୁ, ସମରେନ୍ଦ୍ରଙ୍କର ମାଆଙ୍କୁ ଲାଗିଥିଲା ହୀରା ହାରଟି ସମରେନ୍ଦ୍ରଙ୍କ ପୁଅର ବେକରେ ଅଧିକ ସୁନ୍ଦର ଦେଖାଯିବ ତେଣୁ ସିଏ ତାହାକୁ ଅଦଳ ବଦଳ କରିଦେଇଥିଲେ !

ସବୁ ଶୁଣି ସାରି ନିସ୍ତବ୍ଧ ହୋଇଗଲେ ରାଜା ସମରେନ୍ଦ୍ର ଆଉ ମୁଣ୍ଡରେ ହାତ ଦେଇ ବସିଗଲେ ନିଜ ଆସନରେ !


Rate this content
Log in

Similar oriya story from Crime