Mishra Manasi

Inspirational

3  

Mishra Manasi

Inspirational

ସୁଖ ଅପାଶୋରା

ସୁଖ ଅପାଶୋରା

4 mins
117


ମୋ ଜେଜେବାପା ଭାରତୀୟ ସ୍ଥଳ ସେନାରେ ଦୀର୍ଘ ପଚିଶ ବର୍ଷ ନାମକରା ଫୌଜି ରୂପେ କାମ କରି ଅବସର ନେଇଛନ୍ତି ।ସାରା ଭାରତ ସେ ବୁଲିଛନ୍ତି ।ଚାକିରୀର ଶେଷ ଦିନ ତାଙ୍କର କାଶ୍ମୀରରେ କଟିଥିଲା । ଜେଜେମାଆ ମୋର ଭାରି ଅଭିମାନିନୀ,ନାକ କାନ୍ଦୁରୀ ।ଟିକେ ଟିକେ କଥାରେ ନାକ ସୁଁ ସୁଁ କରେ ଜେଜେଙ୍କ ଆଗରେ ।ସେ ଏକ ଯୌଥ ବହୁକୁଟୁମ୍ବୀ ପରିବାରରେ ବାହା ହେଇଚି, ପୁଣି ତା "ଆସାମୀ' (ସ୍ଵାମୀ) ଫୌଜି ।ବରଷ କେ ଥରେ ଘରକୁ ଆସେ କି ନାହିଁ । କଦବା କ୍ୱଚିତ୍ ପିଲା ଛୋଟ ଥିଲାବେଳେ ଥରେ ଅଧେ ଆଗ୍ରା, ଅଯୋଧ୍ୟା ବୁଲିବାକୁ ଯାଇଛି । ନଇଲେ ସବୁବେଳେ ଘରେ ।କାମ ଆଉ କାମ ।ଦିନରାତି ଖଟଣୀ ।ଫୁରୁସତ୍ ନଥାଏ । ସେଇଥିପାଇଁ ସେ ବେଳେବେଳେ ତା ବୋପାକୁ କୋଷେ ମାନେ(ଗାଳି ଦିଏ) । ।ତାକୁ ଏମିତିକା ବଡ଼ ପରିବାରରେ ଦେଇଛି ବୋଲି ।ସେତେବେଳେ ଫୋନ୍ ଫାନ୍ ନଥିଲା ।ଭଲ ମନ୍ଦ ଟିକେ ଜାଣିବାପାଇଁ ଚିଠି ଖଣ୍ଡେ ପାଇବାକୁ ଡାକରେ ମାସେ କି ଦି'ମାସେ ଲାଗି ଯାଉଥିଲା । ପିଲାମାନଙ୍କ ଏବଂ ଜେଜେଙ୍କ ଦିହ କୁଶଳ ପାଇଁ ମାଆ ମଙ୍ଗଳା ପାଖେ ନିଇତି ମୁଣ୍ଡ ବାଡ଼ାଏ ସେ । ବାର ମାସରେ ତାର ତେର ଓଷା ।ନିତି ପାହାନ୍ତାରୁ ଉଠି ରାତି ଅଧ ଯାଏ ଲୋଟଣି ପାରା ଭଳିଆ ଖଟୁଥାଏ । ଟିକେ ସିନା ନାକ କାନ୍ଦୁରୀ, ଭାରି ସ୍ନେହୀ ।ତା ପେଟରେ ଲୁଣ ମିଳାଏନି । ଭାରୀ ଖୋଲା ।ଯାଆ,ଦେଢଶୁର,ଶାଶୁ ଶଶୁର ଅଡ଼ୋଶୀ ପଡୋଶୀ ସମସ୍ତେ ତାକୁ ଭାରି ଭଲ ପାଆନ୍ତି ।ଚାକିରୀଆ ଗେରସ୍ତର ସ୍ତ୍ରୀ ବୋଲି ତାମନରେ ଜମାରୁ ଗର୍ଵ ନାହିଁ ।ସାତ ତାଳ ପଙ୍କ ଫରୁଆ ଭିତରେ ଭଅଁର ଲୁଚିଲା ଭଳିଆ ତା ଗଭୁରୁ ପେଟରେ ଘର କଥା ତ' ଘୋର ସବୁ ଲୁଚିଥାଏ ।କା ଆଗରେ ଦିନେ ବି ବାଢ଼େନି ।ପାଠକେ,ଆପଣ ଭାବୁଥିବେ ମୁଁ ଏତେ ମୋ ଜେଜେମାଆର ଗୌରଚନ୍ଦ୍ରିକା କାହିଁକି ବାଢୁଛି?ଅସଲ କଥା କଣ କି?ଜେଜେ ମୋର ଶରଧାରେ ମାଆ ପାଇଁ ଗୋଟେ କାଶ୍ମୀରରୁ ନାଲିଆ ଫୁଲପକା ସାଲଟେ ଆଣିଥିଲେ । ଜେଜେମାଆ ତାକୁ ଫି ବର୍ଷ ଶୀତ

ଚାରିମାସ ଘୋଡ଼ି ହୁଏ ।ଜେଜେଙ୍କର ସେଇ ଯେଉଁ ଉପହାରଟା ତା ପାଇଁ ସ୍ୱର୍ଗ । ତାକୁ ଘୋଡ଼ି ହେଇ ଦାଣ୍ଡକୁ ବାହାରିଲେ ଗାଁ ମାଇପେ ସବୁ ଠରାଠରି ହୁଅନ୍ତି । କେହି କେହି ମୁହଁରେ କହନ୍ତି, ମାଳ ଲୋ ତତେ ଏ ଚାଦରଟା ଭାରି ମାନୁଛି । ହେଁ,ଏଇଟା ଚାଦର ନୁହଁ ବା" କାଶିମିରୀ ସାଲ୍।ହଅ-ଅ-ବା ସେଇ ବିଦେଶୀ ଚାଦର । ଏକଥା ଶୁଣିଲେ ତା ଗୋଡ଼ ଦଶ ହାତରେ ପଡେ, ଛାତି ବିଏଁ ଓସାର ଫୁଲିଯାଏ । ସାଲରେ ସେ କାହାକୁ ହାତ ମରେଇ ଦିଏନି । ଦବା ତ'ଦୂର କଥା । ଶୀତ ଛାଡ଼ିଗଲେ ତାକୁ ସେ ସଫା ସୁତୁରା କରି ଗନ୍ଧ କର୍ପୂର ଦେଇ ତା ହାତ ଟ୍ରଙ୍କରେ ଭାଙ୍ଗିଭୁଙ୍ଗି ରଖେ । କାଳେ ଉଇ କି ପିମ୍ପୁଡି କାଟିଦେବେ ସେଇଥିପାଇଁ ଗନ୍ଧ କର୍ପୂର ଦିଏ ।ଏମିତି ଢେର ଦିନ

ଯାଏ ଚାଲିଥିଲା ।ସେ ତା ସାଲକୁ କାହାକୁ ଦିଏନି ବୋଲି, ହଟୁଣେ ଆମେ ସବୁ ନାତି ନାତୁଣୀ ତାକୁ ଚିଡ଼େଇବାକୁ କହୁ, ମାଆ ତୋ ସାଲ୍ ଟିକେ ଦେଲୁ ।ଆମେ ଘୋଡ଼ି ହବୁ । ସତରେ ତୋ କାଶୀମିରୀ ସାଲ ଭାରି ଉଷୁମ । ସେ ରାଗି ଯାଇ କହେ," ତମ ବୋପାକୁ ସବୁକହୁନ ଆଣି ଦବ । ମୋତେ କାଇଁ ମାଗୁଛ ।' ଏକଥା ଶୁଣି ସମସ୍ତେ ଠୋ ଠୋ ହସନ୍ତି । ମୋ ପିଲା ଦିନ ସମୟ । ଏଵେ ସିନା ପାଣିପାଗ ବଦଳି ଗଲାଣି ।ସେତେବେଳେ କିନ୍ତୁ ମାଘମାସରେ ବାଘ ଭଳିଆ ଶୀତ । ସଞ୍ଜ ସକାଳେ ଲୋକମାନେ ଧୁନି ଜାଳି ପୁଆଁନ୍ତି ।

ମୋର ମନେଅଛି ଦିନେ ମୁହଁ ରତ ରତ ସଞ୍ଜ ସମୟ ।ମାଘମାସରେ କୁଆଡୁ ଅଚାନକ ମେଘ ଖଣ୍ଡେ ଉଠେଇ ବରଷା ମୁନ୍ଦେ ଢାଳି ଦେଲା । ସେଉଠୁ ଶୀତ ପ୍ରକୋପ ତ ଦେଖ ! କଲିଜା ଘର ପାଣି କଲା ଭଳିଆ ଥଣ୍ଡା ପକେଇଲା । ଏତିକି ବେଳେ ଜଣେ ସ୍ତ୍ରୀଲୋକ ଛଅ ସାତ ବରଷର ପୁଅକୁ ଧରି ଆମ ଦାଣ୍ଡ ବାରଣ୍ଡାକୁ ଉଠି ଆସିଲା ।ଓଦା ସର ସର ଦେହରେ ବରଡା ପତ୍ର ପରି ଥରୁ ଥାନ୍ତି ମାଆ ଛୁଆ ଦୁହେଁ । ମାଆ ସେତିକି ବେଳେ ଘରୁ ସଞ୍ଜ ଦେବାକୁ ଚଉରା ମୂଳକୁ ଆସୁଥାଏ । ତାକୁ ଦେଖି ସ୍ତ୍ରୀଲୋକଟି କହିଲା,"ଖାଉନ୍ଦାଣୀ ଭିକ ମାଗିବାକୁ ଆସିଥିଲି। ବରଷା ହେଲା।ଆମେ ମାଆ ଛୁଆ ଓଦା ହେଇଗଲୁ ।ଶୀତରେ ମଞ୍ଜ ଥରୁଛି ।ଆଉ ଏତେ ବାଟ ଘରକୁ ଫେରି ପାରିବିନି ।ଦୟାକଲେ,ରାତିଟା ତୁମ ଓଳିରେ କଟେଇ କାଲି ବଡ଼ି ଭୋରୁ ପଳେଇଯିବି । ହଉ ହଉ ,ଆ-,ଉପରକୁ ଅ -ଆ । ମାଆ ଏତିକି ଯେମିତି କହିଛି, ସେ ଦୁହେଁ ଉପରକୁ ଆସିଲେ । ତାପରେ ସେ କହିଲା, ମୋତେ ଦିଟା ଅଖା ଆଉ ଶୁଖିଲା ଲୁଗା ଖଣ୍ଡେ ଦେଲେ ତୁମର ଧରମ ହବ ମାଆ ।ତୁମ ପିଲାର ବଡତିରୁ ବଡ଼ତି ହବ । ଜେଜେମାଆ ଘରୁ ଦିଟା ଅଖା ,ଖଣ୍ଡେ ପୁରୁଣା ମସିଣା ଆଉ ଦିଟା ଶୁଖିଲା ଲୁଗା ଆଣି କହିଲା, ଶୀଘ୍ର ସେ ଓଦା ଲୁଗା ପାଲଟି ପିଲାକୁ ପୋଛିପକା । ମୋ ନାତିର ପୁରୁଣା ପେଣ୍ଟ ଶାର୍ଟ ଦଉଛି ତାକୁ ପିନ୍ଧା ।ଛୁଆଟା କୋଲ ମାରି ଯାଉଛି । 'ତାପରେ ମାଆ ବୋଉକୁ କହି ସେ ଦୁହିଁଙ୍କୁ ଚା, ଜଳଖିଆ ଖାଇବାକୁ ଦେଲା । ରାତିରେ ରୁଟି ତରକାରୀ ଖାଇବାକୁ ବୋଉ ହାତରେ ପଠେଇଲା । ଏତେ ସବୁ ସତ୍କାର ପାଇ ସ୍ତ୍ରୀଲୋକ ଟି ଖୁସିରେ ଗଦ୍ ଗଦ୍ ହୋଇ କଲ୍ୟାଣ ଅଜାଡି ଦେଉଥାଏ ଆମକୁ । ମୁଁ ଖାଲି ଦେଖୁଥାଏ ସେ ପୁଅକୁ । କେମିତି ସେ ବିକଳରେ ଖାଇଯାଉଥାଏ ଏକାବେଳକେ । ମୋତେ ଲାଗୁଥାଏ ସେ ମୋରି ବୟସର ହବକି କଣ ? ରାତି ବଢିବାରୁ ଶୀତ ଆହୁରି ବଢ଼ିଲା ।ମାଆ ତାଙ୍କୁ ଘରୁ ରୁମା କମ୍ବଳଟେ

ଆଣି ଘୋଡ଼ି ହବାକୁ ଦେଲା । ସେ ଦୁହେଁ ରାତିଟି ଯେନତେନ ପ୍ରକାରେଣ କଟାଇ ସକାଳୁ ଯିବାକୁ

ବାହାରିଲେ ।ମାଆ ସକାଳୁ ତାଙ୍କୁ ଜଳଖିଆ ଦେବାକୁ ବୋଉକୁ ବରାଦ କଲା ।ନାଇଁ ନାଇଁ କରୁଥିଲା ସିଏ । ମାଆ ପାଟିକଲାରୁ ନେଲା । ଗଲା ବେଳକୁ କୃତ୍ୟ କୃତ୍ୟ ହୋଇ ସେ କହୁଥାଏ, ସାଆନ୍ତାଣି ମାଆ ତୁମେ ମୋତେ ଯେମିତି ସାହାଯ୍ୟ କଲ,ମୁଁ କେବେ ଜୀବନରେ ଭୁଲି ପାରିବିନି ।

ଏହା କହି ସେବୁଲି ପଡି ଦିପାଦ ଆଗକୁ ଯାଇଛି କି ନାହିଁ ମାଆ ପଛରୁ ଡାକି କହିଲା, ରହ ଲୋ ଝିଅ ରହ ।ତାପରେ ଘର ଭିତରକୁ ଖୁବ ଜୋରରେ ଧାଇଁ ଯାଇ ଟ୍ରଙ୍କ ଭିତରୁ ସେ ତା ଅତି ଆଦରର ଚିଜ ନାଲି ସାଲଟିକୁ ଆଣି ସେ ସ୍ତ୍ରୀ ଲୋକଟିକୁ ଦେଇ କହିଲା ,ନେ ତୋ ଛୁଆକୁ ଘୋଡେଇ ଦେ । ସେ ଶୀତରେ ଥରି ଯାଉଛି । ସେଦିନ ସେ ସ୍ତ୍ରୀଲୋକର ଆଖିରୁ ଲୁହ ଟୋପା ଟୋପା ଝରି ପଡିଲା।ସେ କହି ପକାଇଲା,ମାଆ ତୁମେ ମଣିଷ ନୁହଁ। ସାକ୍ଷାତ ଠାକୁରାଣୀ ।ଏ ଜନ୍ମରେ ନୁହଁ ଆର ଜନ୍ମରେ ମୁଁ ତୁମ ଦୁଆରେ ଲଙ୍କା ଗଛଟେ ହେବି ।ମାଆକୁ ମୁଣ୍ଡିଆ ମାରି ସେ ଆଗକୁ ବଢ଼ିଲା । ମୁଁ ଆଁ କରି ଚାହିଁଥାଏ । ଆମକୁ ଛୁଆଁଇ ଦେଉଥିବା ସାଲକୁ ମାଆ ଦେଇଦେଲା କେମିତି ???



Rate this content
Log in

Similar oriya story from Inspirational