Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ଟଙ୍କା ଗଛ

ଟଙ୍କା ଗଛ

3 mins
153



  ଏ ବର୍ଷ ଅଁଳା ନବମୀ ପରେ ପଡୁଥିବା ଦଶମୀ ଗୁରୁବାର ପଡୁଥିବାରୁ ସୁଦଶାବ୍ରତ ପୂଜା। ସକାଳୁ ସକାଳୁ ଘରଦ୍ୱାର ପୋଛା ପୋଛି ଝଡ଼ା ଏତେ ପଡିଲାନି କାରଣ ପୂର୍ବଦିନ ଅଁଳା ନବମୀ ପଡ଼ିଥିବାରୁ ଅଳ୍ପ କାମ। ଧୂପ ଦୀପ ଝୁଣା ଦେଇ, ପୂଜା କରି ଅଗଣାରେ ତୁଳସୀ ପୂଜା ସାରି, ଚଉରା ପାଖରେ ମାଡ଼ିଥିବା ମନିପ୍ଲାଣ୍ଟ ବା ଟଙ୍କା ଗଛରେ କିଛି ସମୟ, ଆଉଜି ପଡ଼ିଲି ମୁଁ ସୁଚିତ୍ରା। ମାଆ କୋଳରେ ଆଉଜି ପଡିବା ଭଳି ଅନୁଭୁତି ଦିଏ ମାଡ଼ିଥିବା ଲଟାଟା। ତାର ମୁଖ୍ୟ କାରଣ ବୋଉ ଦେଇଥିଲା ଡାଳ ଖଣ୍ଡକ। ନେ ଝିଅ ଲଗେଇଦେବୁ ଅଗଣାରେ ଯେ ଟଙ୍କାର ଅଭାବ ଅନୁଭବ କରିବୁନି ଜୀବନ ସାରା।ହସିଥିଲି ମୁଁ। ବୋଉ ମୋର କହୁଥିଲା ବିଶ୍ୱାସ କରୁନୁକି ଝିଅ। ସତରେ ମ। ସତରେ ମୋର ବହୁତ ମହେଲେ ବି ଅଭାବ ନଥିଲା ଧନରେ, ଥିଲା ବୋଧେ ମନରେ ନହେଲେ ବୋଉକୁ ଟିକେ ଦେଖିଯାଇପାରୁନି କି ହାତଟେକି, ଯଥାସମ୍ଭବ ପଇସା ଦେଇପାରୁନି କହାକୁ କାହିଁକି!

  ବାପା ଚାଲିଗଲା ପରେ, ବୋଉ ସମ୍ପୂର୍ଣ୍ଣ ପାଗଳ। କିଏ କହୁଛି ସିଯୋଫର୍ଣିଆ ତ କିଏ କହୁଛି ଆଲଜାଇମର,ପୁଣି କେତେ କଣ ମାନସିକ ରୋଗର ନାମ। ପ୍ରକୃତରେ ନିଜ ପୁଅ ଝିଅଙ୍କୁ ଚିହ୍ନୁନି। ବାପା କୋଉଠି ବୋଲି ପଚାରୁଛି। ପୁଣି ଖୋଜୁଛି ନିଜ ଝୁଣ୍ଟିଆ, ଦେଖେଇଦେଉଛି ନିଜ ପାଦ ଯେବେ ଝିଅ ବୋହୂମାନେ ଅଳତା ଲଗାଉଥାନ୍ତି ବେଳ ଅବେଳ, ଓଷା ପୂଜା ବ୍ରତରେ, ପୁଣି ପଚାରୁଛି ମୋ ପାଉଁଜି କିଏ ରଖିଛ କି କାହିଁକି ମତେ ଦେଉନ?? ଏସବୁ କଥା ଦେଖି ଶୁଣି ସମସ୍ତେ କାବାକାଠ ହୁଅନ୍ତି, ଡାକ୍ତର ଦେଖାନ୍ତି। ମନ ପରିବର୍ତ୍ତନ ପାଇଁ ସ୍ଥାନ ବଦଳେଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର।

 ଗତକାଲି ଅଁଳା ନବମୀରେ ଘରକୁ ଆସିଥିବା ସାଙ୍ଗ ସାଥି ଓ ସେମାନଙ୍କ ପରିବାବର୍ଗଙ୍କୁ ନେଇ ମନ୍ଦିର ଯାଇଥାଏ ମୁଁ। ଗହଳି ଯୋଗୁଁ ଧାଡ଼ିରେ ଠିଆ ହୋଇ ଭାବୁଥାଏ ସେହିସବୁ କଥା ବୋଉ ବିଷୟରେ ଆଉ ମାଆକୁ ଡାକୁଥାଏ ମାଆ ରାଧାରାଣୀ, ଭଲ କରିଦେ ମାଆ ମୋ ବୋଉକୁ, ବସିଥାଉ ସେ। ଅନାଥ ନହୁଏ ମୁଁ ଓ ଆମେ।ଭାଇନା ଜଣେ ଧାଡ଼ିରେ ଥିବା ସମସ୍ତ ଦର୍ଶନାର୍ଥୀଙ୍କୁ ଚନ୍ଦନ ଲଗେଇ ଦେଇ ମାଗୁଥାନ୍ତି ବ୍ରାହ୍ମଣ ଭୋଜନ ତ ମୋ ପାଖରେ ଦଶ, କୋଡ଼ିଏ କି ପଚାଶ ଟଙ୍କିଆ ନଥାଏ। ସହଜେ ଗହଳିରେ, ଭ୍ୟାନିଟରେ ଅଛି କି ନାହିଁ ବି ଦେଖିବାର ସୁଯୋଗ ନଥାଏ, ପାହୁଣ୍ଡେ ପହୁଣ୍ଡେ ଆଗକୁ ବଢିବା ଭିତରେ ଭାବୁଥିଲି ଅଁଳା ନବମୀରେ କିଏ କେତେ କୋଉ ଉପାୟରେ ପଇସା ରୋଜଗାର ଆଶାରେ କିଏ ଚନ୍ଦନ ଘୋରିଛି, କିଏ ତୁଳସୀ ଗୁନ୍ଥିଛି, କିଏ ଫୁଲ ତୋଳି ମାଳ କରିଛି, ହେଲେ ଦଶ, ପାଞ୍ଚ, କୋଡ଼ିଏ ପଚିଶ, ଦେବାକୁ ସମର୍ଥ ଥାଇ ବି ଦେଇହେଉନି କାହିଁକି?, ସେମାନଙ୍କ ଭାଗ୍ୟ ନା ମୋର ଦୁର୍ଭାଗ୍ୟ? ଆଗେଇ ସାରିଥିଲା ଧାଡ଼ି।

  ମାଆ ପାଦର ଦର୍ଶନ ଭିତରେ ମୋ ଆଖିରେ ଲୁହ। ଅଳତା ବୋଳା, ପାଉଁଜି ଝୁଣ୍ଟିଆ ପିନ୍ଧା, ଗୋରା ତକତକ ମଣିଷ ଭଳି ପାଦ ଦେଖୁ ଦେଖୁ, ନନା ବଢ଼େଇ ଦେଇଥିଲେ, ମେଞ୍ଚାଏ ତୁଳସୀ। ବାହାରକୁ ଆସି ଦେଖେ ତ ତୁଳସୀ ଭିତରେ, ମନିପ୍ଲାଣ୍ଟ ଡାଳ ଖଣ୍ଡିଏ। ଆହୁରି କାନ୍ଦ ମାଡ଼ିଲା। ମତେ ନୁହେଁ ମାଆ, ସେହିମାନଙ୍କୁ ଏପରି ଗଛ ମିଳୁ, ଯାହାର ଟଙ୍କା କେବଳ ଚଳିବା ଓ ପରିବାର ପୋଷଣ ପାଇଁ ଦରକାର।

   ଭାବୁ ଭାବୁ ଭାଇ ଫୋନ କରି କହୁଥିଲା, ଜାଣିଛୁ ଅପା, ଡାକ୍ତର କହୁଛନ୍ତି ବାପାଙ୍କ "ଡମି" ଯୋଗାଡ ହୋଇପାରିଲେ, ବୋଉ ଭଲ ହୋଇଯାନ୍ତା। ଯୋଡୁଆଁ, କପି ବା ନକଲ ଅଥବା ଇଂରାଜିରେ "ଟ୍ରୁ କପି" ଇତ୍ୟାଦି କହିବାର ଶୁଣିଛି। ପୁଣି ଶୁଣିଛି ସଦ୍ଦାମ ହୁସେଙ୍କର କେତେ ଗୁଡିଏ ଡମି ଥିଲା, ଆଜିକାଲି ଭ୍ଲାଦିମର ପୁଟିନଙ୍କର ଡମି ଥାଇପାରେ ବୋଲି ମଧ୍ୟ ଶୁଣିଛି, ହେଲେ ବୁଝିନି ଯେ ଡମି ବୋଲି, ଜଣେ ଯୋଡ଼ୁଆଁ ବା ନକଲ ନା ମୁଖାଧାରୀ ଅନ୍ୟମଣିଷ?? ସେ ଦେଖିବାକୁ ଖାଲି ନକଲ ରୁପରେ ନା ଗୁଣରେ ମଧ୍ଯ ବୁଝିନଥିଲେ ବି ଭାଇକୁ ପଚାରି ନଥିଲି, କେବଳ ଅଁଳା ନବମୀରେ ତୁଳସୀ ସହ ପାଇଥିବା ଟଙ୍କା ଗଛ ବା ମନିପ୍ଲାଣ୍ଟ ପୋତି ଦେଇ, ତା ମୂଳେ ପାଣି ଢ଼ାଳୁଥିଲି, ଡମି, ମିଳିଯାଉ ବୋଉ ପାଇଁ। କିଛି ତ ଡମି ଅର୍ଥ ବୁଝିଗଲିଣି ଯେ ପଇସା ବା ଟଙ୍କା ଥିଲେ ସବୁ ସମ୍ଭବ କିନ୍ତୁ ସେ ଟଙ୍କା ନିଜ କର୍ମ ଓ ଶ୍ରମର ହୋଇଥିବା ଦରକାର।



Rate this content
Log in

Similar oriya story from Abstract