ପୁଅ ମୋ ଡାକ୍ତର
ପୁଅ ମୋ ଡାକ୍ତର
ରମେଶ ବାବୁଙ୍କ ର ଦୁଇ ପୁଅ। ଜଣେ ଡାକ୍ତର ଆଉ ଜଣେ ବ୍ୟାଙ୍କର ଅଫିସର। ବଡ଼ପୁଅ ଡାକ୍ତର, ସାନପୁଅ ବ୍ୟାଙ୍କର ଅଫିସର, ଦୁହେଁ ଭୁବନେଶ୍ଵର ରେ ରୁହନ୍ତି । ବାପା ବଡ଼ପୁଅ ବିନୋଦ ପାଖରେ ରୁହନ୍ତି, ମାଆ ସାନପୁଅ କିଶୋର ପାଖରେ ରୁହନ୍ତି, ସମୟର ସ୍ରୋତ ତ ଅଗ୍ରସର, ସିଏ କାହାକୁ ଅପେକ୍ଷା କରେ ନାହିଁ କି ଅଟକି ପଛକୁ ଚାହେଁ ବି ନାହିଁ। ରମେଶ ବାବୁଙ୍କ ବୟସ ପ୍ରାୟ ୮୦ ବର୍ଷ, ମାଆର ବୟସ ୭୦ ବର୍ଷ । ବୟସର ଅପରାହ୍ନରେ ଅବତୀର୍ଣ୍ଣ ବାପା ମା, କେତେ ସ୍ବପ୍ନ ଦେଖିଥିଲେ ବଡ଼ପୁଅ ର ଡାକ୍ତର ଚାକିରୀ ପାଇଁ।
ବଡ଼ପୁଅ ପାଇଁ ବାପା ଙ୍କ ପେନସନ ଟଙ୍କା ଖର୍ଚ୍ଚ , ଆଉ ଜମି ବାଡ଼ି ବିକ୍ରି କରି ଡାକ୍ତରୀ ପାଠପଢ଼ାଇ ଡାକ୍ତର କଲେ। ଡାକ୍ତର ଚାକିରୀ ପରେ ବଡ଼ପୁଅ ଭୁବନେଶ୍ୱର ରେ ରହିଲା, ବଡ଼ପୁଅ ର ବାହାଘର ବି ସରିଛି, ବଡ଼ ବୋହୁ ବି ଡାକ୍ତର, ରମେଶ ବାବୁଙ୍କ ସାନପୁଅ ବି ସେହି ଭୁବନେଶ୍ୱର ରେ। ସେ ବି ବିବାହିତ, ସାନ ବୋହୁ ଗୋଟିଏ ଇଂରାଜୀ ମିଡିୟମ ସ୍କୁଲରେ ଚାକିରୀ କରିଛି। ଇତିମଧ୍ୟରେ ରମେଶ ବାବୁ ଙ୍କ ଦେହ ବହୁତ ଖରାପ ହେବାକୁ ଲାଗିଲା, ଜୀବନ ସାରା ସାହାରା ହୋଇ ଖୁଣ୍ଟ ପରି ଛିଡା ହୋଇଥିବା ବାପା ଆଜି ବେସାହାରା। ମାନସିକ ଭାରସାମ୍ୟ ହରାଇ ରମେଶ ବାବୁ ଅନେକ ଦୁର୍ବଳ ହୋଇ ପଡିଥିଲେ, କାରଣ ତାଙ୍କ ର ଅପରାହ୍ନ ର ସାହାରା ହୋଇ ପାଖରେ ଛିଡ଼ା ହେବାର ମଣିଷ ଟି ଦୂରରେ ରହିବା ଘଟଣା ଅନେକ ଦୁର୍ବଳ କରିଦେଲା, ଫଳରେ ସେ ଏସବୁ କଥା ଭାବି ଭାବି ଶେଷରେ ନିଜ ଜୀବନର ଦୁଃଖ ପ୍ରକାଶ ନକରି ଆରପାରିକୁ ଚାଲିଗଲେ। ପୁଅ ବୋହୁଙ୍କ ସେବା ତ ଦୂରର କଥା, ସେମାନଙ୍କୁ ପାଖରେ ଦେଖିବାକୁ ମିଳି ନଥାଏ, ରାତିରେ ଶୋଇବା ସମୟରେ ଯାହା ଟିକିଏ ଶବ୍ଦ ଆସେ ସେମାନଙ୍କର। ଏପଟେ ସାନପୁଅ ପାଖରେ ରହୁଥିଲେ ମା, ବାପା ଚାଲିଗଲା କିଛି ଦିନ ପରେ, ସାନପୁଅ କିଶୋର କହିଲା ମାଆ, ତୁ ବିନୋଦ ଭାଇ କୁ ଡାକ୍ କଥା ହେବା, ମାଆ ପଚାରିଲେ, କ'ଣ ପାଇଁ ? ବାପା ତ ଦୁଇ ବର୍ଷ ହେବ ଚାଲିଗଲେଣି, ତେଣୁ ତୁ ମୋ ପାଖରେ କାହିଁକି ସବୁବେଳେ ରହିବୁ, ଭାଇ ପାଖରେ ବି କିଛି ଦିନ ରହିବୁ, ମା ତ ସନ୍ତାନ ର ପ୍ରତୀକ, ଆରେ କିଶୋର, ତୋ ପାଠପଢ଼ା ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେ ସବୁ ମୋ ଗହଣା ବିକ୍ରୀକରି ସମ୍ଭବ ହୋଇଛି। ବାପା ଭାବିଥିଲେ ପୁଅ ମୋର ଡାକ୍ତର , ଇଞ୍ଜିନିୟର ହୋଇ ବୟସର ଅପରାହ୍ନରେ ଆମ ପାଇଁ ସାହାରା ହେବେ, ସାହାରା ତ ଦୂରର କଥା, ଏସବୁ ଭାବି ଭାବି ସିଏ ତ ମୋତେ ଛାଡ଼ି ଆରପାରିକୁ ଚାଲିଗଲେ। ଏ ଯମ ଟା ମୋତେ କାହିଁକି ଯେ ରଖିଛି, ମୁଁ ବୁଝିପାରୁନାହିଁ। ମୋର ବି ଅତି ଶୀଘ୍ର ଚାଲିଯିବା ଉଚିତ। କିଶୋର କହିଲା, ତୁ ସେ ବେକାର କଥାବାର୍ତ୍ତା କରନା, ସେତେବେଳେ ତମେ ଦୁହେଁ ଥିଲ, ସେଥିପାଇଁ ବାପା ଭାଇ ପାଖରେ, ତୁ ମୋ ପାଖରେ ରହିବୁ, ଏବେ ସେ କଥା କାହିଁକି ଉଠୁଛି, ଭାଇକୁ କହ, ତୁ ମୋ ପାଖରେ ଆଧା ମାସ ରହିବୁ, ଆଉ ଅଧା ମାସ ଭାଇ ପାଖରେ ରହିବୁ। ମୁଁ କାହିଁକି ମାସ ସାରା ରଖିବି? ଏ କଥା ବିନୋଦର କାନରେ ବାଜିଲା, ସିଏ ବି ଏଥିରେ ରାଜି ହେଲା। ଏମିତି ମାସର ଅଧାଦିନ ସାନପୁଅ ପାଖରେ ଆଉ ଅଧାଦିନ ବଡ଼ପୁଅ ପାଖରେ ମାଆ ରହିଲା, କିନ୍ତୁ ବିଧିର ବିଧାନ ତ ବିଚିତ୍ର, ଯେଉଁ ମାସ ସବୁ ୩୦ ଦିନିଆ, ସେ ମାସ ପାଇଁ କିଛି ଅସୁବିଧା ନଥିଲା, ଯେଉଁ ମାସ ୩୧ ଦିନିଆ, ଗୋଟିଏ ଦିନ ମାଆ କାହା ପାଖରେ ରହିବ ? ଏକଥା ସତ, ହେଲେ ମୁଁ ତ କେବେ ସନ୍ତାନ ମାନଙ୍କ ପାଇଁ ଭାଗବାଣ୍ଟ ସମାନ କରି ଦେଉଥିଲି। କାରଣ ସେତେବେଳେ ସେମାନେ ମୋ ପାଖରେ , ମୋ ମମତାର ବନ୍ଧନରେ ଥିଲେ। ମାଆ କ'ଣ କରନ୍ତି ସେହି ଗୋଟିଏ ଦିନ ନିଜ ପିଲାଦିନ ର ସାଙ୍ଗ( ନମିତା) ପାଖକୁ ଚାଲି ଯାଆନ୍ତି। ସେହି ଦିନ ଦୁଇସାଙ୍ଗଙ୍କ ଭିତରେ ଏହି ସବୁ କଥାବାର୍ତ୍ତା ବିଷୟବସ୍ତୁ ହୋଇଥାଏ। ସତରେ ନମିତା ତୋ ମୁଁ ରୁଣି ହୋଇ ରହିଲି, ଏକଥା ଯେମିତି ସେ ଦୁହେଁ ନ ଜାଣନ୍ତୁ, ଜାଣିଲେ ହୁଏତ କିଛି ଅଲଗା ଭାବିପାରନ୍ତି। ଯାହା ହେଉ ତୋର ଗୋଟିଏ ପୁଅ, ତୋର ଭାଗବାଣ୍ଟ ହେବାର ଅନୁଭୁତି ଆସିବ ନାହିଁ। ତୁ ସତରେ କେତେ ଭାଗ୍ୟବତୀ! ମୋ ଜୀବନ ଟା ଯଦି ତୋ ପରି ହୋଇଥାଆନ୍ତା, ଭଲ ହେଇଥାନ୍ତା। ଆମେ ତ ଭାବିଥିଲୁ ଜଣେ ପୁଅ ମୋ ଡାକ୍ତର ଓ ଆଉଜଣେ ବ୍ୟାଙ୍କ ଅଫିସର, ବୟସର ଅପରାହ୍ନରେ ଆଉ କିଛି ଅସୁବିଧା ହେବନି। କିନ୍ତୁ ସମୟ କ୍ରମେ, ମୁଁ ଅନେକ ପଛରେ .....!