ବାପାଙ୍କ ଅନ୍ତେ ବାପା ଗଲା ପରେ
ବାପାଙ୍କ ଅନ୍ତେ ବାପା ଗଲା ପରେ
(ଯେଉଁ ବାପା ଦିନେ ସନ୍ତାନ ମାନଙ୍କ ପାଇଁ ଭୋକ ଉପାସରେ ରହି ନିଜର ଦୁଃଖକୁ ଲୁଚାଇ ସବୁକିଛି କରି ଚାଲିଥାନ୍ତି, ପ୍ରତ୍ୟେକ ଦୁଃଖ ସମୟକୁ ଆଖି ସାମ୍ନାରେ ଦେଖି ନଦେଖଲା ଭଳି ସନ୍ତାନ ମାନଙ୍କ ପାଇଁ ସବୁ କିଛି କରିଥାନ୍ତି, ଯେମିତି ସନ୍ତାନ ମାନେ ତାଙ୍କ ପରବର୍ତ୍ତୀ ସମୟରେ କିଛି ଅସୁବିଧା ରେ ନ ପଡନ୍ତୁ, ଭଲରେ ରୁହନ୍ତୁ କିନ୍ତୁ ତାଙ୍କ ଗଲାପରେ...)
ସୁରେଶ ବାବୁଙ୍କର ଦୁଇ ପୁଅ, ବଡ଼ପୁଅ ରାକେଶ, ସାନପୁଅ କିଶୋର ଆଉ ଦୁଇ ଝିଅ ସରିତା, ସୁନିତା । ସୁନିତା ଓ ସରିତା ଦୁହେଁ ବିବାହ କରି ସାରିଛନ୍ତି, ସୁରେଶ ବାବୁଙ୍କର ସାତ ବର୍ଷ ହେଲା ଦେହାନ୍ତ ହେଲାଣି, ବଡ଼ପୁଅ ଗାଁ ରେ ରହେ, ଚାଷବାସ କଥା ସବୁ ବୁଝାବୁଝି କରନ୍ତି । ମାଆ ବି ଗାଁ ରେ ବଡ଼ପୁଅ ପାଖରେ ରହନ୍ତି ତ କେତେବେଳେ ସାନପୁଅ ପାଖରେ ରହନ୍ତି । ଜମି ଘର ବାଡ଼ି ସବୁ ମିଶି ଦୁଇ ଏକର । ସାନପୁଅ (କିଶୋର) ଙ୍କ ଛୋଟ ସ୍ବଳ୍ପ ବେତନଧାରି ସରକାରୀ ଚାକିରି, ସେ ତାଙ୍କ ପରିବାର ସହ କଟକ ରେ ରହନ୍ତି । ବାପାଙ୍କ ଦେହାନ୍ତ ପରେ ଦୁଇ ଭାଇ କିଛି ଦିନ ସାଥିରେ ଥିଲେ, ଆସ୍ତେ ଆସ୍ତେ ସମୟର ବୟସ ବଢ଼ିଚାଲିଥିବାବେଳେ, ଭାଇ ଭାଇ ଭିତରେ ତିକ୍ତତା ବଢ଼ିବାରେ ଲାଗିଲା, ଧନ ସମ୍ପତ୍ତି ଉପରେ ନଜର ଲାଗିଲା, ଭାଇ ଭଉଣୀ ମାନେ ପରସ୍ପର ଭିତରେ ଲୋଭର ଅଙ୍କ କଷିବାରେ ବ୍ୟସ୍ତ ରହିଲେ, କଥାରେ ଅଛି ପରା " ଯେତେ ଭାଇ ସେତେ ଘର", ଭାଇ ଭାଇ ଭିତରେ ଏପରି କଳିଗୋଳ ଭୟଙ୍କର ରୁପ ଧାରଣ କରୁଥାଏ ।
ସମସ୍ତେ ସମସ୍ତଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବାରେ ଲାଗି ପଡିଲେ । ବିଚରା ମାଆ ର କଥା କେହି ମାନିବାକୁ ପ୍ରସ୍ତୁତ ନଥିଲେ । ମାଆ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁ ଥାଏ । ଆରେ ରାକେଶ ତୁ ପରା ବଡ଼ ପୁଅ, ତୋ ଉପରେ ମୋର ବହୁତ ବିଶ୍ବାସ ଥିଲା, ବାପାଙ୍କ ଅନ୍ତେ ତୁ ସବୁ କିଛି ଭଲରେ ଭଲରେ ଚଳାଇ ନେବୁ ବୋଲି ମୋର ଆଶା ଥିଲା, ହେଲେ ସବୁ କିଛି ଓଲଟା ହେଉଛି । ଏମିତି ସମୟ ଆସିବ ବୋଲି ମୁଁ କେବେ ଭାବି ନଥିଲି । ଜମି ଘର ବାଡ଼ି ସବୁ ଭାଗବାଣ୍ଟ ହେବାକୁ ଗଲାଣି, ଜମି ବାଡ଼ି ଯାହା ହେଉ ପଛେ, ମୋତେ ବି ଭାଗବାଣ୍ଟ ହେବାକୁ ପଡୁଛି, ମୁଁ ଏ ବୟସରେ କ'ଣ ବା କରିପାରିବି? ଏହି ହାତ ,ଆଖି, ଶାଢ଼ୀର କାନୀ କାଲି ଯେତେବେଳେ ତମ ମାନଂକର ଅତି ଆପଣାର ଥିଲା, ଆଜି କିନ୍ତୁ ସେସବୁ ର ମୂଲ୍ୟ ତୁଛ ଲାଗୁଛି, ଜମି ବାଡ଼ି ଭାଗବାଣ୍ଟ କଲାପରି ମୋତେ ବି ବାଣ୍ଟିବାକୁ ପଛେଇଲ ନାହିଁ, ମାସ ସାରା ମୋତେ ଏପଟ ସେପଟ ହେବାକୁ ପଡୁଛି ।
ମୋ ବୟସ ର ଡେଣା ଆଉ ଫରଫର ହୋଇ ଉଡି ପାରୁନି!! ମୁଁ ଆଉ କେତେ ଏପଟସେପଟ ହେବି? ମୋତେ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ?? ମୁଁ କିଶୋର କୁ ଡାକୁଛି, ସେ ଆସିଲେ ବସି ଏହାର କିଛି ସମାଧାନ କରିବାକୁ ହେବ!! ରାକେଶ କହିଲା, ମା ଶୁଣ , କିଶୋର ଆଉ ତୋ ହିସାବରେ ନାହିଁ , ସେ ଏବେ କଟକରେ ସରକାରୀ ଚାକିରୀ କରିଛି, ଦେଖୁନୁ ତା ଭାଗ ଘର ଚାବି ମାରି ସେ ତା ପାଖରେ ରଖିଛି, ଏଥିରେ ମୁଁ ବା କ'ଣ କରିପାରିବି? ତୁ କହ ମାଆ ! ମୁଁ ସମାଧାନ ଚାହୁଁଚି କିନ୍ତୁ କିଶୋର ସମସ୍ୟା ତିଆରି କରୁଛି, ତୋ ଭାଗବାଣ୍ଟ ସେ ହିଁ କରିଛି, ମୁଁ ନୁହେଁ । ବାପା ଥିଲା ବେଳେ ମୋତେ କେତେ ଉପଦେଶ ଦେଉଥିଲେ, ରାକେଶ! ତୁ ବଡ଼ଭାଇ, ମୋ ଅନ୍ତେ କିଶୋର, ସରିତା, ସୁନିତା ଙ୍କ ପ୍ରତି ଧ୍ୟାନ ଦେବୁ, ହେଲେ ମୁଁ ସେମାନଙ୍କ ପାଇଁ ଶତୃ ହୋଇ ଯାଇଛି, ଘର ବାଡ଼ି ସବୁ ଠିକ୍ ଠିକ୍ ଭାବରେ ଭାଗବାଣ୍ଟ କଲାପରେ ବି ସେମାନଙ୍କ ମନରେ ମୋ ପାଇଁ ଘୃଣା, ତାହେଲେ ମାଆ ତୁ କହ ମୋର ଭୁଲ୍ କ'ଣ ଓ କ'ଣ ପାଇଁ ସେମାନେ ଏତେ କ୍ରୋଧିତ । ମୁଁ କ'ଣ ଅଧିକ ଭାଗ ନେଇ ଗଲି? ସମସ୍ତଙ୍କୁ ଯାହା ଦିଆଯାଇଛି ମୋର ବି ସେହି, ଖାଲି କିଏ ଟିକିଏ ଆଗ ପଛ, ଯାହା ହେଲେ ବି କାହାକୁ ବି ପଛରେ ରହିବାକୁ ପଡିବ, ଏଥିରେ କ'ଣ ବା ଅଛି? ମୁଁ ତ ଆଉ ସେହି ମହାଭାରତର ଦୁର୍ଯ୍ୟୋଧନ ନୁହଁ, ମୁଁ ସଠିକ୍ ଭାବରେ ଘର ଜାଗା ବାଡ଼ି ସବୁ ଭାଗବାଣ୍ଟ କରିଛି, ତା ସତ୍ତ୍ୱେ ସେମାନଙ୍କର ମୋର ପ୍ରତି ଏତେ ଘୃଣା?
ଯିଏ ଯାହା ଭାବୁଛି ଭାବୁ ପଛେ , ମୋର ସେଥିରେ କିଛି କହିବାର ନାହିଁ, ଏମିତି ଖାଲି ଆମ ପରିବାର ନୁହେଁ, ସାରା ସଂସାର ରେ ଭିନ୍ନ ଭିନ୍ନ ସମସ୍ୟା ପରିଲକ୍ଷିତ ହେଉଛି ବାପାଙ୍କ ଅନ୍ତେ । ବାପାଙ୍କ ଥିବା ସମୟରେ ଯାହା କିଛି ଘଟଣା ଘଟୁଛି , ବାପା ଦେହାନ୍ତ ପରେ ତାଠାରୁ ଅଧିକ ଝାମେଲା ଓ ଘଟଣା ଏ ସମାଜରେ ଘଟିଚାଲିଛି, ସେଥିପାଇଁ କେବଳ ଟିକେ ସୁସ୍ଥ ମାନସିକତା ଆବଶ୍ୟକ । ନଚେତ୍ ଆମ ପରି ପରିବାର ହେଲେ ବାପା ମାଆ ଙ୍କ ଶେଷ ଠିକଣା ଜରାନିବାସ ହିଁ ହେବ, ଏମିତି କିଛି ନହେଉ, ସମସ୍ତେ କ୍ଳାନ୍ତ ଅପରାହ୍ନ କୁ ଟିକେ ଆନନ୍ଦିତ ମନରେ କାଟନ୍ତୁ । ବାପାଙ୍କ ଅନ୍ତେ ମାଆଙ୍କର ଅସୁବିଧା ନହେଉ କି ମାଆ ଙ୍କ ଅନ୍ତେ ବାପାଙ୍କର କିଛି ଅସୁବିଧା ନହେଉ, ଏହା ଆମ ପରିବାରରେ ଅକ୍ଷୁର୍ଣ୍ଣ ରହୁ ।