ଅଂଶୁଘାତ
ଅଂଶୁଘାତ
ପ୍ରଚଣ୍ଡ ନିଦାଘେ
ଜଳୁଛି ଜୀବନ
ଅସ୍ତବ୍ୟସ୍ତ ଲାଗେ ପ୍ରାଣ,
ପଶୁପକ୍ଷୀ କୀଟ
ଦ୍ରୁମ ମହାଦ୍ରୁମ
ଜଳାଏ ରବି କିରଣ l
ତାତିଲା ଝାଞ୍ଜିରେ
ଦେହ ଯାଏ ସିଝି
ବ୍ୟାକୁଳେ ଜୀବ ଜଗତ,
ଅଂଶୁଘାତ ଭୟ
କରଇ ଅଥୟ
ମନରେ ସଞ୍ଚରେ ଭୀତ l
ଆକାଶୁ ବରଷେ
ଡହ ଡହ ଖରା
ତାତି ଯାଏ ମାଟି ମାଆ,
ଥଣ୍ଡା ଟିକେ ପାଇଁ
ସଭିଏଁ ବ୍ୟାକୁଳ
ବରଷା ଏକା ହିଁ ସାହା l
ବାହାରକୁ ଗଲେ
ଛତା, ଜୋତା, ଟୋପି
ପାଣି ବୋତଲଟେ ଧର,
ମଧ୍ୟାହ୍ନ ସମୟେ
ଖରାର ପ୍ରାବଲ୍ୟ
ନିରାପଦ ଆମ ଘର l
ଓଦା ଗାମୁଛା ଟେ
ସାଥେ ଧରିଥିବ
ପୋଛୁଥିବ ଦେହ ହାତ,
ଅବଶ ଲାଗିଲେ
ଦେହ ଥରିଗଲେ
ଚିକିତ୍ସା କର ତୁରନ୍ତ l
ଅମୁଲ୍ୟ ଜୀବନ
ଜାଣିଥିବ ଧନ
ହରିଗଲେ ଯିବ ଦୁରେ,
ଲକ୍ଷେ ତପସ୍ୟାରେ
ଆସିବନି ଫେରି
ପିଣ୍ଡ ଛାଡି ଦେଲେ ଥରେ l
ଅବହେଳା ଜମା
କରିବନି ବନ୍ଧୁ
ଗ୍ରୀଷ୍ମର ନିଷ୍ଠୁର ନୀତି,
ଉପସ୍ଥିତ ବୁଦ୍ଧି
ଉଦ୍ଧାର କରିବ
ନଥିବ ମନରେ ଭିତ୍ତି l
ସବୁ ବରଷ ତ
ଏମିତିକା ହେବ
ନିଜ କଲା କର୍ମ ପାଇଁ,
ଜଙ୍ଗଲ ସୁରକ୍ଷା
ଜଗତର ରକ୍ଷା
ମଣିଷ ବୁଝିଲା ନାହିଁ l
ସତର୍କ ରହିବା
ସଜାଗ ରହିବା
କରାଇବା ସଚେତନ,
ପ୍ରକୃତି ନିୟମ
କରିବା ସମ୍ମାନ
ଖୁସିରେ କାଟିବା ଦିନ l
ଜୀବ ଜନ୍ତୁ ବୃକ୍ଷ
କୀଟ ପତଙ୍ଗରେ
ରଖିଥିବା ଦୟାଭାବ,
ସଭିଏଁ ଆମର
କରନ୍ତି ଉପକାର
କର ଥରେ ଅନୁଭବ l
ବୃକ୍ଷ ଥିଲେ ସିନା
ଉତ୍ତାପ ଶୋଷିଣ
ଦିଅନ୍ତା ଶୀତଳ ଭରି
ନିଜ ହାତେ ନିଜ
ପ୍ରାଣ ଘାତି କର୍ମ
କିଏ ପାରିବ ଉଦ୍ଧରି ।।