ନିଦାଘ
ନିଦାଘ
ଅସହ୍ୟ ନିଦାଘ
ଉତ୍ତପ୍ତ ଝାଞ୍ଜିରେ
ଦେହ ମୁଣ୍ଡ ଯାଏ ସିଝି
ଆକାଶୁ ଖସୁଛି
ଅଗ୍ନିର ବରଷା
ଶୁଷ୍କ ଚତୁଃର୍ଦିଗ ଆଜି l
ଆମ୍ବତୋଟା ମାଳେ
ଗାଉନି କୋଇଲି
ପଞ୍ଚମ ତାନରେ ଗୀତ
ବୈଶାଖୀ ପବନ
ଜାଳିଦିଏ ମନ
ପ୍ରାଣ ହୁଏ ଆତଘାତ l
ଖାଆଁ ଖାଆଁ ଲାଗେ
ଶୂନ ଶାନ ସବୁ
ପୁର ପଲ୍ଲୀ ଓ ନଗରେ
ଅଂଶୁଘାତ ଭୟେ
ଆଶ୍ରୟ ଲୋଡ଼ନ୍ତି
ସର୍ବେ ନିଜ ନିଜ ଘରେ l
ଅତି ଦରକାର
ନହେଲେ ଯାଅନି
ବାହାରକୁ ଅଯଥାରେ
ଗଲେ ସାଥେ ରଖ
ଛତା ଜୋତା ପାଣି
ଓଦା ଗାମୁଛା ମଥାରେ l
ପଇଡ଼ ସର୍ବତ
ତରଭୁଜ ସାଥେ
ଆଖୁରସ ଘୋଳଦହି
ଓଡିଆ ପଖାଳ
ତାତି କରେ ଦୂର
ସ୍ୱାଦର ଉପମା ନାହିଁ l
ହସୁଛି ପ୍ରକୃତି
ବିଦ୍ରୁପର ହସ
ଦେଖି ମାନବର ବ୍ୟଥା
ଆପଣା ହସ୍ତରେ
ଲେଖିଛି ମଣିଷ
ପ୍ରଳୟର ମହାଗାଥା l
ବିକାଶ ନାଆଁରେ
ବିନାଶ କରୁଛି
ଜଙ୍ଗଲ କରୁଛି ନାଶ
ପଶୁ ପକ୍ଷୀ କୀଟ
ପତଙ୍ଗ ବିଲୁପ୍ତ
ନାହିଁ ମନେ ଅବଶୋଷ l
କଳକାରଖାନା
ଗାଡି ଧୂଳି ଧୂଆଁ
ପବନ ଜହର ସମ
ନାନା ରୋଗ ବ୍ୟାଧି
ଆସୁଛି ତ ମାଡି
ଜୀବନ ଲାଗେ ବିଷମ l
ଆଷାଢ଼େ ବରଷା
ଝରୁନି ଲାଜେଇ
ଅସରା ଅସରା ପାଣି
ଝିଙ୍କାରୀ ଗାଉନି
ସଞ୍ଜୁଆ ଲଗନେ
ତୋଳି ବିରହ ରାଗିଣୀ l
ଆକାଶ ଛାତିରେ
ଆଲୋକ ଦୀପାଳି
ଜାଳୁନି ଖଦ୍ୟୋତ ବସି
ବସନ୍ତ ମହକେ
ମହକୁନି ଆଉ
ଉପବନେ ପୁଷ୍ପ ରାଶି l
ବଦଳି ଯାଇଛି
ପ୍ରକୃତି ନିୟମ
ହଜିଛି ତା ମାଧୁରୀମା
ନିରବରେ ଝୁରେ
ସ୍ମୃତିକୁ ଉଖାରେ
ପୂରୁବ ଶୋଭା ସୁଷମା l
ପୃଥିବୀ ଆକାଶ
ଶାଶ୍ୱତ ସମ୍ପର୍କ
ନିଦାଘ ସାଜିଲେ ଅରି
ପୃଥିବୀ ଯନ୍ତ୍ରଣା
କରିବାକୁ ଉଣା
ବର୍ଷା ପଡୁଥିଲା ଝରି l
ନିଦାଘ ଆସିଛି
ପ୍ରକୃତି ରୂଷିଛି
କ୍ରୋଧ ଅଗ୍ନି ସମ ଲାଗେ
ତ୍ରାହି ତ୍ରାହି ଡାକେ
ପ୍ରତିଟି ଜୀବନ
ହାହାକର ଚତୁଃର୍ଦିଗେ l
ହୁଅ ସଚେତନ
ହେ ନର ଅଧମ
ବୃକ୍ଷ ଆମ ଆପଣାର
ତା ଲାଗି ଜୀବନ
ହୃଦୟ ସ୍ପନ୍ଦନ
ତା ବିନା ସବୁ ଅନ୍ଧାର l
ଜଳୁଛି ଜଗତ
ସାହା ଜଗନ୍ନାଥ
ପତିତପାବନ ହରି
ମାରିବା ତାରିବା
ତାଙ୍କ ଇଚ୍ଛା ସବୁ
ଦିନ ବନ୍ଧୁ ଦଇତାରୀ l