ଭ୍ରୂଣ
ଭ୍ରୂଣ
ମୁଁ ନିଷ୍ପାପ ଭ୍ରୂଣ ବଢୁଅଛି ଜନନୀ ଜଠରେ
କର ନାହିଁ ହତ୍ଯା ମୋର ମାତୃଗର୍ଭେ
ଦୟା ବହି ମୋତେ ବଞ୍ଚିବାକୁ ଦିଅ ବାରେ
ଅବତରୀ ଆସିବାକୁ ଚାହେଁ ପୃଥିବୀ ପୃଷ୍ଠକୁ
ମାର ନାହିଁ ମୋତେ ଅକାରଣେ ତୁଚ୍ଛାଟାରେ ।।
ମୁଁ ଦେଖିବାକୁ ଚାହେଁ ଏ ବର୍ଣ୍ଣିଳ ଛବିଳ
ମନଲୋଭା ଦୁନିଆର ରୂପକଳ୍ପ ଥରେ
ଜୀଇଁବାକୁ ଚାହେଁ ମନଭରି ଜୀବନର
ଚାରି ପ୍ରହର ପ୍ରତ୍ଯୁଷ ମଧ୍ଯାହ୍ନ ପ୍ରଦୋଷ ନିଶିଥ
ହଜିବାକୁ ଚାହେଁ ଆପଣା ସତୀର୍ଥଙ୍କ ମେଳେ
ବୟସର ଚାରି ପାହାଚ ଅବିରତ ଅବାଧରେ
ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ଯ
ଲଭିବାକୁ ଚାହେଁ ସକଳ ପାର୍ଥିବ ସୁଖ ସମ୍ଭୋଗ
ପୁରୁଷାର୍ଥ ଚତୁଷ୍ଟୟ ଧର୍ମ ଅର୍ଥ କାମ ମୋକ୍ଷ ।।
ନାହିଁ ମୋର ଲିଙ୍ଗ ଭେଦ ଶ୍ରେଣୀ ଭେଦ
ଅବା ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭେଦ
ନୁହେଁ ମୁଁ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ଅବା କ୍ଲୀବ ନପୁଂସକ
ନୁହେଁ ମୁଁ ହିନ୍ଦୁ ମୁସଲିମ୍ ଈଶାଇ ଜୈନ ପାରଶିକ
ନୁହେଁ ମୁଁ ଧନାଢ୍ୟର କୁଳ ନନ୍ଦନ ଆଶାର ପ୍ରଦୀପ
ଅବା ଦୀନ ଅରକ୍ଷିତ ଜନର ଶ୍ରେଷ୍ଠ ସମ୍ପଦ ।।
ମୁଁ ଅଟେ ଦେବଦୂତ ସ୍ରଷ୍ଟା ପ୍ରେରିତ ଆଗନ୍ତୁକ
ଅଫୁରନ୍ତ ଶକ୍ତି ସମ୍ଭାବନା ଭବିଷ୍ୟର ଉଜ୍ଜ୍ବଳ ଉତ୍ସ
ବିଧାତା ଗଢିଛି ମୋତେ ଦେଇ ଚାନ୍ଦଜିଣା ରୂପ
ଦରୋଟି ଓଠରେ ମୋର ମନୋହର ମନଜିଣା ହସ
ମୋ ବିନା ନିରସ ପାଣ୍ଡୁର ଏ ସସାଗରା ଧରା
ନାମ ବହି ଅଛି ମୁହିଁ ସରାଗେ ଶିଶୁ ପରା ।।
ହେ ବିଜ୍ଞ ବିବେକୀ ମାନବ ସମାଜ!
ଶୁଣ ବାରେ ମୋହର ଆକୁଳ ବିନତି
କର ନାହିଁ ହତ୍ୟା ମୋର ଅକାଳରେ
ଘନଘୋର ତମସାଚ୍ଛନ୍ନ ମାତୃ ଗର୍ଭରେ
ମୁଁ ଦେଖିବାକୁ ଚାହେଁ ସୃଷ୍ଟିର ଆଲୋକ
ଦେଖିବାକୁ ଦିଅ ଥରୁଟିଏ ଏଇ ଦୁନିଆଁ
ଯା' ଲାଗି ଦେବତା ବି ଏଠି ଅବତରେ ।।