ଛାଇ
ଛାଇ
ଅନ୍ଧାରୁଆ ବଗିଚାରେ ବୁଲୁଛି
ଦେହରୁ ଖସି ପଡିଥିବା ଛାଇ
ଗଛମାନଙ୍କରେ ପାଣି ଦେଉଛି
ଏନ୍ତୁଡ଼ିଶାଳର ନିଆଁରେ ନିଜକୁ ସେକୁଛି
ଖଣ୍ଡିଆ ଖାବରା ଦେହ, ନୁଖୁରା ମୁଣ୍ଡ
ଦେହରୁ ଖସି ପଡିଲା ବେଳେ ଛାଇ,
ଏ ବଗିଚା ବଡ଼ ଲୋକାରଣ୍ୟ ଥିଲା
ଉପର ଆକାଶରେ ତାରାମାନେ ଏକ ଲୟରେ କାନ୍ଦୁଥିଲେ
ଅତି ଏକାନ୍ତରେ ମାଆଟିଏ
ଶିଶୁଟିକୁ ସ୍ତନ୍ୟପାନ କରଉଥିଲା
ଆଉ ସକାଳ ନାହିଁ ଏ ଦେଶର ଭାଗ୍ୟରେ
ଶବାସନରେ ଚିତ୍ ଶୋଇଛି ସମୁଦ୍ର
ଚୋରା ପବନ ହୋଇ ଉଭେଇ ଯିବ
ଡହ ଡହ ଖରାର ବସନ୍ତ
ଶୋଇ ଶୋଇ ଅଥୟ
କଟା ଡେଣାର ଅସହାୟ ମଣିଷ
ଆଉ ଦେଖଉଛି ନିବିଡ କ୍ଷତର ଖେତ
ଖୋଜି ବୁଲୁଛି ନିଜ ଛାଇର ଠିକଣା ।