ଘାସ ଫୁଲର ପ୍ରେମ
ଘାସ ଫୁଲର ପ୍ରେମ
ପ୍ରେମ ବୋଲି ଶବ୍ଦ ଅଢେଇ ଅକ୍ଷର
ମନେ ମନେ କରୁଥିଲି
ରୂପଟି ମୋହର ଧୋବ ଫର ଫର
ମନେ ଖୁସି ହେଉଥିଲି ।
ନାମଟି ମୋହର ଅଟେ ଘାସଫୁଲ
କ୍ଷଣିକ ଜୀବନ ହୋଇ
ଅନାଦୃତ ମୁଁ ଯେ ଜନ ସମାଜରେ
ପ୍ରକୃତି ଶୋଭା ବଢ଼ାଇ ।
ବିଭୁ ସେବା ଲାଗି ହେବା ପାଇଁ ମୋର
ଜନ୍ମ ଜାତକରେ ନାହିଁ
କେଉଁ ଅଭିଶାପ ପାଇଛି ଜାଣେନା
ମନରେ ଶୋଚନା ନାହିଁ ।
କାକରରେ ମୋର ଶରୀର ଭିଜିଲେ
ଦିଶୁଥାଏ ମୁକ୍ତା ପରି
ବାଳକ ବାଳିକା ଶରଧାରେ ମୋତେ
ନିଅନ୍ତି ଆପଣା କରି ।
ଦୁଃଖ କରେନାହିଁ ବିଭୁ ପ୍ରେମ ଭାବି
ହସି ହସି ସଦା ଥାଏ
ବାଟୋଇ ବାଟରେ କେତେ ଯାଉଥାନ୍ତି
ପଦରେଣୁ ସଦା ପାଏ ।