ଘର ଘରଣୀ
ଘର ଘରଣୀ
ଆକାଳେ ସକାଳେ
ଅକାରଣେ ସକାରଣେ
ଅସମୟେ ବେସମୟେ
ହସିଦିଏ ଖିଲି ଖିଲି
ଅଧାରୁ ବେଶି ଚୁପ୍ ସଇତାନଙ୍କୁ
ହରେଇ ଦିଏ ହଲି ଦୋହଲି ।
ବିଷମେ ସୁଷମେ
ଉତ୍ସବେ କର୍ତ୍ତବ୍ୟେ
ସଂପଦେ ଆପଦେ
ମୁରୁକି ଦିଏ ଗଲି ଅଇଲି
ଚାରଣା ଚନ୍ଦ୍ରସେଣାମାନେ ଟେରେଇ
ବାଟ ହୁରୁଡ଼ି ଝୁଣ୍ଟି ପଡ଼ନ୍ତି ଠେଲି ପେଲି ।
କଥା କହୁ କହୁ ଆଖି ଇଶାରା
କାମ କରୁ କରୁ କହୁଣୀ ମାରା
ରାନ୍ଧୁ ରାନ୍ଧୁ କାନ ଡେରିଥାଏ ପରା
ପଡ଼ିଶା ଘର ଖବର ଜିଭରେ ମରା
ଘର ଘରଣୀ ଭାରି ସିଆଣି ଲୋଟଣି ପାରା ।
ଜୀବନ ଅଛି ମାନେ ଲହ ଲହ ଜଞ୍ଜାଳ
ସମୟ ଅଛି ମାନେ ସମସ୍ୟା ହଳାହଳ
ତେଲ ଲୁଣର ଦୁନିଆରେ ପରିସ୍ଥିତି ଅସମ୍ଭାଳ
ଟଙ୍କା ପଇସାର ଅଭାବ ଅନାଟନ ଅନନ୍ତ କାଳ ।
କେବେ କେବେ ଲୁହରେ ବୁହେଇ ଦିଏ
ପୁଣି କେବେ ରାଗରେ ଦବେଇ ଦିଏ
ଚିମୁଟାଏ ହସରେ ଭୁଲେଇ ଦିଏ
ଆଉ ସର୍ବ ଶେଷରେ
ଅଣ୍ଟାରେ କାନି ଖୋସେଇ ନିଏ
ଆଖିଡିମା ବଡ଼ ବଡ଼ ପରି
ଯୁଦ୍ଧମ୍ ଦେହୀ ଡାକରାରେ
ଘର ଦ୍ଵାର ସାହି ପଡ଼ିଶା
ଉଠାଏ ପକାଏ ଦାଣ୍ଡ ଦୁଲୁକାଏ ।
ମାଡ ଗାଳି ଖେଣ୍ଟିଆ ଥାଏ
କଳି କରୁଥାଏ ତୁଣ୍ଡ ଗର୍ଜୁଥାଏ
କିନ୍ତୁ ଛାଡ଼େନା ସିଏ
ହାରିବା ଜାଣିନି ଶିଖିନି ସିଏ
ଯୁଗେ ଯୁଗେ ଖଣ୍ଡା ଖର୍ପର ଧାରିଣୀ
ଦୁର୍ଗା କାଳି କାତ୍ୟାୟନୀ
ହସିଲେ ରମ୍ଭା ମେନକା ଉର୍ବଷି କାଣି
କାବ୍ୟ ନାୟିକା ମୃଗନୟନୀ ।