କବି ଯେତେମରେ ସେତେ ବଞ୍ଚିଉଠେ
କବି ଯେତେମରେ ସେତେ ବଞ୍ଚିଉଠେ
ଅନ୍ତରେ ଅନ୍ତରେ ଜଳୁଥାଏ
ଯିଏ ପ୍ରତିକ୍ଷଣ ନିଜ ମନକୁ ମାରୁଥାଏ
କୋଉଠି ଦେଖିଲେ ହସ ଟିକିଏ
କୋଉଠି ଦେଖିଲେ ଟିକିଏ ଖୁସି
ମୁହୁର୍ତ୍ତରେ ଯୁଗେ ବଞ୍ଚିଯାଏ,
ନିଜ ହୃଦୟ ପଥରକୁ
ନିଜ ବୀବେକର ନିହାଣ ମୂନରେ କାଟେ
ଗଢ଼ିବ ନିଜକୁ ବୋଲି ଜୀବନ୍ତ କୋଣାର୍କ
ବାରବାର ମରେ କବି ଶବ୍ଦର ଅମୃତେ
କବି ଯେତେମରେ ସେତେ ବଞ୍ଚିଉଠେ ।
ନିଜକୁ ଆଘାତ ଦେବାର କଳା
ଆଘାତ ପାଇ ଲୁହ ଗଡ଼ାଇ ନିଜେ ପିଏ
ସେ ଲୁହରେ ବି ସିଏ ଜିଏଁ
ନିଜେ ନିଜକୁ କନ୍ଦାଇ ହସକୁ ଖୋଜେ
ପାଗଳାମି ତା'ର ସେ ଅନ୍ୟର ଦୁଃଖରେ ଭିଜେ,
ହୁଏ ଦୁର୍ବଳ ହୃଦୟ ତା'ର
ଦେଖି କାହାର ଆଖିର ଲୁହ
ନିଜ କୋହର ସାବୁନ ପାଣିରେ
ନିଜ ମନର ବାସନକୁ ବାରବାର ମାଜେ
ସେ ଜାଗ୍ରତରେ ବି ନିଦ୍ରାଯାଏ
ଯନ୍ତ୍ରଣାର ଔଷଧୀୟ ତୈଳରେ
ନିଜ ଅନ୍ତରକୁ ମାଠେ
କବି ଯେତେମରେ ସେତେ ବଞ୍ଚିଉଠେ ।
କେବେ ଦିନେ ନିଷ୍ଠାରେ ସମର୍ପିତ ଭାବରେ
ମାଗିଥିଲା ସେ ଈଶ୍ୱରଙ୍କୁ ଏକାନ୍ତରେ
କେଉଁ ଜଣେ କବିଙ୍କର କବିତାଟେ ପଢ଼ି
ପ୍ରଭୁ କବିଙ୍କୁ ଦୁଃଖ ମିଳୁ
ସୁଖରେ କବି ହୁଏ ପଙ୍ଗୁ ଅଥର୍ବ
ପ୍ରଭୁ ନିର୍ଦ୍ବନ୍ଦ୍ବରେ ତଥାସ୍ତୁ କହିଥିଲେ ବୋଧେ
ଆଜି ଏ କବି (ଅକବି)
ସବୁଥାଇ ନିସ୍ୱ ଅସହାୟ ପଙ୍ଗୁ ପରି
ଏ କବିଟି ସମୟ ପଥରେ
ବାରବାର ପଡ଼େ ବାରବାର ଉଠେ
କବି ଯେତେମରେ ସେତେ ବଞ୍ଚିଉଠେ।